/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753516728.jpg)
Birth & Life Story of Lord Hanuman – The Immortal Devotee of Ram
ସେ ଜଣେ ସାଧାରଣ ବାନର ଥିଲେ, କିନ୍ତୁ ତାଙ୍କର ଅଦ୍ଭୁତ ପ୍ରଭୁଭକ୍ତି ଓ ଐଶ୍ୱରିକ ଶକ୍ତି ପାଇଁ ସେ ହିନ୍ଦୁ ଧର୍ମରେ ସବୁଠାରୁ ଲୋକପ୍ରିୟ ଦେବତାମାନଙ୍କ ଭିତରେ ଗଣା ଯାଉଛନ୍ତି। ଭକ୍ତଙ୍କ ପାଖରେ ସେ ଏକାଧିକ ନାଁରେ ପରିଚିତ। ମାରୁତି, ବଜ୍ରଙ୍ଗବଲୀ, ଅଜ୍ଞେୟ, ହନୁମାନ ଓ ପବନପୁତ୍ର। ସେ ଯେହେତୁ ‘ମରୁତ’ ବା ବାୟୁ ବା ପବନଙ୍କ ପୁତ୍ର, ସେଥିପାଇଁ ମରୁତଙ୍କ ପୁତ୍ର ହିସାବରେ ମାରୁତି ବୋଲି କୁହାଯାଏ। ପବନପୁତ୍ର ମଧ୍ୟ ତାଙ୍କର ଅନ୍ୟ ଏକ ନାଁ। ପ୍ରଭୁ ହନୁମାନ ବୋଧହୁଏ ଐଶ୍ୱରିକ ଶକ୍ତି ହାସଲ କରିଥିବା ଏକମାତ୍ର ବାନର। ସେ ହେଉଛନ୍ତି ପ୍ରଭୁ ହନୁମାନ, ଯାହାଙ୍କୁ କୌଣସି କାମ ଆରମ୍ଭ କରିବା ପୂର୍ବରୁ ଭକ୍ତମାନେ ଭକ୍ତିରେ କୁହନ୍ତି ଜୟ ବଜରଙ୍ଗବଲୀ। ଅର୍ଥାତ ହେ ବଜରଙ୍ଗବଲୀ, ତୁମେ ହିଁ ଭରସା, ମୁଁ କାମ ଆରମ୍ଭ କଲି।
ହନୁମାନଙ୍କ ପିଲାଦିନ
ହନୁମାନଙ୍କ ଉପରେ ଏମିତି ଭରସା ରଖେ ଭକ୍ତ। ଆଜି ଜାଣିବା ପ୍ରଭୁ ହନୁମାନଙ୍କ ଜନ୍ମ ଓ ପିଲାଦିନ ସଂପର୍କରେ ପୁରାଣରେ ଉଲ୍ଲେଖ ହୋଇଥିବା କିଛି ତଥ୍ୟ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ହନୁମାନଙ୍କ ମାତା ହେଉଛନ୍ତି ଅଂଜନା, ଆଉ ବାପା ହେଉଛନ୍ତି କେଶରୀ। ହନୁମାନଙ୍କୁ ମଧ୍ୟ କୁହାଯାଏ ବାୟୁ ଦେବତାଙ୍କ ପୁତ୍ର। କାରଣ ହନୁମାନଙ୍କ ଜନ୍ମରେ ବାୟୁ ଦେବତାଙ୍କର ମଧ୍ୟ ଭୂମିକା ରହିଥିଲା। ହନୁମାନଙ୍କୁ ମଧ୍ୟ ଧ୍ୱଂସର ଦେବତା ପ୍ରଭୁ ଶିବଙ୍କର ଅନ୍ୟତମ ଅବତାର ବୋଲି କୁହାଯାଏ।
ଅଂଜନାଙ୍କ ପୂଜାର୍ଚ୍ଚନା
ଏ ସଂପର୍କରେ ଏକ ସୁନ୍ଦର ଅବତାରଣା, ଷୋଡ଼ଶ ଶତାବ୍ଦୀରେ ଏକନାଥଙ୍କ ଦ୍ୱାରା ରଚିତ ‘ଭାବାର୍ଥ ରାମାୟଣ’ରେ ବର୍ଣ୍ଣନା କରାଯାଇ ଅଛି। ଯେତେବେଳେ ମାତା ଅଂଜନା ପୁତ୍ରଲାଭ ପାଇଁ ବାୟୁ ଦେବତାଙ୍କ ପୂଜାର୍ଚ୍ଚନା କରୁଥିଲେ, ସେତିକି ବେଳେ ଅଯୋଧ୍ୟା ନରେଶ, ରାଜା ଦଶରଥ ମଧ୍ୟ ପୁତ୍ରଲାଭ ପାଇଁ ପୁତ୍ରକାମେଷ୍ଟି ଯଜ୍ଞ କରୁଥିଲେ। ଯଜ୍ଞ ଶେଷରେ ରାଜା ଦଶରଥଙ୍କୁ ଏକ ପାତ୍ରରେ କିଛି ପବିତ୍ର କ୍ଷିରି ପ୍ରଦାନ କରାଗଲା, ଯାହାକୁ ସେ ତାଙ୍କ ତିନି ପତ୍ନୀଙ୍କୁ ଖାଇବାକୁ ଦେବାକୁ ନିର୍ଦ୍ଦେଶ ଥିଲା। ସେହି କ୍ଷିରି ଖାଇବା ପରେ ସେମାନେ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ପୁତ୍ରଙ୍କୁ ଜନ୍ମ ଦେଇଥିଲେ।
