• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarojini Sankhua

ପୁରାତନ ଉତ୍କଳର ଧର୍ମ, ସଂସ୍କୃତି, ଐତିହ୍ୟର ଚେତନା ଭିତରେ, ଦୋଳପର୍ବର ପାଳନ ଆମ ସାମାଜିକ ଜୀବନରେ ଏକ ଅନନ୍ୟ ଅଧ୍ୟାୟ। ପ୍ରେମମୟ ପରମପୁରୁଷ ଶ୍ରୀକୃଷ୍ଣ ଓ ପ୍ରକୃତି ସ୍ୱରୂପା ଶ୍ରୀରାଧାଙ୍କ ମିଳନ ହେଉଛି ଦୋଳୋତ୍ସବର ମୁଖ୍ୟ ଆଧାର।

ଦୋଳ ଓ ଓଳକଣା ମେଳଣ

ଦ୍ୱାପର ଯୁଗର କଥା। ରାଧା ଗୋବିନ୍ଦଙ୍କ ସାଙ୍ଗରେ ଗୋପାଳ ବାଳକମାନେ ହାତରେ ରଙ୍ଗ ପିଚକାରୀ ଧରି, ପରସ୍ପର ଅବିର ବୋଳାବୋଳି ହେଉଥିଲେ। ଉଚ୍ଛୁଳୁଥିଲା ଗୋପଦାଣ୍ଡ। ଏହା ହେଉଛି ରାଧାକୃଷ୍ଣଙ୍କ ଅନନ୍ୟ ଲୀଳା। ଏବେବି ଏହି ପରମ୍ପରାରେ ମଠ, ପୀଠ, ମନ୍ଦିର ପ୍ରଭୃତି ଉତ୍ସବ ମୁଖର। ବିମାନରେ ବିଜେ ହୁଅନ୍ତି ରାଧା ଗୋବିନ୍ଦ, ଗାଁ ଗାଁ କରନ୍ତି ପରିକ୍ରମା। ଦୋଳପର୍ବ ଏକ ଜାତୀୟ ପର୍ବ। ଓଡ଼ିଶାରେ ‘ଦୋଳ ମେଳଣ’ ପରମ୍ପରା ବହୁ ପୁରାତନ। ଓଡ଼ିଶାରେ ଦୋଳ ମେଳଣ ମାନଙ୍କ ମଧ୍ୟରେ ଓଳକଣା ମେଳଣର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏହି ଓଳକଣା ମେଳଣର ପ୍ରସିଦ୍ଧି ଲୋକରୁ ଲୋକମୁଖକୁ ପ୍ରସାରିତ– ‘ଓଳକଣା ମେଳଣ, ଆଳି ରାଜା ଝୁଲଣ, ପୁରସ୍ତମ ଚନ୍ଦନ, ଅସୁରେଶ୍ଵର ରାମନବମୀ, ବିନୋଦବିହାରୀ ଚାଚେରୀ, ସଦେଇ ଚରଣ ପାଚିରି।’ ଏହି ମେଳଣର ଆରମ୍ଭକୁ ନେଇ ଇତିହାସ ଅସ୍ପଷ୍ଟ ଥିଲେବି ପୁରାଣ, କିମ୍ବଦନ୍ତୀ, ଲୋକକଥା, ଜନଶ୍ରୁତିକୁ ଆଧାର କରି ଓଳକଣା ମେଳଣ ପ୍ରସିଦ୍ଧି ଲାଭ କରିଛି।

