/odishatv-khabar/media/post_attachments/uploadimage/library/16_9/16_9_0/IMAGE_1758037848.jpg)
Weapons Crafted by Lord Viswakarma
ଜଗନ୍ନାଥ ଦେଶ ଭାବେ ଓଡ଼ିଶା ଚାରିଆଡ଼େ ବିଖ୍ୟାତ। ଏହି ଜଗନ୍ନାଥ ଦେଶରେ ବାର ମାସରେ ତେର ଓଷା ପାଳିତ ହୁଏ। ଓଡ଼ିଆର ଧର୍ମ ତା’ର ରକ୍ତ ମଜ୍ଜାଗତ। ଏହି ପର୍ବ ଯେ କେବଳ ଧର୍ମ ଦୃଷ୍ଟିକୋଣରୁ ପାଳନ ହୁଏ ତାହା ନୁହେଁ, ପ୍ରତ୍ୟେକ ପର୍ବ, ଓଷାବ୍ରତ ତା’ର ନୀତି ନିୟମ ଏହି ମଣିଷ ସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ।
ଏହି ବାରମାସରେ ତେର ଓଷା ମଧ୍ୟରେ ବିଶ୍ଵକର୍ମା ପୂଜା ଅନ୍ୟତମ। ବିଶ୍ଵକର୍ମା ଅନ୍ୟ ଅର୍ଥରେ ବିଶ୍ଵର ସୃଷ୍ଟି କର୍ତ୍ତା। ଅନେକ ନିର୍ମାଣ ସ୍ରଷ୍ଟା ବିଶ୍ଵକର୍ମାଙ୍କ ପ୍ରତି କୃତଜ୍ଞତା ପ୍ରଦର୍ଶନ ଦିନ ହେଉଛି ଭାଦ୍ରବ ମାସ, କନ୍ୟା ସଂକ୍ରାନ୍ତିରେ ପାଳିତ ହେଉଥିବା ବିଶ୍ଵକର୍ମା ପୂଜା।
ବିଶ୍ଵକର୍ମାଙ୍କ ଜନ୍ମ
ପୁରାଣମାନଙ୍କରୁ ଜଣାଯାଏ ଯେ, ଅନନ୍ତଶାୟୀ ନାରାୟଣଙ୍କ ନାଭି କମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା। ତେଣୁ କେତେକ ବିଶ୍ୱକର୍ମାଙ୍କୁ ବ୍ରହ୍ମ ରୂପେ କଳ୍ପନା କରି ପୂଜା କରନ୍ତି। ବଙ୍ଗ, ବିହାର, ମେଦିନପୁରର କିଛି ସ୍ଥାନରେ ନାରାୟଣଙ୍କୁ ପୂଜା କରନ୍ତି ବିଶ୍ଵକର୍ମା ପୂଜା ଅବସରରେ। କାରଣ ସେମାନଙ୍କର ଧାରଣା ଯେ, ବିଶ୍ଵକର୍ମା ହିଁ ସ୍ଵୟଂ ବିଷ୍ଣୁ। ଚନ୍ଦନ କିମ୍ବା ମୁରୁଜରେ ଅଷ୍ଟଦଳ ପଦ୍ମ ଲେଖି ତାହା ମଧ୍ୟରେ ତୁଳସୀ ଓ ତୁଳସୀ ଜଳ ଦ୍ଵାରା ବେଷ୍ଟିତ ବିଷ୍ଣୁ ଶିଳାକୁ, ବିଷ୍ଣୁ ରୂପରେ ଧ୍ୟାନ କରି ପୂଜା କରିବା ହେଉଛି ଏ ଅଞ୍ଚଳର ବିଧାନ।
ବିଶ୍ଵକର୍ମାଙ୍କ ହାତଗଢ଼ା ଶ୍ରୀଜଗନ୍ନାଥ