ଛଞ୍ଚାଣର ଭୂମିକା
ତେବେ ରାଜା ଦଶରଥ ପତ୍ନୀମାନଙ୍କ ପାଇଁ କ୍ଷୀରି ନେବାବେଳେ ଏକ ଛଞ୍ଚାଣ, ହଠାତ୍ ସେହି କ୍ଷୀରିପାତ୍ରରୁ ଅଳ୍ପକିଛି କ୍ଷୀରି ଖୁମ୍ପି ନେଇ ଯାଇଥିଲା। ଜଙ୍ଗଲ ଉପରେ ଛଞ୍ଚାଣଟି ଉଡ଼ି ଉଡ଼ି ଯାଉଥିବା ବେଳେ, ଅଳ୍ପକିଛି ବୁନ୍ଦା କ୍ଷୀରି ତା ଥଣ୍ଟରୁ ସେହି ଜାଗାରେ ଖସି ପଡ଼ିଥିଲା, ଯେଉଁଠି ଅଂଜନା ପୁତ୍ରଲାଭ ପାଇଁ ବାହୁ ପ୍ରସାରିତ କରି ବାୟୁଦେବତାଙ୍କୁ ପୂଜା କରୁଥିଲେ। କ୍ଷୀରି ବୁନ୍ଦାଟି ଅଂଜନାଙ୍କ ହାତରେ ପଡ଼ିଥିଲା ଓ ସେ ଏହାକୁ ପାନ କରିଥିଲେ। ଯାହାର ଫଳସ୍ୱରପ ତାଙ୍କ ଗର୍ଭରୁ ହନୁମାନଙ୍କର ଜନ୍ମ ହୋଇଥିଲା।
କିସ୍କିନ୍ଦା ରାଜ୍ୟ
ମହର୍ଷି ବେଦବ୍ୟାସଙ୍କ ସୂଚନା ଅନୁସାରେ, ତିରୁମାଲାରେ ଥିବା ଅଂଜନାଦ୍ରି ପର୍ବତ ହେଉଛି ହନୁମାନଙ୍କ ଜନ୍ମସ୍ଥାନ। ତାଙ୍କ କହିବା ଅନୁସାରେ, ମହାରାଷ୍ଟ୍ରର ନାସିକ ନିକଟସ୍ଥ ଅଂଜନେରି; କର୍ଣ୍ଣାଟକର କୋପ୍ପାଲ ଜିଲ୍ଲା ଅନ୍ତର୍ଗତ ଗଙ୍ଗାବଦୀ ତାଲୁକରେ ଥିବା ହାମ୍ପି ନିକଟସ୍ଥ ଅଂଜନାଦ୍ରି ପର୍ବତ ସମେତ ଏହି ସମସ୍ତ ଅଂଚଳକୁ କିସ୍କିନ୍ଦା ବୋଲି ଅଭିହିତ କରାଯାଏ। ଏହି ପର୍ବତରେ ହନୁମାନଙ୍କର ଜନ୍ମ ହୋଇଥିବା କୁହାଯାଏ।
ହନୁମାନଙ୍କ ପିଲାଦିନ
ବାଲ୍ମିକୀ ରାମାୟଣରେ ହନୁମାନଙ୍କ ପିଲାଦିନ ସଂପର୍କରେ ଉଲ୍ଲେଖ ରହିଛି। ଏଥିରେ ବାଳକ ହନୁମାନଙ୍କ ସହ ଘଟିଥିବା ଏକ ରୋଚକ କାହାଣୀ ବିଷୟରେ ଅବତାରଣା କରାଯାଇଛି। ଦିନେ ସକାଳେ ବାଳକ ହନୁମାନ ବହୁତ ଭୋକ ଅନୁଭବ କଲେ । ପ୍ରାତଃ ସମୟ ହୋଇଥିବାରୁ ଉଦିତ ସୂର୍ଯ୍ୟଙ୍କ ରଙ୍ଗ ଲାଲ୍ ଟହଟହ ଥିଲା। ଲାଲ୍ ସୂର୍ଯ୍ୟଙ୍କୁ ଦେଖି ସେ ଭାବିଲେ ବୋଧହୂଏ ପାଚିଲା ଫଳଟିଏ ଆକାଶରେ ଫଳିଛି। ତେଣୁ ସେ ସୂର୍ଯ୍ୟଙ୍କୁ ଖାଇବା ପାଇଁ ଡିଆଁ ଡେଇଁ ଦଉଡ଼ା ଦଉଡ଼ି ଆରମ୍ଭ କରିଦେଲେ।
ସୂର୍ଯ୍ୟଙ୍କୁ ଭାବିଲେ ପାଚିଲା ଫଳ