କେଉଁଠି ଏହି ଓଳକଣା ମେଲଣ ପଡିଆ

କେନ୍ଦ୍ରାପଡ଼ା ଜିଲ୍ଲା, ରେଭିନ୍ୟୁ ଗାଁ ଅରାଖଣ୍ଡ, ଥାନା| ବ୍ଲକ୍ ଡେରାବିଶ। ଏଇ ମୌଜାରେ ଓଳକଣା ମେଳଣ ପଡ଼ିଆର ପଞ୍ଚାନବେ ଭାଗ। ଅପର ପକ୍ଷରେ ଓଳକଣା ଏକ ଦୀର୍ଘ ରେଭିନ୍ୟୁ ଗାଁ। ଏହା ପ୍ରାୟ ୧୧/୨ କି.ମି. ଲମ୍ବ, ବିଭିନ୍ନ ପାଟକ ଲୋକ ଏଇ ଗାଁରେ, ଗାଁଟି ହଳଦିଆ ଗ୍ରାମ ପଞ୍ଚାୟତ, ମାହାଙ୍ଗା ବ୍ଲକ୍‌ରେ। ଏ ସବୁ କଟକ ଜିଲ୍ଲା ଅନ୍ତର୍ଗତ। ମେଳଣ ପଡ଼ିଆର ମାତ୍ର ପାଞ୍ଚ ପ୍ରତିଶତ ଏଇ ଗାଁରେ। ଭକ୍ତ ବିଦୁରଙ୍କ ଗାଦି ଅରାଖଣ୍ଡରେ, ଏହା କେନ୍ଦ୍ରାପଡ଼ା ଜିଲ୍ଲାରେ ମାତ୍ର ଏଠାକାର ପ୍ରସିଦ୍ଧ ଦୋଳମେଳଣ ‘ଓଳକଣା ମେଳଣ’ ନାମେ ନାମେ ଖ୍ୟାତ। ଏଇ ନାଆଁଟି କାହିଁ କେଉଁ କାଳରୁ ଲୋକମୁଖରେ ଉଦ୍‌ଜୀବିତ।

ଓଳକଣା ମେଳଣ ପଡ଼ିଆର ପାର୍ଶ୍ଵଦେଇ ଲମ୍ବିଛି ଲୋକାଲ୍ ବୋର୍ଡ଼ ରାସ୍ତା। ଏପଟ ଗାଁ ଅରାଖଣ୍ଡ, ତାହା ଆଳିରାଜାଙ୍କ ଇଷ୍ଟେଟ୍‌ର, ରାସ୍ତା ସେପଟେ ମୋଗଲବନ୍ଦୀ ଅଞ୍ଚଳ। ସେତେବେଳେ ଡେରାବିଶ ପ୍ରଗଣାଟି ଆଳି ରାଜାଙ୍କର ଥିଲା। ଏବେବି ଡେରାବିଶରେ ରହିଛି ପରିତ୍ୟକ୍ତ ଆଳି ରାଜା ନଅର। ଓଳକଣା ମେଳଣ ପଡ଼ିଆର ଖାତା ଖତିଆନ ଅରାଖଣ୍ଡ ନକ୍‌ସାରେ। ଅରାଖଣ୍ଡ ଅପେକ୍ଷା ‘ଓଳକଣା’ ନାମଟି ଶ୍ରୁତିମଧୁର, ଏହାଛଡ଼ା ପୁରାଣ ଶାସ୍ତ୍ରରେ ଓଳକଣା ନାମଟି ପ୍ରକଟିତ। ଓଳକଣା ମେଳଣ ନାମଟି ଯେ ବହୁ ପ୍ରାଚୀନ, ଏଥିରେ କାହାରି ଦ୍ବିମତ ନାହିଁ।

ଓଳକଣା ମେଳଣର ବିଶେଷତ୍ୱ

ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ସୁପ୍ରସିଦ୍ଧ ଦୋଳମେଳଣ ଯାତ୍ରାଠାରୁ "ଓଳକଣା ମେଳଣ" କେତୋଟି ଦୃଷ୍ଟିକୋଣରୁ ଭିନ୍ନ। ଦୋଳମେଳଣ ମୁଖ୍ୟତଃ ରାଧାଗୋବିନ୍ଦଙ୍କୁ ନେଇ। ମାତ୍ର ଅବିଭକ୍ତ କଟକ ଓ ବର୍ତ୍ତମାନର କେନ୍ଦ୍ରପଡ଼ା ଜିଲ୍ଲାର ଓଳକଣା ମେଲଣର ହରି ହର ଭେଟ ଏକ ନିଆରା ପରମ୍ପରା, ଏକଥାଟି ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ। ଏହି ମେଳଣଟି ଭକ୍ତ ବିଦୁରଙ୍କ ପାଇଁ ଉଦ୍ଦିଷ୍ଟ। ଅନ୍ୟପଟେ ଭଗବାନ ଶ୍ରୀକୃଷ୍ଣ ତଥା 'ହରି' ଏବଂ ମହାଦେବ 'ହର'ଙ୍କର ଭେଟ ଭକ୍ତ ବିଦୁର ଦେଖିବା ଯୋଗୁଁ ଏହାକୁ 'ହରିହର' ମେଳଣ ମଧ୍ୟ କୁହାଯାଇଥାଏ। କିଛି କ୍ଷଣ ପାଇଁ ଭକ୍ତ ବିଦୂରଙ୍କ ମନ୍ଦିରର ଦକ୍ଷିଣ ଦ୍ୱାର ଖୋଲିଥିବା ବେଳେ ନିଜ ଆସ୍ଥାନରେ ବସି ବ୍ରାହ୍ମ ମୁହୂର୍ତ୍ତରେ ୧୦୮ ଆଳତୀ ସହ ଭକ୍ତ ବିଦୂର ହରି ଏବଂ ହରଙ୍କର ଭେଟ ଦେଖନ୍ତି।

