/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748946201.jpg)
mythology and history of famous sitalsasthi jatra of sambalpur in western odisha
ଓଡିଶାର ପ୍ରତ୍ୟେକ ପର୍ବପର୍ବାଣିର ଏକ ନିଜସ୍ୱ ସ୍ୱତନ୍ତ୍ରତା ରହିଛି। ଉତ୍କଳୀୟ ପର୍ବପର୍ବାଣି ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ। ଓଡ଼ିଶା ମାଟିରେ ଅଗଣିତ ଦେବୀ ଦେବତାଙ୍କର ଉପାସନା ହୋଇଥାଏ। ତେବେ ଦେବଦେବୀଙ୍କର ମାନବୀୟ ଲୀଳାଖେଳା ହିଁ ଉତ୍କଳୀୟ ପରମ୍ପରାର ବିଶେଷତ୍ତ୍ୱ। ସେମିତି ଏକ ମାନିବୀୟ ଲୀଳାଯୁକ୍ତ ଲୌକିକ ପର୍ବ ହେଉଛି ଶୀତଳ ଷଷ୍ଠୀ ଯାତ୍ରା। ଜ୍ୟେଷ୍ଠମାସର ଶୁକ୍ଳ ଷଷ୍ଠୀକୁ ଶୀତଳ ଷଷ୍ଠୀ କୁହନ୍ତି। ଏହା ଏକ ପ୍ରସିଦ୍ଧ ଶୈବ ପର୍ବ। ଓଡ଼ିଶାର ସମ୍ବଲପୁର, ପୁରୀ, ଭୁବନେଶ୍ଵର, ଅଞ୍ଚଳରେ ଓ ଅନ୍ୟାନ୍ୟ ଶୈବପୀଠରେ ଏହି ପର୍ବ ମହା ଆଡ଼ମ୍ବରରେ ପାଳନ କରଯାଏ। ଏଥିରେ ବ୍ରାହ୍ମଣମାନେ ମୁଖ୍ୟ ଅଂଶ ଗ୍ରହଣ କରନ୍ତି। ସେମାନଙ୍କ ଛଡ଼ା ଜାତି, ଧର୍ମ ନିର୍ବିଶେଷରେ ସର୍ବସାଧାରଣ ଲେକେ ଏହି ଉତ୍ସବରେ ଭାଗ ନଅନ୍ତି। ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ପାଳନ କରିବା ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ।
ପଶ୍ଚିମ ଓଡ଼ିଶା ବିଶେଷ କରି ସମ୍ବଲପୁରର ଏହା ଏକ ପ୍ରସିଦ୍ଧ ଲୌକିକ ଯାତ୍ରା। ଯଦିଓ ଶିବ-ପାର୍ବତୀଙ୍କ ପୌରାଣିକ ଆଖ୍ୟାନ ଉପରେ ଏହା ଆଧାରିତ; ମାତ୍ର ପୂଜା ପଦ୍ଧତିରେ ଲୌକିକତା ପରିଲକ୍ଷିତ ହୋଇଥାଏ। ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା, ନନ୍ଦପଡ଼ାର ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ବାବା ଏବଂ ମୁଦିପଡ଼ାର ଜାଗେଶ୍ଵର ବାବାଙ୍କ ବିବାହୋତ୍ସବ, ଶୀତଳଷଷ୍ଠୀ ଯାତ୍ରା ରୂପେ ପରିଚିତ। ଜ୍ୟେଷ୍ଠ ଶୁକ୍ଳ ଷଷ୍ଠୀରେ ଶିବଙ୍କର ବିବାହ ମାତା ପାର୍ବତୀଙ୍କ ସହିତ ହୋଇଥାଏ।