ହିନ୍ଦୁ ପୁରାଣ ଶାସ୍ତ୍ରର ଏକ ସଂସ୍କରଣ ଅନୁଯାୟୀ, ବାଳକ ହନୁମାନ ସୂର୍ଯ୍ୟ ଦେବତାଙ୍କୁ ଖାଇବାକୁ ଗୋଡ଼ାଉଥିବା ଦେଖି, ଦେବତାମାନଙ୍କ ରାଜା ଇନ୍ଦ୍ର ଏଥିରେ ହସ୍ତକ୍ଷେପ କରିଥିଲେ ଓ ବାଳକ ହନୁମାନଙ୍କୁ ବଜ୍ରାଘାତ କରିଥିଲେ। ଏହା ହନୁମାନଙ୍କ ପାଟିରେ ବାଜିଥିଲା। ଫଳରେ ଖଣ୍ଡିଆ ପାଟି ସହିତ ସେ ମୃତ ଅବସ୍ଥାରେ ଭୂମିରେ ପଡ଼ି ଯାଇଥିଲେ।
ଶୋକରେ ଜର୍ଜରିତ ବାୟୁ
ପୁତ୍ର ମୃତ୍ୟୁ ଶୋକରେ ଜର୍ଜରିତ ହନୁମାନଙ୍କ ପିତା ବାୟୁ ଦେବତା କ୍ରୋଧରେ ସଂସାରରୁ ସମସ୍ତ ବାୟୁ ଶୋଷି ନେଇଥିଲେ। ଫଳରେ ସାରା ସଂସାରରେ ଗମ୍ଭୀର ସମସ୍ୟା ଦେଖାଦେଲା। ବିନା ବାୟୁରେ ପ୍ରାଣୀମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଗଲା। ଏହା ଦେଖି ପ୍ରଭୁ ଶିବ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ ଓ ମୃତ ବାଳକ ହନୁମାନଙ୍କୁ ଜୀବନ ଦାନ ଦେଇଥିଲେ। ଏଥିରେ ଖୁସି ହୋଇ ବାୟୁ ଦେବତା ପୁଣି ବିଶ୍ୱବ୍ରହ୍ମାଣ୍ଡକୁ ସମସ୍ତ ବାୟୁ ଫେରାଇ ଦେଇଥିଲେ।
ସମସ୍ତେ ବର ଦେଲେ
ଯେହେତୁ ଦେବରାଜ ଇନ୍ଦ୍ରଙ୍କ ଭୁଲ୍ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା, ତେଣୁ ସେ ହନୁମାନଙ୍କୁ ଖୁସି କରିବାକୁ ଏକ ବର ଦେଇଥିଲେ। କହିଥିଲେ, ଆଜିଠାରୁ ହନୁମାନର ଶରୀର ତାଙ୍କ ବଜ୍ର ପରି ଟାଣ ହୋଇଯିବ। ଏତେ କଠିନ ହୋଇଯିବ ଯେ, ତାଙ୍କ ନିଜ ବଜ୍ରାସ୍ତ୍ର ମଧ୍ୟ ହନୁମାନର କୌଣସି କ୍ଷତି କରିପାରିବ ନାହିଁ।
ଇନ୍ଦ୍ରଙ୍କ ସହିତ ଅନ୍ୟ ଦେବତାମାନେ ମଧ୍ୟ ହନୁମାନଙ୍କୁ ଖୁସି ହୋଇ ଆଶୀର୍ବାଦ କରିଥିଲେ ଓ ବର ଦେଇଥିଲେ। ଅଗ୍ନି ଦେବତା କହିଥିଲେ, ଅଗ୍ନିର ଲେଲିହାନ ଶିଖା ମଧ୍ୟ ଆଜିଠାରୁ ହନୁମାନଙ୍କର କୌଣସି କ୍ଷତି ପହଞ୍ଚାଇ ପାରିବ ନାହିଁ। ସେହିପରି ଜଳ ଦେବତା ବରୁଣ ବର ଦେଇଥିଲେ ଯେ, ଆଜିଠାରୁ ହନୁମାନଙ୍କର ଜଳ ବା ପାଣି କୌଣସି କ୍ଷତି କରିପାରିବ ନାହିଁ। ବାୟୁ ଦେବତା ବର ଦେଇଥିଲେ ଯେ, ହନୁମାନ ବାୟୁଠାରୁ ଅଧିକ ବେଗରେ ମଧ୍ୟ ଗତି କରିପାରିବେ। ଝଡ଼ବାତ୍ୟା ତାଙ୍କର କୌଣସି କ୍ଷତି କରିପାରିବ ନାହିଁ। ଶେଷରେ ବ୍ରହ୍ମା ମଧ୍ୟ ହନୁମାନଙ୍କୁ ବରଟିଏ ଦେଲେ। କହିଲେ, ଆଜିଠାରୁ ହନୁମାନ ଯେଉଁଠିକୁ ଯିବାକୁ ଚାହିଁବେ ବିନା ବାଧାରେ ଯାଇପାରିବେ। ତାଙ୍କୁ କେହି ଅଟକାଇ ପାରିବେ ନାହିଁ। ଏହିସବୁ ବର ହନୁମାନଙ୍କୁ ଅମର କରି ଦେଇଛି।
ପୋଡ଼ି ପାଉଁଶ ହୋଇଗଲେ !