ବିନା ନିମନ୍ତ୍ରଣରେ ଆସିଥାନ୍ତି ଠାକୁର

ଏହି ମେଳଣ ଅନ୍ୟ ମେଳଣଠାରୁ ସମ୍ପୂର୍ଣ୍ଣ ଭିନ୍ନ ! କାରଣ ମେଳଣକୁ ଆସିବା ପାଇଁ କୌଣସି ଠାକୁରଙ୍କୁ ନିମନ୍ତ୍ରଣ କରାଯାଇ ନଥାଏ କି ବରଣି ମଧ୍ୟ କରାଯାଏ ନାହିଁ ଏବଂ ବସିବା ପାଇଁ ଆସନ ମଧ୍ୟ ଦିଆଯାଏ ନାହିଁ। ଏଠାରେ ଠାକୁରମାନେ ତଳେ ବସିଥାନ୍ତି। ଆଉଏକ ପରମ୍ପରା ହେଉଛି କୌଣସି ଠାକୁରଙ୍କୁ ମେଳଣ ତରଫରୁ ଭୋଗ ଲଗାଯାଇ ନଥାଏ। ଏଠାରେ ବିମାନ ମାନଙ୍କ ସମ୍ମୁଖରେ ନୂଆ କପଡା ବିଛା ଯାଇଥାଏ ଓ ଭକ୍ତମାନେ ସିଧାସଳଖ ସେମାନଙ୍କ ମାନସିକ ଭୋଗ ବିଭିନ୍ନ ବିମାନ ସମ୍ମୁଖରେ ଏହି କପଡା ଉପରେ ପକାଇଥାନ୍ତି।

ଏହି ମେଳଣର ଅନ୍ୟଏକ ପରମ୍ପରା- କୌଣସି ଠାକୁର ନିଜ ମନଇଚ୍ଛା ପଡ଼ିଆ ମଧ୍ୟକୁ ପ୍ରବେଶ କରିନଥାନ୍ତି। ବିଭିନ୍ନ ଦିଗରୁ ଆସୁଥିବା ବିମାନମାନ ପୂର୍ବ ପରମ୍ପରା ଅନୁଯାୟୀ କ୍ରମନ୍ୱୟରେ ଆସିଥାନ୍ତି ଏବଂ ପୂର୍ବ ଦିଗରୁ ଆସୁଥିବା ଆଳି ରାଜାଙ୍କ ବିମାନ ଓ ଲକ୍ଷ୍ମୀଙ୍କ ବିମାନ ବସିସାରିବା ପରେ ଅନ୍ୟ ବିମାନ ବସିଥାନ୍ତି। ମାଆ ଲକ୍ଷ୍ମୀଙ୍କ ବିମାନ ସମ୍ମୁଖରେ ଏକ ଧାନ କଳସୀ ରଖାଯାଇଥାଏ। ଏହି କଳସୀରୁ ଧାନ ନେବା ପାଇଁ ଭକ୍ତମାନେ ଅପେକ୍ଷା କରି ରହିଥାନ୍ତି। ଏହି ମେଳଣକୁ କୌଣସି କାରଣରୁ ଯଦି କୌଣସି ବିମାନ ଆସି ନପାରନ୍ତି ତେବେ ସେ ବାରବର୍ଷ ଯାଏଁ ଏଠାକୁ ଆସନ୍ତି ନାହିଁ। ବର୍ଷର ଅନ୍ୟଦିନ ଏହି ମେଳଣ ପଡ଼ିଆର ବିଶେଷ ଗୁରୁତ୍ଵ ନଥିବା ବେଳେ ମେଳଣ ଦିନ ଏହା ଏକ ତୀର୍ଥଭୂମିରେ ପରିଣତ ହୋଇଥାଏ।

