ପବିତ୍ର ଦେବଲୀଳା ଭୂମି ଭାବରେ ସୁପରିଚିତ ସମଗ୍ର ଭାରତବର୍ଷ। ଭିନ୍ନ ଭିନ୍ନ ଯୁଗରେ ଭିନ୍ନ ଭିନ୍ନ ରୂପରେ, ବିଶ୍ୱନିୟନ୍ତାଙ୍କର ଆବିର୍ଭାବ ଓ ଲୀଳା ପ୍ରକାଶର ସଂସ୍ପର୍ଶରେ ଆସିବା ଦ୍ବାରା, ବିଶାଳ ଭାରତର ବିଭିନ୍ନ ସ୍ଥାନ ପବିତ୍ର ତୀର୍ଥକ୍ଷେତ୍ରର ମର୍ଯ୍ୟାଦା ପ୍ରାପ୍ତ ହୋଇଅଛନ୍ତି। ଆଧ୍ୟାତ୍ମିକ ଜଗତର ସେହି ଅଗଣିତ ତୀର୍ଥ-ସ୍ଥାନ ମଧ୍ୟରେ ଯାଜପୁର ନିକଟସ୍ଥ ବୈତରଣୀ ତୀର୍ଥ, ଏକ ସୁପରିଚିତ ନାମ। ବୈତରଣୀ ତୀର୍ଥର ପରିଚୟ ଯେପରି ବ୍ୟାପକ ସେହିପରି ଏହାର ପ୍ରସିଦ୍ଧି ଅତ୍ୟନ୍ତ ପ୍ରାଚୀନ।
ବାରୁଣୀ ହେଉଛି ଏକ ପ୍ରସିଦ୍ଧ ଓ ପବିତ୍ର ସ୍ନାନଯୋଗ। ପ୍ରତିବର୍ଷ ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ, ବିଶିଷ୍ଟ ତୀର୍ଥକ୍ଷେତ୍ର ଯାଜପୁରର ଇତିହାସ ପ୍ରସିଦ୍ଧ ଦଶାଶ୍ୱମେଧ ଘାଟ ନିକଟରେ, ପବିତ୍ର ବୈତରଣୀ ନଦୀରେ ଏହି ସ୍ନାନଯୋଗ ପଡ଼ିଥାଏ। ଏବଂ ସେହି ପବିତ୍ର ମୁହୂର୍ତ୍ତରେ ବୈତରଣୀରେ ସ୍ନାନ କରି ପୁଣ୍ୟ ଅର୍ଜନ କରିବା ଉଦ୍ଦେଶ୍ୟରେ ଭାରତର ବିଭିନ୍ନ ଅଞ୍ଚଳରୁ ଧର୍ମପ୍ରାଣ ଲୋକ ଏଠାରେ ରୁଣ୍ଡ ହୁଅନ୍ତି।
ଯାଜପୁରକୁ କେମିତି ଆସିଲା ବୈତରଣୀ
ଦିନେ ବ୍ରହ୍ମାଙ୍କ ଅନୁରୋଧରେ ବୈତରଣୀ ନଦୀ ବିରଜା କ୍ଷେତ୍ରରେ ପ୍ରବାହିତ ହୋଇଥିଲା। କିନ୍ତୁ ମନରେ ପ୍ରଶ୍ନ ଉଠିଥାଏ, ହଠାତ୍ ବ୍ରହ୍ମା ଏପରି ଅନୁରୋଧ କରିଥିଲେ କାହିଁକି? ପଢ଼ନ୍ତୁ ଏହାକୁ ନେଇ ଏକ ପୌରାଣିକ କାହାଣୀ। ଥରେ ବ୍ରହ୍ମା ଓ ନୃସିଂହଙ୍କ ମଧ୍ୟରେ ନିଜର ବଡ଼ପଣ ପାଇଁ କଳି ସୃଷ୍ଟି ହେଲା। ଉଭୟ ଏହାର ବିଚାର ନିମନ୍ତେ ପ୍ରଭୁ ଶିବଙ୍କୁ ମଧ୍ୟସ୍ଥି ଭାବି, ନିଜର ସମସ୍ୟା ଜଣାଇଲେ।
ଶିବ କହିଲେ– ‘ମୋ ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ, ଯିଏ ଯାଇ ଆସି ପାରିବ ସିଏ ହିଁ ସବୁଠାରୁ ବଡ଼। ନୃସିଂହ, ଶିବଙ୍କ ମସ୍ତକ ପର୍ଯ୍ୟନ୍ତ ନଯାଇ ଅଧାରୁ ଫେରି ଆସି କହିଲେ- ‘ମହାଦେବ ! ଆପଣଙ୍କ ପାଦଠାରୁ ମସ୍ତକ ପର୍ଯ୍ୟନ୍ତ ଯିବାକୁ କେହି ସମର୍ଥ ନୁହନ୍ତି। ବ୍ରହ୍ମା, ନୃସିଂହଙ୍କଠାରୁ କିଛିବାଟ ଆଗକୁ ଯାଇ କେତକୀ ଫୁଲକୁ ଭେଟିଲେ। ସେ ଶିବଙ୍କ ମସ୍ତକ ପର୍ଯ୍ୟନ୍ତ ଯାଇଥିଲେ ବୋଲି କେତକୀ ଫୁଲକୁ ମିଥ୍ୟା ସାକ୍ଷୀ ଦେବାକୁ କହି ଫେରି ଆସିଲେ।
ବ୍ରହ୍ମାଙ୍କ କହିବା ଅନୁସାରେ କେତକୀ, ଶିବଙ୍କ ଆଗରେ ମିଛକଥା କହିବାରୁ, ଶିବ, ବ୍ରହ୍ମାଙ୍କୁ ମିଥ୍ୟାବାଦୀ ବୋଲି କହି କ୍ରୋଧରେ ବ୍ରହ୍ମାଙ୍କୁ ଅପୂଜା ରହିବାର ଅଭିଶାପ ଦେଲେ। ଅଭିଶାପରୁ ମୁକ୍ତି ପାଇବା ପାଇଁ ବ୍ରହ୍ମା, ଶିବଙ୍କ ନିକଟରେ ପ୍ରାର୍ଥନା କରିବାରୁ, ଶିବ ତାଙ୍କୁ ପବିତ୍ର ବୈତରଣୀ ନଦୀ କୂଳରେ ଯଜ୍ଞ କରି ଯଜ୍ଞପୁରୁଷ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବାକୁ କହିଲେ। ବ୍ରହ୍ମା, ବିରଜା କ୍ଷେତ୍ରକୁ ଯଜ୍ଞ ସ୍ଥାନ ରୂପେ ନିରୂପଣ କରି ବୈତରଣୀଙ୍କୁ ଏହି କ୍ଷେତ୍ରରେ ପ୍ରବାହିତ ହେବାକୁ ଅନୁରୋଧ କଲେ।
ବ୍ରହ୍ମାଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ବୈତରଣୀ ବ୍ରହ୍ମାଙ୍କ ପଛେ ପଛେ ଚାଲିଲେ। କିଛି ବାଟ ଗଲା ପରେ ବ୍ରହ୍ମାଙ୍କୁ ଆଉ ବୈତରଣୀ ନଦୀ ପ୍ରବାହିତ ହେବାର କୁଳୁକୁଳୁ ଶବ୍ଦ ଆଉ ଶୁଭିଲା ନାହିଁ। ତେଣୁ ସେ ପଛକୁ ଫେରି ଦେଖିଲା ବେଳକୁ ବୈତରଣୀ ନଦୀ ଅଦୃଶ୍ୟ ହେଇଯାଇଛନ୍ତି। ଏହାର କାରଣ ଜାଣିବା ପାଇଁ ବ୍ରହ୍ମା ଧ୍ୟାନରେ ବସିବାରୁ ଶୂନ୍ୟବାଣୀ ହେଲା ଯେ, ନିବିଡ଼ ଅରଣ୍ୟରେ ଥିବା ରମଣୀଙ୍କ ନଗ୍ନ ରୂପ ଦେଖି