ବାସ୍ତବ ପକ୍ଷରେ ବିଶ୍ଵକର୍ମାଙ୍କ ରୂପ କଳ୍ପନା ଏକ ଦୁରୂହ ବ୍ୟାପାର। ତଥାପି ବଭନ୍ନ ସ୍ଥାନରେ ବିଭିନ୍ନ ରୂପରେ ବିଶ୍ଵକର୍ମା ପୂଜିତ। ଓଡଶାରେ କଳକାରମାନେ ବିଶ୍ଵକର୍ମାଙ୍କୁ ଏକ ସ୍ଵତନ୍ତ୍ର ରୂପ ଦେଇଛନ୍ତି। କିମ୍ବଦନ୍ତୀ କହେ ସ୍ଵୟଂ ଜଗନ୍ନାଥଙ୍କୁ ବିଶ୍ଵକର୍ମା ନଜେ ନିର୍ମାଣ କରିଥିଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ବାଙ୍କି ମୁହାଣରୁ ସଂଗ୍ରହ କରିଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିବାକୁ ବିଭିନ୍ନ ସ୍ଥାନରୁ ନାମୀଦାମୀ ଶିଳ୍ପୀମାନଙ୍କୁ ଅଣାଇ କାମରେ ଲଗାଇଥିଲେ, କିନ୍ତୁ ସେମାନେ ବିଗ୍ରହ ଗଢ଼ିବାରେ ବିଫଳ ହୋଇଥିଲେ।
ଦିନକୁ ଦିନ ରାଜା ରାଣୀଙ୍କ ମନରେ ଦୁଃଖରେ ଭାଙ୍ଗି ପଡ଼ିଲା। ସେମାନେ ଫେରିବାର କିଛିଦିନ ପରେ ଦିନେ ଜଣେ ବୁଢ଼ା ବଢ଼େଇ ଆସି ମୂର୍ତ୍ତି ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କଲେ। ସେ ସର୍ତ୍ତ ରଖିଲେ, ଏକୋଇଶ ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ଫିଟିବ ନାହିଁ, ସେ ଉପବାସ ରହି ମୂର୍ତ୍ତି ତିଆରି କରିବେ। ଏଥିରେ ରାଜା ରାଜି ହୋଇ ମନ୍ଦିର ଦୁଆର ବନ୍ଦକଲେ। ତେବେ କିଛିଦିନ ପରେ ଭିତରୁ ଠକ୍ ଠକ୍ ଶବ୍ଦ ଆସିବା ବନ୍ଦ ହୋଇଯିବାରୁ ରାଣୀ ଗୁଣ୍ଡିଚା ଧୈର୍ଯ୍ୟଧରି ରହିପାରିଲେ ନାହିଁ।
ବୁଢ଼ା ବଢ଼େଇ ଉପବାସରେ ମୃତ୍ୟୁବରଣ କରିଛି ବୋଲି ରାଣୀ ଭାବିଲେ ଓ ରାଜାଙ୍କୁ ଦ୍ୱାର ଖୋଲିବାକୁ ଅନୁରୋଧ କରିଲେ। ଦ୍ୱାର ଖୋଲିଲା ପରେ ଦେଖାଗଲା ଯେ ବୁଢ଼ା ବଢ଼େଇ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ମୂର୍ତ୍ତି ରହିଛି ଅଧାଗଢ଼ା ଅବସ୍ଥାରେ। ଏଥିରେ ରାଜା ରାଣୀ ଘୋର ଚିନ୍ତାରେ ପଡ଼ିବାରୁ ଶୂନ୍ୟବାଣୀ ହେଲା ଯେ, ‘ମୋର ଯେଉଁ ରୂପରେ ଆବିର୍ଭାବ ହେବାର ଇଚ୍ଛା ମୁଁ ସେହି ରୂପରେ ହିଁ ତିଆରି ହୋଇଛି, ତେଣୁ ଏଥିରେ ଦୁଃଖ କରିବାର କିଛି ନାହିଁ।