ଦେବସଭା

ଏଠାରେ ଅନୁଷ୍ଠିତ ହେଉଥିବା ମେଳଣକୁ "ଦେବସଭା" ଭାବରେ ଅଭିହିତ କରାଯାଇଥାଏ। ଦେବସଭା ଭଙ୍ଗପରେ ଠାକୁରମାନେ ବ୍ରାହ୍ମ ମୁହୂର୍ତ୍ତରେ ବିଦାୟ ନେଲାବେଳେ ସେମାନଙ୍କ ସାମ୍ନାରେ ବିଛା ଯାଇଥାଏ ନୂଆବସ୍ତ୍ର ଓ ଏଥିରେ ଦିଆଯାଇଥିବା ନୈବେଦ୍ୟ(ଭୋଗ) ଗ୍ରହଣ କରିଥାଆନ୍ତି। ଓଳକଣା ମେଳଣର ଉତ୍ପତ୍ତି "ହରି-ହର"ଦର୍ଶନ ମୂଳଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଏଠାକୁ ପ୍ରତିବର୍ଷ ଦେଶର ବିଭିନ୍ନ ପ୍ରାନ୍ତରରୁ ଛୁଟି ଆସିଥାନ୍ତି ସାଧୁସନ୍ଥ।

ହରିହର ଭେଟ

ଏହି ଓଳକଣା ମେଳଣକୁ ବିଜେ ହୋଇଥିବା ଶତାଧିକ ବିମାନଗୁଡ଼ିକରେ ରାଧାକୃଷ୍ଣଙ୍କର ବିଗ୍ରହ ଆସିଥିଲା ବେଳେ ଏକମାତ୍ର ଭଦ୍ରେଶ୍ୱରଙ୍କ ବିମାନରେ ରାଧାକୃଷ୍ଣଙ୍କ ସହିତ ଶ୍ରୀ ଶ୍ରୀ ବୀରଭଦ୍ରେଶ୍ୱରଙ୍କ ପ୍ରତୀକ ‘ହର’ ହିଁ ଓଳକଣା ମେଳଣକୁ ଆସିଥାନ୍ତି। ମାହାଙ୍ଗାର ଭଦ୍ରେଶ୍ୱର ଗ୍ରାମରୁ ଆସୁଥିବା ଶ୍ରୀ ବୀରଭଦ୍ରେଶ୍ୱର ବିମାନ ମେଳଣର ଅନ୍ୟତମ ଆକର୍ଷଣ। କାରଣ ସେ ହେଉଛନ୍ତି ମେଲଣପଡ଼ିଆର ଅଧିପତି। ଏହି ବିମାନ ଆସିବା ସମୟରେ ବାଜା ବାଜେ ନାହିଁ। ସାଙ୍ଗରେ ଆସିଥାନ୍ତି ଶହେ ଆଠ ଘଣ୍ଟୁଆ। ଘଣ୍ଟଧ୍ଵନିରେ ବିଜେ କରନ୍ତି ପ୍ରଭୁ ଶ୍ରୀ ବୀରଭଦ୍ରେଶ୍ୱର। ଭଦ୍ରେଶ୍ୱର ବିମାନରେ ଠାକୁର ‘ରାଧାକୃଷ୍ଣ’ଙ୍କ ବିଗ୍ରହ ସହିତ ଶିବଶକ୍ତିର ପ୍ରତୀକ ‘ଚୂଳମାଳ’ ଆସିଥାଏ।

