ବସନ୍ତ ଋତୁର ଆରମ୍ଭରେ ପାଳନ କରାଯାଏ ମହା ଶିବରାତ୍ରି ବା ଜାଗର। ବସନ୍ତ ଋତୁ, ବସନ୍ତ ମଳୟ ବସନ୍ତ ପୁଷ୍ପର ସୁରଭି ମଣିଷ ମନରେ ଉନ୍ମାଦନା ସୃଷ୍ଟି କରେ। ଉନ୍ମତ୍ତ ମଣିଷ ହୁଏ ଉତ୍ସୃଙ୍ଖଳ। ସେହି ଉତ୍ସୃଙ୍ଖଳ ମଣିଷକୁ ସଞ୍ଜତ କରିବା ପାଇଁ ଏହି ବ୍ରତ ପାଳନର ବ୍ୟବସ୍ଥା। ପବିତ୍ରତା ଓ ସଞ୍ଜତ ଭାବରେ ଏହି ପୂଜା କରାଯାଏ। ମାଘ କୃଷ୍ଣ ଚତୁର୍ଦ୍ଦଶୀକୁ ଶିବରାତ୍ରି ବା ଜାଗର ନାମରେ ପାଳନ କରାଯାଏ। ଶିବଙ୍କ ପ୍ରିୟ ଚଉଦଟି ଯାତ୍ରା ମଧ୍ୟରୁ ଶିବ ଚତୁର୍ଦ୍ଦଶୀ ଲୋକପ୍ରିୟ। ଏହି ଦିନଠାରୁ ଯୋଗେଶ୍ୱର ଶିବ ସମସ୍ତ କାମନାକୁ ପରିତ୍ୟାଗ କରି ସଞ୍ଜମ ବ୍ରତ ପାଳନ କରନ୍ତି ଏବଂ ଜ୍ୟେଷ୍ଠ ମାସ ଶୁକ୍ଲ ପକ୍ଷରେ ପାର୍ବତୀଙ୍କ ସହ ବିବାହରେ ତାହାର ପରିସମାପ୍ତି ହୁଏ। ତେଣୁ ତାହା ଶୀତଳ ଷଷ୍ଠୀ ନାମରେ ନାମିତ।
ଶିବରାତ୍ରିର ମହତ୍ତ୍ଵ ଓ ଜଣେ ଶବରର କଥା
ଗୋଟିଏ ଶବର ଥିଲା। ସେ ଜୀବହତ୍ୟା କରି ପେଟ ପୋଷେ। ସାରା ଜୀବନ ଅଗଣିତ ପଶୁ, ପକ୍ଷୀ ବଧ କରିବା ତା'ର ଥିଲା ଜୀବିକା। ଅଜ୍ଞାନରେ ସେ ଏପରି ମହାପାପ ଅର୍ଜନ କରିବାରେ ଲାଗିଥାଏ। ସବୁ ଦିନ ପରି ଶିବଚତୁର୍ଦଶୀ ଦିନ ମଧ୍ୟ ଶବର ତା'ର ଧନୁଶର ଧରି ଶିକାର କରିବାକୁ ଗଲା। ସାରାଦିନ ଜଙ୍ଗଲରେ ବୁଲି ବୁଲି କୌଣସି ଶିକାର ପାଇଲା ନାହିଁ। ସେ ଦିନଟି ତା'ର ଉପବାସରେ କଟିବ, ସେପାଇଁ ଶବର ମନରେ ବହୁତ କଷ୍ଟ ହେଲା। ସେତେବେଳକୁ ସନ୍ଧ୍ୟା ହୋଇଯାଇଥାଏ। କିଛିକ୍ଷଣ ପରେ ରାସ୍ତାଘାଟ ଆଉ ଦେଖାଗଲା ନାହିଁ, ତେଣୁ ଶବର ତା' ଘରକୁ ଫେରିଯାଇ ପାରିଲା ନାହିଁI ଶୀତ ଦିନ, ଶବର ଗୋଟିଏ ଗଛ ଉପରେ ବସି ରାତି କଟାଇବାକୁ ସ୍ଥିର କଲା।
Also Read
ନିଜ ଅଜାଣତରେ ଜାଗର ପାଳିଲା ଶବର
ଶୀତ କଷ୍ଟରୁ ରକ୍ଷା ପାଇବା ପାଇଁ ଶୁଖିଲା କାଠ ଗୁଡ଼ିଏ ଗୋଟାଇ ଆଣି ଗୋଟିଏ ଝଙ୍କାଳିଆ ଗଛ ତଳେ ଜଳାଇ ଦେଲା ଓ ସେହି ଗଛ ଉପରେ ବସି ରହିଲା। କାଠ ଗୁଡ଼ିକ ଅନବରତ ଜଳୁଥିବାରୁ ଗଛ ତଳ ଆଲୋକିତ ହେଲା ଓ ଶବରକୁ ଉଷୁମ ଲାଗିଲା ।ଶବରଟି ଯେଉଁ ଗଛରେ ଚଢି ଥିଲା ତାହା ଗୋଟିଏ ବେଲଗଛ।ସେହି ଗଛମୂଳେ ଗୋଟିଏ ଶିବଲିଙ୍ଗ ଥିଲା। ଉପରେ ମଣିଷ ଚଢିବାରୁ ଗଛଟି ହଲିଲା । ସଙ୍ଗେ ସଙ୍ଗେ ବେଲ ପତ୍ର ଗୁଡ଼ିକ ସେହି ଶିବଲିଙ୍ଗ ଉପରେ ଗଦା ହେଲା। ବେଲ ପତ୍ରଗୁଡ଼ିକରେ ଡାକର ବିନ୍ଦୁ ପଡି ପାଣି ପଡିଲା। ଶିବଲିଙ୍ଗ ମସ୍ତକ ଉପରେ ବେଲପତ୍ର ଓ ଜଳ ଲାଗି ରହିଲା ।
