/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744880605.jpg)
Mythological story behind religious worship of odia family kanji anla osha
ପୁରାଣ ଯୁଗର ଅନେକ କାହାଣୀ ଆମ ବାସ୍ତବ ଜୀବନ ସହିତ ମିଶିଯାଇଛି। ତାହା ଲୋକମୁଖରେ ପ୍ରଚଳିତ ହୋଇ ଆମ ଜନଜୀବନର ଗୋଟିଏ ଅଙ୍ଗ ହୋଇଯାଇଛି। ଘଟଣା ସତ କି ମିଛ ତାହା କେହି ପରଖିବା ଦରକାର ପଡ଼ିନଥାଏ। ବରଂ ସେହି ସବୁ ଘଟଣା ସତକୁ ସତ ଆମ ଜୀବନକୁ ଆସି ଯାଆନ୍ତି। ପଢ଼ନ୍ତୁ ଏମିତି ଏକ ଗପ ‘କାଞ୍ଜି ଅଁଳା ଓଷା’ ସଂପର୍କରେ।
ବହୁଦିନ ତଳର କଥା। ଗୋଟିଏ ରାଜ୍ୟର ଏକ ଜଙ୍ଗଲ ପାଖ ଗାଁରେ ସାଧବ ଘରଟିଏ ଥାଏ। ଘରେ ସାଧବ ସାଧବାଣୀ, ଦୁଇ ପୁଅ ଓ ଦୁଇ ବୋହୂ। ଘଟଣାଟି ଘଟେ ଘରର ସାନବୋହୂକୁ ନେଇ। ସାନବୋହୂର ଛୁଆପିଲା ହେବାର ଥାଏ। ପୋଖତି ମାଇପେଙ୍କର ସେହି ସମୟରେ ନାନା କଥା ଖାଇବାକୁ ଇଚ୍ଛା ହୋଇଥାଏ। ସେମିତି ଇଚ୍ଛା ହେଲା ଗର୍ଭବତୀ ଥିବା ସାନବୋହୂର।
ଦିନେ ତାର ଇଚ୍ଛା ହେଲା ଟିକେ ପାଣି କଖାରୁ କୋଉଠୁ ପାଇଲେ, ତାକୁ ସୋରିଷ ତିଅଣ କରି ଖାଆନ୍ତା। କିନ୍ତୁ ଇଚ୍ଛା ହେଲେ ଯେ ସବୁ ମିଳିଯାଏ ସେମିତି ତ କେବେ ହୁଏନା। କଖାରୁ ଆସିବ କୋଉଠୁ। ହାଟପାଳି ହେଲେ ସିନା। ପାଳି ଆସିବାକୁ ଆହୁରି ଚାରିଦିନ ବାକି। ତେଣୁ ବୋହୂଟି କଣ କଲାନା, ପଡ଼ିଶା ଘର ବାଡ଼ିରେ ଫଳିଥିବା କଖାରୁ ଗଛରୁ ସାନବୋହୂ ଗୋଟାଏ ପାଣିକଖାରୁ ଚୋରାଇ ଆଣି ତାକୁ ତିଅଣ କରି ଖାଇଦେଲା।
