/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755351968.jpg)
Janmashtami & Lord Jagannath: A Divine Connection in Odia Tradition
ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଜନ୍ମାଷ୍ଟମୀ କହନ୍ତି। ଭଗବାନ୍ ଶ୍ରୀକୃଷ୍ଣ ସେଦିନ ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ଜନ୍ମାଷ୍ଟମୀକୁ ଶ୍ରୀକୃଷ୍ଣ ଜୟନ୍ତୀ କୁହନ୍ତି। ଏଇ ଦିନ ଲଗ୍ନରେ ରୋହିଣୀ ନକ୍ଷତ୍ର ରହିଥାନ୍ତି। ଏହା ବୈଷ୍ଣବମାନଙ୍କର ପ୍ରଧାନ ଉତ୍ସବ। ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଏହି ଉତ୍ସବ ମହାସମାରେହରେ ପାଳନ ହୁଏ। ଏହା ପରଦିନ ଖୁବ୍ ଆନନ୍ଦରେ ନନ୍ଦୋତ୍ସବ ପାଳନ କରିଯାଇଥାଏ।
ସଂସାରର ପାପ ଭାର ନିବାରଣ ପାଇଁ ପୃଥିବୀ ପୃଷ୍ଠରେ ଭଗବାନ ଅବତୀର୍ଣ୍ଣ ହୁଅନ୍ତି। ସେ ଦୁଷ୍ଟମାନଙ୍କୁ ମାରି ସଜ୍ଜନମାନଙ୍କୁ ରକ୍ଷା କରନ୍ତି। ଦଶ ଅବତାର ମଧ୍ୟରେ ବଳରାମ ଓ କୃଷ୍ଣଙ୍କୁ ଏକ ଅବତାର ରୂପେ ଗ୍ରହଣ କରାଯାଇଛି। ତେଣୁ ଶ୍ରୀକୃଷ୍ଣ ଅଷ୍ଟମ ଅବତାର ରୂପେ ଅବତୀର୍ଣ୍ଣ ହୋଇଥିଲେ।
ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ପାଇଁ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ। ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର। କଂସଦ୍ୱାରା ବନ୍ଦୀ, ଭଉଣୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମଲାଭ କରିଥିଲେ। ବନ୍ଦୀଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ। ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ। ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି। ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ।
