Advertisment

କେତେ ସୁରକ୍ଷିତ ମହାପ୍ରଭୁଙ୍କ ରତ୍ନଭଣ୍ଡାର: ASI, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ଚୁପ୍ କାହିଁକି ?

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ କାହିଁକି ଚୁପ୍ ବସିଛି ASI ? ୫ ବର୍ଷ ତଳେ ୪ ଏପ୍ରିଲ ୨୦୧୮ରେ ASI ଏକ ରିପୋର୍ଟରେ ସ୍ପଷ୍ଟ ଲେଖିଥିଲା ଯେ, ଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାରର ମରାମତି ଅତ୍ୟନ୍ତ ଜରୁରୀ l

ଅଦ୍ୟତନ ହୋଇଛି
Srimandir

Srimandir

Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ କାହିଁକି ଚୁପ୍ ବସିଛି ASI ? ୫ ବର୍ଷ ତଳେ ୪ ଏପ୍ରିଲ ୨୦୧୮ରେ ASI ଏକ ରିପୋର୍ଟରେ ସ୍ପଷ୍ଟ ଲେଖିଥିଲା ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାରର ମରାମତି ଅତ୍ୟନ୍ତ ଜରୁରୀ l କିନ୍ତୁ ଆଜି ୨୦୨୩ ବର୍ଷ ସରି ୨୦୨୪ ଚାଲିଲାଣି, ତଥାପି ଭିତର ରତ୍ନ ଭଣ୍ଡାରର ମରାମତି କାହିଁକି ହୋଇପାରୁନି ? କେଉଁଠି ଅଟକିଛି କଥା ? ଅନ୍ୟପଟେ ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ ଭିତର ରତ୍ନ ଭଣ୍ଡାରର ମରାମତି ଲାଗି କାହିଁକି ଗୁରୁତ୍ୱ ଦେଉନି ? ଜଗନ୍ନାଥ ମନ୍ଦିର ହେରିଟେଜ୍ କରିଡରକୁ ଯେଉଁଭଳି ଗୁରୁତ୍ୱ ଦେଇ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି, ସେହିପରି ଶ୍ରୀମନ୍ଦିରର ଭିତର ଭଣ୍ଡାରର ମରାମତି ଦିଗରେ ଆବଶ୍ୟକ ପଦକ୍ଷେପ କାହିଁକି ନେଉନାହାନ୍ତି ରାଜ୍ୟ ସରକାର ? ରାଜନୀତି, ନା ମନୋବୃତ୍ତି, ନା କୌଣସି ଅଜ୍ଞାତ ଭୟ ଭିତରେ ଫସିଯାଇନି ତ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର !

Advertisment

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟିର ପରାମର୍ଶ ନେବା ପରେ ୨୦୨୩ ନଭେମ୍ବର ୨୮ରେ ASIର ଏକ ଟିମ୍ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରିଛନ୍ତି l କିନ୍ତୁ ଏଥିରେ କେବଳ ବାହାର ଭଣ୍ଡାରର କାନ୍ଥ ଆଦିକୁ ସ୍କାନିଂ କରାଗଲା, ଭିତର ଭଣ୍ଡାରର ପ୍ରସଙ୍ଗ ବି ଉଠିଲାନି l ଏଠାରେ ଏକ ବଡ଼ ପ୍ରଶ୍ନ ଉଠୁଛି ଯେ, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଅସୁରକ୍ଷିତ ସ୍ଥିତି ନେଇ ୨୦୧୮ ମସିହାରୁ ଯଦି ASI ଏକ ରିପୋର୍ଟରେ ଚେତେଇ ସାରିଛି, ତେବେ କେବଳ ବାହାର ଭଣ୍ଡାରର ଲେଜର ସ୍କାନିଂ କଣ ପାଇଁ ? ASI ସମେତ ଏକ ୧୭ ଜଣିଆ ନୀରିକ୍ଷଣ ଟିମ୍ ୨୦୧୮ର ଏହି ରିପୋର୍ଟରେ ଖୋଦ୍ ଲେଖି ଜଣାଇଛନ୍ତି ଯେ, ରତ୍ନଭଣ୍ଡାରର ମରାମତି ଏବଂ ସରଂକ୍ଷଣ ଅତି ଜରୁରୀ.. ଏହାସହ ସେହି ବର୍ଷ ରଥଯାତ୍ରା କିମ୍ବା ମୌସୁମୀ ସମୟରେ ରତ୍ନ ଭଣ୍ଡାରର ପୁନଃ ଯାଞ୍ଚ ଏବଂ ମରାମତି କରାଯାଉ l

