maa laxmi gives these 5 signals when she is unhappy
ଧର୍ମ ସବୁବେଳେ ଏହାର ଅନୁଗାମୀ ମାନଙ୍କର ବିଶ୍ୱାସ ଉପରେ ତିଷ୍ଠି ରହିଥାଏ। ନିଜ ଈଷ୍ଟ ଦେବାତାଙ୍କୁ ଭକ୍ତଟିଏ କେତେ ଅଧିକ ଭକ୍ତି ଓ ବିଶ୍ୱାସ କରୁଛି ତାହା ଉପରେ ନିର୍ଭର କରୁଛି ଧର୍ମର ସ୍ଥାୟିତ୍ୱ। ହିନ୍ଦୁ ଧର୍ମରେ ପ୍ରତିମା ପୂଜାର ପରମ୍ପରା ରହିଛି। ହିନ୍ଦୁ ଧର୍ମର ଆଉଏକ ବିଶେଷତ୍ୱ ହେଲା, ଏଥିରେ ଦେବତାଙ୍କ ସଂଖ୍ୟା ଅଗଣିତ। କୁହାଯାଏ, ହିନ୍ଦୁ ଧର୍ମରେ ତେତିଶି କୋଟି ଦେବତା ରହିଛନ୍ତି। ପ୍ରକୃତିର ପ୍ରତିଟି ଉପାଦାନ ହିନ୍ଦୁ ଧର୍ମରେ ଦେବତା ଭାବେ ପୂଜା ପାଆନ୍ତି। ବ୍ରହ୍ମାଙ୍କ ବିଶ୍ୱବ୍ରହ୍ମାଣ୍ଡର ସମସ୍ତ ସୃଷ୍ଟିକୁ ହିନ୍ଦୁମାନେ ଦେବତା ଭାବରେ ପୂଜା କରନ୍ତି।
ବିଶ୍ୱାସ ଓ ଅବିଶ୍ୱାସର ଏ ଦୁନିଆରେ ହିନ୍ଦୁ ଧର୍ମରେ କିନ୍ତୁ ଦେବାଦେବୀଙ୍କୁ ଶ୍ରଦ୍ଧାଳୁମାନେ ଖୁବ୍ ବିଶ୍ୱାସ କରନ୍ତି। ଯେମିତି ସେମାନେ ବିଶ୍ୱାସ କରନ୍ତି ଯେ, ସମସ୍ତଙ୍କ ଘରେ ମାତା ଲକ୍ଷ୍ମୀ ଅବସ୍ଥାନ କରିଥାନ୍ତି। ସେ ପ୍ରାଚୁର୍ଯ୍ୟର ଦେବୀ। ତାଙ୍କ ଉପସ୍ଥିତି ଆମ ଜୀବନକୁ ପ୍ରାଚୁର୍ଯ୍ୟରେ ଭରିଦିଏ। ସେଥିପାଇଁ ମାଆ ଲକ୍ଷ୍ମୀଙ୍କୁ ଅସନ୍ତୁଷ୍ଟ ହେଲାଭଳି କୌଣସି କାମ ହିନ୍ଦୁ ଧର୍ମର ବ୍ୟକ୍ତି କେବେ କରନ୍ତି ନାହିଁ। ବରଂ ମାଆ ଲକ୍ଷ୍ମୀ ଯେମିତି ଅସନ୍ତୁଷ୍ଟ ନହେବେ ସେଥିପାଇଁ ଅନେକ ସାବଧାନତା ଅବଲମ୍ବନ କରିଥାନ୍ତି।