ବିଦୁରଙ୍କ ହରହର ଦର୍ଶନ କଥା

ପୁରାଣ ଯୁଗରେ ଦୁର୍ଯ୍ୟୋଧନଙ୍କ ସହ ପଶା ଖେଳରେ ପାଣ୍ଡବ ପାଞ୍ଚଭାଇ ହାରିଯାଇ ବନବାସରୁ ଫେରିବା ପରେ, ଯୁଦ୍ଧକୁ ଏଡ଼ାଇବା ପାଇଁ ଶ୍ରୀକୃଷ୍ଣ ପାଣ୍ଡବ ପାଞ୍ଚଭାଇ ରହିବା ପାଇଁ ପାଞ୍ଚଟି ପଡ଼ା ମାଗିବାକୁ ଦୁର୍ଯ୍ୟୋଧନ ପାଖକୁ ଯାଇଥିଲେ। କିନ୍ତୁ ଦୁର୍ଯ୍ୟୋଧନ ବିନା ଯୁଦ୍ଧରେ ଇଞ୍ଚେ ବି ଜାଗା ଦେବା ପାଇଁ ମନା କରିଦେବାରୁ ଶ୍ରୀକୃଷ୍ଣ ଫେରିଆସିବା ସମୟରେ ଏହି ଓଳକଣାଠାରେ ବିଦୁରଙ୍କ ସହ ଶ୍ରୀକୃଷ୍ଣଙ୍କର ଦେଖା ହୋଇଥିଲା ବୋଲି କୁହାଯାଏ। ବିଦୁର ଶାଗ ଭାତ ଦେଇ ଶ୍ରୀକୃଷ୍ଣଙ୍କୁ ଚର୍ଚ୍ଚା କରିଥିଲେ। ଶ୍ରୀକୃଷ୍ଣ ଏଥିରେ ସନ୍ତୁଷ୍ଟ ହୋଇ ବର ମାଗିବା ପାଇଁ କହିଥିଲେ। ବିଦୁର କହିଥିଲେ, ଦିନ ନୁହେଁ କି ରାତି ନୁହେଁ, ବ୍ରାହ୍ମ ମୁହୂର୍ତ୍ତରେ ମୁଁ ଆପଣଙ୍କୁ ହରିହର ରୂପରେ ଦେଖିବାକୁ ଚାହେଁ। ଶ୍ରୀକୃଷ୍ଣ ସେହି ବର ପ୍ରଦାନ କରିଥିବାରୁ ଏହି ହରିହର ଭେଟ ହୁଏ। ବୀରଭଦ୍ରେଶ୍ୱର ମହାଦେବ ବୃଷଭ ସହ ୧୦୮ ଘଣ୍ଟ ଧରି ବିରାଟ ଶୋଭାଯାତ୍ରାରେ ମେଲଣ ପଡି଼ଆକୁ ଆସିଥାନ୍ତି ଏବଂ ଭକ୍ତ ବିଦୁରଙ୍କ ସମ୍ମୁଖରେ ମହାଆଳତି କରାଯାଇ ହରିହର ଭେଟ କରାଯାଏ ଓ ଶାଗଭାତ ଭୋଗ କରାଯାଇ ଭକ୍ତମାନଙ୍କୁ ପ୍ରସାଦ ରୂପେ ଦିଆଯାଏ।

ହରିହର ଭେଟର ଆଉ ଏକ କାହାଣୀ

ପୁରାଣ ଯୁଗର କଥା, ପ୍ରଭୁ ବଳରାମ ଜଣେ ମୁନି କୁମାରଙ୍କୁ ନୈମିଷାରଣ୍ୟରେ ବଧ କରିଥିଲେ। ବଳରାମଙ୍କୁ ବ୍ରହ୍ମହତ୍ୟା ପାପ ଲାଗିଲା। ମୃତ କୁମାରଙ୍କ ପିତା ତପସ୍ୟାରେ ବଳୀୟାନ, ଅଭିଶାପ ଦେଲେ ପ୍ରଭୁ ବଳରାମଙ୍କୁ। ଏଇ ପାପରୁ ମୁକ୍ତି ପାଇଁ ପ୍ରଭୁ ବୁଲିଲେ ସାରା ଭାରତବର୍ଷର ସବୁ ତୀର୍ଥ ସ୍ଥାନ। ପହଞ୍ଚିଲେ ଓଁକାର ପୀଠ ଓଳକଣାରେ। ବିଦୁରଙ୍କ ସହ ତାଙ୍କର ସେଠି ଭେଟ ହେଲା। ସତେବେଳେ ଲଳିତଗିରିରେ କନ୍ଦରାସୁର ରହୁଥାଏ, ସେ ଶିବ ଭକ୍ତ। ଅନ୍ୟ ଦେବତାଙ୍କୁ ଅବଜ୍ଞା କରୁଥିଲା। ଶୈବ ଧର୍ମାବଲମ୍ବୀ ବ୍ୟତୀତ ଅନ୍ୟମାନଙ୍କୁ ସେ ବହୁତ ନିର୍ଯାତନା ଦେଲା। ଦେବତା, ମୁନି, ଋଷି ତ୍ରାହି ତ୍ରାହି ଡାକିଲେ।