ସେ ଭୟରେ ଆତ୍ମଗୋପନ କରିଛନ୍ତି। ଯଦି ପ୍ରତି କୋଣରେ ଶିବଲିଙ୍ଗ ସ୍ଥାପନ କରାଯାଏ, ତେବେ ଶିବଙ୍କ ଦର୍ଶନରେ ପାପମୁକ୍ତ ହୋଇ, ସେ ଯଜ୍ଞ ସ୍ଥାନକୁ ଯାଇପାରିବ। ତେଣୁ ବ୍ରହ୍ମା ପ୍ରତିକୋଣରେ ଗୋଟିଏ ଗୋଟିଏ ଶିବଲିଙ୍ଗ ସ୍ଥାପନ କଲେ।
ବୈତରଣୀ ନଦୀ କୂଳେ କୂଳେ ଶିବ ଲିଙ୍ଗ ସ୍ଥାପନ
ଗୋନାସିକା ପର୍ବତରୁ ଏକ କୋଶ ଦୂରରେ ବ୍ରହ୍ମା ପ୍ରଥମ ଶିବଲିଙ୍ଗ ସ୍ଥାପନ କଲେ, ଯାହାର ନାମ ବ୍ରହ୍ମେଶ୍ୱର। ତା’ପରେ ପ୍ରତି କୋଣରେ କୁଶଳେଶ୍ୱର, ଅମ୍ବକେଶ୍ୱର, ଗତେଶ୍ୱର, ଲିଙ୍ଗେଶ୍ୱର, ଭୂତେଶ୍ୱର, ବିଲେଶ୍ୱର, ହରନ୍ତେଶ୍ୱର ପ୍ରଭୃତି ଶିବଲିଙ୍ଗ ସ୍ଥାପିତ ହେବାପରେ, ବୈତରଣୀ ବିରଜା କ୍ଷେତ୍ରକୁ ଆସିଲେ। ଏହି ଲିଙ୍ଗଗୁଡ଼ିକ ମଧ୍ୟରେ ଶେଷ ଲିଙ୍ଗ ହେଉଛି ସିଦ୍ଧେଶ୍ୱର। ଏହିଠାରୁ ବ୍ରହ୍ମା, ବୈତରଣୀକୁ ଉତ୍ତରବାହୀ କରି ଦେଇଥିବାରୁ ଆଉ ସେହିଠାରୁ ଶିବଲିଙ୍ଗ ଦେଖିବାକୁ ମିଳେ ନାହିଁ। ବିଶ୍ୱାସ ରହିଛି ଯେ, ଯଦି କେହି ବିରଜାକ୍ଷେତ୍ରର ବାରୁଣୀ ତୀର୍ଥରେ ସ୍ନାନ କରି ପିତୃପୁରୁଷଙ୍କୁ ପିଣ୍ଡଦାନ କରେ, ତେବେ ସେ ଦଶ ପ୍ରକାରର ପାତକରୁ ମୁକ୍ତିପାଏ।
ବାରୁଣୀ ସ୍ନାନ
ବୈତରଣୀ ତୀର୍ଥର ପରିଚୟ ଯେପରି ବ୍ୟାପକ ସେହପରି ତା’ର ପ୍ରସିଦ୍ଧି ଅତ୍ୟନ୍ତ ପ୍ରାଚୀନ। ଧର୍ମପ୍ରାଣ ହନ୍ଦୁଜାତି ନିକଟରେ ବୈତରଣୀ ନଦୀ ଅତୁଳନୀୟ ସମ୍ମାନର ଅଧିକାରିଣୀ। ପାପନାଶିନୀ ଗଙ୍ଗାଙ୍କ ପରି ବୈତରଣୀ ସର୍ବଜନ ପୂଜ୍ୟା। ବୈତରଣୀର ପବିତ୍ର ଜଳରେ ସ୍ନାନ କରିବା ନିମନ୍ତେ ଧର୍ମପ୍ରାଣ ହିନ୍ଦୁମାନଙ୍କ ଆଗ୍ରହ ଓ ତୀର୍ଥାଟନର ଅନ୍ତ ନାହିଁ।