ଶବରଟି ଦିନସାରା ଉପବାସ ରହିଥିଲା। ରାତିସାରା ଅନିଦ୍ରା ରହି ଶୀତ କଷ୍ଟରେ ଆଲୁଅ ଜାଳିଲା। ଶବର ଅଜ୍ଞାତରେ ମହାଶିବରାତ୍ରି ବ୍ରତ ପାଳନ କଲାI ଶବରର ମହାଶିବରାତ୍ରି ବ୍ରତ ପାଳନ ଦେଖି ମହାଦେବ ବହୁତ ସନ୍ତୁଷ୍ଟ ହେଲେ । କିନ୍ତୁ ଶବରକୁ ଏସବୁ କଥା ଜଣା ନଥିଲା।ରାତିପାହି ସକାଳ ହେଲା। ସେ ଗଛରୁ ଓହ୍ଲାଇ ତା' ଘରକୁ ଗଲା। ପୂଣି ପରଦିନଠାରୁ ଶିକାର କରି ଜୀବବଧ କରିବାରେ ଲାଗିଲା।
ଶବରର ମୃତ୍ୟୁ ଓ ଶିବାଲୋକକୁ ଯାତ୍ରା
ଏହିପରି ଅନେକ ଦିନ ବିତିଯିବା ପରେ ସେହି ଶବରଟି ବୁଢା ହୋଇ ମରିଗଲା। ତା'ର ମୃତ୍ୟୁ ପରେ ଶବରକୁ ନେବା ପାଇଁ ଶିବଙ୍କ ଅନୁଚରମାନେ ଆସିଲେ ଏବଂ ଯମଦୂତମାନେ ମଧ୍ୟ ଆସି ସେଠାରେ ଉପସ୍ଥିତ ହେଲେ। ଶିବ-ଦୂତମାନେ କହିଲେ, "ମହାଦେବଙ୍କ ଆଦେଶରେ ଏହି ପୂଣ୍ୟବାନ୍ ଶବରକୁ ନେବା ପାଇଁ ଆମେମାନେ ଆସିଛୁ! ଏହି ବ୍ୟକ୍ତି ଜାଗର-ବ୍ରତ ପାଳନ କରି, ଉପଦାସ ଓ ଅନିଦ୍ରା ରହି, ରାତିସରା ଆଲୋକ ଜାଳି ଶିବଙ୍କ ମସ୍ତକରେ ଜାଗର ରାତିଟି ସାରା ବେଲପାତ୍ର ଓ ଜଳ ଲାଗି କରି ଶିବଙ୍କୁ ବହୁତ ସନ୍ତୁଷ୍ଟ କରିଛି ! ତେଣୁ ସେ ଶିବଲୋକରେ ବାସ କରିବ । ତୁମେମାନେ ଏହାକୁ ଛୁଇଁ ପାରିବ ନାହିଁ I"
ଶିବଦୂତ ଓ ଯମଦୂତଙ୍କ ମଧ୍ୟରେ କଳି
ଶିବ- ଦୂତମାନଙ୍କଠାରୁ ଏ କଥା ଶୁଣି ଯମଦୂତମାନେ ରାଗିଗଲେ ଏବଂ କହିଲେ, "ଏହି ଶବର ମହାପାପୀ। ସେ ଜୀବନସାରା ଅସଂଖ୍ୟ ଜୀବ ବଧକରି ମହାପାପ ଅର୍ଜନ କରିଛି। ତେଣୁ ସମରାଜାଙ୍କ ଦରବାରରେ ଏହାର ଉଚିତ ଦଣ୍ଡବିଧାନ କରାଯାଇଛି ଏବଂ ଯମରାଜାଙ୍କ ଆଦେଶରେ ଆମେମାନେ ଏହାକୁ ବାନ୍ଧି ଯମପୁରକୁ ନେଇଯିବୁ।" ଶିବଦୂତ ଓ ଯମଦୂତଙ୍କ ମଧ୍ୟରେ ଯୁକ୍ତିତର୍କ ବଢିବାକୁ ଲାଗିଲା। ଝଗଡା କୌଣସି ପ୍ରକାରର ନିଷ୍ପତ୍ତି ହୋଇ ପାରିଲା ନାହିଁ। ଏହା ଜାଣି ସ୍ଵୟଂ ଧର୍ମରାଜ ଯମ ଆସି ଉପସ୍ଥିତ ହେଲେ । ସମସ୍ତ କଥା ବୁଝିପାରି ଦୂତମାନଙ୍କୁ ଆଦେଶ ଦେଲେ "ଶିବଙ୍କ ଆଦେଶ ଅନ୍ୟଥା ହୋଇ ପାରିବ ନାହିଁ I ସେ ମୃତ୍ୟୁଞ୍ଜୟୀ ଦେବତା। ଈଛାକଲେ ଏହି ଶବରକୁ ଜୀବଦାନ ମଧ୍ୟ ଦେଇ ବଞ୍ଚାଇ ଦେଇ ପାରିବେ। ବର୍ତମାନ ଏହାକୁ ନେବା ଅଧିକାର ମୁଁ ତ୍ୟାଗ କଲି।