କନ୍ଦରାସୁରର ଅତ୍ୟାଚାର ସମ୍ପର୍କରେ ବଳରାମଙ୍କୁ ବିଦୁର କହିଲେ। ରାକ୍ଷସକୁ ମାରିବା ପାଇଁ ବଳରାମ ପ୍ରତିଜ୍ଞା କଲେ। ଯୁଦ୍ଧ ହେଲା ବଳରାମ ଓ କନ୍ଦରାସୁର ମଧ୍ୟରେ। ରାକ୍ଷସ ତା’ର ନିଶ୍ଚିତ ମୃତ୍ୟୁକଥା ଜାଣିପାରିଲା। ପ୍ରଭୁଙ୍କୁ ବର ମାଗିଲା ତା’ର ଶରୀର ଖଣ୍ଡବିଖଣ୍ଡିତ ହେଇ ଯେଉଁ ଯେଉଁ ସ୍ଥାନରେ ପଡ଼ିବ ସେଠାରେ ଅଷ୍ଟଶମ୍ଭୁ ସ୍ଥାପନ ହେବ। ବଳରାମ ତଥାସ୍ତୁ କଲେ। କନ୍ଦରାସୁରର ନାଭି ପଡ଼ିଲା ଭଦ୍ରେଶ୍ଵରରେ। ସ୍ଥାନଟି ମାହାଙ୍ଗା ବ୍ଲକ୍ କଟକ ଜିଲ୍ଲାରେ। ଏତେବେଳକୁ ବଳରାମଙ୍କୁ ଏତେଦିନ ଛାଡ଼ି ଶ୍ରୀକୃଷ୍ଣ ବହୁତ ଦୁଃଖ ପାଉଥାନ୍ତି। କୃଷ୍ଣ ଆସି ପହଞ୍ଚିଲେ ବିଦୁର ଆଶ୍ରମ ଓଳକଣାରେ।

ରାତି ପାହିଲା, ସକାଳେ ଶ୍ରୀକୃଷ୍ଣଙ୍କୁ ବିଦୁର ଶାଗ ପଖାଳ ଖୁଆଇଲେ। ପ୍ରଭୁ ଶ୍ରୀକୃଷ୍ଣ ପରମ ତୃପ୍ତି ଲାଭ କଲେ। ବିଦୁରଙ୍କୁ ବର ମାଗିବା ପାଇଁ କହିଲେ। ତେଣେ ବଳରାମ ଭଦ୍ରେଶ୍ଵରରେ ଶିବଲିଙ୍ଗ ସ୍ଥାପନ ପାଇଁ ମାଟି ଖୋଳୁଥିଲେ। ତାଙ୍କୁ ସାକ୍ଷାତ୍‌ କଲେ ଉଭୟ ଶ୍ରୀକୃଷ୍ଣ ଓ ବିଦୁର। ସେଠାରେ ବିଦୁର ଶ୍ରୀକୃଷ୍ଣଙ୍କୁ ବ୍ରହ୍ମ ମୁହୂର୍ତ୍ତରେ ହରିହରଙ୍କୁ ଏକାଠି ଦର୍ଶନ ପାଇଁ ବର ମାଗିଲେ। ପ୍ରଭୁ ଭକ୍ତ ମନୋବାଞ୍ଛା ପୂରଣ କଲେ। ସେତେବେଳର ରାଜା ବୀର ବିକ୍ରମାଦିତ୍ୟ ସ୍ୱପ୍ନାଦେଶ ପାଇ ତିଆରି କଲେ ଏକ ସୁନ୍ଦର ଶିବ ମନ୍ଦିର।

ଏହି ମନ୍ଦିରରେ ପୂଜା ପାଇଲେ ଶିବ ଲିଙ୍ଗାକୃତି ମୁଗୁନି ପଥର। ଏଥିରେ ଉଭୟ ହରପାର୍ବତୀଙ୍କ ମୁଖ ଖୋଦିତ। ମନ୍ଦିରର ନାଁ ଭଦ୍ରେଶ୍ଵର। ରାଜା ବୀର ବିକ୍ରମାଦିତ୍ୟ। ତାଙ୍କ ନାମର ପ୍ରଥମ ଶବ୍ଦ ବୀର ସହ ଭଦ୍ରା (ପାର୍ବତୀ), ଈଶ୍ୱର (ହର) ଯୋଡ଼ି ମନ୍ଦିରର ନାଁ ରଖିଲେ ବୀରଭଦ୍ରେଶ୍ୱର। ତାହା ଶିବଙ୍କର ଅର୍ଦ୍ଧନାରୀଶ୍ଵର ରୂପ। କିମ୍ବଦନ୍ତୀ କହେ ଏ ମନ୍ଦିର ଉପରେ କଳାପାହାଡ଼ ଆକ୍ରମଣ କରିଥିଲା। ବର୍ତ୍ତମାନର ମନ୍ଦିରଟି ପୁରୁଣା ମନ୍ଦିରର ନବକଳେବର ରୂପ।

