Advertisment

Hanuman Birth Story: ସୂର୍ଯ୍ୟଙ୍କୁ ପାଚିଲା ଫଳ ଭାବିଥିବା ଶିଶୁଟି କିଏ? ପବନପୁତ୍ରଙ୍କ ନାମ କେମିତି ହେଲା ହନୁମାନ?

ପ୍ରଭୁ ହନୁମାନଙ୍କର ଜନ୍ମ ଓ ପିଲାଦିନକୁ ନେଇ ଭାରତୀୟ ପୁରାଣରେ ଅନେକ ରୋଚକ କାହାଣୀ ରହିଛି। ବାଲ୍ମିକୀ ରାମାୟଣ ଅନୁସାରେ, ପୃଥିବୀର ଉତ୍ତର ଦିଗରେ ସୁମେରୁ ବୋଲି ଏକ ବଡ ପର୍ବତ ଥିଲା, ଯାହା ମାଟି କିମ୍ବା ପଥରରେ ନୁହେଁ। ସେ ପର୍ବତ ସୁନାର ପର୍ବତ। ଏହା କେମିତି ହନୁମାନଙ୍କ ଜୀବନ ସହିତ ଜଡ଼ିତ ପଢ଼ନ୍ତୁ।

author-image
Sarojini Sankhua
ଅଦ୍ୟତନ ହୋଇଛି
mythological story behind the birth of pabanputra lord hanuaman

mythological story behind the birth of pabanputra lord hanuaman

ଭକ୍ତ ଶ୍ରେଷ୍ଠ ରାମଭକ୍ତହନୁମାନଙ୍କ ଜୟନ୍ତୀ ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଦିନରେ ପାଳନ କରାଯାଏ। ଭାରତର ଅଧିକାଂଶ ରାଜ୍ୟରେ ଚୈତ୍ର ପୂର୍ଣ୍ଣିମାରେ କିମ୍ବା ବୈଶାଖ ମାସରେ ଏହି ପର୍ବ ପାଳନ କରାଯାଏ। କିଛି ରାଜ୍ୟ ଯଥା କେରଳ ଓ ତାମିଲନାଡୁରେ ଏହା ଅନ୍ୟ ସମୟରେ ପାଳିତ ହୁଏ। ଓଡ଼ିଆମାନେ ହନୁମାନ ଜୟନ୍ତୀ ବୈଶାଖ ମାସର ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଦିନ ପାଳନ କରନ୍ତି।

Advertisment

ହନୁମାନଙ୍କ ଜନ୍ମ କାହାଣୀ

ହନୁମାନଙ୍କ ଜନ୍ମ ବିଷୟରେ ପୁରାଣମାନଙ୍କରେ ବିଭିନ୍ନ କାହାଣୀ ଦେଖିବାକୁ ମିଳେ। ବାଲ୍ମିକୀ ରାମାୟଣ ଅନୁସାରେ, ପୃଥିବୀର ଉତ୍ତର ଦିଗରେ ସୁମେରୁ ବୋଲି ଏକ ବଡ ପର୍ବତ ଥିଲା, ଯାହା ମାଟି କିମ୍ବା ପଥରରେ ନୁହେଁ। ସେ ପର୍ବତ ସୁନାର ପର୍ବତ। ସେ ପର୍ବତର ଗଛରେ ସୁନା ଫୁଲ ଫୁଟେ, ସୁନାର ଫଳ ଫଳେ। ସେହି ସୁନା ପର୍ବତରେ କେଶରୀ ନାମରେ ଜଣେ ରାଜା ଥିଲେ। କେଶରୀ ବୃହସ୍ପତିଙ୍କ ପୁତ୍ର। କେଶରୀଙ୍କ ରାଣୀଙ୍କ ନାଁ ଅଞ୍ଜନା। ଅଞ୍ଜନା ଜଣେ ସୁନ୍ଦରୀ ଅପ୍ସରୀଙ୍କ ଝିଅ। ଅଞ୍ଜନା ଓ କେଶରୀ ଏକ ସନ୍ତାନ ପାଇବା ପାଇଁ ରୁଦ୍ରଙ୍କୁ ଦୀର୍ଘ ୧୨ ବର୍ଷ ଧରି ପ୍ରାର୍ଥନା କରିଥିଲେ। ସେମାନଙ୍କର ଭକ୍ତିରେ ସନ୍ତୁଷ୍ଟ ହୋଇ ରୁଦ୍ର ସେମାନଙ୍କୁ ଖୋଜୁଥିବା ପୁଅକୁ ଦେଲେ।