ଶ୍ରୀ ମନ୍ଦିରରେ ଜନ୍ମାଷ୍ଟମୀ
ବସୁଦେବ ଓ ଦେବକୀଙ୍କ ଅଷ୍ଟମ ସନ୍ତାନ ଓ ଶେଷ ସନ୍ତାନ ରୂପେ ଶ୍ରୀକୃଷ୍ଣ କଂସର ବନ୍ଦୀଶାଳାରେ ଜନ୍ମ ହୋଇଥିଲେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ। କଳି ଯୁଗରେ ସେହି ବାଳରାମ, ସୁଭଦ୍ରା ଓ କୃଷ୍ଣ ନୀଳାଚଳରେ ବଳଭଦ୍ର, ସୁଭଦ୍ରା ଓ ଶ୍ରୀଜଗନ୍ନାଥ ରୂପେ ପୂଜିତ ହେଉଛନ୍ତି ବୋଲି ଶାସ୍ତ୍ର ପୁରାଣରୁ ଜଣାଯାଏ। ସେଥିପାଇଁ ଶ୍ରୀମନ୍ଦିରରେ ଏହି ଉତ୍ସବ ଖୁବ୍ ଜାକଜକମରେ ପାଳନ କରଯାଏ। ଏହି ଦିନ ସଂଧ୍ୟା ଧୂପ ବେଶରେ ସୁବର୍ଣ୍ଣ ଅଳଙ୍କାର (ଛ' ମୂର୍ତ୍ତି) ଲାଗି କରାଯାଏ। ସଂଧ୍ୟା ଧୂପ ପରେ ଜୟ-ବିଜୟ ଦ୍ଵାର ବନ୍ଦ କରାଯାଏ। ସୁଧସୁଆର ଭଣ୍ଡାର ଦୁଆର ଆଗରେ ପୋଛା ମାରନ୍ତି। ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ସର୍ବତ୍ର ଭଦ୍ରମଣ୍ଡଳ ଆଙ୍କନ୍ତି। ଭିତର ଗମ୍ଭୀରାରେ ଧୋପଖାଳ ହୁଏ। ସୁଧସୁଆର ମଣ୍ଡଳ ପାଖରେ ପୂଜା ଠା' କରନ୍ତି। ପଣ୍ଡା, ପତି ଓ ମୁଦିରସ୍ତ ଜନ୍ମ ଚକଡ଼ାରେ ବସି ସଂକଳ୍ପ ବାକ୍ୟ ପାଠ କରନ୍ତି।
ଏହା ପରେ କଳସରେ ବରୁଣ ପୂଜା ହୁଏ। ଚିତ୍ରକର ଗୋଟିଏ କୃଷ୍ଣ ଜନ୍ମପଟି ଦେଇଥିବେ। ବଣିଆ ଦେବା ରୁପା ପଦ୍ମପାଖୁଡ଼ା ମଣ୍ଡଳ ଉପରେ ପୂଜାପଣ୍ଡା ରଖିବେ। ଗୋଟିଏ କୃଷ୍ଣମୂର୍ତ୍ତି (ସୁନାର) ମଣ୍ଡଳ ଉପରେ ରଖିବେ। ଏହା ପରେ ଚକଡ଼ା ଛାମୁରେ ନଅଟି ପନ୍ତିି ଭୋଗ ବଢ଼ାଯିବ। କାରଣ ଜନ୍ମପଟି ପାଖୁଡ଼ାରେ ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର, ଗାର୍ଗବ ମୁନିଙ୍କର ଚିତ୍ର ଓ ମଝିରେ କୃଷ୍ଣଙ୍କର ଚିତ୍ର (ନଅଟି) ଅଙ୍କିତ ଥାଏ। ଫୁଲମାଳ ଓ ଚନ୍ଦନ ଲାଗି ହେବ। ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରିବେ। ଏହା ପରେ ଦକ୍ଷିଣ ଘରୁ ମଦନମୋହନଙ୍କୁ (ଭଲଗ୍ନ କରି) ଆଣି ରତ୍ନ ସିଂହାସନରେ ବିଜେ ପରେ ମହାପ୍ରଭୁଙ୍କ ବାଡ଼ରୁ ମୁଦିରସ୍ତ ମଦନମୋହନଙ୍କୁ ଧଣ୍ଡି ପ୍ରସାଦ ଆଜ୍ଞାମାଳ ଦେବେ। ତା'ପରେ ମହାଜନେ ମଦନମୋହନଙ୍କୁ ଜନ୍ମ ଚକଡ଼ାରେ ବିଜେ କରାଇବେ।
ପୂଜାପଣ୍ଡା ଗର୍ଭଉଦକ କର୍ମ କରି ଶୀତଳ ଭୋଗ ଷୋଡ଼ଶ ଉପଚାରରେ କରିବେ। ଏହା ପରେ ଦୁଇଜଣ ମହାଜନ ସେବକ ଲୁଗା ଘୋଡ଼ାଇ ହୋଇ ଦେବକୀ ଓ ବସୁଦେବ ବେଶ ହୋଇ ଜନ୍ମ ଚକଡ଼ାରେ କୃଷ୍ଣଙ୍କୁ ଜନ୍ମ କରାଇବେ। ମୁଦିରସ୍ତ ପ୍ରସାଦ ଲାଗି କଲା ପରେ ଜନ୍ମ ଚକଡ଼ାକୁ ଦୁଧ, ଲହୁଣୀ ଓ ଗଣ୍ଡୂଷ ମସଲା ଆସିଲେ ପୂଜାପଣ୍ଡା ସମର୍ପଣ କରି ମଣୋହି କରନ୍ତି ଓ କର୍ପୂର ଆଳତି କରନ୍ତି। ଏହା ପରେ ରୁପା ଥାଳିରେ କୃଷ୍ଣ (ମଦନମୋହନ) ବିଜେ ହୋଇ ଛାମୁ ଦିହୁଡ଼ି ନଥାଇ, ବିନା ଘଣ୍ଟ ବାଦ୍ୟରେ ଦେବକୀ ବସୁଦେବ (ସେବକ ଦ୍ୱୟ) ସହିତ ସରସ୍ୱତୀଙ୍କ ଦେଉଳ ଆଗକୁ ଯାଆନ୍ତି। ଏହି ସ୍ଥାନକୁ ଯମୁନା ନଦୀ ରୂପେ ବିବେଚନା କରାଯାଏ। ଉଗ୍ରସେନ ବେଶରେ ଜଣେ ପୂଜାପଣ୍ଡା ଦଣ୍ଡ ପ୍ରଣାମ କରିବେ।
ଏହା ପରେ ଠାକୁର ଘଣ୍ଟ, ଛତା, କାହାଳୀ ସହିତ ନାଭିକଟା ମଣ୍ଡପରେ ଖଟଶେଯ ଉପରେ ବିଜେ କରିବେ। ଦକ୍ଷିଣ ଘରୁ ଆସି ରାମକୃଷ୍ଣ ଦିଅଁ ଦ୍ବୟ ଭକ୍ତ ଶେଯରେ ବିଜେ କରନ୍ତି। ଏହା ପରେ ପୂଜାପଣ୍ଡା କୁଶରେ ନାଭିଛେଦନ ଓ ପଞ୍ଚାମୃତରେ ମହାସ୍ନାନ କରିବେ। ତା'ପରେ ପଞ୍ଚୋପଚାର ବିଧିରେ ଶୀତଳ ଭୋଗ ଓ ବନ୍ଦାପନା ହୁଏ। ଏହା ପରେ ମହାଜନେ ଜଗମୋହନରେ ବନ୍ଧା ହୋଇଥିବା ଦୋଳିରେ ରାମକୃଷ୍ଣ ଓ ମଦନମୋହନଙ୍କୁ ବିଜେ କରାଇବେ। ଏଠାରେ ପାଣି ପଡ଼ି, ଟେରାବନ୍ଧା ପରେ ଶୀତଳ ଭୋଗ (ରାଶିକୋରା ଓ ଲଡ଼ୁ) ଷୋଡ଼ଶ ଉପଚାରରେ ପୂଜା। ତା'ପରେ ବନ୍ଦାପନା ହୁଏ। ଭିତରେ ପାଣି ପଡ଼ି ବଡ଼ ସିଂହାର ଭୋଗ ଛେକ ଆସିଲେ ଦୋଳିରେ ଥିବା ରାମକୃଷ୍ଣ ଦୁଇ ମୂର୍ତ୍ତି ଭିତର ରତ୍ନ ସିଂହାସନକୁ ବିଜେ କରିବେ। ମଦନମୋହନ ଦକ୍ଷିଣ ଘରକୁ ବିଜେ କରିବେ। ଏହା ପରେ ଶ୍ରୀଜୀଉଙ୍କର ବଡ଼ ସିଂହାର ଭୋଗ, ପହୁଡ଼ ଆଦି ନୀତି ପାଳିତ ହୁଏ।
