ଆମ ସଂସ୍କୃତିରେ ପ୍ରଚଳିତ ପର୍ବପର୍ବାଣି ଓ ଓଷାବ୍ରତଗୁଡ଼ିକ ମଧ୍ୟରୁ ଶ୍ରାବଣ ପୂର୍ଣ୍ଣିମା ଖୁବ୍ ପରିଚିତ। ଏହି ପୂର୍ଣ୍ଣିମାକୁ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ବୋଲି ମଧ୍ୟ ଆମେ ଜାଣିଥାଉ। ଏହି ଦିନଟି ତିନୋଟି କାରଣ ଯୋଗୁଁ ସନାତନ ଧର୍ମରେ ପବିତ୍ର ବୋଲି କୁହାଯାଏ। ପ୍ରଥମତଃ, ଗହ୍ମା ପୂର୍ଣ୍ଣିମାରେ ପ୍ରତ୍ୟେକ ଭଉଣୀ ତା'ର ଭାଇକୁ ଶ୍ରଦ୍ଧାର ସହିତ ରାକ୍ଷୀ ପିନ୍ଧାଇଥାଏ। ଦ୍ଵିତୀୟତଃ, ଭଗବାନ ଶ୍ରୀବିଷ୍ଣୁଙ୍କ ଅଷ୍ଟମ ଅବତାର ଯାହାକି ଶ୍ରୀବଳରାମଙ୍କ ଜନ୍ମ ଦିବସ ରୂପେ ପରିଗଣିତ ହୋଇଥାଏ। ସେ ମାତା ରୋହିଣିଙ୍କ ଗର୍ଭରୁ ଜନ୍ମଲାଭ କରିଥିଲେ ଓ ତାଙ୍କୁ କୃଷିର ଦେବତା ରୂପେ ଗ୍ରହଣ କରାଯାଏ। ତୃତୀୟ କାରଣଟି ହେଉଛି ଶ୍ରାବଣ ମାସର ଶୁକ୍ଳପକ୍ଷ ଦଶମୀଠାରୁ ଭାଦ୍ରବ ମାସର କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ପବିତ୍ର ଝୁଲଣଯାତ୍ରା ଅନୁଷ୍ଠିତ ହୁଏ।
କେବଳ ଶ୍ରୀମନ୍ଦିର ବା ଶ୍ରୀକ୍ଷେତ୍ରରେ ନୁହେଁ, ସମଗ୍ର ଉତ୍କଳରେ ଏହା ପ୍ରଚଳିତ। ତେବେ ପାରମ୍ପରିକ ଓ ସାଂସ୍କୃତିକ ପର୍ବ ଗହ୍ମାପୂର୍ଣ୍ଣିମା ପର୍ବ ଓଡ଼ିଶାର ଗ୍ରାମୀଣ ଅଞ୍ଚଳରେ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୁଏ। ଏହା ମୁଖ୍ୟତଃ କୃଷି ଓ ପଶୁପାଳନ ସହ ଜଡ଼ିତ, ଯେଉଁଥିରେ ଗାଈ, ମଇଁଷି ଆଦି ପଶୁମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପୂଜା କରାଯାଏ। ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ଗ୍ରାମୀଣ ଜୀବନଶୈଳୀର ଏକ ଅନନ୍ୟ ପ୍ରତୀକ।
ଗୋ-ପୂଜା
Also Read