ଓଳକଣା ପୀଠର ମାହାତ୍ମ୍ୟ

ଓଳକଣା ମେଳଣ ପଡ଼ିଆଟି ଓଁକାର ପୀଠ ନାମରେ ମଧ୍ୟ ଖ୍ୟାତ। ଏକଦା ଏହି ସ୍ଥାନ ତଥା ଆଖପାଖ ଅଞ୍ଚଳ ଘନ ଜଙ୍ଗଲମୟ ଥିଲା। ମୁନିଋଷିମାନେ ଏ ସ୍ଥାନକୁ ‘ସାଧନା ପୀଠ’ ଭାବେ ଗ୍ରହଣ କରିଥିଲେ। ମହାଭାରତ ଯୁଗର ବିଦୁର ଏଇ ଜାଗାରେ ଆଶ୍ରମ କଲେ, ଦୀର୍ଘଦିନ ଧ୍ୟାନମଗ୍ନ ରହିଲେ। ପୀଠର ପଶ୍ଚିମ ଦିଗରେ ଓଳାଶୁଣୀ ପାହାଡ଼ ଯେଉଁଠି ଅଛି ସନ୍ଥ ଅରକ୍ଷିତ ଦାସଙ୍କ ପବିତ୍ର ସମାଧି ପୀଠ। ସିଦ୍ଧଯୋଗୀ ଅରକ୍ଷିତ ଦାସ ମଧ୍ୟ ଓଳକଣା ପୀଠରେ ଯୋଗସାଧନା କରିଥିଲେ।

ଏଠାରୁ ଓଳାଶୁଣୀକୁ ଏକ ଗୁପ୍ତ ସୁଡ଼ଙ୍ଗ ଥିଲା। ଏବେ ବି ଲୋକଙ୍କର ଏଇ ବିଶ୍ଵାସ। ଠିକ୍ ସେହିପରି ପୀଠର ଉତ୍ତର ଦିଗରେ ଗାଙ୍ଗୀ ପାହାଡ଼। ପାହାଡ଼ ଉପରେ ଦୃଶ୍ୟମାନ ଗର୍ଭ ରହିଛି। ଏହା ସର୍ବଦା ଜଳପୂର୍ଣ୍ଣ। ଗର୍ଭଟିର ନାଁ ଅଶ୍ୱତ୍‌ଥାମା ବିଳ। ସେଠାରୁ ଓଳକଣା ଯାଏଁ ସୁଢ଼ଙ୍ଗଟିଏ ଥିଲା, ମୁନିଋଷିମାନେ ଏଇ ବାଟ ଦେଇ ଓଳକଣା ପୀଠରେ ଯୋଗସାଧନା କରୁଥିଲେ ବୋଲି ଲୋକମୁଖରେ ପ୍ରଚଳିତ।