ଓଡିଶାରେ ଜନ୍ମାଷ୍ଟମୀ
ଓଡ଼ିଶାରେ ଶ୍ରୀକୃଷ୍ଣ ଉପାସନା ପ୍ରାଚୀନକାଳରୁ ପ୍ରଚଳିତ ଥିବାର ଜଣାଯାଏ। ଶ୍ରୀମଦଭାଗବତ କୃଷ୍ଣ ସଂସ୍କୃତିିର ସର୍ବଶ୍ରେଷ୍ଠ ଗ୍ରନ୍ମ । ତେଣୁ ଜନ୍ମାଷ୍ଟମୀ ଦିନ ଭାଗବତର ଦଶମସ୍କନ୍ଧରୁ ଶ୍ରୀକୃଷ୍ଣଙ୍କ ଜନ୍ମଲୀଳା ପାଠ କରାଯାଏ। ଏହିଦିନ ଗାଁର ଭାଗବତ ଟୁଙ୍ଗୀମାନଙ୍କରେ ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ। ହରିବଂଶ ପୁରାଣ ଅତି ଦୀର୍ଘ ହୋଇଥିବାରୁ କେଉଁଠି କେଉଁଠି ଖଣ୍ଡିକିଆ ହରିବଂଶ ପଢ଼ିଥାନ୍ତି। ତା’ଛଡ଼ା ମହାଭାରତ ଓ ଅନ୍ୟାନ୍ୟ ପୁରାଣରେ ଶ୍ରୀକୃଷ୍ଣଙ୍କ ମହିମା ବର୍ଣ୍ଣିତ ହୋଇଛି। ସ୍ବୟଂ ଶ୍ରୀକୃଷ୍ଣଙ୍କ ମୁଖନିସୃତ ବାଣୀ ହେଉଛି ଶ୍ରୀମଦ୍ଭାଗବଦ୍ଗୀତା। ଏହା ଭାରତର ସର୍ବଶ୍ରେଷ୍ଠ ଗ୍ରନ୍ଥ। ଧର୍ମପ୍ରାଣ ଭାରତୀୟମାନେ ଏହି ଗ୍ରନ୍ଥକୁ ପଢ଼ି, ପଢ଼ାଇ, ବୁଝାଇ ଓ ପ୍ରଚାର କରି ନିଜକୁ ଗୌରବାନ୍ଵିତ ମନେ କରନ୍ତି।
ଜନ୍ମାଷ୍ଟମୀ ଉତ୍ସବ ଓଡ଼ିଶାର ଘରେ ଘରେ ପାଳନ କରାଯାଏ। ଶ୍ରୀକୃଷ୍ଣ ସେଦିନ ମଧ୍ଯ ରାତ୍ରରେ ଜନ୍ମ ହୋଇଥିବାରୁ ବ୍ରତ ପାଳନ କରୁଥିବା ଲୋକେ ସେହି ସମୟ ପର୍ଯ୍ୟନ୍ତ ଉପବାସ ରହନ୍ତି। ଯଥାସମୟରେ ଶ୍ରୀକୃଷ୍ଣଙ୍କ ଜନ୍ମର ସୂଚନା ଦେଇ ଶଙ୍ଖ, ଘଣ୍ଟା, ଦଣ୍ଡ ଆଦି ବାଜିଉଠେ। ଆଉ ହରିଧ୍ବନ ଶୁଣାଯାଏ। ଏହାପରେ ଠାକୁରଙ୍କୁ ନୈବେଦ୍ୟ ଦେଇ ସେହି ଭୋଗ ଗ୍ରହଣ କରଯାଏ।
ନନ୍ଦୋତ୍ସବ