ସୂଚନା ଥାଉ କି, ଜଗନ୍ନାଥ ମନ୍ଦିରର ଜଗମୋହନର ସ୍ଥିତି ଏବଂ ମରାମତି ପ୍ରସଙ୍ଗରେ ଅଭିଷେକ ଦାସ ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (PIL) ରୁଜୁ କରିଥିଲେ l ଏଥିରେ ସେ ASIକୁ ବି ଏକ ପକ୍ଷ କରିଥିଲେ l ୨୦୧୮ରେ ଏହାର ଶୁଣାଣି ସମୟରେ ଖୋଦ୍ ASI ହିଁ ହାଇକୋର୍ଟଙ୍କୁ ଅପିଲ୍ କରିଥିଲା ଯେ, ଯେହେତୁ ରତ୍ନ ଭଣ୍ଡାର ମଧ୍ୟ ଜଗମୋହନର ହିଁ ଅଂଶ ବିଶେଷ, ଏଣୁ ଜଗମୋହନ ସହ ରତ୍ନ ଭଣ୍ଡାରର ବି ଯାଞ୍ଚ କରାଯିବା ଉଚିତ୍ l ASIର ଏହି ଅପିଲକୁ ଗୁରୁତ୍ୱ ଦେଇ ହାଇକୋର୍ଟ ରତ୍ନ ଭଣ୍ଡାର ଖୋଲିବା ଏବଂ ଏହାର ସ୍ଥିତି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ l

Advertisment

୨୦୧୮ ମାର୍ଚ୍ଚ ୨୨ରେ ଦେଇଥିବା ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ସେହି ବର୍ଷ ଏପ୍ରିଲ ୪ରେ ଏକ ୧୭ ଜଣିଆ ଟିମ୍ ଶ୍ରୀମନ୍ଦିରକୁ ଗଲେ l ବାହାର ରତ୍ନ ଭଣ୍ଡାରର ସ୍ଥିତି ନିରୀକ୍ଷଣ କଲେ, କିନ୍ତୁ ଭିତର ରତ୍ନ ଭଣ୍ଡରର ଚାବି ମେଳ ନ ଖାଇବାରୁ ଟିମ୍ ଭିତର ଭଣ୍ଡାରକୁ ପ୍ରବେଶ କରିପାରି ନଥିଲା l ଏଣୁ ବାହାରୁ ବାହାରୁ ହିଁ ଟର୍ଚ୍ଚ ଲାଇଟ୍ ପକାଇ ଭିତର ଭଣ୍ଡାର ଯାଞ୍ଚ କରିଥିଲା ଟିମ୍ l ଯାଞ୍ଚ ପରେ ASI ସମେତ ପୂରା ଟିମ୍ ଦୁଇ ପୃଷ୍ଠାର ଏକ ହାତଲେଖା ରିପୋର୍ଟ ସହ ରତ୍ନ ଭଣ୍ଡାର ରେଜିଷ୍ଟରରେ ମଧ୍ୟ ରିପୋର୍ଟ ଦେଇଥିଲା l ସେହି ରିପୋର୍ଟରେ କିଛି ଏମିତି ଲେଖାଥିଲା- “ଚାବି ମେଳ ନଖାଇବାରୁ ରତ୍ନ ଭଣ୍ଡାରକୁ ଆମେ ଖୋଲିପାରଲୁ ନାହିଁ, ଏହି କାରଣରୁ ଆମେ ଟର୍ଚ୍ଚ ବ୍ୟବହାର କରି ବାହାରୁ ତାର ଜାଲି ବାଟେ ଭିତରର ସ୍ଥିତି ଦେଖିଲୁ.. ସେଠାରେ ୩ଟି କାଠ ସିନ୍ଦୁକ ଥିଲା, ଲୁହା ରଡ୍ ବ୍ୟବହାର କରି ମାପ ନେଲୁ, ଆମେ ଦେଖିଲୁ କାନ୍ଥ ଗୁଡ଼ିକ ଓଦାଳିଆ ଥିଲା, ଛାତର ପ୍ଲାଷ୍ଟର ଝଡ଼ି ପଡ଼ିଥିଲା, ପଥର ଖଣ୍ଡ ପଡ଼ିଥିବା ଦେଖିଲୁ.. ”