ଅନ୍ୟ ଏକ ହିନ୍ଦୁ ସଂସ୍କରଣରେ, ଯାହା ସମ୍ଭବତଃ ଅଧିକ ପୁରାତନ, ତଥ୍ୟ ମିଳିଥାଏ ଯେ, ହନୁମାନ ସୂର୍ଯ୍ୟଙ୍କ ନିକଟକୁ ଡିଆଁ ମାରିବା ମାରାତ୍ମକ ପ୍ରମାଣିତ ହୁଏ ଏବଂ ସୂର୍ଯ୍ୟଙ୍କ ତାପରେ ସେ ପୋଡ଼ି ଭସ୍ମ ହୋଇଯାଆନ୍ତି। ତାଙ୍କର ଭସ୍ମ ବା ପାଉଁଶ, ପୃଥିବୀ ଓ ସମୁଦ୍ର ଉପରେ ଖସିପଡ଼େ। ଦେବତାମାନେ ତାଙ୍କର ଭସ୍ମ ଓ ହାଡ଼କୁ ଏକତ୍ର କରନ୍ତି ଏବଂ ମାଛମାନଙ୍କ ସାହାଯ୍ୟରେ ତାଙ୍କୁ ପୁନର୍ଜନ୍ମ ଦିଅନ୍ତି। ସେମାନେ ତାଙ୍କ ଚିବୁକର ଗୋଟିଏ ଖଣ୍ଡ ହାଡ଼ ବ୍ୟତୀତ ସବୁକିଛି ଖୋଜି ପାଆନ୍ତି। ଏହାପରେ ତାଙ୍କ ମାତାଙ୍କ ପକ୍ଷରୁ, ତାଙ୍କର ପ୍ରପିତାମହ ଶିଶୁଟିକୁ ପୁନର୍ଜନ୍ମ ଦେବାକୁ ସୂର୍ଯ୍ୟଙ୍କୁ ଅନୁରୋଧ କରନ୍ତି। ସୂର୍ଯ୍ୟ ତାଙ୍କୁ ପୁନର୍ଜନ୍ମ ଦିଅନ୍ତି, କିନ୍ତୁ ହନୁମାନଙ୍କର ଚିବୁକ ବିକୃତ ହୋଇ ରହିଯାଏ।
କିଷ୍କିନ୍ଧାରେ କଟିଥିଲା ଶୈଶବ
କୁହାଯାଏ ଯେ, ହନୁମାନ ତାଙ୍କର ଶୈଶବ କିଷ୍କିନ୍ଧାରେ ଅତିବାହିତ କରିଥିଲେ। ଏହି ଘଟଣାର କିଛି ସମୟ ପରେ, ହନୁମାନ ନିରୀହ ଲୋକଙ୍କ ଉପରେ, ତାଙ୍କର ’ଅଲୌକିକ ଶକ୍ତି’କୁ ମଜା ଦେଖିବାକୁ ବ୍ୟବହାର ଆରମ୍ଭ କରନ୍ତି। ଏହିପରି କରୁକରୁ ଥରେ ଜଣେ ଧ୍ୟାନମଗ୍ନ ଋଷିଙ୍କ ଉପରେ ନିଜର ଅଲୌକିକ ଶକ୍ତି ପ୍ରୟୋଗ କରି ମଜା କରିବାରୁ, କ୍ରୋଧରେ ଋଷି ହନୁମାନଙ୍କୁ ଅଭିଶାପ ଦେଲେ। ଫଳରେ ହନୁମାନ ତାଙ୍କର ଅଧିକାଂଶ ଅଲୌକିକ ଶକ୍ତି ଭୁଲିଗଲେ। ସେଗୁଡ଼ିକ ଆଉ କାମ କଲାନି। ହନୁମାନ ତାଙ୍କ ସାରା ପିଲାଦିନ ଏହିପରି ଅଲୋକିକ ଶକ୍ତିବିହୀନ ହୋଇ ରହିଲେ। କିନ୍ତୁ ପ୍ରାପ୍ତବୟସ୍କ ହେବା ପରେ ସେ ନିଜର ସମସ୍ତ ଶକ୍ତି ଧୀରେ ଧୀରେ ଫେରିପାଇଥିଲେ।
ଯେତେବେଳେ ହନୁମାନ ବଡ଼ ହେଲେ
ପ୍ରଭୁ ଶ୍ରୀରାମ ଓ ତାଙ୍କ ଭାଇ ଲକ୍ଷ୍ମଣ, ରାମଙ୍କ ଅପହୃତ ପତ୍ନୀ ମାତା ସୀତାଙ୍କୁ ଖୋଜି ଖୋଜି କିଷ୍କିନ୍ଦା ରାଜ୍ୟରେ ଯାଇ ପହଞ୍ଚିଲେ। ଏଠାକାର ନୂତନ ରାଜା ସୁଗ୍ରୀବ, ପ୍ରଭୁ ରାମଙ୍କର ବଡ଼ ଭକ୍ତ ଓ ବନ୍ଧୁ ଥିଲେ। ସହାୟତା ପାଇଁ ଯେତେବେଳେ ପ୍ରଭୁ ଶ୍ରୀରାମ ନିଜେ ତାଙ୍କ ରାଜ୍ୟରେ ପହଞ୍ଚିଛନ୍ତିକ ସେ ପ୍ରଭୁଙ୍କର ନୂତନ ସହଯୋଗୀ ପାଲଟିଗଲେ। ବାନର ରାଜା ସୁଗ୍ରୀବ, ରାମଙ୍କ ନିଖୋଜ ପତ୍ନୀଙ୍କୁ ଖୋଜିବା ଆଣିବା ପାଇଁ, ଚାରି ଦିଗକୁ ବାନରସେନା ପଠାଇବାକୁ ସହମତ ହେଲେ। ଦକ୍ଷିଣ ଦିଗକୁ ହନୁମାନ ଓ ଅନ୍ୟ କେତେକଙ୍କୁ ପଠାଇଲେ, ଯେଉଁମାନଙ୍କ ମଧ୍ୟରେ ମହାନ ଭାଲୁ ଜାମ୍ବବାନ ମଧ୍ୟ ରହିଥିଲେ।
