Holi Utsav 2025: ପ୍ରହ୍ଲାଦକୁ କୋଳରେ ଧରି ନିଆଁରେ ପଶିଲା ହୋଲିକା, ତା ପରେ…

ହୋଲି ଉତ୍ସବ ପଛର ପୌରାଣିକ କାହାଣୀ ବଡ଼ କୌତୂହଳ ପୂର୍ଣ୍ଣ। ହୋଲିକୁ ନେଇ ଆମ ସାହିତ୍ୟରେ ମଧ୍ୟ ଅନେକ ବଢ଼ିଆ କଥା ରହିଛି। ହୋଲି ଓ ଦୋଳ ହେଉଛି ଓଡ଼ିଆ ପରମ୍ପରାର ଅଭିନ୍ନ ଅଂଶ। ଓଡ଼ିଆଙ୍କ ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ପରମ୍ପରା ସହିତ ମଧ୍ୟ ହୋଲିର ସଂପର୍କ ରହିଛି।

ହୋଲିର ପୌରାଣିକ କାହାଣୀ

"ହସିଲା ଧରଣୀ ରଙ୍ଗ ପଲାଶ ଦଶନେ

ଶାଳ୍ମଳୀ ଲାଗିଲା ରଙ୍ଗ କୁସୁମ ବର୍ଷଣେ

ଲାଗିଲା କୌତୁକ ବନେ ଅଟବୀ ଦେବୀର

ଉଡ଼ିଲା କମଳା ଗୁଣ୍ଡି ସୁରଙ୍ଗ ଅବିର।"

( ଗଙ୍ଗାଧର ମେହେର)

ଆସିଛି ଫଗୁଣ, ପଳାଶର ଓଠରେ ନାରଙ୍ଗୀ ରଙ୍ଗର ଚୁନାଚୁନା ହସ, କଅଁଳ ପତ୍ରରେ ସବୁଜିମା ଦିଶୁଚି ପୃଥିବୀ। ମୃଦୁମନ୍ଦ ମଳୟ ସମୀରଣ ଛୁଇଁ ଯାଉଚି ଦେହ ମନ। ଜାତି ଜାତି ଫୁଲର ହାଟରେ ମତୁଆଲା ଭଅଁର, ଚୁଲବୁଲି ପ୍ରଜାପତିଙ୍କ ସଙ୍ଗମ। ଆମ୍ବ ବଉଳର ଫାଙ୍କ ଭିତରୁ ଶୁଭୁଚି କୋଇଲିର କୁହୁତାନ। ଶୋଭାମୟୀ ପ୍ରକୃତି ରାଣୀର କୋଳରେ ଧରାବତରଣ କରିଛି ଋତୁରାଜ ବସନ୍ତ। ବସନ୍ତର ଆଗମନରେ ତନୁମନ ପୁଲକିତ। ଗୋପୀମାନଙ୍କ ମନରେ ପ୍ରେମର ବନ୍ୟା ଆସିଛି। ପରମ ପୁରୁଷ କୃଷ୍ଣଙ୍କ ସହ ଖେଳିବେ ହୋଲି। ଏ ପ୍ରେମ ସଂଚରି ଯାଇଛି ସାରା ଗୋପପୁର। ରାଧା, କୃଷ୍ଣ, ଗୋପ, ଗୋପାଳୁଣୀ ହାତରେ ରଙ୍ଗ ପିଚକାରୀ ଧରି ପରସ୍ପର ଦେହରେ ଅବିର ବୋଳି ହେଇ ପ୍ରେମର ରଙ୍ଗରେ ରଙ୍ଗୀନ ହେଉଛନ୍ତି। ଶ୍ରୀକୃଷ୍ଣଙ୍କ ଏହି ଗୋପଲୀଳାର ଏକ ଅନନ୍ୟ ସ୍ମୃତି ହେଉଛି ହୋଲି ପର୍ବ।

ଓଡ଼ିଶାରେ ଦୋଳ ଓ ହୋଲି

ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥି ଦୋଳ ପୂର୍ଣ୍ଣିମା ନାମରେ ନାମିତ। ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ। ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ମହା ଆଡମ୍ବରରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆ ଯାଇଥାଏ। ପ୍ରାୟତଃ ପ୍ରତ୍ୟେକ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯିବା ସଙ୍ଗେସଙ୍ଗେ ପୁରୋହିତଙ୍କୁ ମଧ୍ୟ ଦକ୍ଷିଣା ଦିଆଯାଇଥାଏ। ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ଦ୍ୱାରୀ ଭୋଗ କୁହାଯାଇଥାଏ।

ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁରମାନଙ୍କୁ ମନ୍ଦିରର ଦକ୍ଷିଣ-ପୂର୍ବ ଦିଗରେ ନିର୍ମିତ ଏକ ମଣ୍ଡପ ଉପରକୁ ନିଆଯାଇଥାଏ। ସେହି ମଣ୍ଡପର ନାମ ଦୋଳ ମଣ୍ଡପ। ସେଠାରେ ପୂଜାର୍ଚ୍ଚନା କରାଯିବା ସଙ୍ଗେସଙ୍ଗେ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ନାଲି ଅବିର ଅର୍ପଣ କରାଯାଇଥାଏ। ଫଗୁ ପୂର୍ଣ୍ଣମୀରେ ଠାକୁରଙ୍କର ହୋଲି ଖେଳ ହୁଏ ଯାହାକୁ ଅବିର ବୋଲି ମଧ୍ୟ କୁହାଯାଇଥାଏ। ଫଗୁ ପୂର୍ଣ୍ଣମୀର ପରଦିନ ପାଳନ ହୁଏ ସାଧାରଣ ଲୋକଙ୍କ ହୋଲି। ପିଲାଠୁ ବଡ ଯାଏଁ ସେଦିନ ହୋଲିର ରଙ୍ଗରେ ସମସ୍ତେ ରଙ୍ଗେଇ ହୁଅନ୍ତି।

ହୋଲିରେ ଅଇଘରା ବା ଅଗ୍ନି ଉତ୍ସବ

ପୁରୀ ଜିଲ୍ଲାରେ ବ୍ରାହ୍ମଣ ଶାସନ ମାନଙ୍କରେ ଠାକୁର ଝୁଲଣ ବିମାନରେ ଯିବାବେଳେ, ସବୁ ଘର ଆଗରେ ରହି ଭୋଗ ଖାଇଥାନ୍ତି। ଘର ଲୋକମାନେ ଘର ଦୁଆର ଆଗରେ ନଡ଼ିଆ ବାହୁଙ୍ଗା ଓ ବାଉଁଶରେ କୁଟା ଗୁଡ଼ାଇ ପୋତି ରଖନ୍ତି। ଠାକୁର ଆସିଲେ ସେହି ହୁଳାରେ ନିଆଁ ଲଗାଯାଏ। ଗାଁ ମୁଣ୍ଡରେ ଅଇଘରା କରାଯାଏ। ଗାଁ ଲେକେ ଅଇଘରା ପାଇଁ ଜାଳେଣି ସବୁ ଏକାଠି କରି ଠିକ୍ ଏକ କୁଡ଼ିଆ ଭଳି ସଜାଇଥାନ୍ତି। ସେଇ କୁଡ଼ିଆ ଭିତରେ ଗୋଟିଏ ମେଣ୍ଢା ଥାଏ। କାରଣ ମେଣ୍ଢା ଅଗ୍ନି ଦେବତାଙ୍କ ବାହନ।

ପ୍ରାୟ ସବୁ ସ୍ଥାନରେ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥରେ ମେଣ୍ଢାର ପ୍ରତିକୃତି ତିଆରି କରି ରଖାଯାଇଥିବା ବେଳେ, କେତେକ ସ୍ଥାନରେ ଜୀବନ୍ତ ମେଣ୍ଢା ରଖାଯାଏ। ଠାକୁର ଗାଁ ବୁଲି ସାରି ଦ୍ୱାରି ଭୋଗ ଖାଇ ସାରିବା ପରେ ଯେତେବେଳେ ନିଜ ମନ୍ଦିରକୁ ଫେରନ୍ତି, ସେତେବେଳେ ଅଇଘରାରେ ନିଆଁ ଲଗାଯାଇଥାଏ। ନିଆଁ ଲାଗିବା ପରେ ମେଣ୍ଢାଟି ସେଠୁ ବାହାରି ଆସିଥାଏ ଓ ତା’ର ପ୍ରତିକୃତିଟି ରହି ଯାଇଥାଏ।ଏହାକୁ ଅଇଘରା କୁହାଯାଏ। ସେଠାରେ ଠାକୁରଙ୍କ ପୂଜାର୍ଚ୍ଚନା ସାରି ଅଇଘରା ଚାରିପଟେ ଠାକୁରଙ୍କୁ ୭ଥର ପରିକ୍ରମା କରାଯାଏ। କଟକ ଜିଲ୍ଲାରେ ଏହି ଉତ୍ସବକୁ ‘ମେଣ୍ଢାକୁଡିଆ ପୋଡ଼ି’ କୁହନ୍ତି। ସେହିପରି ବାଲେଶ୍ଵର ଜିଲ୍ଲାରେ ଏହାକୁ ‘ମେଣ୍ଢାଘର ପୋଡ଼ି’ କୁହାଯାଏ।