କଥାଟି ଦିନେ ଦୁଇଦିନ ଜଣାପଡ଼ିଲା ନାହିଁ। କିନ୍ତୁ ଦିନେ ପଡ଼ିଶା ଘର ଲୋକେ ଜାଣିଲେ ଯେ, ତାଙ୍କ କଖାରୁ ଲଟାରୁ ପାଣି କଖାରୁଟିଏ କିଏ ନେଇଯାଇଛି। ବହୁ ତନାଘନା କଲେ, ପଚରା ପଚରି କଲେ, କିନ୍ତୁ କିଏ ସେ ପାଣି କଖାରୁଟିକୁ ଚୋଲାଇ ନେଲା ତାହା ଜାଣିପାରିଲେ ନାହିଁ। ସବୁ ଜାଣି ସାନବୋହୂ ମଧ୍ୟ ଚୁପ୍ ରହିଥାଏ। ପଡ଼ିଶା ଘରର ମୁଖିଆ ବଡ଼ ଧାର୍ମିକ ମଣିଷ। କ୍ରୋଧରେ ସେ ଅଭିଶାପ ଦେଲେ। କହିଲେ, ଆମ କଖାରୁ ଯିଏ ଖାଇଲା, ସିଏ ତା ନିଜ ପେଟର ଛୁଆକୁ ମଧ୍ୟ ଖାଇଯାଉ।
ଇଏ ତ ବିଚିତ୍ର କଥା ହେଲା। ଇଏ କି ପ୍ରକାର ଅଭିଶାପ। ଯଦି କିଏ କଖାରୁଟିକୁ ଚୋରି କରି ନେଇଛି, ସେ ତ ଆଉ ଅନ୍ୟ ରାଜ୍ୟରୁ କୋଉ ମଣିଷ ହେଇନଥିବ। କଖାରୁଟିକୁ ଏଇ ଆଖପାଖର କିଏ ସାହି ପଡ଼ିଶା ଲୋକ ଲୋଭରେ ଚୋରି କରିଥିବ। କଖାରିଟିଏର ବା କେତେ ମୂଲ୍ୟ। କିନ୍ତୁ ଏପରି କଡ଼ା ଅଭିଶାପ ଦେବା ଠିକ୍ ହେଲାନାହିଁ। ସେତେବେଳେ ଯଦି କିଏ ଅଭିଶାପ ଦେଉଥିଲା, ତେବେ ତାହା ସତରେ ଫଳୁଥିଲା।
ଯଥା ସମୟରେ ସାନ ବୋହୂର ସୁନ୍ଦର ପୁଅଟିଏ ଜନ୍ମ ହେଲା। କିନ୍ତୁ ରାତି ସମୟ, ତେଣୁ ସମସ୍ତେ ଶୋଇଥାନ୍ତି। ଏହି ସମୟରେ ଷଠୀ ମାଆ ଆସିଲେ, ପୁଅଟିକୁ ନେଇ ଚାଲିଗଲେ। ରାତି ପାହି ସକାଳ ହେଲା। ଦେଖିଲା ବେଳକୁ ମାଆ କୋଳରେ ପୁଅ ନାହିଁ। ତେଣୁ ସମସ୍ତେ ଏକଥା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ କରିବେ ବା କଣ? କେବଳ ମନ ଦୁଃଖରେ ରହିବା କଥା।
ଥରେ ନୁହେଁ କି ଦୁଇଥର ନୁହେଁ ପାଞ୍ଚଥର ପର୍ଯ୍ୟନ୍ତ ଏମିତି ଏମିତି ଏକା ଘଟଣା ହିଁ ଘଟିଲା। ପ୍ରତିଥର ପୁଅ ଜନ୍ମ ହେବାପରେ, ଯେତେ ପ୍ରକାର ଯତ୍ନ କଲେ ମଧ୍ୟ ସେ ପିଲଗୁଡ଼ିକ ଆପେ ଆପେ ଷଠୀମାଆଙ୍କ ଦ୍ୱାରା ଉଭାନ୍ ହୋଇ ଯାଉଥାନ୍ତି। ଷଷ୍ଠ ଥର ଯେତେବେଳେ ସାନ ବୋହୂର ପ୍ରସବ ସମୟ ଆସିଲା, ଶାଶୁ କହିଲେ- ତୁ ବୋଧେ ପୁଅ ଜନ୍ମ କରି ତାକୁ ନିଜେ ଖାଇ ଯାଉଛୁ। କିମ୍ବା ଆମ ଘରେ ଛୁଆ ଜନ୍ମ ଦେଲେ କିଛି ଅଶୁଭ ହେଉଛି ବୋଧେ। ମୁଁ ଏହାର ଗୋଟିଏ ବ୍ୟବସ୍ଥା କରିଦେଉଛି। ଦୁଆର ବନ୍ଧରେ ସୂତା କଣ୍ଡାଟିଏ ଲଗାଇ ଦେଉଛି। ତୁ ସେଇ କଣ୍ଡାରୁ ସୂତା ଟାଣି ଟାଣି ଯିବୁ, ଯୋଉଠି ସୂତାକଣ୍ଡା ସରିବ, ସେଇଠି ବସି ପ୍ରସବ କରିବୁ। ଏହା କହି ଶାଶୁ ତାକୁ ଘରୁ ବାହାର କରିଦେଲା।
ଶାଶୂଙ୍କ କଥା ଶୁଣି ବୋହୂଟି ଏବେ କରେ କ’ଣ। ବାଧ୍ୟ ହୋଇ ସୂତାକଣ୍ଡାରୁ ସୂତା ଟାଣି ଟାଣି ବାହାରିଲା। ଦୈବ ଯୋଗକୁ ସେ ସୂତା ଯାଇ ଗୋଟିଏ ଅଗନା ଅଗନି ବନସ୍ତରେ ଶେଷ ହେଲା। ସେ ବନସ୍ତ ଏତେ ଘଞ୍ଚ ଯେ, କୁଆର ଥଣ୍ଡ କମ୍ବା କୁମ୍ଭୀରର ବେଣ୍ଟ ମଧ୍ୟ ବୁଲି ପାରିବ ନାହଁ।
ବୋହୂଟି ସେଠାରେ ହିଁ ପ୍ରସବ କଲା। ମାତ୍ର ଆଶ୍ଚର୍ଯ୍ୟର କଥା ହେଲା, ତା ଗର୍ଭରୁ ମଣିଷ ଛୁଆଟିଏ ବଦଳରେ ବାହାରିଲା କାଠ କଣ୍ଢେଇଟିଏ। ଏହା ଦେଖି ବୋହୂଟିର ମନ ଭାଙ୍ଗି ପଡ଼ିବା ସ୍ୱଭାବିକ ଥିଲା। ସେ ବା ଆଉ କରେ କଣ। ଗୋଟିଏ ପତ୍ର ଉପରେ ସେ କାଠ କଣ୍ଢେଇଟିକୁ ଶୁଆଇ ଦେଇ, ଉଚ୍ଚ ସ୍ବରରେ କାନ୍ଦିବାକୁ ଲାଗିଲା।
ବୋହୂଟିର ଏପରି କରୁଣ କାନ୍ଦଣା ଶୁଣି ଷଠୀ ମାଆଙ୍କର ହୃଦୟ ତରଳି ଗଲା। ସେ ସେଠାରେ ଉଭା ହୋଇ ସାନବୋହୂକୁ ସବୁ ପଚାରିଲେ। ତା’ଠାରୁ ଓଷା ବ୍ରତ କଥା ସବୁ ଶୁଣିବା ପରେ, ଷଠୀମାଆ କହିଲେ, ‘ଚୋରି କରିବା ବଡ଼ ପାପ। ସ୍ତ୍ରୀ ଲୋକ ହୋଇ ପାଣି କଖାରୁ ଚୋରେଇବାରୁ ତୋର ଏ ଦଶା ହେଲା। ପଡୋଶୀ ଘରର ଅଭିଶାପ ଥିବାରୁ, ମୁଁ ଷଠୀ ମାଆ ତୋ ପିଲାଙ୍କୁ ହରଣ କରି ଆଣି ଘଣ୍ଟ ଘୋଡ଼ାଇ ରଖିଛି।’
ଏହା କହି ସେ ବୋହୂଟିର ୫ ପୁଅଙ୍କୁ ଆଣି ଦେଲେ। ତାଙ୍କ ସୁଦୟାରୁ କାଠ କଣ୍ଢେଇ ରୂପରେ ଜନ୍ମ ନେଇଥିବା ପୁଅଟି ମଧ୍ୟ ଜୀବନ ପାଇ ସେହିକ୍ଷଣି ମଣିଷ ଛୁଆ ହୋଇଗଲା। ଏହାପରେ ଷଠୀ ମାଆ ଯାଇ ସାଧବ ଘରେ ବିଜେ ହେଲେ। ତାଙ୍କୁ ଦେଖି ଶାଶୂ ବୁଢ଼ୀର ଫାକାସ ଉଡ଼ିଗଲା। ସେ ଷଠୀ ମାଆଙ୍କ ପାଦ ତଳେ ଲମ୍ବ ଲମ୍ବ ହୋଇ ପଡ଼ିଗଲା ଓ ଦୋଷ କ୍ଷମା କରିବାକୁ ଗୁହାରି କଲା। ବୋହୂ ଓ ତା ସବୁ ପିଲାଙ୍କୁ ଘରକୁ ନେଲା।
