IITian To Monkhood: ଆଇଆଇଟି ଗ୍ରାଜୁଏଟରୁ ସନ୍ୟାସୀ...ବାନ୍ଧି ପାରିଲାନି ଆକର୍ଷଣୀୟ ଚାକିରି

ପ୍ରମୁଖ କର୍ପୋରେଟ୍ ସଂସ୍ଥାରେ ଚାକିରି କରିଥିଲେ । ହେଲେ ଆଧ୍ୟାତ୍ମିକତା ଆଡକୁ ସେ ଅଧିକ ଆକର୍ଷିତ ହେଲେ । ଜୀବନକୁ ଖୋଜିବାକୁ ଲାଗିଲେ । ସତ୍ୟର ଅନ୍ୱେଷଣ କରିବାକୁ ଲାଗିପଡିଲେ । ବଦଳିଗଲା ତାଙ୍କ ଜୀବନର ମୋଡ଼ । ହଠାତ୍ ଅଧିକ ଦରମାର ଚାକିରି ଛାଡି ସନ୍ୟାସ ନେଲେ ।

ଆଇଆଇଟି ଗ୍ରାଜୁଏଟରୁ ସନ୍ୟାସୀ

ସମସ୍ତଙ୍କର ଇଚ୍ଛା ଥାଏ, ଭଲ ପାଠପଢି ଭଲ ଚାକିରି କରିବାକୁ । ପିଲାବେଳୁ ସେଥିପାଇଁ ପରିଶ୍ରମ ବି କରନ୍ତି । ସେଇଥିପାଇଁ ଭଲ କଲେଜ ବା ଅନୁଷ୍ଠାନରେ ପାଠ ବି ପଢନ୍ତି । ଆଇଆଇଟିରେ ପଢିବାକୁ ଲକ୍ଷ୍ୟ ରଖିଲେ, ପରିଶ୍ରମ ଆହୁରି ବଢିଯାଏ । ଜେଇଇ ରେ ଭଲ ରାଙ୍କ ରଖିଲେ ହିଁ ଆଇଆଇଟିରେ ପଢିବାକୁ ମିଳେ ସୁଯୋଗ । କିନ୍ତୁ ଆଇଆଇଟିରୁ ପାସ୍ କଲା ପରେ କେତେଜଣ ସନ୍ୟାସୀ ବି ହୋଇଯାଇଛନ୍ତି । ଆଧ୍ୟାତ୍ମିକତା କ୍ଷେତ୍ରରେ ଅଗ୍ରସର ହୋଇ ଦେଶ ବିଦେଶରେ ନାଆଁ ବି କମେଇଛନ୍ତି । ପ୍ରତିଷ୍ଠା ପାଇଛନ୍ତି । ଏବେ ଲୋକଙ୍କୁ ବାଣ୍ଟୁଛନ୍ତି ଖୁସି ଓ ଶାନ୍ତିର ବାର୍ତ୍ତା ।

ସ୍ୱାମୀ ମୁକୁନ୍ଦାନନ୍ଦ:

ଆଇଆଇଟିରୁ ଗ୍ରାଜୁଏସନ ପାସ୍ କଲା ପରେ ସନ୍ୟାସୀ ବା ସାଧୁ ପାଲଟିଥିବା ବ୍ୟକ୍ତିଙ୍କ ତାଲିକାରେ ସବୁଠୁ ଆଗରେ ଆସେ ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ନାଆଁ । ଦିଲ୍ଲୀ ଆଇଆଇଟିରୁ ସେ ମେକାନିକାଲ୍ ଇଞ୍ଜିନିୟରିଂରେ ବି.ଟେକ୍ କରିଛନ୍ତି । ଏହା ପରେ ସେ କୋଲକାତାସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ବା ଆଇଆଇଏମରୁ ଏମବିଏ ମଧ୍ୟ ପାସ୍ କରିଛନ୍ତି । ଭାରତର ଏକ ପ୍ରମୁଖ କର୍ପୋରେଟ୍ ସଂସ୍ଥାରେ ଚାକିରି ମଧ୍ୟ କରିଥିଲେ । ହେଲେ ଆଧ୍ୟାତ୍ମିକତା ଆଡକୁ ସେ ଅଧିକ ଆକର୍ଷିତ ହେଲେ । ଜୀବନକୁ ଖୋଜିବାକୁ ଲାଗିଲେ । ସତ୍ୟର ଅନ୍ୱେଷଣ କରିବାକୁ ଲାଗିପଡିଲେ । ଅଧିକରୁ ଅଧିକ ଯୋଗ ଓ ପ୍ରାଣାୟାମ କଲେ । ବଦଳିଗଲା ତାଙ୍କ ଜୀବନର ମୋଡ଼ । ହଠାତ୍ ଅଧିକ ଦରମାର ଚାକିରି ଛାଡ଼ି ସନ୍ୟାସ ନେଲେ । ଜଗଦଗୁରୁ କୃପାଳୁଜୀ ମହାରାଜଙ୍କୁ ନିଜର ଗୁରୁ ଭାବେ ଗ୍ରହଣ କରି ଭକ୍ତି ମାର୍ଗରେ ଅଗ୍ରସର ହେଲେ । ସେ ଏବେ ଅନ୍ତର୍ଜାତୀୟ ସ୍ତରରେ ଜଣେ ଜଣାଶୁଣା ଆଧ୍ୟତ୍ମିକ ପ୍ରବକ୍ତା । ସେ ଭକ୍ତି ଓ ଯୋଗ ସଂପର୍କିତ ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ସାଧାରଣ ଜୀବନରେ ଭଗବଦ୍ ଗୀତାର ମାହାତ୍ମ୍ୟ ନେଇ ସେ ପ୍ରଚାର ପ୍ରସାର କରୁଛନ୍ତି ।

