Advertisment

Shanidev's Unique Life Story: ଶନିଙ୍କ ଦେହର ରଙ୍ଗ କାହିଁକି କଳା ଓ କାହିଁକି ତାଙ୍କର ଗୋଟିଏ ଗୋଡ଼ ଛୋଟା?

ପ୍ରଭୁ ଶନିଙ୍କର ଜୀବନ କାହାଣୀ ବଡ଼ ବିଚିତ୍ର। ତାଙ୍କ ଦେହର ରଙ୍ଗ କାହିଁକି କଳା ତାହା କିଏ କିଏ ଅଳ୍ପେବହୁତେ ଜାଣିଥିବେ, କିନ୍ତୁ ତାଙ୍କର ଗୋଟିଏ ଗୋଡ଼ କାହିଁକି ଟିକେ ଛୋଟା ତାହା ହୁଏକ କେହି ଜାଣିନଥିବେ।

author-image
Debendra Nath Parida
ଅଦ୍ୟତନ ହୋଇଛି
Life Story of Shanidev

Life Story of Shanidev

ଉଭୟ ଗ୍ରହ ଓ ଦେବତା ହିସାବରେ ଶନିଙ୍କର ପ୍ରଭାବ ବଡ଼ ବିଚିତ୍ର। ସେ ଖୁବ ସିଧାସଳଖ ଓ ନିଷ୍ପତ୍ତି ନେବାରେ କଠୋର। ସେଥିପାଇଁ ଜ୍ୟୋତିର୍ବିଜ୍ଞାନରେ ତାଙ୍କୁ ସବୁଠାରୁ ଅଧିକ କଠୋର ଓ ପ୍ରଭାବଶାଳୀ ଗ୍ରହ ଭାବରେ ବିଚାର କରାଯାଇଥାଏ। ତାଙ୍କ ପାଖରେ ଅନେକ ବିଚିତ୍ର ପ୍ରକାରର ଗୁଣ ଓ ଶକ୍ତି ରହିଛି, ଯାହା ଭୟର କାରଣ ପାଲଟିଥାଏ। ବିଶ୍ୱ ବ୍ରହ୍ମାଣ୍ଡର ଶନି ଗ୍ରହ ହିଁ ଶନି ଦେବତା ଭାବରେ ପୂଜା ପାଆନ୍ତି।

Advertisment

ଶନିଙ୍କୁ କୁହାଯାଏ ନ୍ୟାୟର ଦେବତା। ସେ ମୃତ୍ୟୁର ଦେବତା ଯମଙ୍କର ଭାଇ। କେହି କେହି ତାଙ୍କୁ ବିଷ୍ଣୁଙ୍କର ଅବତାର ଭାବରେ ଦେଖିଥାନ୍ତି। ଯିଏକି ପୃଥିବୀ ବାସୀଙ୍କର ଭଲ ଓ ମନ୍ଦ କାର୍ଯ୍ୟର ଫଳାଫଳ ବାଣ୍ଟିବା ଦାୟିତ୍ୱରେ ଥାଆନ୍ତି। ଆସନ୍ତୁ ଜାଣିବା ପ୍ରଭୁ ଶନିଦେବଙ୍କର କୌତୂହଳପୂର୍ଣ୍ଣ ଜନ୍ମ ବୃତ୍ତାନ୍ତ।

ଶନି ହେଉଛନ୍ତି ସୂର୍ଯ୍ୟ ଦେବତାଙ୍କ ପୁଅ। ସୂର୍ଯ୍ୟ ବିବାହ କରିଥିଲେ ସଂଧ୍ୟାଙ୍କୁ, ଯିଏକି ଥିଲେ ଜଣେ ଅତି ବିଶ୍ୱସ୍ତ ଓ ପତି-ଅନୁରକ୍ତ ନାରୀ। ସୂର୍ଯ୍ୟଙ୍କ ଔରସରୁ ସେ ତିନିଟି ପିଲାର ମାଆ ହୋଇଥିଲେ। ତାଙ୍କ ପିଲାମାନେ ହେଲେ- ମନୁ, ଯମ ଓ ଯାମି। ଯମ ଓ ଯାମି ହେଉଛନ୍ତି ଯମଜ ସନ୍ତାନ ବା ଯାଆଁଳା। ଯମ ହେଉଛନ୍ତି ମୃତ୍ୟୁର ଦେବତା, ଯାମି ହେଉଛନ୍ତି ଯମୁନା ନଦୀର ଦେବୀ।