‘ ଭକ୍ତର ଭଗବାନ, ସ୍ଵୟଂ ବଢ଼େଇ ରୂପରେ ଭକ୍ତର ମନବାଞ୍ଛା ପୂରଣ କରିବା ପାଇଁ ଆସି ନିଜର ମୂର୍ତ୍ତି କୁ ନଜେ ଗଢ଼ିଥିଲେ ବୋଲି ଓଡ଼ିଶାରେ କୁହାଯାଏ ଏହି ବୁଢ଼ା ବଢ଼େଇ ଥିଲେ ସ୍ଵୟଂ ଦେବଶିଳ୍ପୀ ବିଶ୍ଵକର୍ମା।
ଲକ୍ଷ୍ମୀ ପୁରାଣରେ ବିଶ୍ଵକର୍ମା
ଲକ୍ଷ୍ମୀ ପୁରଣରୁ ମଧ୍ୟ ଜଣାଯାଏ ଯେ ବିଶ୍ଵକର୍ମାଙ୍କ ପୁର ହେଉଛି ବୈକୁଣ୍ଠପୁର। ଶ୍ରୀୟା ଚଣ୍ଡାଳୁଣୀର ଘରକୁ ଜଗତ ଜନନୀ ମା’ ଲକ୍ଷ୍ମୀ ଠାକୁରାଣୀ ଯାଇଥିଲେ ବୋଲି ବଳଭଦ୍ରଙ୍କ ଆଦେଶରେ ଯେତେବେଳେ ଜଗନ୍ନାଥ ତାଙ୍କୁ ମନ୍ଦିରରୁ ବାହାର କରିଦେଲେ ସେତେବେଳେ ମାଆ ଲକ୍ଷ୍ମୀ ବାପ ଘରକୁ ନଯାଇ ବିଶ୍ୱକର୍ମାଙ୍କୁ ସ୍ମରଣ କରି ଅନୁରୋଧ କରିଥିଲେ ଗୋଟିଏ ମନ୍ଦିର ନିର୍ମାଣ ପାଇଁ। ଏହି ବିଶ୍ଵକର୍ମା ବୈକୁଣ୍ଠରୁ ଆସି ମା’ଙ୍କ ପାଇଁ ବୈକୁଣ୍ଠ ସମାନ ମନ୍ଦିର ନିର୍ମାଣ କଲେ।
ଏତେ ବୋଲି ଲକ୍ଷ୍ମୀଦେବୀ ମନେ ଚିନ୍ତା କଲେ
ବିଶ୍ଵକର୍ମାଙ୍କୁ ଯେ ମାଏ ମନେ ସୁମରିଲେ।
ବୈକୁଣ୍ଠ ପୁରରେ ବିଶ୍ବକର୍ମା ରହିଥିଲେ
ସ୍ମରଣ ମାତ୍ରକେ ଲକ୍ଷ୍ମୀ ଛାମୁରେ ମିଳିଲେ।
କିସ ଆଜ୍ଞା ହେଉ ମୋତେ ଲକ୍ଷ୍ମୀ ମହାଦେଈ
ଶୁଣି ଆଜ୍ଞା ଦେଲେ ବିଶ୍ଵକର୍ମାଙ୍କୁ ଯେ ବହି।
×××××××
ଆଜ୍ଞା ମାତ୍ରେ ବିଶ୍ୱକର୍ମା ବେଗେ ଚଳିଗଲେ
ତିନିକୋଶ ପ୍ରମାଣେ ଉଆସ ତୋଳାଇଲେ ।
(ଲକ୍ଷ୍ମୀ ପୁରଣ)
ବିଶ୍ଵକର୍ମାଙ୍କ ଦ୍ଵାରା ବଜ୍ର ତିଆରି