ଭାରତର ଶେଷ ସୀମାରେ
ଏହି ଦଳ ଭାରତର ଦକ୍ଷିଣ ପଟକୁ ଅନୁସନ୍ଧାନ କରି କରି ଆଗେଇଲେ ଓ ଭାରତର ଶେଷସୀମାରେ ପହଞ୍ଚିଲେ, ଯେଉଁଠି ସେମାନଙ୍କ ବାଟ ଓଗାଳିଲା ବିସ୍ତୀର୍ଣ୍ଣ ସମୁଦ୍ର। ସେଇଠୁ ଅନେଇଲେ ଦିଗବଳୟରେ ଯାହା ଦିଶୁଥିଲା ତାହା ଥିଲା ଲଙ୍କାଦ୍ୱୀପ, ଯାହାକୁ ଏବେ ଶ୍ରୀଲଙ୍କା ବୋଲି କୁହାଯାଉଛି। ହନୁମାନଙ୍କର ସେହି ଦଳ ଦିଗବଳୟରେ ଦୃଶ୍ୟମାନ ଦ୍ୱୀପଟିର ଅନୁସନ୍ଧାନ କରିବାକୁ ଇଚ୍ଛା ପ୍ରକାଶ କଲେ। କିନ୍ତୁ କଥା ହେଲା ପାଣିରେ ଏତେ ଦୂର ପହଁରି ପହଁରି ଯିବ କିଏ? ଏଭଳି ଶକ୍ତି କାହାର ଅଛି? ଜାମ୍ବବାନ ତାଙ୍କ ପୂର୍ବ ଅଭିଜ୍ଞତାରୁ ଜାଣିଥିଲେ ଯେ, ହନୁମାନ ଏପରି କାର୍ଯ୍ୟ ସହଜରେ କରିପାରିବେ। କାରଣ ସେତେବଳକୁ ହନୁମାନ ଋଷିଙ୍କ ଅଭିଶାପରୁ ମୁକ୍ତ ହୋଇ ନିଜର ଶକ୍ତି ଫେରି ପାଇଲେଣି।
ଲଙ୍କାରେ ପଶିଲେ ହନୁମାନ
ପ୍ରଭୁ ରାମଙ୍କ ପତ୍ନୀଙ୍କୁ ଖୋଜିବାକୁ ହନୁମାନ ନିଜର ସମସ୍ତ ଅଲୌକିକ ଶକ୍ତି ମନପକେଇ, ଏକ ପର୍ବତ ଆକାରରେ ପରିଣତ ହେଲେ ଓ ଏକ ସଂକୀର୍ଣ୍ଣ ପଥ ଦେଇ ଲଙ୍କା ଭିତରେ ଉଡ଼ି ଉଡ଼ି ପ୍ରବେଶ କଲେ। ଲଙ୍କାରେ ଅବତରଣ କରିବା ପରେ ସେ ଦେଖିଲେ ଯେ, ସେଠାରେ ଲଙ୍କାର ରାଜା ରାବଣ ଓ ତାଙ୍କ ରାକ୍ଷସ ଅନୁଚରମାନେ ବାସ କରୁଛନ୍ତି। ତେଣୁ ସେ ପିମ୍ପୁଡ଼ି ରୂପ ନେଇ ନଗର ଭିତରେ ଲୁଚିଗଲେ। ନଗର ସାରା ବୁଲିବା ପରେ ହନୁମାନ, ମାତା ସୀତାଙ୍କୁ ଏକ ଉପବନରେ ଦେଖିଲେ, ଯେଉଁଠାରେ ରାକ୍ଷସ ଯୋଦ୍ଧାମାନେ ତାଙ୍କୁ ଜଗିବାକୁ ପହରା ଦେଉଥିଲେ।
ମାତା ସୀତାଙ୍କୁ ଭେଟ
ସମସ୍ତେ ଶୋଇପଡ଼ିବା ପରେ, ସେ ମାତା ସୀତାଙ୍କୁ ଭେଟିଲେ ଓ କିପରି ତାଙ୍କୁ ଖୋଜି ପାଇଲେ ସେ ବିଷୟରେ ଆଲୋଚନା କଲେ। ସୀତା ପ୍ରକାଶ କଲେ ଯେ, ରାବଣ ତାଙ୍କୁ ଅପହରଣ କରି ଶୀଘ୍ର ବିବାହ କରିବାକୁ ବାଧ୍ୟ କରୁଛି। ହନୁମାନ ତାଙ୍କୁ ଉଦ୍ଧାର କରିବାକୁ ପ୍ରସ୍ତାବ ଦେଲେ, କିନ୍ତୁ ମାତା ସୀତା ମନା କରି କହିଲେ ଯେ, ତାଙ୍କ ସ୍ୱାମୀ ଏହା କରିବା ଉଚିତ।