ପଣ୍ଡିତମାନେ କୁହନ୍ତି, ମାଆ ଲକ୍ଷ୍ମୀଙ୍କୁ ଅସନ୍ତୁଷ୍ଟ କରିବା ଦ୍ୱାରା ଭକ୍ତ ସଂକଟରେ ପଡ଼ିଥାଏ। ସେହି ସଂକଟ ବିଭିନ୍ନ ପ୍ରକାରର ହୋଇପାରେ। ଏପରିକି କିଛି କିଛି ଅଘଟଣରେ ଏହାର ସୂଚନା ମିଳିଥାଏ। ଘରେ ଅସନ୍ତୋଷ ଲାଗିରହେ। ଶାରୀରିକ ଅସୁସ୍ଥତା ମଧ୍ୟ ଦେଖାଦେଇ ପାରେ। କର୍ମକ୍ଷେତ୍ରରେ ଅସଫଳତା, ମାନସିକ ଦୁଶ୍ଚିନ୍ତା, ଏହିପରି ଅନେକ କଥା ହୁଏତ ଘଟିପାରେ ବୋଲି ମାଆ ଲକ୍ଷ୍ମୀଙ୍କର ଭକ୍ତମାନେ ବିଶ୍ୱାସ କରନ୍ତି। ସେମାନେଙ୍କ ମତରେ, ମାଆ ଲକ୍ଷ୍ମୀ ଯଦି ଅସନ୍ତୁଷ୍ଟ ହୁଅନ୍ତି, ତେବେ ଏହିପରି ଅନେକ ଉପାୟରେ ସେ ତାଙ୍କ ଅସନ୍ତୋଷର ସୂଚନା ଦିଅନ୍ତି।
ଯଦିଓ ଏହି ବିଚାରକୁ କିଏ କିଏ ବିଶ୍ୱାସ କରନ୍ତି ନାହିଁ, କିନ୍ତୁ ହିନ୍ଦୁଧର୍ମର ଗବେଷକ ଓ ପଣ୍ଡିତମାନେ ଏହାକୁ ସତ ବୋଲି ବିଚାର କରିଥାନ୍ତି। ତେଣୁ ଏହା ବିଶ୍ୱାସ ଅବିଶ୍ୱାସର କଥା। ଆସନ୍ତୁ ଜାଣିବା କେଉଁ ୫ଟି ସଙ୍କେତରୁ ଜାଣିହୁଏ ମାଆ ଲକ୍ଷ୍ମୀ ଅସନ୍ତୁଷ୍ଟ ଅଛନ୍ତି ବୋଲି ବିଚାର କରାଯାଏ।
ସଙ୍କେତ-୧:
ଘରେ ରହିଥିବା ଇନଡୋର୍ ମନିପ୍ଲାଣ୍ଟରୁ ମାଆ ଲକ୍ଷ୍ମୀ ଅସନ୍ତୁଷ୍ଟ ଥିବା ସଙ୍କେତ ମିଳିଥାଏ ବୋଲି ପଣ୍ଡିତମାନେ କୁହନ୍ତି। ଲକ୍ଷ୍ୟ କରିବେ ଯେ, ମନିପ୍ଲାଣ୍ଟର ପତ୍ର ଶୁଖିବା ଆରମ୍ଭ କରିବ, କିମ୍ୱା ପତ୍ର ଧୀରେ ଧୀରେ ଲାଲ୍ ଓ କଳା ପଡ଼ି ଶୁଖିଯାଇଥାଏ। ଧୀରେ ଧୀରେ ଗଛଟିର ବିକାଶ ଆଉ ହୋଇନଥାଏ। ମାଆ ଲକ୍ଷ୍ମୀ ଖୁସି ନଥିବାର ଏହା ଏକ ସଙ୍କେତ ବୋଲି ଧରାଯାଏ। ଏମିତିକି କିଏ କିଏ କୁହନ୍ତି, କେବଳ ମନିପ୍ଲାଣ୍ଟ ନୁହେଁ, ଘର ଭିତରେ ଲାଗିଥିବା ଗଛର ସ୍ୱାସ୍ଥ୍ୟରୁ ଏହା ଜଣାପଡ଼ିଯାଏ।
ସଙ୍କେତ-୨:
ଘର ଚଉଁରାରେ ଲାଗିଥିବା ତୁଳସୀ ଗଛର ଯତ୍ନ ଭଲରେ ନିଅନ୍ତୁ। ଧର୍ମଶାସ୍ତ୍ରୀମାନଙ୍କ ମତରେ ଚଉରାରେ ଲାଗିଥିବା ତୁଳସୀ ଗଛଟି ଶୁଖିଗଲେ ଏହା ଭଲ ସଙ୍କେତ ନୁହେଁ। ଏହା ସୂଚେଇ ଦେଇଥାଏ ଯେ, ଦେବୀ ଲକ୍ଷ୍ମୀ ସନ୍ତୁଷ୍ଟ ନାହାଁନ୍ତି। ତେଣୁ ଚଉଁରାରେ ଲାଗିଥିବା ତୁଳସୀ ଗଛଟିର ଉପଯୁକ୍ତ ଯତ୍ନ ନିଅନ୍ତୁ। ଏହା ବୟସ୍କ ହୋଇଗଲେ ତା ପୂର୍ବରୁ ନୂଆ ତୁଳସୀ ଚାରାଟିଏ ପୋତନ୍ତୁ।
ସଙ୍କେତ-୩:
ଘରେ ଯଦି କୌଣସି ଜଳଉତ୍ସରୁ ପାଣି ଲିକ୍ ହେଉଛି ତେବେ ତାକୁ ତୁରନ୍ତ ସଜାଡ଼ି ଦିଅନ୍ତୁ। ବେଳେବେଳେ ରୋଷେଇ ଘରେ, ବାଥ୍ ରୁମରେ କିମ୍ବା ଟଏଲେଟରେ ଲାଗିଥିବା କଳ ବା ଟ୍ୟାପ୍ ଖରାପ ହୋଇଯାଏ ବା ହୁଗୁଳା ରହିବାରୁ ପାଣି ଠପ୍ ଠପ୍ ହୋଇ ପଡ଼ିଥାଏ। ବାସ୍ତୁଶାସ୍ତ୍ର ମତରେ ଏହା ଗୃହକୁ ଧନ ପ୍ରବେଶରେ ବାଧା ଉପୁଜାଇଥାଏ। ଧନହାନି ମଧ୍ୟ ହୋଇଥାଏ। ମାଆ ଲକ୍ଷ୍ମୀ ଏହାଦ୍ୱାରା ଅସନ୍ତୁଷ୍ଟ ହୁଅନ୍ତି ବୋଲି ବିଚାର କରାଯାଏ।
ସଙ୍କେତ-୪:
ରୋଷେଇ ଘରେ ଯଦି କ୍ଷୀର ବସେଇ ଆପଣ ଭୁଲି ଯାଉଛନ୍ତି ଏବଂ ତାହା ଉତ୍ତୁରି ଯାଉଛି, ତେବେ ଟିକେ ସାବଧାନ ହୁଅନ୍ତୁ। ବାରମ୍ବାର କ୍ଷୀର ଉତ୍ତୁରିବା ବାସ୍ତୁ ଦୃଷ୍ଟିରୁ ଓ ଶାସ୍ତ୍ର ଦୃଷ୍ଟିରୁ ଭଲ ନୁହେଁ। ଏମିତିବି କ୍ଷୀର ଉତ୍ତୁରି ନଷ୍ଟ ହେବା ସମସ୍ତଙ୍କ ପାଇଁ ଏକ ଆର୍ଥିକ ହାନି। କିନ୍ତୁ ଶାସ୍ତ୍ରବିତମାନେ କୁହନ୍ତି ଯେ, ଏହା ମାଆ ଲକ୍ଷ୍ମୀଙ୍କର ଅସନ୍ତୋଷର ସଙ୍କେତ। ଆମ କରିଥିବା କୌଣସି ପୁରୁଣା ଭୁଲ୍ କାମର ଏହା ସୂଚନା। ତେଣୁ ନିଜ ପୁରୁଣା ଭୁଲ୍ ପାଇଁ ଆମେ ପଶ୍ଚାତାପ କରିବା ସହିତ ଆଗାମୀ ଦିନରେ ନିଜକୁ ସଜାଡ଼ିବାକୁ ଚେଷ୍ଟା କରିବା ଉଚିତ।
ସଙ୍କେତ-୫:
କିଛି କିଛି ଲୋକଙ୍କର ଭୁଲାଗୁଣ ଓ ହେୟଜ୍ଞାନ ଯୋଗୁ, ସେମାନେ ନିଜ ଗହଣାକୁ ବାରମ୍ବାର ହରାଇଥାନ୍ତି। କେତେବେଳେ କେଉଁଠି ଭୁଲରେ ଥୋଇ ଦିଅନ୍ତି ତ କେବେକେବେ ହଜାଇ ଦେଇଥାନ୍ତି। ପଣ୍ଡିତମାନଙ୍କ ମତରେ ଏହା ଏକ ଅଶୁଭ ସଙ୍କେତ। ବାରମ୍ବାର ଗହଣା ହଜିବାର ଅର୍ଥ ମାଆ ଲକ୍ଷ୍ମୀ ନାରାଜ ଅଛନ୍ତି। ତେଣୁ ମାଆ ଲକ୍ଷ୍ମୀଙ୍କୁ ଖୁସି କରିବାକୁ ପୂଜାର୍ଚ୍ଚନାର ଆବଶ୍ୟକତା ରହିଛି।
ଉପର ଲିଖିତ ଏହି ୫ଟି ସଙ୍କେତକୁ ଆମେ ମନେ ରଖିବା ଉଚିତ। ଯେଉଁମାନେ ହିନ୍ଦୁ ଶାସ୍ତ୍ରରେ ବିଶ୍ୱାସ କରନ୍ତି ସେମାନେ ମାଆ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରି ତାଙ୍କ ଅଶୁଭ ସମୟରୁ ନିଜକୁ ରକ୍ଷା କରିପାରିବେ। ମାଆ ଲକ୍ଷ୍ମୀଙ୍କୁ ପ୍ରସନ୍ନ ରଖିବାକୁ ଆମେ ତାଙ୍କ ପାଖରେ ଶଙ୍ଖ, କଉଡ଼ି ରଖି ପୂଜା କରିପାରିବା।
ତା ସହିତ ଘରେ ଏମିତି କିଛି କରିବା ନାହିଁ, ଯାହା ଗୃହର ଶାନ୍ତ ବାତାବରଣକୁ ଅଶାନ୍ତ କରିବ। ସକାଳେ ଡେରି ପର୍ଯ୍ୟନ୍ତ ଶୋଇବା ଏକ ଅଶୁଭ ଅଭ୍ୟାସ। ଏହାକୁ ଓଡ଼ିଶାରେ ଲକ୍ଷ୍ମୀଛଡ଼ା ଗୁଣ ବୋଲି କୁହାଯାଏ। ସେହିପରି କୌଣସି ପରିସ୍ଥିତିରେ ମଧ୍ୟ ମୁଣ୍ଡରେ ହାତ ଦେଇ ବସିବାକୁ ମନା କରାଯାଏ। ସିଧାକଥା କହିଲେ, ଅସଜଡ଼ା ଘରକୁ ମାଆ ଲକ୍ଷ୍ମୀ ଆସନ୍ତି ନାହିଁ କିମ୍ବା ରହିବାକୁ ପସନ୍ଦ କରନ୍ତି ନାହିଁ। ଘରେ କଳିଗୋଳ ହେବା, ମହିଳା କିମ୍ବା ଝିଅଙ୍କୁ ଅସମ୍ମାନ କରିବା, ଘର ଅପରିଷ୍କାର ରଖିବା ମାଆ ଲକ୍ଷ୍ମୀଙ୍କ ନାପସନ୍ଦ। ଏ ସବୁ ସଜାଡ଼ି ଦେଲେ ଆମ ଘରେ ମାଆ ଲକ୍ଷ୍ମୀ ସବୁବେଳେ ଖୁସିରେ ରହିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750424495.jpg)