ପୁରାଣ କାହାଣୀ ଅନୁସାରେ ଦେବଶିଳ୍ପୀ ବିଶ୍ଵକର୍ମା ବହୁ ଦେବତାଙ୍କ ପାଇଁ ଅସ୍ତ୍ରଶସ୍ତ୍ର ତିଆରି କରିଛନ୍ତି। ତା ମଧ୍ୟରେ ଇନ୍ଦ୍ରଙ୍କ ପାଇଁ ବଜ୍ର ତିଆରି ଏକ ଉଲ୍ଲେଖନୀୟ ବିଷୟ। ଥରେ ବୃତ୍ରାସୁର ନାଁରେ ଗୋଟିଏ ଅସୁର ସ୍ଵର୍ଗ, ମର୍ତ୍ତ୍ୟ, ପାତାଳରେ ଉତ୍ପାତ କଲା। ବୃତ୍ରାସୁର ବର ପାଇଥିଲା ଯେ, କୌଣସି ଅସ୍ତ୍ରଶସ୍ତ୍ରରେ ସେ ମରିବ ନାହିଁ। ସେତେବେଳେ ଦଧୀଚି ନିଜକୁ ଦାନ କରି ତାଙ୍କ ଅସ୍ଥିରେ ବଜ୍ର ତିଆରି କରିବା ଲାଗି ଇନ୍ଦ୍ରଙ୍କୁ ଅନୁମତି ଦେଲେ। ସେ ସମାଧିରେ ବସିଥିବା ବେଳେ ତାଙ୍କ ଦେହ କେତେବେଳେ ଚାଲିଗଲା, ସେ ଜାଣିପାରିଲେ ନାହିଁ। ଦଧୀଚି ମୁନିଙ୍କର ଅସ୍ଥିରୁ ବିଶ୍ଵକର୍ମା ବଜ୍ର ନିର୍ମାଣ କଲେ। ଦଧୀଚିଙ୍କ ଅସ୍ଥିରୁ ତିଆରି ସେହି ବଜ୍ର ଧାରଣ କରି ଇନ୍ଦ୍ର ବୃତ୍ରାସୁରକୁ ବଧ କରି ପାରିଥିଲେ।
ବିଶ୍ଵକର୍ମାଙ୍କ ଦ୍ଵାରା ସ୍ୱର୍ଣ୍ଣଲଙ୍କା ଟିଆରି
ଅନ୍ୟଏକ ପୌରାଣିକ କଥାବସ୍ତୁ ଅନୁସାରେ, ଭଗବାନ ଶିବଙ୍କ ଅନୁରୋଧ କ୍ରମେ ଦେବଶିଳ୍ପୀ ବିଶ୍ୱକର୍ମା ଲଙ୍କାରେ ମହାଦେବ ଓ ମାଆ ପାର୍ବତୀଙ୍କ ରହିବା ପାଇଁ ସ୍ୱର୍ଣ୍ଣପୁର ନିର୍ମାଣ କରିଥିଲେ। ଅତ୍ୟନ୍ତ ଜ୍ଞାନୀ ଓ ପରାକ୍ରମୀ ପଣ୍ଡିତ ରାବଣଙ୍କ ଦ୍ୱାରା ସ୍ଵର୍ଣ୍ଣପୁରରେ ଯଜ୍ଞ କରିବାକୁ ଭଗବାନ ଶିବ ସ୍ଥିରକଲେ। ଶେଷରେ ତାହା ହିଁ ହେଲା, ରାବଣଙ୍କ ଦ୍ଵାରା ଗୃହପ୍ରବେଶ ଯଜ୍ଞ ହେଲା। ଯଜ୍ଞ ଶେଷରେ ଯେତେବେଳେ ଦକ୍ଷିଣା ସ୍ୱରୂପ କ’ଣ ନେବେ ବୋଲି ମହାଦେବ ପଚାରିଲେ, ସେହି ସମୟରେ ରାବଣ ସୁବର୍ଣ୍ଣ ଲଙ୍କାପୁରକୁ ହିଁ ଦକ୍ଷିଣା ରୂପେ ମାଗିଥିଲେ। ଏଥିରେ ମହାଦେବ ତଥାସ୍ତୁ ବୋଲି କହିଥିଲେ। ଏହିପରି ଭାବରେ ସ୍ୱର୍ଣ୍ଣଲଙ୍କା ରାବଣର ହୋଇଯାଇଥିଲା।
ଓଡ଼ିଶାରେ ବିଶ୍ଵକର୍ମା ପୂଜା
ଦେଶର ଅଗ୍ରଗତି ସଙ୍ଗେ ସଙ୍ଗେ ଶିଳ୍ପର ବହୁଳ ବିକାଶ ଫଳରେ ଏହି ପୂଜା ଆଧୁନିକ ଯୁଗରେ ବହୁତ ପ୍ରସାରିତ ହୋଇଛି ଓ ଧୀରେ ଧୀରେ ନାନା ଆଡ଼ମ୍ବର ପୂର୍ଣ୍ଣ ହେବାରେ ଲଗିଛି। ଏବେ ମୂର୍ତ୍ତି ପୂଜା କଳକାରଖାନା ଶିଳ୍ପାୟନଗୁଡ଼କରେ ଦେଖାଗଲଣି। ଏହି ମୂର୍ତ୍ତି ପୁଣି କେତେକ ଜାଗାରେ ମେଢ଼ ଆକାରରେ ପୂଜା କରଗଲାଣି, ଠିକ୍ କାଳୀପୂଜା ଏବଂ ଦୁର୍ଗା ପୂଜା ପରି।