ପବନ ପୁତ୍ର

ହନୁମାନଙ୍କୁ ପବନ ପୁତ୍ର କୁହାଯାଏ। ହନୁମାନଙ୍କ ଜନ୍ମରେ ପବନଙ୍କ ଭୂମିକାକୁ ଗ୍ରହଣ କରାଯାଏ। କୁହାଯାଏ ଯେ, ଯେତେବେଳେ ଅଞ୍ଜନା ରୁଦ୍ରଙ୍କୁ ପୂଜା କରୁଥିଲେ, ସେତେବେଳେ ଅଯୋଧ୍ୟା ରାଜା ଦଶରଥ ମଧ୍ୟ ସନ୍ତାନ ପ୍ରାପ୍ତି ପାଇଁ ପୁତ୍ରକାମୀ ଯଜ୍ଞର ରୀତିନୀତି କରିଥିଲେ। ଫଳସ୍ୱରୂପ, ସେ ତାଙ୍କର ତିନି ପତ୍ନୀଙ୍କ ସହ ଯଜ୍ଞର ପ୍ରସାଦ ପବିତ୍ର ଖିରି ଗ୍ରହଣ କରିଥିଲେ। ଯାହାଦ୍ୱାରା ରାମ, ଲକ୍ଷ୍ମଣ, ଭରତ, ଏବଂ ଶତୃଘ୍ନ ଜନ୍ମ ହୋଇଥିଲେ।

Advertisment

ଈଶ୍ୱରଙ୍କ ନିୟମ ଅନୁଯାୟୀ, ଏକ ଗୁଡ଼ି ସେହି ଖିରିର ଏକ ଖଣ୍ଡ ଛଡ଼ାଇ ନେଇଥିଲା ଏବଂ ଅଞ୍ଜନା ପୂଜାପାଠ କରୁଥିବା ଜଙ୍ଗଲ ଉପରେ ଉଡ଼ିବା ସମୟରେ ଏହାକୁ ଛାଡି ଦେଇଥିଲା। ପବନ ଦେବତା ବାୟୁ, ଅଞ୍ଜନାଙ୍କ ବିସ୍ତାରିତ ହାତକୁ ସେହି କ୍ଷୀରି ଦେଇଥିଲେ। ଫଳସ୍ୱରୂପ ହନୁମାନ ତାଙ୍କ ପାଇଁ ଜନ୍ମ ହୋଇଥିଲେ। ଅନ୍ୟଏକ କାହାଣୀରେ କୁହାଯାଇଛି ଯେ, ଅଞ୍ଜନା ଏବଂ ତାଙ୍କ ସ୍ୱାମୀ କେଶରୀ, ରୁଦ୍ରଙ୍କୁ ଏକ ସନ୍ତାନ ପାଇଁ ପ୍ରାର୍ଥନା କରିଥିଲେ। ରୁଦ୍ରଙ୍କ ନିର୍ଦ୍ଦେଶରେ ବାୟୁ ନିଜର ପୁରୁଷ ଶକ୍ତି ଅଞ୍ଜନାଙ୍କ ଗର୍ଭକୁ ସ୍ଥାନାନ୍ତର କରିଥିଲେ। ସେହି ଅନୁସାରେ ହନୁମାନ ବାୟୁଙ୍କ ପୁତ୍ର ବୋଲି ପରିଚିତ।

ସୂର୍ଯ୍ୟଙ୍କୁ ଗିଳିବାକୁ ଗଲେ ହନୁମାନ

ଦିନେ ଅଞ୍ଜନା ପୁଅକୁ ଘରେ ଶୁଆଇ ଦେଇ ବଣକୁ ଫଳମୂଳ ଆଣିବା ପାଇଁ ଯାଇଥିଲେ। ଏଣେ ପୁଅକୁ ଭାରି ଭୋକ ହେଲା। ସେ ସମୟ ଥିଲା ଠିକ୍ ସୂର୍ଯ୍ୟ ଉଦୟର ସମୟ। ପୂର୍ବ ଆକାଶରେ ନାଲି ରଙ୍ଗର ପେଣ୍ତୁ ପରି ଦିଶୁଥିବା ସୂର୍ଯ୍ୟ ଦେବତା ଧୀରେ ଧୀରେ ଉଇଁ ଆସୁଥୁଲେ। ଅଞ୍ଜନାଙ୍କ ପୁଅର ଆଖି ଏହି ଉଦିତ ସୂର୍ଯ୍ୟଙ୍କ ଉପରେ ପଡ଼ିଲା। ସୂର୍ଯ୍ୟଙ୍କୁ ସେ ଗୋଟେ ପାଚିଲା ଫଳ ବୋଲି ଭାବିଲା। ଆଉ ଖାଇବ ବୋଲି ସୂର୍ଯ୍ୟଙ୍କ ଆଡ଼କୁ କୁଦା ମାରି ଡେଇଁଲା। ଆଶ୍ଚର୍ଯ୍ୟ କଥା, ଏକା କୁଦାକେ ସେ ଯାଇ ଅକାଶ ମଝିରେ ପହଞ୍ଚିଗଲା।