ହୋଲିକା ଦହନର କଥା

ଆମ ପର୍ବପର୍ବାଣିରେ କାହାଣୀ କିମ୍ବଦନ୍ତୀ ଲୋକକଥା ସବୁ ଯୋଡ଼ି ହେଇକି ଥାଏ। ସବୁ ଅନୁଷ୍ଠାନ ଉତ୍ସବ ପଛର ରୋଚକ କାହାଣୀ ହିଁ ପରମ୍ପରାକୁ ବେଶି ଦୃଢ଼ ଆଉ କାଳଜୟୀ କରେ। ସେହିପରି ହୋଲି ପୂର୍ବଦିନ ରାତିର ଅଗ୍ନି ଉତ୍ସବ ପାଳନ ପଛରେ ବି କେତେକ କାହାଣୀ ରହିଛି। ହୋଲି ପୂର୍ବଦିନ ରାତିର ହୋଲିକା ଦହନର କାହାଣୀ ମଧ୍ୟ ସେହିପରି ଏକ ରୋଚକ କାହାଣୀ।

ଏ ହେଉଛି ପୁରାଣ ଯୁଗର କଥା। ଆତ୍ମଗର୍ବୀ ନାସ୍ତିକ ରାଜା ହିରଣ୍ୟ କଶିପୁଙ୍କର ଏକ ପୁଅ ଜନ୍ମ ହୋଇଥାଏ। ରାଜା ତା’ର ନାଁ ଦେଲେ ପ୍ରହ୍ଲାଦ। ପୁଅଟି ଜନ୍ମ ହେବା ପରଠୁ ରାଜା ତାକୁ ନିଜ ପରି ପରାକ୍ରମୀ, ନାସ୍ତିକ, ବିଷ୍ଣୁ ଦ୍ରୋହୀ କରିବାକୁ ଚାହୁଁଥିଲେ। କିନ୍ତୁ ଭଗବାନଙ୍କ ମାୟା କିଛି ଅଲଗା ଥିଲା। ପୁଅଟି ଯେତେ ବଡ଼ ହେଉଥାଏ ସେତେ ଅଧିକ ସେ ବିଷ୍ଣୁଙ୍କୁ ଭକ୍ତି କରୁଥାଏ। ନିଜ ପୁଅର ବିଷ୍ଣୁଭକ୍ତି ଦେଖି ହିରଣ୍ୟ କଶିପୁ ଭୟ ପାଉଥାଏ।

ଏ ଭୟ ଆଉ ଅହଙ୍କାର ଏତେ ହେବାକୁ ଲାଗିଲା ଯେ, ହିରଣ୍ୟ ପ୍ରହ୍ଲାଦ ପ୍ରତି ସବୁ ମାୟା ମମତାକୁ ଖାତିର ନକରି ତାକୁ ଭୟ ଦେଖାଇଲେ, ବିଷ୍ଣୁଙ୍କୁ ପୂଜା ନକରିବାକୁ ଅନେକ ପ୍ରକାରର ଚେଷ୍ଟା କଲେ। କିନ୍ତୁ ସବୁଥିରେ ସେ ବିଫଳ ହେଉଥାନ୍ତି। ପ୍ରହ୍ଲାଦ ବି ନିଜ ଭକ୍ତି ଆଉ ବିଶ୍ଵାସରେ ଅଟଳ ଥାଏ। ଶେଷରେ ରାଜା ରାଜା ପ୍ରହ୍ଲାଦର ବିଷ୍ଣୁ ଭକ୍ତିରେ ଅତିଷ୍ଠ ହୋଇପଡିଲେ ଓ ତାକୁ ଜୀବନରୁ ଶେଷ କରିଦେବାକୁ ବିଚାର କଲେ।