ପୌରାଣିକ କାହାଣୀ
ଏହାର ପୌରାଣିକ ପୃଷ୍ଠଭୂମି ଏହିପରି– ତାରକାସୁର ବଧ ପାଇଁ ଶିବ-ପାର୍ବତୀଙ୍କ ବିବାହର ଆବଶ୍ୟକତା ରହିଥିବାରୁ ବ୍ରହ୍ମାଙ୍କ ନିର୍ଦ୍ଦେଶରେ କନ୍ଦର୍ପ ମହାଦେବଙ୍କ ଯୋଗଭଗ୍ନ ଉଦ୍ଦେଶ୍ୟରେ ଯାଇ ତାଙ୍କ ଚକ୍ଷୁଅଗ୍ନିରେ ସେ ଧ୍ୱଂସ ହୋଇଥିଲେ। ଦକ୍ଷ ଯଜ୍ଞରେ ଶିବଙ୍କ ଅପମାନ ସହ୍ୟ କରିନପାରି ଯଜ୍ଞ ନିଆଁରେ ସତୀ ଝାସ ଦେବା ପରେ, ଶିବ ଦକ୍ଷ ଯଜ୍ଞ ଭସ୍ମ କରି ହିମବନ୍ତ ଶିଖରରେ ଯୋଗସାଧନ କରିବାକୁ ଲାଗିଲେ। ହିମବନ୍ତୀଙ୍କ ପତ୍ନୀ ମେନାଙ୍କ ଗର୍ଭରୁ ପାର୍ବତୀ ଜନ୍ମ ହେବା ପରେ ଶିବଙ୍କ ଆରାଧନାରେ ଦିନ ଅତିବାହିତ କରିବାକୁ ଲାଗିଲେ। ଶିବଙ୍କ ପ୍ରାପ୍ତି ଉଦ୍ଦେଶ୍ୟରେ ପାର୍ବତୀ ଘୋର ତପସ୍ୟା କରିବାରୁ ଶିବ ସନ୍ତୁଷ୍ଟ ହୋଇ ବୈଦିକ ରୀତିରେ ବିବାହ କରିବାକୁ ରାଜି ହେଲେ। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଉଭୟଙ୍କ ବିବାହ ସଂପନ୍ନ ହୋଇଥିଲା ଏବଂ ତାଙ୍କ ଗର୍ଭରୁ କାର୍ତ୍ତିକେଶ୍ଵର ଜନ୍ମଲାଭ କରି ତାରକାସୁରକୁ ବଧ କରି ଦେବତାମାନଙ୍କୁ ଶାନ୍ତି ପ୍ରଦାନ କରିଥିଲେ। ଏହି ପୃଷ୍ଠଭୂମିରେ ପଶ୍ଚିମ ଓଡ଼ିଶାରେ ଶୀତଳଷଷ୍ଠୀ ଯାତ୍ରା ପାଳିତ ହୋଇଥାଏ।
କିମ୍ବଦନ୍ତୀରେ ଶୀତଳ ଷଷ୍ଠୀ
ଶୀତଳ ଷଷ୍ଠୀ ଯାତ୍ରା କେବେଠାରୁ କିପରି ଆରମ୍ଭ ହେଲା, ତାହା କହିବା ସମ୍ଭବ ନୁହେଁ। ମାତ୍ର କିମ୍ବଦନ୍ତୀ ଅନୁସାରେ, ସମ୍ବଲପୁରର ସେ ସମୟର ରାଜା ବଳୀୟାର ସିଂହଦେବ ୧୬୧୭ରୁ ୧୬୫୭ ମଧ୍ୟରେ ଶାସନ କରୁଥିବା ବେଳେ, ଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଯାଇଥିଲେ। ସେତେବେଳେ ଗଜପତି ରାଜା ଅଷ୍ଟମଲ୍ଲଙ୍କ ସହିତ ତାଙ୍କୁ ଶକ୍ତି ପରୀକ୍ଷା କରିବାକୁ ଆହ୍ୱାନ ଦେଇଥିଲେ ଏବଂ ରାଜା ସେମାନଙ୍କୁ ପରାସ୍ତ କରିବାରୁ ଗଜପତି ତାଙ୍କୁ ‘ହୀରାଖଣ୍ଡ ଛତ୍ରପତି ଅଠରଖଣ୍ଡ ମଉଡ଼ମଣି’ ଉପାଧି ଦେବା ସହ, ତାଙ୍କ ଅନୁରୋଧ କ୍ରମେ, ଗଜପତି ଅଠର ବ୍ରାହ୍ମଣ ପରିବାର ସମ୍ବଲପୁର ପଠାଇଥିଲେ।