Advertisment

ଏମାନଙ୍କ ମାଆ ସଂଧ୍ୟା, ଅତ୍ୟଧିକ ପତିବ୍ରତା ଓ ବିଶ୍ୱସ୍ତ ଥିଲେ। ତାଙ୍କର ଅନ୍ୟନାମ ହେଲା ସଂଜନା, ଯାହାଙ୍କୁ କି ବାଦଲ ମାନଙ୍କର ଦେବୀ ହିସାବରେ ଗ୍ରହଣ କରାଯାଏ। ତେବେ ସ୍ୱାମୀ ସୂର୍ଯ୍ୟଙ୍କୁ ସେ ଭକ୍ତି କରୁଥିଲେ ମଧ୍ୟ ତାଙ୍କର ପ୍ରଖର ଗରମ କିରଣ ଯୋଗୁ ସେ ସର୍ବଦା ବ୍ୟତିବ୍ୟସ୍ତ ଥିଲେ। ଏତେ ତେଜ ବା ଗରମ ସେ ଆଉ ସହିବା ଅବସ୍ଥାରେ ନଥିଲେ। ତେଣୁ ସେ ଆଉ ପତି ସୂର୍ଯ୍ୟଙ୍କ ସହ ନରହିବା ପାଇଁ ମନେମନେ ସ୍ଥିର କଲେ।

ସଂଧ୍ୟା ନିଜର ଶକ୍ତି ବଳରେ, ନିଜ ଶରୀରରୁ ଏକ ଛାୟା ବା ଛାଇ ସୃଷ୍ଟି କଲେ, ଯିଏକି ସଂପୂର୍ଣ୍ଣ ଭାବରେ ଦେଖିବାକୁ ତାଙ୍କ ପରି। ଛାୟାଙ୍କ ହାତରେ ସେ ନିଜର ତିନି ସନ୍ତାନ ଓ ତାଙ୍କର ସମସ୍ତ ଦାୟିତ୍ୱ ହସ୍ତାନ୍ତର କରି କହିଥିଲେ, ମୋ ସ୍ୱାମୀ ସୂର୍ଯ୍ୟଙ୍କର ମଧ୍ୟ ସଠିକ ଭାବରେ ଯତ୍ନ ନେବ। ତମକୁ ମୁଁ ମୋ ପୂରା ସଂସାରର ଦାୟିତ୍ୱ ଦେଇଯାଉଛି।

ନିଜ ଛାୟାକୁ ସେଠାରେ ଛାଡ଼ି, ସଂଧ୍ୟା ସ୍ୱାମୀଙ୍କ ଘର ଛାଡ଼ି ବାପଘରକୁ ଚାଲିଗଲେ। କିନ୍ତୁ ତାଙ୍କ ବାପା ଦକ୍ଷ, ଝିଅର ଏହି ପଦକ୍ଷେପକୁ ପସନ୍ଦ କଲେନାହିଁ। ସେ ସଂଧ୍ୟାଙ୍କୁ ପରାମର୍ଶ ଦେଲେ, ତୁ ପୁଣି ସ୍ୱାମୀଙ୍କ ପାଖକୁ ଫେରିଯାଆ। ଶାଶୂଘର ଛାଡ଼ି ଏପରି ଫେରି ଆସିବା ନୈତିକତା ନୁହେଁ। କିନ୍ତୁ ବାପାଙ୍କର ଏହି ପରାମର୍ଶ ସଂଧ୍ୟାଙ୍କ ମନକୁ ଗଲାନାହିଁ। ତେଣୁ ସେ ଆଉ ସ୍ୱାମୀ ସୂର୍ଯ୍ୟଙ୍କ ପାଖକୁ ନଫେରି, ଏକ ଘୋଡ଼ା ରୂପ ଧାରଣ କଲେ ଓ କଠୋର ଧ୍ୟାନରେ ନିମଗ୍ନ ହେବାକୁ ସେ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଗଲେ।