ଗହ୍ମା ପୂର୍ଣ୍ଣିମା ଓଡ଼ିଶାର କୃଷକ ସମାଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ଗାଈ ଓ ମଇଁଷିମାନେ କୃଷି କାର୍ଯ୍ୟରେ ଅମୂଲ୍ୟ ଅବଦାନ ଦିଅନ୍ତି। ତେଣୁ ଏହି ଦିନ ସେମାନଙ୍କୁ କୃତଜ୍ଞତା ଜଣାଇ ପୂଜା କରାଯାଏ। ଗାଈକୁ ‘ଗୋ ମାତା’ ଭାବେ ସମ୍ମାନ ଦିଆଯାଏ, କାରଣ ସେମାନେ କୃଷକଙ୍କ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ସନାତନ ଧର୍ମରେ ଏହି ଦିନ ଗୋପୂଜା ପ୍ରଚଳନ ଅଛି। ଏହି ଦିନ ପ୍ରତ୍ୟେକଙ୍କ ଘରେ ଗାଈ, ବଳଦ ପ୍ରଭୃତି ପୂଜା ଅର୍ଜନା ହେବାର ଦେଖାଯାଏ। ଏହି ଦିନ ଗୁହାଳ କାନ୍ଥରେ ଗାଈ ବଳଦ, ହଳ ଲଙ୍ଗଳ ଆଦିର ଚିତ୍ର ଅଙ୍କନ କରାଯାଏ। ଗାଈଗୋରୁମାନଙ୍କୁ ଫୁଲମାଳରେ ସଜାଇ ଦିଆଯାଇ ତାଙ୍କ ମୁଣ୍ଡରେ ସିନ୍ଦୂର ଚନ୍ଦନ ହଳଦୀ ଲଗାଇ ବିଭିନ୍ନ ସ୍ଵାଦିଷ୍ଟ ପିଠା, ଡାଲି, ଭାତ ଆଦି ଖାଦ୍ୟପଦାର୍ଥ ମାନ ଖାଇବାକୁ ଦିଆଯାଏ। ଏହା ବିଶେଷତଃ ଗୋପାଳ ପରିବାର ଗୁଡ଼ିକରେ ବିଧିମତ ଭାବେ ପାଳନ କରାଯାଏ।
ଗୋ-ପୂଜାର ମହତ୍ତ୍ଵ
ଓଡିଶାରେ ଏକ ପ୍ରବାଦ ଅଛି- “ଷଣ୍ଢ ହେଉଛି ମହାଦେବଙ୍କର ଏବଂ ଗାଈ ହେଉଛି ସହଦେବଙ୍କର, କିନ୍ତୁ ବଳଦ ବାପୁଡ଼ା କାହାର ନୁହେଁ।’ ଶିବଙ୍କର ପ୍ରିୟ ବାହନ ବୃଷଭ। ସହଦେବ ଗୋପାଳକ ଓ ରକ୍ଷକ। ମହାଭାରତ ଅନୁସାରେ, ପଞ୍ଚୁପାଣ୍ଡବଙ୍କର ଅଜ୍ଞାତ ବନବାସ ସମୟରେ ସେମାନେ ଗୁପ୍ତବେଶରେ ବିରାଟ ନଗରକୁ ଯାଇଥିଲେ। ସେଠାରେ ଯୁଧିଷ୍ଠିର ସଭାପଣ୍ଡା, ଭୀମ ସୂପକାର, ଅର୍ଜୁନ ନାରୀ ଭାବେ ତ୍ରୈଲୋକ୍ୟମୋହିନୀ ବୃହନ୍ନଳା, ନକୁଳ ଅଶ୍ଵପାଳକ ଓ ଶେଷରେ ସହଦେବ ତନ୍ତ୍ରୀପାଳ ନାମରେ ଗୋପାଳ ରୂପେ ରହିଛନ୍ତି। ସହଦେବ ଗୋପାଳ ପୁଣି ସମସ୍ତ ପ୍ରକାର ଗୋବ୍ୟାଧି ଚିକିତ୍ସକ। ଅସାଧ୍ୟ ଗୋରୁଙ୍କୁ ଅକ୍ଳେଶରେ ସାଧ୍ୟ କରିବାରେ ତାଙ୍କର ନିପୁଣତା ପ୍ରଦର୍ଶିତ। ଛଦ୍ମବେଶୀ ସହଦେବ ତନ୍ତ୍ରୀପାଳ ଗୋପାଳ ବେଶରେ ରାଜା ବିରାଟଙ୍କ ପାଖରେ ଅଜ୍ଞାତବାସ କରି ବିରାଟ ରାଜାଙ୍କୁ ‘ପୃଥୁନା’ ଗାଈ କବଳରୁ ରକ୍ଷା କରିଛନ୍ତି। ସହଦେବଙ୍କ ସ୍ତୁତିରେ ଶେଷରେ ପୃଥୁନା ସନ୍ତୁଷ୍ଟ ହୋଇ ତା’ର ଚାରି ‘ଚିର’ରୁ ଗୋଟିଏ ଦେବାକୁ ଇଚ୍ଛା ପ୍ରକାଶ କରିଛି। ଅନ୍ୟ ତିନିଚିର ଅନ୍ୟମାନଙ୍କୁ ସମର୍ପଣ କରିବାକୁ ଆଦେଶ ଦେଇଛନ୍ତି। ଏଣୁ ଆର୍ଯ୍ୟ ସଂସ୍କୃତିରେ ଆମର କାବ୍ୟ ପୁରଣରେ ଗୋ-ମହିଷାଦି ପ୍ରାଣୀମାନଙ୍କର ଏକ ଦୃଢ଼ ଆସନ ସଂରକ୍ଷିତ ହୋଇ ରହିଛି। ସେହିମାନଙ୍କ ସମ୍ମାନାର୍ଥେ ଏ ଗହ୍ମାପର୍ବ ପାଳନ।
ବଳଭଦ୍ର ଜନ୍ମ
ପୁରାଣରେ ବଳଭଦ୍ରଙ୍କୁ ଶେଷନାଗର ଅବତାର ଭାବେ ଗ୍ରହଣ କରାଯାଏ, ଯିଏ ଭଗବାନ ବିଷ୍ଣୁଙ୍କର ସେବକ ଅଟନ୍ତି। ଶ୍ରୀକୃଷ୍ଣଙ୍କ ସହିତ ସେ ଧର୍ମ ସ୍ଥାପନ ଓ ଅଧର୍ମର ବିନାଶ ପାଇଁ ଅବତାର ଗ୍ରହଣ କରିଥିଲେ। ବଳଭଦ୍ର ଶକ୍ତି, ସାହସ ଓ କୃଷିର ପ୍ରତୀକ ଅଟନ୍ତି। ତାଙ୍କର ପ୍ରଧାନ ଅସ୍ତ୍ର ଥିଲା ହଳ ଓ ମୁଗୁର, ସେଥିପାଇଁ ତାଙ୍କୁ “ହଳଧର” ନାମରେ ସମ୍ବୋଧନ କରାଯାଏ। ଏହି ହଳ କୃଷି ଓ ଉର୍ବରତାର ପ୍ରତୀକ ଭାବେ ବିବେଚିତ ହୁଏ। ରାମକୃଷ୍ଣ ଉଭୟେ ଗୋରକ୍ଷଣର ବାର୍ତ୍ତା ପ୍ରଚାର କରିଛନ୍ତି। ବଲଭଦ୍ର ବଡ଼ଠାକୁର ପୁରୁଷୋତ୍ତମ କ୍ଷେତ୍ରର ଇଷ୍ଟ। ତାଙ୍କର ଜନ୍ମତିଥି ପରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ। ଯେଉଁ ବଳଦେବ ପ୍ରତ୍ୟେକ୍ଷରେ ଅନନ୍ତନାଗ ତାଙ୍କର ଜନ୍ମଦିବସ ହେଉଚି ଏହି ଶ୍ରାବଣ ପୂର୍ଣ୍ଣିମା। ତାଙ୍କୁ ଉତ୍କଳୀୟମାନେ କୃଷିର ଦେବତା ଭାବେ ଗ୍ରହଣ କରିଥାନ୍ତି ଏବଂ ତାଙ୍କର ଆୟୁଧ ମଧ୍ୟ ଲଙ୍ଗଳ ଓ ମୂଷଳ ରୂପେ ଦୁଇ ହସ୍ତରେ ଶୋଭା ପାଇଥାଏ। କୁହାଯାଏ ଗୋଜାତିର ବାଧକ ଥିଲା ଗହ୍ମା ନାମକ ଏକ କୁଗ୍ରହ। ଭଗବାନ ବଳଭଦ୍ର ତାକୁ ସଂହାର କରିଥିଲେ ଓ ତା’ର ପିଣ୍ଡ ଉପରେ ବିଜୟ ଘୋଷଣା କରିଥିଲେ। ଏହି ମତକୁ ନେଇ ଓଡ଼ିଶାରେ ଗହ୍ମାବେଦି ତିଆରି ହୁଏ। ଏହି ବେଦିକୁ ଓ ଗାଈ ବଳଦ ମଇଁଷି ଆଦିଙ୍କୁ ହିନ୍ଦୁ ଘରେଘରେ କୃଷିକାରକ ଦେବତା ହଳଲଙ୍ଗଳ ବଳଭଦ୍ରଙ୍କ ପ୍ରତିନିଧି ରୂପେ ପୂଜା କରାଯାଏ।
ରକ୍ଷାବନ୍ଧନ