ସେମାନେ ଯେଉଁଠି ରହିଲେ, ତାହା ହୋତାପଡ଼ା ନାମରେ ପରିଚିତ ହୋଇଥିଲା। ଏହି ହୋତାପଡ଼ା, ବର୍ତ୍ତମାନ ନନ୍ଦପଡ଼ାକୁ ସ୍ଥାନାନ୍ତରିତ ହୋଇଥିଲା। ଏଠାରେ ଅଭୟସିଂହ ଦେବଙ୍କ ରାଜତ୍ୱ ସମୟରେ (୧୭୬୬-୭୮) ବାଲୁକେଶ୍ୱର ମନ୍ଦିର ନିର୍ମାଣ ହୋଇଥିଲା। ସାମିଆ ମନ୍ଦିରରେ ପୂର୍ବରୁ ପାଳିତ ହେଉଥିବା ଶୀତଳଷଷ୍ଠୀ, ନନ୍ଦପଡ଼ାରେ ବାଲୁଙ୍କେଶ୍ଵର ବିବାହୋତ୍ସବ ରୂପେ ପାଳିତ ହୋଇ ଆସୁଅଛି। ଏହା ସହିତ ଝାଡୁଆପଡ଼ାର ଶ୍ରୀଲୋକନାଥ ବାବା ଏବଂ ମୁଦିପଡ଼ାର ଜାଗେଶ୍ଵର ବାବାଙ୍କ ବିବାହୋତ୍ସବ ସମ୍ବଲପୁରରେ ଏକ ମହାନ୍ ଲୋକ ଉତ୍ସବରେ ପରିଣତ ହୋଇପାରିଛି। ଅନୁମାନ କରାଯାଇଥାଏ ଯେ, ଏହି ଶୀତଳଷଷ୍ଠୀ ତିନିଶହ ପଚାଶ ବର୍ଷ ପୂର୍ବରୁ ପାଳିତ ହୋଇଆସୁଅଛି। ଏହା ସଂପୂର୍ଣ ଭାବେ ଲୋକାଚାର ଭିତ୍ତିରେ ପାଳନ କରାଯାଇଥାଏ। ଆମ ଲୋକାଚାରରେ ଯେଉଁ ରୀତିନୀତି ବିବାହ ସମୟରେ ପାଳିତ ହୋଇଥାଏ, ଶୀତଳଷଷ୍ଠୀ ଯାତ୍ରାରେ ଶିବ-ପାର୍ବତୀଙ୍କ ବିବାହରେ ଠିକ୍ ସେହି ରୀତିନୀତି ପାଳିତ ହୋଇଥାଏ।
ପାର୍ବତୀଙ୍କ ବିବାହ ପ୍ରସ୍ତାବ
ଅକ୍ଷୟ ତୃତୀୟାରୁ ‘ଥାଳଉଠା’ ହେଉଛି ଏହାର ପ୍ରଥମ କାର୍ଯ୍ୟକ୍ରମ। ଶିବ-ପାର୍ବତୀଙ୍କ ବିବାହର ଯଥେଷ୍ଟ ପୂର୍ବରୁ ମହାଦେବଙ୍କ ଶ୍ୱଶୁର ଘର ଠିକ୍ କରାଯାଇଥାଏ। ଯିଏ କନ୍ୟା ପିତାମାତା ହୁଅନ୍ତି, ସେ ପାର୍ବତୀଙ୍କ ବିବାହର ଆୟୋଜନ କରିଥାନ୍ତି। ପୂର୍ବ ବର୍ଷରେ ଯେଉଁଠି ପାର୍ବତୀଙ୍କ ବିବାହକାର୍ଯ୍ୟ ସଂପନ୍ନ ହୋଇଥାଏ, ଆୟୋଜନକାରୀ ପଡ଼ାର ନେତୃସ୍ଥାନୀୟ ବ୍ୟକ୍ତି ଯାଇ ସେଠାରେ ‘ଗଣ୍ଠଲହିଟା’ ବା ସମ୍ବନ୍ଧ ତୁଟାଇବା କାର୍ଯ୍ୟ କରିଥାନ୍ତି। ଏହାର ଅର୍ଥ ପାର୍ବତୀ ନୂଆ ବାପାମାଆଙ୍କ ପାଖକୁ ଯାଉଥିବାରୁ ପୁରୁଣା ପିତାମାତାଙ୍କ ସହ ସଂପର୍କ ଛିନ୍ନ କରିଥାନ୍ତି।