ଭଗବାନ୍ ଶ୍ରୀକୃଷ୍ଣଙ୍କର ବାଲ୍ୟକାଳ ଗୋପପୁରରେ ବିତିଥିଲା। ଗୋପପୁରବାସୀ ସମସ୍ତେ ଗୋପାଳ ଥିଲେ। ନନ୍ଦ ଥିଲେ ସେମାନଙ୍କର ରାଜା। ସେଥିପାଇଁ ଓଡ଼ିଶାର ଗୋପାଳମାନେ ଜନ୍ମାଷ୍ଟମୀ ବ୍ରତ ନିଷ୍ଠାର ସହିତ ପାଳନ କରନ୍ତି। ଶ୍ରୀକୃଷ୍ଣଙ୍କ ଜନ୍ମ ପରଦିନ ନନ୍ଦ ରାଜାଙ୍କ ଘରେ ଜନ୍ମୋତ୍ସବ ପାଳନ କରିଥିବାରୁ ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ନାମରେ ଅଭିହିତ। ଓଡିଶାର ଗୋପାଳଗୋଷ୍ଠୀ ଏହି ଉତ୍ସବକୁ ଖୁବ୍ ଆଡ଼ମ୍ବରରେ ପାଳନ କରନ୍ତି।
ଭାରତର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ
ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ମଥୁରାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥାବାରୁ ଏଠାରେ ଏହି ଉତ୍ସବ ବିଶେଷ ଉଲ୍ଲାସରେ ପାଳିତ ହୋଇଥାଏ। କୃଷ୍ଣଙ୍କର କ୍ରୀଡ଼ାଭୂମୀ ଗୋକୁଳ ଓ ବୃନ୍ଦାବନରେ ଅସଂଖ୍ୟ ଜନଗହଳି ହୋଇଥାଏ ଓ ଏଠାରେ ଏହି ଉତ୍ସବ ପ୍ରାୟ ସାତଦିନବ୍ୟାପି ପାଳିତ ହୋଇଥାଏ। କୁହାଯାଏ।
ଦ୍ଵାରକା: ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରିକାଧିଶ ମନ୍ଦିରରେ ମଧ୍ୟ ଏହି ଉତ୍ସବ ବହୁତ ଆଡ଼ମ୍ବରରେ ପାଳିତ ହୋଇଥାଏ। ଏହାଛଡ଼ା ପଶ୍ଚିମ ବଙ୍ଗରେ ଶ୍ରୀଚୈତନ୍ୟ ଓ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମସ୍ଥାନ ନବଦ୍ୱୀପରେ ମଧ୍ୟ ଜନ୍ମାଷ୍ଟମୀ ପାଳିତ ହୋଇଥାଏ। ଲୋକେ ଉପବାସ ରହି ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଲୀଳା ବର୍ଣ୍ଣନାରେ ସମୃଦ୍ଧ ଶ୍ରୀମଦ୍ଭାଗବତର ଦଶମ ସ୍କନ୍ଧ ପଢ଼ିଥାନ୍ତି । ଜାମ୍ମୁଠାରେ ଏହିଦିନ ଗୁଡ଼ି ଉଡ଼ାଇବାର ପ୍ରଥା ରହିଛି।
ମହାରାଷ୍ଟ୍ର: ଜନ୍ମାଷ୍ଟମୀକୁ ମହାରାଷ୍ଟ୍ରର ଲୋକେ ଦହି ହାଣ୍ଡି ନାମରେ ବେଶୀ ଜାଣିଥାନ୍ତି। ଗୋଟିଏ ମାଟିହାଣ୍ଡିରେ ଘୋଳଦହି ପୁରାଇ ଏକ ନିର୍ଦିଷ୍ଟ ଉଚ୍ଚତାରେ ଏହାକୁ ଓହଳାଇ ଦିଆଯାଇଥାଏ। ଏହାପରେ ଲୋକମାନେ ସମୂହ ତିଆରି କରି