ଷଠୀ ମାଆ କହିଲେ, ମାର୍ଗଶିର ମାସ ଶୁକ୍ଳପକ୍ଷ ନବମୀ ଦିନ କାଞ୍ଜିଅଁଳା ଓଷା ପୂଜା ପୂଜିବାକୁ ହୋଇଥାଏ। ମନେରଖ, ଏହି ଓଷା କେବଳ ବୋହୂମାନେ କରିବେ। ଶାଶୂମାନେ ଓଷା କରିବେ ନାହଁ। ଏହାର ବିଧି ଓ ନିୟମ ଶୁଣାଇ କହୁଛି। ପିତା ଶୁଖୁଆ ସାତଗୋଟି ସଂଗ୍ରହ କରିବ। ସେମାନଙ୍କୁ ଗାଧୋଇ ଦେଇ ହଳଦୀ କନା ପିନ୍ଧାଇବ। କଜ୍ଜଳ ସିନ୍ଦୂର ଦେବ। କୃତ୍ରିମ ଛୋଟ ପୋଖରୀଟିଏ ଖୋଳାଇବ। ସେ ପୋଖରୀ ମଝିରେ ବେଦି ଗୋଟିଏ କରିବ। ସେ ବେଦିରେ ଏ ପିତା ଶୁଖୁଆମାନଙ୍କୁ ଫୁଲଦୁବ ଦେଇ ବସାଇବ।
ଏହାପରେ ପୋଖରୀରେ ପାଣି ପୂରଣ କରି ଜୀଅନ୍ତା ମାଛ ଛାଡ଼ିବ। ବାଲୁଙ୍ଗା ଧାନ କିଛି ପକାଇବ। ସାରୁ ଗଛ ସେଠାରେ ଥୋଇବ। ପୋଈଖଡ଼ା ଓ ପିତାଶୁଖୁଆ ରାନ୍ଧିବ। କଖାରୁ ମୂଳା କାଞ୍ଜି କରିବ। ଛେନା ପିଠା କରିବ। ମାଛ ତିଅଣ କରିବ। ସାତଟି କଖାରୁ ପତ୍ରରେ ପୁଜା ବାଢ଼ିବ। ଅର୍ଘ, ଗନ୍ଧ, ପୁଷ୍ପ ଚଢ଼ାଇ ନୈବେଦ୍ୟ କରିବ।
ଏହି ଓଷା କଲେ ନିଃସନ୍ତାନ ନାରୀର ସନ୍ତାନ ହୁଏ। ଜନ୍ମ ହୋଇ ସନ୍ତାନ ମରି ଯାଉଥିବା ନାରୀର ଦୀର୍ଘାୟୁ ସନ୍ଦାନ ହୁଏ। ଏହି ଓଷା କରି ଯିଏ ଯାହା ମନାସେ ସେ ତାହା ପାଏ। ପୂଜା ଶେଷରେ ପୁଅ ଝିଅ ମାନଙ୍କୁ ପ୍ରସାଦ ଶୁଣାଣିବ ଓ ନିଜେ ଆନନ୍ଦରେ ଖାଇବ। ଏପରି କଲେ ପରିବାରର ମଙ୍ଗଳ ହେବ। ଏହା କହି ଦେବି ଅନ୍ତର୍ଦ୍ଧାନ ହୋଇଗଲେ।
ସାଧବାଣୀ ମାର୍ଗଶୀର ମାସରେ ଯଥାବିଧ ଏ ଓଷା ପାଳନ କଲା ଏବଂ ସର୍ବ ସୁଖରେ କାଳାତିପାତ କଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)