ପତ୍ରପେଣ୍ଡି
ଶିବଙ୍କ ପିତା କିଛି ନେତୃବର୍ଗଙ୍କ ସହିତ କନ୍ୟା ଘରକୁ କୁଣିଆ ହୋଇ ଯାଇ ବିବାହ ପ୍ରସ୍ତାବ ଦେଇଥାନ୍ତି। ଏହି କାର୍ଯ୍ୟ ଜ୍ୟେଷ୍ଠ ଶୁକ୍ଳ ଦ୍ଵିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ। କନ୍ୟାପିତା ବିବାହର ସ୍ଵୀକୃତି ସ୍ଵରୂପ ଶାଳପତ୍ର ବିଡ଼ାଏ ବା ‘ସରଗି’ ରଖିଥାନ୍ତି। ଶିବଙ୍କ ପିତା ସହିତ ଯାଇଥିବା ସାତଜଣ ଋଷି ବା ବ୍ରାହ୍ମଣଙ୍କୁ ‘ସପ୍ତର୍ଷି’ କୁହାଯାଇଥାଏ। ନେତୃତ୍ୱ ନେଉଥିବା ବ୍ୟକ୍ତି କନ୍ୟାପିତାଙ୍କ ସହ ପୌରାଣିକ ମତଅନୁଯାୟୀ ମଧୁର ବାର୍ତ୍ତାଳାପ କରିଥାଆନ୍ତି, ଯାହା ପରିବେଶକୁ ଆନନ୍ଦଦାୟକ କରିଥାଏ।
ପ୍ରଥମେ କନ୍ୟାପିତା ସେମାନଙ୍କର ଆସିବାର କାରଣ ପଚାରନ୍ତି। ଉତ୍ତରରେ ସପ୍ତର୍ଷିଙ୍କ ନେତୃତ୍ୱ ନେଉଥିବା ବ୍ୟକ୍ତି କୁହନ୍ତି- “ଆମ୍ଭେ ଶୁଣିଅଛୁ, ଆପଣଙ୍କର ଏକ କନ୍ୟା ଅଛି ଓ ସେହି କନ୍ୟା ଶିବଶଙ୍କର ସହ ବିବାହ ପାଇଁ ଯୋଗ୍ୟା।” ଉତ୍ତରରେ କନ୍ୟାପିତା କୁହନ୍ତି- “ଶିବ ଶ୍ମଶାନବାସୀ, ସର୍ପକୁ ଗଳାରେ ଧାରଣ କରନ୍ତି ଏବଂ ନିଶାସକ୍ତ ଅଟନ୍ତି। ଏଭଳି ବ୍ୟକ୍ତିଙ୍କୁ ମୁଁ ମୋର ଅଲିଅଳୀ କନ୍ୟାକୁ କିପରି ପ୍ରଦାନ କରିବି? ଏହାର ଉତ୍ତରରେ ସପ୍ତର୍ଷିଗଣ ଶିବ-ପାର୍ବତୀ ବିବାହ ଜଗତର ମଂଗଳସାଧନ ପାଇଁ ଉଦ୍ଦିଷ୍ଟ ଏବଂ ‘ତାରକାସୁର ବଧ’ ନିମିତ୍ତ ଏହି ବିବାହ କିଭଳି ଏକ ସମୟ ଉପଯୋଗୀ ଅଟେ, ତାହା ବର୍ଣ୍ଣନା କରି କନ୍ୟାପିତାଙ୍କୁ ବୁଝାଇ କୁହନ୍ତି।
ପରେ କନ୍ୟାପିତା ସମ୍ମତି ଦେବା ପରେ ‘ସରଗି ପତ୍ର’ ପେଣ୍ଡାଏ ପ୍ରଦାନ କରି ସମ୍ବନ୍ଧ ସ୍ଥାପନ କରିଥାନ୍ତି। ଏଥିସହିତ କନ୍ୟାପାଇଁ ଉଦ୍ଦିଷ୍ଟ ଚୂଡ଼ି, ସିନ୍ଦୂର, ଅଙ୍ଗବସ୍ତ୍ର ଇତ୍ୟାଦି ବିବାହ-ସାମଗ୍ରୀ କନ୍ୟାପିତାଙ୍କୁ ପ୍ରଦାନ କରି ବିବାହ ଲଗ୍ନ ସଂପର୍କରେ କଥାବାର୍ତ୍ତା ହୋଇଥାଏ। ଏହି ପ୍ରଥାକୁ “ପତ୍ରପେଣ୍ଡି’ ବା ନିର୍ବନ୍ଧ କୁହାଯାଏ। କନ୍ୟାପିତା ସମୁଦୀ ଓ ଅନ୍ୟାନ୍ୟ ଅତିଥି ତଥା ଜ୍ଞାତିକୁଟୁମ୍ବଙ୍କୁ ପାନ, ଭୋଜନରେ ଆପ୍ୟାୟିତ କରିଥାନ୍ତି।