ଗିରଫ ହେଲେ ହନୁମାନ
ଆଉଏକ ପୌରାଣିକ ଆଖ୍ୟାନ ଅନୁଯାୟୀ, ହନୁମାନ ମାତା ସୀତାଙ୍କୁ ଦେଖା କରିବା ପରେ, ତାଙ୍କୁ ରଖା ଯାଇଥିବା ଉଦ୍ୟାନଟିକୁ ନଷ୍ଟ କରିବା ଆରମ୍ଭ କରନ୍ତି। ଏହା କରିବା ପଛରେ ହନୁମାନଙ୍କର ଉଦ୍ଦେଶ୍ୟ ଥିଲା, ରାବଣଙ୍କ ସୈନିକମାନେ ତାଙ୍କୁ ଗିରଫ କରନ୍ତୁ। ସେଇଆ ହିଁ ହେଲା। ରାବଣଙ୍କ ଦରବାରରେ ବନ୍ଦୀ ଥିବା ହନୁମାନ ଯେତେବେଳେ କୁହନ୍ତି ଯେ, ପ୍ରଭୁ ରାମ, ମାତା ସୀତାଙ୍କୁ ଫେରାଇ ନେବାକୁ ଲଙ୍କାକୁ ଆସୁଛନ୍ତି, ଏହା ଶୁଣି ରାଜା ରାବଣ ଅଟ୍ଟହାସ୍ୟ କରନ୍ତି ଓ ହନୁମାନଙ୍କ ଲାଞ୍ଜରେ ନିଆଁ ଲଗାଇ ଦେବାକୁ ଆଦେଶ ଦିଅନ୍ତି।
ହନୁମାନଙ୍କ ଲାଞ୍ଜରେ ନିଆଁ
ଦୂତମାନେ ସେଇଆ କଲେ। ହନୁମାନଙ୍କ ଲାଞ୍ଜରେ ନିଆଁ ଲଗାଇବାକୁ ସେଥିରେ କପଡ଼ା ଓ ଲୁଗା ଗୁଡ଼େଇବା ଆରମ୍ଭ କଲେ। କିନ୍ତୁ ହନୁମାନ ନିଜ ଅଲୌକିକ ଶକ୍ତି ବଳରେ ନିଜ ଲାଞ୍ଜକୁ ଲମ୍ବେଇ ଚାଲିଥିଲେ, ଫଳରେ ଲଙ୍କାର ଲୋକମାନେ ଘରୁ ଘରୁ ଲୁଗାପଟା ଆଣି ସେଥିରେ ଗୁଡ଼େଇଲେ ବି ତାହା ପୂରଣ ହୋଇପାରିଲା ନାହିଁ। ଶେଷରେ ରାବଣ ବିରକ୍ତ ହୋଇ ସେଥିରେ ନିଆଁ ଲଗେଇବାକୁ ଆଦେଶ ଦେଲେ। ନିଆଁ ଲଗେଇବା ପରେ ହଠାତ୍ ହନୁମାନ ନିଜ ଲାଂଜକୁ ସଂକୁଚିତ କରି ଛୋଟ କରିଦେଲେ ଓ ଅଲୌକିକ ଶକ୍ତି ବଳରେ ବନ୍ଧନରୁ ମୁକ୍ତ ହୋଇ ଗରର ଛାତରୁ ଛାତ ଡେଇଁ ଗୋଟିଏ ପରେ ଗୋଟିଏ ଘରେ ନିଆଁ ଲଗାଇ ଚାଲିଲେ। କିଛି ସମୟ ପରେ ସୁନାର ଲଙ୍କା ଜଳିପୋଡ଼ି ଧ୍ୱଂସ ହେଇଗଲା। ଏହାପରେ ହନୁମାନ ଭାରତକୁ ଫେରି ଆସିଲେ।
ଆରମ୍ଭ ହେଲା ଯୁଦ୍ଧ
ହନୁମାନ ଫେରି ଆସି ଲଙ୍କାରେ କି କି କାଣ୍ଡ ସବୁ ଘଟିଲା ତାହା ତାଙ୍କ ଅନୁସନ୍ଧାନ ଦଳକୁ ଗୋଟି ଗୋଟି କରି ବତାଇଲେ। ଏହାପରେ ସେମାନେ ସମସ୍ତେ ତୁରନ୍ତ କିସ୍କିନ୍ଦାକୁ ଫେରିଯାଇ ଅପେକ୍ଷାରତ ପ୍ରଭୁ ଶ୍ରୀରାମଙ୍କୁ ଭେଟିଲେ ଓ ଲଙ୍କା ସଂପର୍କିତ ସମସ୍ତ ଘଟଣାର ବର୍ଣ୍ଣନା କଲେ। ମାତା ସୀତା ନିରାପଦରେ ଥିବା ଏବଂ ତାଙ୍କୁ ଅପେକ୍ଷା କରୁଥିବା କଥା ଶୁଣି, ପ୍ରଭୁ ଶ୍ରୀରାମ ସୁଗ୍ରୀବଙ୍କ ସୈନ୍ୟଙ୍କୁ ଏକାଠି କରି ଲଙ୍କା ଅଭିମୁଖେ ଯାତ୍ରା ଆରମ୍ଭ କଲେ। ଏହିପରି ଆରମ୍ଭ ହେଲା ଲଙ୍କାର ଐତିହାସିକ ଯୁଦ୍ଧ।