ଏ ସମୟରେ ରାଜାଙ୍କୁ ସାହାଯ୍ୟ କରିବାକୁ ଆସିଲା ହିରଣ୍ୟର ରାକ୍ଷସୀ ଭଉଣୀ ହୋଲିକା। ହୋଲିକା ଆଗରୁ ବର ପାଇଥାଏ ଯେ ସେ ନିଆଁରେ ପୋଡ଼ିହେବ ନାହିଁ। ସେ ପ୍ରହ୍ଲାଦକୁ କୋଳରେ ଧରି ତାକୁ ମାରିବା ଉଦ୍ଦେଶ୍ୟରେ ନିଆଁ ଭିତରେ ପଶିଲେ। କିନ୍ତୁ ସେଠାରେ ଆଶ୍ଚର୍ଯ୍ୟ ହେବା ପରି ଘଟଣା ଘଟିଲା। ପ୍ରହ୍ଲାଦ ଶୁଦ୍ଧ ସୁନା ପରି ନିଆଁ ଭିତରୁ ବାହାରି ଆସିଲା ଆଉ ହୋଲିକା ନିଆଁରେ ପୋଡି ଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ପୃଥିବୀରେ ଅନ୍ୟାୟ, ଅସତ୍ୟ, ଅମାନବିକତା ଓ ଛଳନାର ଧ୍ଵଂସ ପାଇଁ ହୋଲି ପୂର୍ବଦିନ ରାତିରେ ଅଗ୍ନି ଉତ୍ସବ ପାଳନ କରାଯାଏ।

ପୁତନା ରାକ୍ଷସୀର କଥା

କେତେକ ଅଞ୍ଚଳରେ, ହୋଲିର ପୂର୍ବଦିନ ରାତିରେ, ପୁତନା ରାକ୍ଷସୀର କଥାକୁ ମନେ ପକେଇ ଅଗ୍ନି ଉତ୍ସବ ପାଳନ ହୁଏ। ଯେତେବେଳେ ଅସୁର ରାଜା କଂସ, ଶୂନ୍ୟବାଣୀ ଶୁଣିବାକୁ ପାଇଥିଲା ଯେ, ତା'ର ପ୍ରକୃତ ହତ୍ୟାକାରୀ ଗୋପରେ ବଢୁଛି, ସେ ଚାହିଁଥିଲା ଗୋପପୁରର ସମସ୍ତ ଶିଶୁଙ୍କୁ କଳେବଳେ କୌଶଳେ ହତ୍ୟା କରିବ ବୋଲି। ସେଥିପାଇଁ ରାକ୍ଷସୀ ପୁତନା ଛଦ୍ମବେଶରେ ଗୋପପୁରକୁ ନିଜ ସ୍ତନରେ ହଳାହଳ ବିଷ ଭରି କୃଷ୍ଣଙ୍କୁ କ୍ଷୀର ପାନ କରାଇଲାI କୃଷ୍ଣ ପୁତନାର ସ୍ତନ୍ୟପାନ କରିବାର ଛଳନା କରି ଛଳନାମୟୀ ସୁନ୍ଦରୀର ପଞ୍ଚପ୍ରାଣ ଶୋଷି ନେଇଥିଲେ। ଦିବ୍ୟ ସୁନ୍ଦରୀ ରୂପ ଧାରଣ କରିଥିବା ପୁତନା ତା'ର ଅସଲ ରୂପ ପ୍ରକାଶ କରି ମୃତ୍ୟୁବରଣ କରିଥିଲା। ପୁତନା ରାକ୍ଷସୀର ଅନ୍ତ୍ୟେଷ୍ଟି କ୍ରିୟାର ଅଗ୍ନିସଂଯୋଗ ହୋଲି ପୂର୍ବଦିନର ଅଗ୍ନି ଉତ୍ସବ ସହ ଯୋଡା ଯାଇଛି। ଶ୍ରୀକୃଷ୍ଣ ସନ୍ଥମାନଙ୍କୁ ପାଳନ କରିବା ପାଇଁ ଦୁଷ୍ଟ ନିବାରଣ କରିଥିବା ଯୋଗୁଁ ହୋଲି ବା ଦୋଳଉତ୍ସବ ପାଳିତ ହୁଏ ବୋଲି ମଧ୍ୟ ଅନେକ ମତବ୍ୟକୁ କରନ୍ତି।

ହୋଲିକୁ କେନ୍ଦ୍ର କରି ଅନେକ କାହାଣୀ କିମ୍ବଦନ୍ତୀର ସୂଚନା ମିଳେ। କିନ୍ତୁ ଗୋପଲୀଳାର ସର୍ବୋତ୍କୃଷ୍ଟ ଆଖ୍ୟାନ ରାଧାକୃଷ୍ଣ ଯୁଗଳ ମିଳନର ଏକ ସର୍ବଶ୍ରେଷ୍ଠ ଦୃଶ୍ୟ ଦୋଳିରେ ବା ଝୁଲଣରେ ଯୁଗଳ ମୂର୍ତ୍ତି ଏହି ପର୍ବର ପ୍ରଧାନ ଉପାସ୍ୟ। ରାଧା ଦାମୋଦରଙ୍କର ଗୋପ ଗୋପୀମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳ ଶ୍ରୀମଦ ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରିଥାଏ ଏହି ହୋଲି ଖେଳ।