ଗୁଆଗୁଣ୍ଡା
ଶିବ-ପାର୍ବତୀଙ୍କ ବିବାହୋତ୍ସବର ଲଗ୍ନ ସ୍ଥିର ହେବା ପରେ, ସମସ୍ତ ଦେବତାବର୍ଗଙ୍କୁ ବରପକ୍ଷରୁ ଗୁଆ ହଳଦୀ ପ୍ରଦାନ କରି ନିମନ୍ତ୍ରଣ କରାଯାଇଥାଏ। ଏହି ପରଂପରାକୁ ‘ଗୁଆଗୁଁଡ଼ା’ କୁହାଯାଏ। ସମ୍ବଲପୁର ସହରରେ ମୁଖ୍ୟତଃ ତିନୋଟି ପଡ଼ାର ଲୋକେ ଏହି ଯାତ୍ରା ଆୟୋଜନ କରିଥାଆନ୍ତି। ସେଗୁଡ଼ିକ ହେଲା- ଝାଡ଼ୁଆପଡ଼ା, ନନ୍ଦପଡ଼ା ଓ ମୁଦିପଡ଼ା। ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା, ନନ୍ଦପଡ଼ାର ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ବାବା ଏବଂ ମୁଦିପଡ଼ାର ଜାଗେଶ୍ଵର ବାବାଙ୍କ ବିବାହ ଖୁବ୍ ଆଡ଼ମ୍ବର ସହ ଆୟୋଜିତ ହୁଏ।
ତିଥି ଓ ଲଗ୍ନ ସ୍ଥିର ହେବା ପରେ ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କ ପକ୍ଷରୁ ହନୁମାନ, ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ବାବାଙ୍କ ତରଫରୁ ନୃସିଂହ ମହାପ୍ରଭୁ ଏବଂ ଜାଗେଶ୍ୱର ବାବାଙ୍କ ତରଫରୁ ହନୁମାନ, ସମ୍ବଲପୁର ସହରର ବିଭିନ୍ନ ଦେବ-ଦେବୀ ମନ୍ଦିରକୁ ଯାଇ ଶିବ-ପାର୍ବତୀ ବିବାହ ଉତ୍ସବକୁ ଗୁଆ-ହଳଦୀ ପ୍ରଦାନ କରି ନିମନ୍ତ୍ରଣ କରିଥାଆନ୍ତି। ନନ୍ଦପଡ଼ାରେ ଏହି ପ୍ରଥାକୁ ‘ନୃସିଂହ -ନିଉତା’ ବୋଲି କୁହାଯାଏ। ନିମନ୍ତ୍ରଣ ଉତ୍ସବରେ ବାଣ ଫୁଟା ଯିବାଠାରୁ ଆରମ୍ଭ କରି ଘଣ୍ଟ ଘଣ୍ଟା ଓ ଶଙ୍ଖ ବାଜିଥାଏ। ଏଥିସହିତ ବିଭିନ୍ନ ନୃତ୍ୟ ପରିବେଷଣ ହୋଇଥାଏ।
ଶିବଙ୍କ ବାହାଘର ଓ ବରଯାତ୍ରୀ