ଏହିଦିନ ସଂସାରର ସୃଷ୍ଟି ହୋଇଥିଲା
ଦେବଦେବ ମହାଦେବଙ୍କଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ପୁରାଣର ଅନ୍ୟଏକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ। ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ। ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ। ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି। ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ।
ପାଳନ ବିଧି
ଶିବରାତ୍ରିକୁ ଚାରୋଟି ପ୍ରହରରେ ଶେଷ କରାଯାଏ। ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା। ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ କ୍ଷୀରରେ ଅଭିଷେକ କରାଯାଏ। ଦ୍ୱିତୀୟ ପ୍ରହର ବା ସନ୍ଧ୍ୟାର ପରବର୍ତ୍ତୀ ସମୟରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ। ତୃତୀୟ ପ୍ରହର ବା ଘୋର ରାତ୍ର ସମୟରେ ଶିବଲିଙ୍ଗକୁ ମହୁରେ ଅଭିଷେକ କରାଯାଏ। ରାତ୍ରର ଶେଷ ପ୍ରହର ସମୟରେ ଶିବ ମନ୍ଦିରର ଚୁଡ଼ାଦେଶକୁ ମହାଦୀପ ଉଠାଯାଏ। ସାରା ସଂସାରରୁ ଅଜ୍ଞାନରୂପକ ଅନ୍ଧକାରକୁ ଦୂରକରି ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠାଣର ଉଦ୍ଦେଶ୍ୟ। ରାତ୍ରର ପ୍ରତ୍ୟେକ ପ୍ରହରରେ ଶିବଲିଙ୍ଗକୁ ପୁଷ୍ପ, ପତ୍ର ଓ ଫଳ ଆଦି ପ୍ରଦାନ କରାଯାଇ ଉପାସନା କରାଯାଏ। ଏହିଦିନ ଭଗବାନ ଶିବଙ୍କ ଉପରେ ବେଲପତ୍ର ଓ କେତକୀଫୁଲ ଚଢ଼ାଯିବାର ବିଧି ରହିଛି ।
ଶିବ ପୂଜାରେ ପରିବାରର ମହତ୍ତ୍ଵ
ଶିବ ପୂଜାର ଆଉ ଏକ ବିଶିଷ୍ଟ କଥା ହେଉଛି ଶିବ ପରିବାରର ମାହାତ୍ମ୍ୟ। ଶିବଙ୍କର ବାହନ ବୃଷଭ। ନାଗ ଶିବଙ୍କର ଅଙ୍ଗାଭରଣ। ଆଦି ଶକ୍ତି ମାତା ପାର୍ବତୀଙ୍କ ବାହନ ସିଂହ।କାର୍ତ୍ତିକେଶ୍ୱରଙ୍କର ବାହନ ମୟୂର ଓ ଗଣେଶଙ୍କ ବାହନ ମୂଷା। ଏ ସମସ୍ତେ ପରସ୍ପରର ଶତ୍ରୁ। ମାତ୍ର ଗୋଟିଏ ପରିବାରରେ ସେମାନଙ୍କର ସହାବସ୍ଥାନ ଏ ମଣିଷକୁ ଶିକ୍ଷା ଦିଏ ସମାଜରେ ତଥା ପରିବାରରେ ଏହିପରି ବିଭିନ୍ନ ପ୍ରକୃତିର ଲୋକ ଅଛନ୍ତି, ମାତ୍ର ଶିବ ପରିବାର ପରି ସମସ୍ତଙ୍କୁ ନେଇ ଶାନ୍ତିରେ ସହାବସ୍ଥାନ ଆମର କାମ୍ୟ।