ଏଣେ ଛାୟା ସୂର୍ଯ୍ୟଙ୍କ ପାଖରେ ସଂଧ୍ୟା ରୂପରେ ରହି ସ୍ୱାମୀଙ୍କ ସେବା କରିଚାଲିଛନ୍ତି। କିନ୍ତୁ ଏ କଥା ସୂର୍ଯ୍ୟ ଦେବତା ଜାଣି ନାହାଁନ୍ତି। ତାଙ୍କର ମଧ୍ୟ ସୂର୍ଯ୍ୟଙ୍କ ଔରସରୁ ତିନିଟି ପିଲା ହେଲେ। ସେମାନେ ହେଲେ- ମନୁ, ଶନି ଓ ତପ୍ତି। ଯେତେବେଳେ ଶନି ତାଙ୍କ ପେଟରେ ଥିଲେ, ସେତେବେଳେ ସେ ସ୍ୱାମୀଙ୍କ ପାଖେ ପାଖେ ରହି ଅଧିକରୁ ଅଧିକ ତାଙ୍କ ସେବା କରିଚାଲିଲେ। ଫଳରେ ସୂର୍ଯ୍ୟଙ୍କ ପ୍ରବଳ ଉତ୍ତାପ ପ୍ରଭାବରେ ଛାୟାଙ୍କ ପେଟରେ ବଢୁଥିବା ଶିଶୁ ଶନିଙ୍କ ରଙ୍ଗ କଳା ହୋଇଗଲା। ତେଣୁ ଶନି ଜନ୍ମରୁ ହିଁ କଳା।

ଶନିଙ୍କର ତାଙ୍କ ବାପା ସୂର୍ଯ୍ୟଙ୍କ ସହିତ ଭଲ ପଡ଼ୁନଥିଲା। ଏହାର ମଧ୍ୟ କାରଣ ଅଛି। ସୂର୍ଯ୍ୟ ଦେବତା ଶନିଙ୍କ ଜନ୍ମ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ। କିନ୍ତୁ ଯେତେବେଳେ ଦେଖିଲେ ନବଜାତ ଶିଶୁଟିର ରଙ୍ଗ କଳା, ତାଙ୍କ ମନ ଖରାପ ହୋଇଗଲା। ଯଦିଓ ଶନି କଳା ହେବାର କାରଣ ନିଜେ ପିତା ସୂର୍ଯ୍ୟ, କିନ୍ତୁ ଶନି ଯେ ତାଙ୍କରି ଔରସରୁ ଜନ୍ମ ହୋଇଛି ଏହାକୁ ସେ ବିଶ୍ୱାସ କରିପାରିଲେ ନାହିଁ।

ପିତା ସୂର୍ଯ୍ୟ ତ ଶନିଙ୍କୁ ଭଲ ପାଉନଥିଲେ, ଶନି ମଧ୍ୟ ପିତାଙ୍କୁ ଭଲ ପାଉନଥିଲେ। କାରଣ ସେ ତାଙ୍କରି ପାଇଁ ହିଁ କଳା ରଙ୍ଗର ଜନ୍ମ ହୋଇଥିଲେ, ତା ପରେ ପୁଣି ତାଙ୍କ କଳା ରଙ୍ଗ ପାଇଁ ଯିଏ ଦାୟୀ, ସିଏ ପୁଣି ତାଙ୍କୁ ଘୃଣା କରୁଛନ୍ତି। ତେଣୁ ଶନିଙ୍କର ପ୍ରଥମ ଦୃଷ୍ଟି ପଡ଼ିଥିଲା ତାଙ୍କ ବାପା ସୂର୍ଯ୍ୟଙ୍କ ଉପରେ। କ୍ରୋଧରେ ସେ ତାଙ୍କୁ ଅଭିଶାପ ଦେଇଥିଲେ। ଫଳସ୍ୱରୂପ ସୂର୍ଯ୍ୟପରାଗ ହେଲା ଆଉ ସୂର୍ଯ୍ୟ ଅନ୍ଧାରରେ ଲୁଚିଗଲେ। ଏହି ପରାଗ ସମୟକୁ ସୂର୍ଯ୍ୟ ଦେବତା ଅଶୁଭ ଓ ଦୁର୍ଭାଗ୍ୟ ବୋଲି ବିଚାର କରୁଥିଲେ। ଏହିପରି ଭାବରେ ପିତା ପୁତ୍ରଙ୍କ ଭିତରେ ଭୟଙ୍କର ଭାବେ ବୁଝାମଣା ଖରାପ ଥିଲା।

ଛାୟା ତାଙ୍କର ପିଲାମାନଙ୍କର ଅତି ଶ୍ରଦ୍ଧାରେ ଯତ୍ନ ନେଉଥିଲେ। ଛାୟା ଥିଲେ ଶିବଙ୍କର ଜଣେ କଠୋର ଶ୍ରଦ୍ଧାଳୁ। ଥରେ ଗୋଟେ ଘଟଣା ଘଟିଲା। ଇଷ୍ଟଦେବତା ଶିବଙ୍କୁ ଲାଗି କରିବାକୁ ଛାୟା କିଛି ସ୍ୱତନ୍ତ୍ର ଖାଦ୍ୟ ତିଆରି କରୁଥିଲେ। ଏହି ସମୟରେ ବାଳକ ଶନି ଆସି ମାଆଙ୍କୁ ଖାଇବାକୁ ମାଗିଲେ। ଦେଖିଲେ ଯେ, ମାଆ ସୁସ୍ୱାଦୁ ଭୋଗ ପ୍ରସ୍ତୁତ କରିଛନ୍ତି। ତେଣୁ ସେ ଜିଦ୍ କଲେ ସେହି ଭୋଗ ଖାଇବାକୁ। କିନ୍ତୁ ମାଆ କହିଲେ, ପ୍ରଭୁ ଶିବଙ୍କ ପାଖରେ ଭୋଗ ଲାଗିବା ପରେ ତୁ ଏହାକୁ ଖାଇପାରିବୁ। ଅପେକ୍ଷା କର। ହେଲେ ଏଥିରେ କ୍ରୋଧିତ ହୋଇ ବାଳକ ଶନି ମାଆ ଛାୟାଙ୍କୁ ଏକ ଗୋଇଠା ପକେଇଥିଲେ। ଏହି କାରଣରୁ ଶନିଦେବଙ୍କର ଗୋଟିଏ ଗୋଡ଼ ଛୋଟା।

ଶନିଙ୍କ ଜୀବନରେ ପ୍ରଭୁ ଶିବଙ୍କ ପ୍ରଭାବ ବହୁଳ ଭାବରେ ରହିଛି। ଶନି ଯେତେବେଳେ ମାଆ ଛାୟାଙ୍କ ଗର୍ଭରେ ଥିଲେ, ସେତେବେଳେ ଛାୟା ପ୍ରଭୁ ଶିବଙ୍କର ପୂଜା ନିଷ୍ଠାର ସହିତ କରୁଥିଲେ। ସେଥିପାଇଁ ଶନି ମଧ୍ୟ ଶିବଙ୍କର ପରମ ଭକ୍ତ। ଯେତେବେଳେ ସୂର୍ଯ୍ୟଦେବ ଶନିଙ୍କୁ ତାଙ୍କ ଔରସର ପିଲା ନହୋଇପାରେ ବୋଲି ସନ୍ଦେହ କରୁଥିଲେ ସେତେବେଳେ ଶିବ ହିଁ ସୂର୍ଯ୍ୟଙ୍କ ଆଗରେ ଆବିର୍ଭାବ ହୋଇଥିଲେ। ଯେହେତୁ ଛାୟା ତାଙ୍କର ପରମ ଭକ୍ତ ଥିଲେ, ତେଣୁ କଥାଟି ସ୍ପଷ୍ଟ କରିଦେବାକୁ ସୂର୍ଯ୍ୟଙ୍କ ଆଗରେ ପ୍ରକଟ ହୋଇଥିଲେ ଓ ବାଳକ ଶନିଙ୍କ ଦେହର ରଙ୍ଗ କାହିଁକି କଳା ତାହାର କାରଣ ଦର୍ଶାଇ ଦେଇଥିଲେ। ଏହାପରେ ହିଁ ବାପା ସୂର୍ଯ୍ୟ ଓ ପୁଅ ଶନିଙ୍କ ମଧ୍ୟରେ ବୁଝମଆ ସୁଧୁରିଥିଲା।

ଶନିଙ୍କ ଭକ୍ତିରେ ପ୍ରୀତ ହୋଇ ପ୍ରଭୁ ଶିବ, ତାଙ୍କୁ ନ୍ୟାୟର ଦେବତା ଭାବରେ ଅଭିଷିକ୍ତ କରାଇଥିଲେ ଓ ଲୋକଙ୍କୁ ତାଙ୍କ କର୍ମ ଅନୁଯାୟୀ ଫଳ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ।

Odia Parba Parbani
Advertisment
Advertisment