ପୂର୍ବବର୍ଷ ବିବାହ କରିଥିବା ପିତାମାତାଙ୍କ ଦ୍ୱାରା ଶିବପାର୍ବତୀଙ୍କ ବିବାହ ଗଣ୍ଠି ଫିଟା ଯାଇଥାଏ। ବିବାହ ବର୍ଷ କନ୍ୟା ପିତାମାତା ଶୋଭାଯାତ୍ରାରେ ପାର୍ବତୀଙ୍କୁ ନିଜ ଘରକୁ ନେଇଆସନ୍ତି। ଶୀତଳଷଷ୍ଠୀ ଯାତ୍ରାରେ ଶିବ ମନ୍ଦିରରୁ ବିଭିନ୍ନ ଦେବଗଣ ବା ବରଯାତ୍ରୀଙ୍କ ସହିତ ଶ୍ୱଶୁରାଳୟ ଆସନ୍ତି। ପାର୍ବତୀଙ୍କ ପିତାମାତା ଯେକୌଣସି ମଧ୍ୟବିତ୍ତ ବା ଧନୀକ ପରିବାରର ବ୍ୟକ୍ତି ହୋଇଥାନ୍ତି। ସେମାନେ ବିବାହ ଉପଲକ୍ଷେ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିଥାନ୍ତି। ଉଭୟ ଲୌକିକ ଓ ବୈଦିକ ରୀତିରେ ବିବାହସଂପନ୍ନ ହୋଇଥାଏ। କନ୍ୟାପିତାଙ୍କ ଶାଳକ ମଉଳା ଭାର ଧରି ଆସିଥାନ୍ତି।
ମାତା ପାର୍ବତୀଙ୍କ ପିତା ପ୍ରତିବର୍ଷ ପରିବର୍ତ୍ତିତ ହେଉଥାନ୍ତି। ପଞ୍ଚମୀ ଦିନ ଶିବ ବର ବେଶରେ ଅନ୍ୟ ଦେବ ବରଯାତ୍ରୀଙ୍କ ସହିତ କନ୍ୟାଗୃହକୁ ରୋଷଣି କରି ଯାଆନ୍ତି। କନ୍ୟାପିତା ନିଜ ସାମର୍ଥ୍ୟ ଅନୁଯାୟୀ ଯୌତୁକ ଦେଇଥାନ୍ତି। ବରଯାତ୍ରୀଙ୍କୁ ଉତ୍ତମ ଭାବେ ଚର୍ଚ୍ଚା କରିଥାନ୍ତି। ଷଷ୍ଠୀ ଦିନ ରାତିରେ ଶିବ ବୃଷଭ ପିଠିରେ ଓ ପାର୍ବତୀ ସିଂହ ଉପରେ ଅଳଂକାର ଭୂଷିତା ହୋଇ ଗୃହକୁ ଯାତ୍ରା କରିଥାନ୍ତି। ଶିବଙ୍କ ମେଢ଼ ସହିତ ଅନ୍ୟ କିଛି ଦେବତାଙ୍କ ମେଢ଼ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି। ଶୋଭାଯାତ୍ରା ସପ୍ତମୀ ଦିନ ମଧ୍ୟାହ୍ନରେ ଶେଷ ହୋଇଥାଏ।
ଶିବ–ପାର୍ବତୀ ପୃଥିବୀ ପରିକ୍ରମା
ବାହୁଡ଼ା ଦିନ ଶିବ-ପାର୍ବତୀ ବିରାଟ ଶୋଭାଯାତ୍ରାରେ ସହର ବୁଲିଥାନ୍ତି। ଏହି ସମୟରେ ବିଭିନ୍ନ ସ୍ଥାନରୁ ଆସିଥିବା ନୃତ୍ୟଦଳ, ବାଦ୍ୟଦଳ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥାନ୍ତି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ବିଶେଷତଃ ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ଡ଼ାଲଖାଇ, ଘୁମ୍ରା, ସଂପର୍ଦା, କର୍ମା, କଳିଙ୍ଗୀ, ସମ୍ବଲପୁରୀ ଦୁଲ୍ ଦୁଲୀ ବାଦ୍ୟ, ଶଂଖ ଓ ଘଣ୍ଟବାଦ୍ୟ ଆଦି ବିଶେଷ ଭାବରେ ସ୍ଥାନୀତ ହୋଇଥାଏ। ଏତଦ୍ବ୍ୟତୀତ ହଣ୍ଡପା ନୃତ୍ୟ, ଶବର-ଶବରୁଣୀ ନୃତ୍ୟ, ଦଣ୍ଡ ନୃତ୍ୟ, ଗେଡ଼ି ନୃତ୍ୟ, ଆଧୁନିକ ଅର୍କେଷ୍ଟ୍ରା, ରେକର୍ଡ଼ ନୃତ୍ୟ, ବାଇ ନୃତ୍ୟ ମଧ୍ୟ ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରି ଉପସ୍ଥିତ ଜନସମୁଦ୍ରକୁ ମନୋରଂଜିତ କରିଥାଆନ୍ତି।
ଏହି ଯାତ୍ରାରେ ଜାତି, ଧର୍ମ ,ବର୍ଣ୍ଣ , ଭାଷା ତଥା ଆଞ୍ଚଳିକ ବୈଷମ୍ୟର ଚିହ୍ନ ରହେ ନାହିଁ। ଶୋଭାଯାତ୍ରାରେ ବାଘ, ଭାଲୁ ହାତୀର ମୁଖା ପରିଧାନ କରି ଯେଉଁ ନୃତ୍ୟ ପ୍ରଦର୍ଶିତ ହୁଏ ବା ମାଟିର ପ୍ରତିମୂର୍ତି ସବୁ ରଥାରୂଢ଼ ହୋଇଯାଆନ୍ତି, ତାହା ଶିବ ପରିବାରର ସମନ୍ୱୟତା ଓ ସହାବସ୍ଥାନର ଚିତ୍ର ପ୍ରଦାନ କରିଥାଏ। ଏହି ବାହୁଡ଼ା ଯାତ୍ରାରେ କିନ୍ନରମାନେ ଦୂରଦୂରାନ୍ତରୁ ଆସି ସାମିଲ ହୁଅନ୍ତି। ତାଙ୍କର ବିଶ୍ୱାସ ଥାଏ ଯେ ସେମାନେ ଯଦି ଶିବପାର୍ବତୀଙ୍କ ସମ୍ମୁଖରେ ନୃତ୍ୟ କରିବେ ତାଙ୍କୁ ପରଜନ୍ମରେ ଆଉ କିନ୍ନର ଜନ୍ମ ମିଳିବ ନାହିଁ।
ଶିବ-ପାର୍ବତୀଙ୍କ ବିବାହ ପରେ ଦେବତାମାନେ ତାଙ୍କୁ ପୃଥିବୀ-ପ୍ରଦକ୍ଷିଣ କରିଥିବାର ପୌରାଣିକ ତଥ୍ୟକୁ ଆଶ୍ରୟ କରି ଏହି ‘ଶୀତଳ ଷଷ୍ଠୀ’ ଶୋଭାଯାତ୍ରା ଅନୁଷ୍ଠିତ ହୁଏ। ପୂର୍ବେ ସାନ ସଡ଼କ ଓ ବଡ଼ ସଡ଼କର ପରିଧିକୁ ପୃଥିବୀ ବୋଲି ପରିକଳ୍ପନା କରାଯାଇ ଏହି ଶୋଭାଯାତ୍ରା ଅନୁଷ୍ଠିତ ହେଉଥିଲା ବୋଲି ଲୋକମୁଖରୁ ଶୁଣାଯାଇଥାଏ।
ଗ୍ରୀଷ୍ମର ପ୍ରଖର ଉତ୍ତାପରୁ ରକ୍ଷା ପାଇବା ଉଦ୍ଦେଶ୍ୟରେ ଶିବଙ୍କ ସନ୍ତୁଷ୍ଟି ନିମିତ୍ତ ଏହି ଯାତ୍ରାର ସୃଷ୍ଟି ବୋଲି କେହି କେହି ମତ ଦେଇଥାନ୍ତି। ଶିବ ଏବଂ ପାର୍ବତୀ ଅର୍ଥାତ୍ ଶକ୍ତିଯୁକ୍ତ ଶିବ ହେଲେ ପୃଥିବୀର ମଙ୍ଗଳ ସାଧନ ହୋଇଥାଏ। ପୃଥିବୀ ଶୀତଳ ହୋଇଥାଏ। ସମ୍ବଲପୁର ସହର ଏହି ସମୟରେ ସଂପୂର୍ଣ ରୂପେ ଉତ୍ସବ ମୁଖର ହୋଇ ଉଠିଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)