ଶ୍ରାବଣ ପୂର୍ଣ୍ଣିମା ଆମ ଜନସମାଜରେ ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷାବନ୍ଧନର ପବିତ୍ରମୟ ଦିବସ ଭାବେ ଅଧିକ ପରିଚିତ। ଆମ ସଂସ୍କୃତି ସମୃଦ୍ଧ ସମାଜ ସହିତ ରାକ୍ଷୀ ବନ୍ଧନ ପର୍ବ ଅଙ୍ଗାଙ୍ଗୀଭାବେ ଜଡ଼ିତ। ସାଧାରଣତଃ ରକ୍ଷାବନ୍ଧନ କହିଲେ ଭଉଣୀ ନିଜର ସୁରକ୍ଷା ତଥା ସୁଖଦୁଃଖ କାମନା କରି ଆଗାମୀ ସମୟ ପାଇଁ ରକ୍ଷାସୂତ୍ର ବାନ୍ଧିଥାଏ। ପ୍ରକୃତରେ ଏହି ରକ୍ଷାବନ୍ଧନ ଆଜୀବନ ପର୍ଯ୍ୟନ୍ତ ଭାଇ ଓ ଭଉଣୀ ମଧ୍ୟରେ ରକ୍ଷାକବଚ ସଦୃଶ ନବଚେତନା, ନବପ୍ରେରଣା ଓ ନବଜୀବନ ସୃଷ୍ଟି କରିଥାଏ। ଭାଇ ଓ ଭଉଣୀ ମଧ୍ୟରେ ରକ୍ଷାବନ୍ଧନ ସୁଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଥାଏ, କହିଲେ ଅସଙ୍ଗତ ହେବ ନାହିଁ। ରାକ୍ଷୀ ପୂର୍ଣ୍ଣିମା ଆମ ସାଂସ୍କୃତିକ ପରମ୍ପରା ଓ ଐତିହ୍ୟକୁ ଗୌରବାମଣ୍ଡିତ କରିପାରିଛି।
ଝୁଲଣ ଯାତ୍ରା
ଏହି ସମୟରେ ଓଡ଼ିଶାର ବୈଷ୍ଣବ ପୀଠମାନଙ୍କରେ ଝୁଲଣଯାତ୍ରା ଆରମ୍ଭ ହୋଇଥାଏ। ପ୍ରାୟତଃ ଶ୍ରୀଚୈତନ୍ୟ ମହାପ୍ରଭୁ ଓଡ଼ିଶାକୁ ଆଗମନ କରିବା ଫଳରେ ଶ୍ରୀମନ୍ଦିରରେ କୃଷ୍ଣଲୀଳା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ ଭାବରେ ପାଳିତ ହେବାକୁ ଲାଗିଲା ଏବଂ ଶ୍ରୀମନ୍ଦିରରେ ମହାସମାରୋହରେ ପାଳିତ ହେଲା ମହାପ୍ରଭୁଙ୍କ ଝୁଲଣଯାତ୍ରା ଓ ଝୁଲଣ ଲାଗି ବେଶ।
ଶ୍ରୀମନ୍ଦିରରେ ପ୍ରଥମେ ଏହି ଝୁଲଣ କୁଞ୍ଜ ଦେବସଭା ମଣ୍ଡପ ଉପରେ ଅନୁଷ୍ଠିତ ହେଉଥିଲା। ଶ୍ରାବଣ ମାସରେ ଅଧିକ ବୃଷ୍ଟିପାତ ହେଉଥିବାରୁ ଏହା ସ୍ଥାନାନ୍ତରିତ ହୋଇ ବର୍ତ୍ତମାନ ମୁକ୍ତିମଣ୍ଡପରେ ଝୁଲଣ କୁଞ୍ଜରେ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କର ଝୁଲଣ ଯାତ୍ରା ଅନୁଷ୍ଠିତ ହେଉଛି। ଯେଉଁ ୧୫ ଦିନ ଝୁଲଣ ଯାତ୍ରା ଅନୁଷ୍ଠିତ ହୁଏ ସେହି ସମୟରେ ଶ୍ରୀଜୀଉମାନେ ପ୍ରତିଦିନ ବିଭିନ୍ନ ରଙ୍ଗ ବସ୍ତ୍ର