କେବଳ ଏହି ରିପୋର୍ଟ ନୁହେଁ, ଏହା ପରେ ବି ୨୦୨୨ ଅଗଷ୍ଟ ୮ରେ ଭିତର ଭଣ୍ଡାର ଯାଞ୍ଚ କରିବା ଲାଗି ଚିଠି ଲେଖିଥିଲା ASI; ଏହି ଚିଠିରେ ମଧ୍ୟ ରତ୍ନ ଭଣ୍ଡାରର ଦୁର୍ବଳ ଓ ଅସୁରକ୍ଷିତ ସ୍ଥିତି କଥା ଦର୍ଶାଇଥିଲା l ୨୦୧୮ ଏବଂ ୨୦୨୨ରେ ଦୁଇ ଦୁଇ ଥର ନିଜ ଚିଠିରେ ଭିତର ରତ୍ନ ଭଣ୍ଡାରର ସ୍ଥିତିକୁ ଅସୁରକ୍ଷିତ ଦର୍ଶାଇ ASI ରତ୍ନ ଭଣ୍ଡାର ଖୋଲିବା ଏବଂ ଯାଞ୍ଚ କରିବାକୁ ଅନୁମତି ମାଗିଥିଲା l କିନ୍ତୁ ଏବେ ଯେତେବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ କରିବାର ସମୟ ଆସିଲା, ଓଡ଼ିଶାର ASI ପୁରୀ ସର୍କଲ ମୁଖ୍ୟ ୨୦୨୩ ଅଗଷ୍ଟ ୪ରେ ଲେଜର ସ୍କାନିଂ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ପରାମର୍ଶ ଦେଲେ, କିନ୍ତୁ ଭିତର ରତ୍ନ ଭଣ୍ଡାର ଖୋଲିବା କିମ୍ବା ସ୍ଥିତି ଯାଞ୍ଚ କରିବା ନେଇ ନା ଗୁରୁତ୍ୱ ଦେଲେ, ନା ଚିଠି ଲେଖିଲେ ଆଉ ନା ଦାବି ଉଠାଇଲେ l

Advertisment
insecure Lord Jagannath ratanabhandarଭଣ୍ଡାର ଯାଞ୍ଚ କରିବା ଲାଗି ASI ର ଚିଠି