ସେନାପତି ଥିଲେ ହନୁମାନ
ଏହି ଦୀର୍ଘଦିନର ଏହି ଯୁଦ୍ଧରେ ସେନାପତି ଥିଲେ ହନୁମାନ। ଏକ ଘମାଘୋଟ ଲଢ଼େଇ ସମୟରେ, ପ୍ରଭୁ ରାମଚନ୍ଦ୍ରଙ୍କ ସାନଭାଇ ଲକ୍ଷ୍ମଣ ଗୁରୁତର ଆହତ ହୋଇଗଲେ। ଯୁଦ୍ଧକ୍ଷେତ୍ରକୁ ରାଜବୈଦ୍ୟ ଆସି ଲକ୍ଷ୍ମଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି କହିଲେ ଯେ, ହିମାଳୟରେ ପର୍ବତରେ ଏକ ପ୍ରକାର ମୂଲ୍ୟବାନ ଔଷଧୀୟ ବୃକ୍ଷ ରହିଛି, ଯାହାକୁ ଆଣିପାରିଲେ ଲକ୍ଷ୍ମଣ ଭଲ ହୋଇପାରିବେ। କିନ୍ତୁ ଏପରି ଏକ ଜୀବନ ମରଣ ସମୟରେ, ଯେଉଁଠି ଘମାଘୋଟ ଯୁଦ୍ଧ ଚାଲିଛି, ସେପରି ସମୟରେ କୋଶ କୋଶ ଦୂରରେ ଥିବା ହିମାଳୟ ପର୍ବତକୁ ଯିବ କିଏ? ହନୁମାନ ହିଁ ଏକମାତ୍ର ବ୍ୟକ୍ତି ଥିଲେ ଯିଏ ଯଥାଶୀଘ୍ର ଆକାଶରେ ଉଡ଼ି ସେଠାରେ ପହଞ୍ଚି ପାରିବେ।
ପର୍ବତ ଓପାଡ଼ିଲେ ହନୁମାନ
କାଳବିଳମ୍ବ ନକରି ହିମାଳୟ ପର୍ବତ ଅଭିମୁଖେ ବାହାରି ପଡ଼ିଲେ ହନୁମାନ। ହିମାଳୟରେ ପହଞ୍ଚି ସେ ଦେଖିଲେ ଯେ କୋଶ କୋଶ ଲମ୍ବିଥିବା ଏହି ପର୍ବତମାଳାରେ ତ ଅନେକ ଔଷଧୀୟ ବୃକ୍ଷ ରହିଛି। ରାଜବୈଦ୍ୟ କହିଥିବା ସେହି ନିର୍ଦ୍ଦିଷ୍ଟ ଔଷଧୀୟ ଗଛଟିକୁ ସେ ଚିହ୍ନିବେ କେମିତି? ତାଙ୍କ ମୁଣ୍ଡରେ କିଛି ବୁଦ୍ଧି ପଶିଲା ନାହିଁ। ତେଣୁ ସେ ତତକ୍ଷଣାତ୍ ନିଜ ଶରୀରକୁ ଏକ ପର୍ବତ ଆକାର ପଡ଼ କରିଦେଲେ, ଆଉ ହିମାଳୟ ପର୍ବତଟିକୁ ଭୂଇଁରୁ ଉପାଡ଼ି ଆଣି ଗୋଟିଏ ହାତରେ ଟେକି ଧରି ଆକାଶରେ ତୀବ୍ର ବେଗରେ ଉଡ଼ି ଚାଲିଲେ।
କୁହାଯାଏ, ଏହି ସମୟରେ ହନୁମାନଙ୍କ ହାତରେ ଥିବା ହିମାଳୟ ପର୍ବତରୁ ଖଣ୍ଡେ ଅଂଶ ତଳେ ଖସି ପଡ଼ିଥିଲା। ବର୍ତ୍ତମାନର "ପୁରନ୍ଦର ଏବଂ ବଜ୍ରଗଡ଼ ଦୁର୍ଗ" ଏହି ଖସି ପଡ଼ିଥିବା ଖଣ୍ଡ ବୋଲି ବିଶ୍ୱାସ କରାଯାଏ। ଶେଷରେ, ରାମ ବିଷ୍ଣୁଙ୍କ ଅବତାର ଭାବେ ନିଜର ଦୈବୀଶକ୍ତି ପ୍ରକାଶ କଲେ ଏବଂ ରାବଣ ତଥା ଅନ୍ୟ ରାକ୍ଷସ ସୈନ୍ୟଙ୍କୁ ବଧ କଲେ। ଅନ୍ତିମରେ, ରାମ ନିଜ ଘର ଅଯୋଧ୍ୟାକୁ ଫେରି ରାଜା ଭାବେ ନିଜ ପଦବୀ ଗ୍ରହଣ କଲେ।