ଏବେ ବିଶ୍ୱକର୍ମା ମୂର୍ତ୍ତିଙ୍କର ରୂପ ସମ୍ପର୍କରେ କେଉଁଠାରେ ପ୍ରାୟ ନିର୍ଦ୍ଦିଷ୍ଟ ଭାବରେ ବର୍ଣ୍ଣନା ହେଉଥିବାର ଜଣାଯାଏ ନାହଁ। ତଥାପି ଯେଉଁ ମୂର୍ତ୍ତି ପୂଜା ପାଉଛନ୍ତି ସେ ହେଉଛନ୍ତି ଚତୁର୍ଭୁଜ। ବାମ ଉପର ହାତରେ ବଟାଳୀ ଓ ବାମ ତଳ ହାତରେ କେଉଁ କେଉଁ ସ୍ଥାନରେ ନିକିତି ଧରିଥାନ୍ତି। ଡାହାଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦେଖାଯାଏ। ବିଶ୍ୱକର୍ମାଙ୍କ ବର୍ଣ୍ଣ ଗୌରବର୍ଣ୍ଣ। ବାହନ କେତେକ ସ୍ଥଳରେ ହାତୀ ପୁଣି କେତେକ ସ୍ଥାନରେ ହଂସ ! ଦୁଇ ଚକ୍ଷୁ, ପରିଧାନ ସାଧାରଣ ଲୁଗା, ଚଦର ଓ ବକ୍ଷରେ ପଇତା ଓ ମାଳା। ମନ୍ତ୍ରପାଠ ପରେ ତିନିଥର ଆଚମନ କରି ପ୍ରାଣାୟାମ କରି ଆସନ ଶୁଦ୍ଧି ପାଇଁ ତ୍ରିକୋଣ ମଣ୍ଡଳ କାଟି ଗନ୍ଧ, ଅକ୍ଷତ ଓ ପୁଷ୍ପ ଇତ୍ୟାଦି ଦେଇ ପୂଜା କରନ୍ତି। ପ୍ରତ୍ୟେକ ପୂଜା ପରି ଏହି ପୂଜାରେ ମଧ୍ୟ ଆଦ୍ୟରେ ଗଣେଶ ପୂଜା ହୋଇଥାନ୍ତି।
ଲୋକସଂସ୍କୃତିରେ ବିଶ୍ୱକର୍ମା ପୂଜା
ଆଶ୍ଵିନ ସଂକ୍ରାନ୍ତି ଦିନରେ ବିଶ୍ଵକର୍ମାଙ୍କ ପୂଜା ପାଳିତ ହୁଏ। ଏ ପୂଜାର ଅତୀତରେ ଏହି ପର୍ବ ପ୍ରାୟ ପ୍ରତ୍ୟେକ ଶିଳ୍ପୀଙ୍କ ଘରେ ପାଳିତ ହେଉଥିଲା। ଓଡ଼ିଶାରେ ବଢ଼େଇ, କମାର, ତନ୍ତୀ ଇତ୍ୟାଦି ଜାତିର ଲୋକେ ହାତହତିଆରି ପୂଜା କରୁଥିଲେ। ଯେପରି ଧନର ଅଧୀଶ୍ଵର ଗଣେଶ, ବିଦ୍ୟାର ଅଧିଶ୍ୱରୀ ସରସ୍ୱତୀ, ଗନ୍ତାଘରର ରକ୍ଷକ କୁବେର, ଠିକ୍ ସେହିପରି ଶିଳ୍ପକଳା, ଯାନ୍ତ୍ରିକ ବିଦ୍ୟାର ଅଧିକାରୀ ବିଶ୍ୱକର୍ମା ବୋଲି ବିଶ୍ୱାସ କରାଯାଏ। ଅତୀତରେ ଏ ପୂଜାରେ ମୂର୍ତ୍ତିପୂଜାର ପ୍ରଚଳନ ନଥିଲା, ତେଣୁ ଘଟ ପୂଜା ହେଉଥିଲା। ଏହାଛଡା