ଜଣକ ଉପରେ ଜଣେ ଠିଆହୋଇ ଏକ ମିନାର ଗଠନ କରନ୍ତି ଓ ଉପରେ ଥିବା ଲୋକଟି ଏକ ଶକ୍ତ ଜିନିଷରେ ବାଡ଼େଇ ସେହି ହାଣ୍ଡିକୁ ଭାଙ୍ଗିଥାଏ। ଏଥିପାଇଁ ଅନେକ ନଡ଼ିଆ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି, କାରଣ ନଡ଼ିଆକୁ ହିନ୍ଦୁ ଧର୍ମରେ ଶୁଭ ବୋଲି ଧରାଯାଏ। ହାଣ୍ଡି ଭାଙ୍ଗିଗଲାପରେ ସେଥିରେଥିବା ଦହି ସମସ୍ତଙ୍କ ଉପରେ ବହିଯାଏ। ଏହାକୁ ସାମୂହିକ ପ୍ରଚେଷ୍ଚା ବା ଏକତାର ସଫଳତା ବୋଲି ପ୍ରତୀକାତ୍ମକ ରୂପେ ବିବେଚନା କରାଯାଏ।
ମଣିପୁର: ମଣିପୁରରେ ଜନ୍ମାଷ୍ଟମୀ କୃଷ୍ଣଜନ୍ମନାମରେ ଲୋକପ୍ରିୟ। ଏହା ରାଜ୍ୟର ରାଜଧାନୀ ଇମ୍ଫାଲର ଦୁଇଟି ମୁଖ୍ୟ ମନ୍ଦିର ଯଥାକ୍ରମେ ଗୋବିନ୍ଦଜୀ ମନ୍ଦିର ଓ ଇସ୍କନ ମନ୍ଦିରରେ ପାଳିତ ଏକ ପ୍ରଧାନ ଉତ୍ସବ। କୃଷ୍ଣଭକ୍ତମାନେ ମୁଖ୍ୟତଃ ଇସ୍କନ ମନ୍ଦିରରେ ଏକାଠି ହୋଇଥାନ୍ତି।
ଦକ୍ଷିଣ ଭାରତରେ ଜନ୍ମାଷ୍ଟମୀ: କର୍ଣ୍ଣାଟକରେ ମାଧବା, ଆୟେଙ୍ଗାର, ଶ୍ରୀବୈଷ୍ଣବ ଓ ସ୍ମାର୍ତମାନେ ଏଇ ଉତ୍ସବକୁ ବହୁତ ଆଡ଼ମ୍ବର ସହକାରେ ପାଳନ କରିଥାନ୍ତି। ଶ୍ରକୃଷ୍ଣଙ୍କ ପ୍ରତିମାକୁ ଏକ ସୁସଜ୍ଜିତ ମଣ୍ଡପରେ ସ୍ଥାପନା କରି ତାଙ୍କ ଭକ୍ଷଣମ୍ ନାମକ ସ୍ୱତନ୍ତ୍ରରୂପେ ପ୍ରସ୍ତୁତ ପ୍ରସାଦ ଅନ୍ୟାନ୍ୟ ଫଳମୂଳ ସହିତ ଅର୍ପଣ କରାଯାଏ। କର୍ଣ୍ଣାଟକର ଅନ୍ୟ କେତେକ ସ୍ଥାନରେ ଚକଲି, ଅବଲକ୍କି, ବେଲ୍ଲାଡା ପାନକ ଆଦି ପ୍ରସାଦ ଖାସ ଏଇ ପର୍ବପାଇଁ ପ୍ରସ୍ତୁତ କରାଯାଏ। କିମ୍ବଦନ୍ତୀ ଅନୁସାରେ ସୁଦାମା ଶ୍ରୀକୃଷ୍ଣଙ୍କୁ ଅବଲକି ଦେଇଥିବାରୁ ଏଇଦିନ ହାତରନ୍ଧା ଅବଲକି କୃଷ୍ଣଙ୍କର ସଖା ସୁଦାମାଙ୍କ ପାଇଁ ପାଳନ କରାଯାଏ। ଗମକ ବାଚନ ନାମରେ ଆଉ କେତେକ ଧାର୍ମିକ କାର୍ଯ୍ୟକ୍ରମ ଏଇଦିନ ସନ୍ଧ୍ୟାସମୟକୁ ଅନୁଷ୍ଠିତ ହୋଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)