ଓଳକଣା ଏକ ପବିତ୍ର ପୀଠ। ସବୁ ଦେବାଦେବୀ ଏଠାରେ ଏକାଠି ହୋଇଛନ୍ତି। ସେଇଥିପାଇଁ ମୁନିଋଷିଙ୍କ ପାଇଁ ଏହା ଥିଲା ମୁଖ୍ୟ ଆକର୍ଷଣ। ଏହିଠାରେ ରହିଛି ପଞ୍ଚୁପାଣ୍ଡବ ଛକ। ସେଠାରୁ ମାତ୍ର ଦୂରରେ ପଞ୍ଚୁପାଣ୍ଡବଙ୍କ ମନ୍ଦିର। କୁନ୍ତୀ, ଦ୍ରୌପଦୀଙ୍କ ପଥର ମୂର୍ତ୍ତି ବି ରହିଛି। କେବଳ ଦ୍ରୌପଦୀଙ୍କୁ ବାଦ୍ ଦେଲେ, ଅନ୍ୟମାନଙ୍କ ପାଇଁ ମନ୍ଦିର ଗଢ଼ା ଯାଇଛି। ପାଣ୍ଡବଙ୍କର ଅଜ୍ଞାତବାସ ସମୟ କଥା। ଏମାନେ ଡେରାଢିହଠାରେ କିଛି କାଳ ବିତାଇଥିଲେ ବା ଡେରା ପକାଇଥିଲେ। ତେଣୁ ଗାଁ ନାଁ ଡେରାଢିହ ମାତ୍ର ପଞ୍ଚୁପାଣ୍ଡବ ବୋଲି କୌଣସି ଗାଁ ନାହିଁ। ଏଇ ସ୍ଥାନକୁ ସମସ୍ତେ ପଞ୍ଚୁପାଣ୍ଡବ ଛକ କହି ଥାଆନ୍ତି। ସ୍ଥାନକୁ ନେଇ ଆଉ ଏକ କିମ୍ବଦନ୍ତୀ। ପାଣ୍ଡବମାନେ ଡେରାଢ଼ିହରେ ଅଜ୍ଞାତବାସ କରୁଥିଲେ। ପଡ଼ିଲା ଚୈତ୍ର ଅମାବାସ୍ୟା, ମହାବାରୁଣୀ ସ୍ନାନ ଯୋଗ, କୁନ୍ତୀ ଗଙ୍ଗାସ୍ନାନ ଇଚ୍ଛା ପ୍ରକଟ କଲେ।

ସେଠାରେ ଗୁପ୍ତଗଙ୍ଗା ପ୍ରବାହିତ– ଏ କଥାଟି ସ‌ହଦେବ କହିଲେ‌। ଅର୍ଜୁନ ମନଭେଦୀ ଶର ପ୍ରୟୋଗ କଲେ, ଗଙ୍ଗାଙ୍କର ଆବିର୍ଭାବ ହେଲା। ଏ ସ୍ଥାନଟି ‘ଗୁପ୍ତ ସୁବଳୟା’ ନାମରେ ମଧ୍ୟ ପରିଚିତ। ଅଞ୍ଚଳବାସୀ ବରକନ୍ୟାଙ୍କ ବାହା ମୁକୁଟ ଏଇଠାରେ ପକାନ୍ତି। ଏ ବିଧିଟି ଏବେ ବି ପ୍ରଚଳିତ। ଏକଦା ଲୁଣା ନଦୀରୁ ଶାଖାଟିଏ ବାହାରି ଗୋବରୀ ସହ ମିଶି ମିଶିଥିଲା। ଏବେ ସେ ନଦୀ ଆଉ ନାହିଁ, ତଥାପି ସଂଗମ ସ୍ଥଳଟି ‘ଗୁପ୍ତ ସୁବଳୟା’ ନାମେ ଖ୍ୟାତ। ପୁରାଣରେ ମଧ୍ୟ ସୁବଳୟା ଧାରାର ସୂଚନା ରହିଛି। ଓଁକାର ପୀଠକୁ କେବଳ ପାଣ୍ଡବ ନୁହନ୍ତି, ଗୁରୁ ଦ୍ରୋଣାଚାର୍ଯ୍ୟ, ଶ୍ରୀକୃଷ୍ଣ, ବଳରାମ, ଭକ୍ତ ବିଦୁର ମଧ୍ୟ ଆସିଛନ୍ତି।

ଏଠାରେ ଶ୍ରୀକୃଷ୍ଣଙ୍କ ପରମଭକ୍ତ ମହାତ୍ମା ବିଦୁରଙ୍କ ସ୍ମୃତିରେ ବିଦୁରଙ୍କ ଗାଦି ରହିଛି। ମନ୍ଦିରଟିଏ ମଧ୍ୟ ତୋଳା ଯାଇଛି। ବହୁ ପୁରାତନ କାଳରୁ ଚାଲି ଆସିଥିବା ଓଳକଣା ମେଳଣର ହରିହର ଭେଟ ପରମ୍ପରା ଆଗକୁ ମଧ୍ୟ ଚାଲିବ। ଓଁକାର ପୀଠ ଓଳକଣା ଓଡ଼ିଶା ପ୍ରସିଦ୍ଧ ଥିଲା ଅଛି ରହିଥିବ।

OTV is now on Whatsapp

Join and get latest news update delivered to you via whatsapp

Join Now