କେତେକ ସ୍ଥାନରେ ଶାଳଗ୍ରାମକୁ ପୂଜା ମଧ୍ୟ କରଯାଉଥିଲା। ସ୍ଥାନେ ସ୍ଥାନେ ଗୋଟିଏ ବୁଢ଼ା ବଢ଼େଇର ମୂର୍ତ୍ତିକୁ ମଧ୍ୟ ଆୟୁଧ ସଙ୍ଗେ ପୂଜା କରାଯାଉଥିଲା। ଏହି ଦିନଟି ଠିକ୍ ସରସ୍ୱତୀ ପୂଜା ବା ଗଣେଶ ପୂଜା ପରି ପାଳନ ହେଉଥିଲା। ପ୍ରତ୍ୟେକ ନିଜ ନିଜର ଆୟୁଧମାନ ପୂଜାରେ ବସାଇ ସେଦିନ ଉପବାସ କରୁଥିଲେ।
ଦେବଶିଳ୍ପୀ ବିଶ୍ଵକର୍ମା ହେଉଛନ୍ତି ନିର୍ମାଣ ତଥା ସୃଜନର ଦେବତା। ସ୍ୱର୍ଗର ଅମରାବତୀଠାରୁ ହସ୍ତିନାପୁର, ଇନ୍ଦ୍ରପ୍ରସ୍ଥ, ସ୍ୱର୍ଣ୍ଣଲଙ୍କା ଆଦି ତାଙ୍କ ଦ୍ଵାରା ନିର୍ମିତ। ବିଶ୍ଵକର୍ମା ଅନେକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ନିର୍ମାଣ କରିଛନ୍ତି, ଯେଉଁଥିରେ ଶିବଙ୍କର ତ୍ରିଶୂଳ, ବିଷ୍ଣୁଙ୍କର ସୁଦର୍ଶନ ଚକ୍ର ଓ ଇନ୍ଦ୍ରଙ୍କକ ବଜ୍ର ରହିଛି। ସେହିପରି ପୁଷ୍ପକ ବିମାନ, ଦାନବୀର କର୍ଣ୍ଣଙ୍କର କୁଣ୍ଡଳ ମଧ୍ୟ ତାଙ୍କ ସୃଷ୍ଟି। ଏସବୁ ବାଦ୍ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଦ୍ୱାରିକା ନଗରୀର ସ୍ଥାପନା କରିଥିଲେ ବିଶ୍ଵକର୍ମା। ସୁଦାମାଙ୍କୁ ଶ୍ରୀକୃଷ୍ଣ ଉପହାର ସ୍ୱରୂପ ନୂତନ ଉଆସ ପ୍ରଦାନ ତାହା ବିଶ୍ଵକର୍ମାଙ୍କ ସୃଷ୍ଟି ବୋଲି ପୁରାଣ କହେ। ବିଶ୍ଵକର୍ମା ଶିଳ୍ପୀ ସମାଜର ସ୍ରଷ୍ଟା। ମର୍ତ୍ତ୍ୟଲୋକରେ ନିର୍ମାଣ ହୋଇଥିବା ଯନ୍ତ୍ରପାତି, କଳକାରଖାନା, ମେସିନ୍ ଆଦି ବିଶ୍ଵକର୍ମାଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ନିର୍ମାଣ ବୋଲି ବିଶ୍ୱାସ ରହିଛି। କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ନିର୍ମାଣର ଦେବତା ଭଗବାନ ବିଶ୍ଵକର୍ମାଙ୍କୁ ସମଗ୍ର ଭାରତ ଓ ନେପାଳରେ ପୂଜା କରାଯାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)