ରାମଙ୍କ ଉପହାର ଫିଙ୍ଗିଦେଲେ
ଯୁଦ୍ଧରେ ସାହାଯ୍ୟ କରିଥିବା ସମସ୍ତଙ୍କୁ ଉପହାର ଦେଇ ଆଶୀର୍ବାଦ କରିବା ପରେ, ପ୍ରଭୁ ଶ୍ରୀରାମ, ହନୁମାନଙ୍କୁ ତାଙ୍କ ଉପହାରଟି ମଧ୍ୟ ଦେଇଥିଲେ। କିନ୍ତୁ ହନୁମାନ ସେ ପୁରସ୍କାରକୁ ଫିଙ୍ଗି ଦେଇଥିଲେ। ହନୁମାନଙ୍କର ଏହି ଆଚରଣରେ ସାରା ରାଜଦରବାର ବିସ୍ମିତ ଓ କ୍ରୋଧିତ ହୋଇଯାଇଥିଲେ। କିନ୍ତୁ ଜବାବରେ ହନୁମାନ ଉତ୍ତର ଶୁଣି ସମସ୍ତେ ଶାନ୍ତ ପଡ଼ିଥିଲେ। ସେ କହିଥିଲେ- ‘ପ୍ରଭୁ ରାମଙ୍କୁ ମନେରଖିବା ପାଇଁ ମୋ ପୁଇଁ କୌଣସି ଉପହାରର ଆବଶ୍ୟକତା ନାହିଁ। କାରଣ ପ୍ରଭୁ ରାମ ସର୍ବଦା ମୋ ହୃଦୟରେ ରହିବେ।’
ଛାତି ଚିରି ଦେଖାଇଲେ
କିନ୍ତୁ ହନୁମାନଙ୍କର ଏପରି ବାହାଦୁରିଆ କଥାରେ କିଛି ରାଜଦରବାରୀ ତଥାପି ଅସନ୍ତୁଷ୍ଟ ହୋଇପାରି ନଥିଲେ। ସମାନେ ପ୍ରମାଣ ମାଗିଥିଲେ। କହିଥିଲେ- ‘ଯଦି ପ୍ରଭୁ ରାମ ତୁମ ଛାତି ଭିତରେ ବା ହୃଦୟ ଭିତରେ ଅଛନ୍ତି, ତେବେ ଆମକୁ ଥରଟିଏ ଦେଖେଇ ଦିଅ।’ କିନ୍ତୁ ଏହା ତ ବଡ଼ ବିଷମ କଥା ହେଲା। ଛାତି ଭିତରେ ଥିବା ଜିନିଷଟିକୁ କେମିତି ଜଣେ ଦେଖାଇବ !! କିନ୍ତୁ ଏହି ସମସ୍ୟାର ତତକ୍ଷଣାତ ସମାଧାନ କରି ଦେଇଥିଲେ ହନୁମାନ। ସେ କାଳବିଳମ୍ବ ନକରି ନିଜ ବକ୍ଷ ଚିରି ସମସ୍ତଙ୍କୁ ଦେଖାଇ ଦେଇଥିଲେ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ହନୁମାନଙ୍କ ଛାତି ଭିତରେ ଶୋଭା ପାଉଥିଲେ ପ୍ରଭୁ ରାମ ଓ ମାତା ସୀତାଙ୍କ ପ୍ରତିମୂର୍ତ୍ତି।
ଅମର ବର ପାଇଲେ
ଏହାପରେ ପ୍ରଭୁ ରାମ ତାଙ୍କ ପରମ ଭକ୍ତ ହନୁମାନଙ୍କୁ ସୁସ୍ଥ କରାଇଲେ ଏବଂ ଅମରତ୍ୱ ଆଶୀର୍ବାଦ ଦେଲ। କିନ୍ତୁ ହନୁମାନ ଏହା ମଧ୍ୟ ଅସ୍ୱୀକାର କଲେ। ସେ ପ୍ରଭୁଙ୍କ ପାଖରେ ଅଳି କରି କହିଲେ- ମୋର କିଛି ଦରକାର ନାହିଁ ପ୍ରଭୁ ! କେବଳ ଆପଣଙ୍କ ପୂଜା କରିବା ପାଇଁ ଆପଣଙ୍କ ପାତ ଦଳେ ଏକ ସ୍ଥାନ ଦରକାର। ଏହା ଶୁଣି ପ୍ରଭୁ ଶ୍ରୀରାମ ହସିଲେ ଓ ହନୁମାନର ନମ୍ରତାରେ ପ୍ରଭାବିତ ହେଲେ। ତଥାପି ସେ ତାଙ୍କୁ ଅମରତ୍ୱ ବର ପ୍ରଦାନ କଲେ। କହିଲେ- ଶେଷ ନାଗଙ୍କ ପରି, ହନୁମାନ ମଧ୍ୟ ବିଶ୍ୱର ବିନାଶ ପରେ ଜୀବିତ ରହିବେ।