ତା ହାତଗୋଡ଼ ତଳେ ଲାଗିଲା ନାହଁ। ସେ ପବନରେ ଭାସି ଭାସି ଚାଲିଲା। ସେହି ସମୟରେ ରାହୁ ସୂର୍ଯ୍ୟଙ୍କ ପାଖକୁ ଆସୁଥିଲା। ସେ ସୂର୍ଯ୍ୟଙ୍କର ଏ ବିପଦ ଦେଖି, ସ୍ୱର୍ଗରେ ଇନ୍ଦ୍ରଙ୍କ ପାଖେ ଯାଇ ଗୁହାରି କଲା ଯେ, ଗୋଟେ ଲାଙ୍ଗୁଡ଼ ଥିବା ପିଲା ଆସି ସୂର୍ଯ୍ୟଙ୍କୁ ଗିଳି ଦେବାକୁ ଧାଉଁଛି। ଆପଣ ତାଙ୍କୁ ରକ୍ଷା କରନ୍ତୁ। ସୂର୍ଯ୍ୟ ଗଲେ ସଂସାର ଆଉ ରହିବ ନାହିଁ। ଏ ଖବର ପାଇ ସାଙ୍ଗେ ସାଙ୍ଗେ ଐରାବତ ହାତୀ ଉପରେ ବସି ରାହୁକୁ ସଙ୍ଗରେ ଧରି ସୂର୍ଯ୍ୟଙ୍କ ପାଖେ ପହଞ୍ଚିଲେ। ଅଞ୍ଜନା ପୁଅ ସୂର୍ଯ୍ୟଙ୍କୁ ସିନା ଖାଇବାକୁ ଯାଉଥିଲା, କିନ୍ତୁ ହଠାତ୍ ବାଟରେ ଏମାନଙ୍କୁ ଦେଖି ମଧ୍ୟ ଖାଇବାକୁ ଆଁ କରି ଗୋଡ଼ାଇଲା।

ଇନ୍ଦ୍ର ବଜ୍ର ମାରିଲେ ଦେବତା ବର ଦେଲେ

ଇନ୍ଦ୍ର ହାତରେ ବଜ୍ର ଧରିଥିଲେ। ତେଣୁ ସେ ରାଗରେ ପିଲାଟି ଉପରକୁ ବଜ୍ର ଫଙ୍ଗି ଦେଲେ। ବଜ୍ର ବାଜି ତା’ର ବାଁ ପାଖ ହନୁ ବା ଗାଲ ପାଟି ଭାଙ୍ଗି ଯିବାରୁ ସେ ଅଚେତ ହୋଇ ତଳେ ପଡ଼ିଗଲା। ବଜ୍ର ମାଡ଼ରେ ଅଚେତ ହୋଇ ଅଞ୍ଜନାଙ୍କ ପୁଅ ଗୋଟେ ପର୍ବତ ଗୁହାରେ ପଡ଼ି ରହିଲା। ଏ କଥା ଆଉ କେହି ଦେଖିଲେ ନାହିଁ। କେବଳ ପବନ ଦେବତା ଦେଖିଲେ। ଇନ୍ଦ୍ରଙ୍କର ଜଣେ ଛୋଟ ପିଲାକୁ ବଜ୍ର ମାରବାର ଏ ଅନ୍ୟାୟ ଦେଖି ପବନ ଦେବତା ରାଗିଗଲେ।

ସେ ପିଲାଟିକୁ କୋଳରେ ଧରି ଗୋଟିଏ ଜାଗାରେ ଚୁପ୍ ହୋଇ ବସିଲେ। ସେ ତ ସମସ୍ତଙ୍କ ଜୀବନ। ସେ ମୁହୂର୍ତ୍ତେ ନ ଚଳିଲେ କେହି ନିଃଶ୍ୱାସ ନେଇ ପାରିବେ ନାହଁ। ସେ ସେପରି ବସି ରହିବାରୁ ଗଛରେ ପତ୍ରଟିଏ ସୁଦ୍ଧା ହଲିଲା ନାହିଁ। ଦେବତାମାନେ ବ୍ୟସ୍ତ ହୋଇ ବ୍ରହ୍ମାଙ୍କ ପାଖରେ ଗୁହାରି କଲେ। ବ୍ରହ୍ମା ଧ୍ୟାନରେ ଜାଣି ପାରିଲେ ଯେ, ଇନ୍ଦ୍ର, ଅଞ୍ଜନାଙ୍କ ପୁଅକୁ ମାରିଥିବା ଯୋଗୁଁ ଏତେ କଥା ହୋଇଛି ।