ପରିଧାନ କରିଥାନ୍ତି। ଶ୍ରୀମନ୍ଦିର ବ୍ୟତୀତ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ତଥା ଓଡ଼ିଶାର ପୁରପଲ୍ଲୀ ଅଞ୍ଚଳରେ ଝୁଲଣ କୁଞ୍ଜରେ ରାଧାକୃଷ୍ଣଙ୍କ ଯୁଗଳବିଗ୍ରହଙ୍କର ଝୁଲଣଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ କୁଞ୍ଜଦୋଳି କୁହାଯାଏ ଏବଂ ଭକ୍ତମାନେ ଭଗବାନ ଶ୍ରୀକୃଷ୍ଣ ଓ ପ୍ରେମମୟୀ ଶ୍ରୀରାଧାଙ୍କୁ ଝୁଲାଇବା ବେଳେ କୁଞ୍ଜ ଦୋଳି ଗୀତ ଗାନ କରିଥାନ୍ତି।
ଗହ୍ମାଡ଼ିଆଁ
ପୂର୍ବକାଳରେ ଗ୍ରାମାଞ୍ଚଳମାନଙ୍କରେ ଏହି ଗହ୍ମା ପୂର୍ଣ୍ଣିମାରେ ଗହ୍ମାଡିଆଁ ପ୍ରତିଯୋଗିତା ଅନୁଷ୍ଠିତ ହୁଏ। ଗହ୍ମାଡ଼ିଆଁ ଓଡ଼ିଶାର ଏକ ପୁରାତନ ଲୋକପ୍ରିୟ ଖେଳ। ଏହା ଉଚ୍ଚ ଡିଆଁ ପ୍ରତିଯୋଗିତା ଧରଣର। ଗହ୍ମା ପୂର୍ଣ୍ଣିମା ଅବସରରେ ଏହି ଖେଳ ଖେଳାଯାଏ। ଏହା ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଅଧିକ ଜଣାଶୁଣା। ସାଧାରଣରତଃ ଏହା ଯୁବକମାନଙ୍କଦ୍ୱାରା ଖେଳାଯାଇଥାଏ ଓ ଏହି ଖେଳ ଦେଖିବାକୁ ସାହି ମାନଙ୍କରେ ବିଶେଷ ଭିଡ଼ ଜମେ। ଏକ ଉଚ୍ଚ ପିଣ୍ଡି ଗଢ଼ାଯାଇଥାଏ ଯାହାକୁ "ଗହ୍ମାବେଦୀ" କୁହାଯାଏ। ବୋଧହୁଏ ଏହି କାରଣରୁ ରାକ୍ଷୀ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା କୁହାଯାଇଥାଏ।
ଗହ୍ମା ପୂର୍ଣ୍ଣିମା କେବଳ ଏକ ଧାର୍ମିକ ପର୍ବ ନୁହେଁ ବରଂ ଏହା ସାମାଜିକ ଏକତାର ପ୍ରତୀକ। ସମାଜରେ ପରସ୍ପର ମଧ୍ୟରେ ସ୍ନେହ ଓ ସହଯୋଗ ତଥା ମଣିଷ ଓ ପଶୁ ମଧ୍ୟରେ ଥିବା ଅନ୍ତରଙ୍ଗ ସମ୍ପର୍କକୁ ଏହା ପ୍ରତିଫଳିତ କରେ। ଆଧୁନିକ ଯୁଗରେ, ଯେତେବେଳେ କୃଷି ଓ ପଶୁପାଳନର ମହତ୍ତ୍ୱ କମୁଛି, ଏହି ପର୍ବ ଆମକୁ ଆମର ପରମ୍ପରା ଓ ମୂଲ୍ୟବୋଧ ସହ ଜଡ଼ିତ ରହିବାକୁ ନିଶ୍ଚୟ ପ୍ରେରଣା ଯୋଗାଇବ। ତେଣୁ ଆମେ ଏହି ପର୍ବକୁ ଉତ୍ସାହର ସହିତ ପାଳନ କରି ଆମର ଐତିହ୍ୟକୁ ସଂରକ୍ଷଣ କରିବା ଉଚିତ।