ସେ ବାହାରୁ ବାହାରୁ ଯାଞ୍ଚ କରି ରିପୋର୍ଟ ଦିଅନ୍ତୁ ପଛେ, ୨୦୧୮ରୁ ରାଜ୍ୟ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ସର୍ବସାଧାରଣଙ୍କୁ ଜଣାପଡ଼ିସାରିଛି ଯେ ମହାପ୍ରଭୁଙ୍କ ଭିତର ରତ୍ନ ଭଣ୍ଡାର ମରାମତି ଆବଶ୍ୟକ l ପୁଣି ସେହି ବର୍ଷ ହିଁ ରଥଯାତ୍ରା କିମ୍ବା ମୌସୁମୀ ସମୟରେ ଏହାର ମରାମତି କରିବାକୁ ପରାମର୍ଶ ବି ଦିଆଯାଇଥିଲା l ତା’ହେଲେ ୟା ଭିତରେ ତ ୬ଟି ରଥଯାତ୍ରା ଆଉ ଅନେକ ମୌସୁମୀ ଓ ବର୍ଷା ଋତୁ ଗଲାଣି.. ଏବେ ତ ଆହୁରି ଅଧିକ ଅସୁରକ୍ଷିତ ହୋଇପଡ଼ିଥିବ ରତ୍ନଭଣ୍ଡାର ! ଭିତରେ କେତେ ଓ କଣ କ୍ଷତି ହୋଇଛି ? ୨୦୨୪ ଆସିଗଲା, ମୁଣ୍ଡ ଉପରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ l ତଥାପି ଖୋଲା ହୋଇପାରିଲାନି କି ମରାମତି ହେଲାନି l ଭିତର ନ ସଜାଡ଼ି ବାହାରର ଚକାଚକ୍ ହୋଇଗଲା l

ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଭିତର ରତ୍ନ ଭଣ୍ଡାର ଖୋଲିବାର ନିୟମ କଣ ?

  • ଶ୍ରୀମନ୍ଦିର ପରିଚାଳନା କମିଟି ଭିତର ରତ୍ନ ଭଣ୍ଡାର ଖୋଲିବା ପ୍ରସ୍ତାବକୁ ଅନୁମୋଦନ କରିବ

  • ଅନୁମୋଦନ ପରେ, ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ଚିଠି ଲେଖିବ

  • ଚିଠି ମିଳିବାର ୨ ମାସ ଭିତରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବେ ରାଜ୍ୟ ସରକାର

  • କମିଟିର ତତ୍ତ୍ୱାବଧାନରେ ଭିତର ରତ୍ନ ଭଣ୍ଡାର ଖୋଲାଯିବ l

ଏହା ବ୍ୟତୀତ, ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ASI ନିଜେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରିବାକୁ ଚିଠି ଲେଖି ଭିତର ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ ଏବଂ ମରାମତି କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇପାରିବ l

କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣୀ କାଳିଆ ସାଆନ୍ତଙ୍କ ଉଆସ ହେଉଛି ଶ୍ରୀମନ୍ଦିର l ଏହାର ବାହାର ସୌନ୍ଦର୍ଯ୍ୟକରଣ ଯେତିକି ଆବଶ୍ୟକ, ତା’ଠାରୁ ଅତି ଗୁରୁତ୍ୱପୂର୍ଣ୍ଣ ଭିତରର ରକ୍ଷଣାବେକ୍ଷଣ l ASI ଏବଂ ନିରୀକ୍ଷଣ ଟିମର ରିପୋର୍ଟ ଆଧାରରେ ଭିତର ଭଣ୍ଡାରର ମରାମତି କରା ନଯାଇ ଜାଣତରେ ହେଉ କି ଅଜାଣତରେ ଶ୍ରୀମନ୍ଦିର ପ୍ରତି ଅବହେଳା କରାଯାଇଛି l ASI ମଧ୍ୟ ଭିତର ରତ୍ନ ଭଣ୍ଡାର ଖୋଲିବାକୁ ଗୁରୁତ୍ୱ ନଦେଇ ବାହାରୁ ଲେଜର୍ ସ୍କାନିଂ କରି ଏଯାବତ୍ ଚୁପ୍ l ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ବି ଚିଠି ଲେଖି ଅନୁମତି ମାଗୁନି l ମାନ୍ୟବର ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସରୁ ସରୁ ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଖୋଲିବା ଏବଂ ଏହାର ମରାମତି କରିବା ଲାଗି ତତ୍ପର ହେବାର ଆବଶ୍ୟକତା ନାହିଁକି ?

Puri Jaggannth Temple Puri Shrimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