ବ୍ରହ୍ମା ଦେବତାମାନଙ୍କୁ ସାଙ୍ଗରେ ଧରି ପବନ ଦେବତାଙ୍କ ପାଖରେ ପହଞ୍ଚିଲେ। ବ୍ରହ୍ମା ଯାଇ ଶିଶୁଟି ଦେହରେ ହାତ ବୁଲାଇ ଦେବାରୁ ସେ ଜୀଇଁ ଉଠିଲା। ପବନ ଦେବତା ଖୁସି ହୋଇଗଲେ। ସଂସାରରେ ସବୁଆଡେ ପବନ ଖେଳିଲା। ବ୍ରହ୍ମା ଓ ଅନ୍ୟ ଦେବତାମାନେ ସେ ପିଲାକୁ ବର ଦେଲେ। ଇନ୍ଦ୍ର ଆଗ ବର ଦେଲେ। କହିଲେ, ମୁଁ ଏହାର ଗୋଟିଏ ହନୁହାଡ଼ ଭାଙ୍ଗି ଦେଇଥିଲି। ଏବେ ସେହି ହନୁ ଭଲ ହୋଇଗଲା। ଏଣିକ ଏହାର ନାମ ହନୁମାନ ହେବ। ଆଉ କୌଣସି ସମୟରେ ମୋ ବଜ୍ର ମାଡ଼ରେ ଏ ମରିବ ନାହିଁ।

ଜଳ ଦେବତା କହିଲେ, ଏ କେବେ ପାଣିରେ ବୁଡି ମରିବ ନାହିଁ। ମୁ ଯାଇ ତାକୁ ରକ୍ଷା କରିବି। ସୁର୍ଯ୍ୟ କହିଲେ, ବଡ ହେଲେ ମୁଁ ତାକୁ ପାଠ ପଢ଼ାଇବି। ଯମ କହିଲେ, ଏ ପିଲାର ଆଦୌ କିଛି ରୋଗ ହେବ ନାହିଁ। ଏହିପରି ସବୁ ଦେବତା ହନୁମାନଙ୍କୁ ବର ପ୍ରଦାନ କଲେ। ପବନ ହନୁମାନକୁ ନେଇ ମାଆ ଅଞ୍ଜନାଙ୍କ ପାଖେ ଛାଡ଼ି ଦେଲେ ଏବଂ ଦେବତାମାନେ ବର ଦେଇଥିବା କଥା କହିଲେ। ମାଆ ପୁଅକୁ ପାଇ ବହୁତ ଖୁସିରେ ରହିଲେ। ପବନ ଦେବତା ପାଳିଥିଲେ ବୋଲି ହନୁମାନଙ୍କର ଆଉ ଗୋଟିଏ ନାଁ ‘ପାବନୀ’ ହେଲା।

ହନୁମାନ ଜୟନ୍ତୀର ତାତ୍ପର୍ଯ୍ୟ

ହନୁମାନ ବୀର, ସାହସୀ, ଭକ୍ତ, ଜିତେନ୍ଦ୍ରିୟ ଓ ଆଜୀବନ ବ୍ରହ୍ମଚାରୀ ଥିଲେ। ଏଣୁ ଏଭଳି ଏକ ଦିବସରେ ମଲ୍ଲବିଦ୍ୟା ବିଶାରଦ ବାନର ଦେବତାଙ୍କ ପୂଜା ଉପାସନ ସହ ବ୍ୟାୟାମ ପ୍ରଦର୍ଶନ କରାଯାଏ। ହନୁମାନଙ୍କ ଉଦ୍ଦେଶ୍ୟ ଅର୍ପିତ ନୈବେଦ୍ୟରେ ବେସନ ଓ ବୁନ୍ଦିଆ ସହ ଚଣା ରଖାଯାଏ। ଚଣା ବାନରଙ୍କର ଅତି ପ୍ରିୟ। ଏବେ ମଧ୍ୟ ମଥୁରା, ବୃନ୍ଦାବନ ଆଦି କ୍ଷେତ୍ରରେ ବାନରମାନଙ୍କୁ ଗୁଡ଼ାମିଶା ଚଣା ଦିଆଯାଉଛି।

Odisha Lord Hanuman
Advertisment
Advertisment