ବାରୁଣୀ ଯୋଗରେ ସ୍ନାନ କରିସାରିବା ପରେ ଧର୍ମପ୍ରାଣ ବ୍ୟକ୍ତିମାନେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପିଣ୍ଡଦାନ କରିବା ସଙ୍ଗେ ସଙ୍ଗେ ଗୋଦାନ ମଧ୍ୟ କରିଥାନ୍ତି। ସ୍ନାନ ପରେ ନଦୀର ଉତ୍ତର ପାର୍ଶ୍ଵରେ ଅବସ୍ଥିତ ଶ୍ରୀ ଯଜ୍ଞବରାହ ମନ୍ଦିରରେ ଦେବଦର୍ଶନ କରି ଶ୍ରୀ ଆଖଣ୍ଡଲେଶ୍ଵର ମନ୍ଦିର ସପ୍ତମାତୃକା, ଗଣେଶ ମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀ ବିରଜା ମନ୍ଦିର ଏବଂ ନାଭିଗୟା ଆଦି ମନ୍ଦିରକୁ ଯାଇ ଦେବଦର୍ଶନ କରିଥାନ୍ତି। ବୈତରଣୀର ଉତ୍ତର ପାର୍ଶ୍ଵ ଅତ୍ୟନ୍ତ ପବିତ୍ର ହୋଇଥିବାରୁ ପ୍ରତିବର୍ଷ ବାରୁଣୀ ଉପଲକ୍ଷେ ଏକ ବିରାଟ ମେଳା ଦୀର୍ଘ ବାର ଦିନ ଧରି ଅନୁଷ୍ଠିତ ହୁଏ ଏବଂ ମେଳା ଦେଖିବା ପରେ ଧର୍ମପ୍ରାଣ ଲୋକମାନେ ସେହି ପବିତ୍ର ସ୍ଥାନରେ ସମୟ ବିତାନ୍ତି।
ତନ୍ତ୍ର ପୀଠ ଏଇ ତୀର୍ଥ
ଯାଜପୁର ବହୁକାଳ ଧରି ଏକ ବିଶିଷ୍ଟ ତନ୍ତ୍ରପୀଠ ଭାବରେ ସମଗ୍ର ଉତ୍କଳରେ ପରିଚିତ ଥିଲା। ଯେଉଁଠାରେ ବାରୁଣୀ ମେଳା ଅନୁଷ୍ଠିତ ହୁଏ, ତାହାର ଏକ ପାଖ ଶ୍ମଶାନ ଭାବରେ ବ୍ୟବହୃତ ହୋଇ ଆସୁଅଛି। ବୈତରଣୀ ତୀର୍ଥରେ ମୃତ୍ୟୁ ଘଟିଲେ ଓ କୂଳରେ ଶବ ସତ୍କାର କରାଗଲେ ତାହା ପୁଣ୍ୟପ୍ରଦ ବୋଲି ହିନ୍ଦୁମାନଙ୍କର ବଶ୍ଵାସ। ସେଥିପାଇଁ ସେଠାରେ ବହୁ ଶବ ସତ୍କାର କରଯାଇଥାଏ ଓ ଉତ୍ତର ଭାରତର ବୃହତ ଶ୍ମଶାନ ମଧ୍ୟରୁ ତାହା ଅନ୍ୟତମ ବୋଲି ପରିଗଣିତ ହୁଏ ଏବଂ ଭାରତର ବୁଦ୍ଧ ତାନ୍ତ୍ରିକ କାପାଳିକ ତାଙ୍କର ଯୋଗ ସାଧନ ନିମନ୍ତେ, ଏହି ବାରୁଣୀ ମେଳା ଅନୁଷ୍ଠିତ ହେଉଥିବା ଶ୍ମଶାନକୁ ଆସିଥାନ୍ତି। ତାହା ବୈତରଣୀର ଉତ୍ତର କୂଳରେ ଅବସ୍ଥିତ।
ସମଗ୍ର ଭାରତରେ ଯେତେ ସ୍ନାନଯୋଗ ପଡ଼େ ଓ ପାଳନ ହୁଏ, ସେଗୁଡ଼ିକ ମଧ୍ୟରେ ବୈତରଣୀ ତୀର୍ଥରେ ପଡ଼ୁଥିବା ବାର୍ଷିକ ବାରୁଣୀ ସ୍ନାନଯୋଗ ବିଶେଷ ସ୍ଥାନ ଅଧିକାର କରିଥାଏ।