ଅଧିକ ପଢନ୍ତୁ:ଆଶ୍ଚର୍ଯ୍ୟ! ୪୦ ହଜାର କୋଟିର ସମ୍ପତ୍ତି ଛାଡ଼ିଲେ, ବନିଲେ ସନ୍ୟାସୀ; ଜାଣନ୍ତୁ କାହିଁକି...

ପ୍ରଶାନ୍ତ ତ୍ରିପାଠୀରୁ ଆଚାର୍ଯ୍ୟ ପ୍ରଶାନ୍ତ:

ଆଚାର୍ଯ୍ୟ ପ୍ରଶାନ୍ତ ମଧ୍ୟ ଜଣେ ଆଧ୍ୟାତ୍ମିକ ପ୍ରବକ୍ତା । ସେ ଦିଲ୍ଲୀ ଆଇଆଇଟିରୁ ଟେକ୍ସଟାଇଲରେ ବି.ଟେକ୍ କରିଛନ୍ତି । ପରେ ଆଇଆଇଏମ୍ ଅହମଦାବାଦରୁ ଏମବିଏ କରିଛନ୍ତି । ପରେ ଭାରତୀୟ ସିଭିଲ୍ ସର୍ଭିସରେ କୃତକାର୍ଯ୍ୟ ହୋଇ ଉଚ୍ଚ ସରକାରୀ ଚାକିରି ମଧ୍ୟ କରିଥିଲେ । କିନ୍ତୁ କିଛି ଦିନ ପରେ ଚାକିରି ଛାଡି ହୋଇଯାଇଥିଲେ ସନ୍ୟାସୀ। ପୂର୍ବ ନାଁ ପ୍ରଶାନ୍ତ ତ୍ରିପାଠୀରୁ ହୋଇଥିଲେ ଆଚାର୍ଯ୍ୟ ପ୍ରଶାନ୍ତ । ସେ ସାରା ବିଶ୍ୱରେ ଜଣେ ଅଦ୍ୱୈତ ଶିକ୍ଷକ ଭାବେ ପରିଚିତ ହୋଇଛନ୍ତି । ସେ ଅନେକ ଆଧ୍ୟାତ୍ମିକ ପୁସ୍ତକ ରଚନା କରିବା ସହ ଏକ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଗଢିଛନ୍ତି । ପଶୁପକ୍ଷୀଙ୍କ ସୁରକ୍ଷା ନେଇ ସେ ମଧ୍ୟ କାମ କରୁଛନ୍ତି ।

ମାଆଙ୍କୁ ବୁଝାଇଦେଲେ ସଙ୍କେତ ପାରେଖ:

ସଙ୍କେତ ପାରେଖ ଆଇଆଇଟି ବମ୍ୱେରୁ କେମିକାଲ୍ ଇଞ୍ଜିନିୟରିଂରେ ବି.ଟେକ୍ କରିଛନ୍ତି । ଆମେରିକାରେ କେମିକାଲ୍ ଇଞ୍ଜିନିୟର ଭାବେ ଚାକିରି କରୁଥିଲେ । ମନଲୋଭା ଦରମାରେ ଚାକିରି କରିଥିବା ସଙ୍କେତ ହଠାତ୍ ଚାକିରି ଛାଡି ସନ୍ୟାସୀ ହୋଇଯାଇଥିଲେ । ସେ ଆଇଆଇଟିରେ ପଢୁଥିବା ବେଳେ ଜୈନ ଧର୍ମ ପ୍ରତି ଆକର୍ଷିତ ହୋଇଥିଲେ । ପୁଅର ଏହି ନିଷ୍ପତ୍ତି ଉପରେ ତାଙ୍କ ମାଆ ପ୍ରଥମେ ରାଜି ହୋଇ ନଥିଲେ । କିନ୍ତୁ ଏହାଦ୍ୱାରା ସେ ଖୁସିରେ ରହିପାରିବେ ବୋଲି କହିବା ପରେ ମାଆ ରାଜି ହୋଇଯାଇଥିଲେ । ସେ ଆତ୍ମା, ମନ ଓ ଶରୀର ଉପରେ ଅଧିକ ଚିନ୍ତନ କରି ଶେଷରେ ୨୦୧୩ ମସିହାରେ ଦୀକ୍ଷା ଗ୍ରହଣ କରିଥିଲେ ।

କୃଷ୍ଣରସରେ ମଜ୍ଜିଛନ୍ତି ଗୌରାଙ୍ଗ ଦାସ:

ଗୌରାଙ୍ଗ ଦାସ ଆଇଆଟି ବମ୍ୱେରୁ ମେଟାଲର୍ଜିରେ ଗ୍ରାଜୁଏସନ କରିଛନ୍ତି । ସେ ଏକ ବଡ କଂପାନିରେ ଏକ ଉଚ୍ଚ ପଦବୀରେ ମଧ୍ୟ ଥିଲେ । ଭଲ ଦରମା ପାଉଥିଲେ । କିନ୍ତୁ ଚାକିରି ଛାଡି ଇସ୍କନ (ISKCON) ଆଡକୁ ମୁହାଁଇଥିଲେ । କୃଷ୍ଣ ଭକ୍ତିରେ ନିଜକୁ ନିମଗ୍ନ କରିଦେଲେ । ସେ ଏବେ ଗୌରାଙ୍ଗ ଦାସ ପ୍ରଭୁ ନାମରେ ବେଶ୍ ଜଣାଶୁଣା । ସେ ଇସ୍କନର ଗଭର୍ଣ୍ଣିଂ ବଡି କମିଶନର ଅଛନ୍ତି । ଅନେକ ପୁସ୍ତକ ରଚନା କରିଥିବା ଓ ଆଧ୍ୟାତ୍ମିକ ପ୍ରବଚନ ଦେଉଥିବା ଗୌରାଙ୍ଗ ଦାସ ଅଧିକାଂଶ ସମୟ ବିଦେଶରେ ରହୁଛନ୍ତି ।

ଇନଭେଷ୍ଟମେଣ୍ଟ ବ୍ୟାଙ୍କରରୁ ସନ୍ୟାସୀ ରାସନାଥ ଦାସ

ଅନ୍ୟ ଜଣେ ସନ୍ୟାସୀ ହେଉଛନ୍ତି ରାସନାଥ ଦାସ । ସେ ବମ୍ୱେ ଆଇଆଇଟିରୁ ପାସ୍ କରିବା ପରେ ନ୍ୟୁୟର୍କର କର୍ଣ୍ଣେଲ୍ ବିଶ୍ୱବିଦ୍ୟାଳୟରୁ ଏମବିଏ କରିଥିଲେ । ପରେ ଆମେରିକାର ଏକ ବଡ କଂପାନିରେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ କାମ କରୁଥିଲେ । ଦରମା ବି ବହୁତ ଥିଲା । କିନ୍ତୁ ହଠାତ୍ ଆଧ୍ୟାତ୍ମିକତା ଆଡକୁ ମନବଳାଇ ସନ୍ୟାସୀ ପାଲଟିଗଲେ । ଆମେରିକାରେ ଏକଦା ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରି ଶାନ୍ତ କରାଇ ସେ ଚର୍ଚ୍ଚାକୁ ଆସିଥିଲେ । ରାଗ କୌଣସି ସମସ୍ୟାର ସମାଧାନ କରିପାରେ ନାହିଁ ବୋଲି ସେ ମତ ଦିଅନ୍ତି । ସେ ଏବେ ନ୍ୟୁୟର୍କରେ ରହୁଛନ୍ତି । 

ଅଧିକ ପଢନ୍ତୁ: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଆଇନ ମନ୍ତ୍ରୀଙ୍କ କଡ଼ା ପ୍ରତିକ୍ରିୟା; କହିଲେ, ନିଆଯିବ ଭୟଙ୍କର ଆକ୍ସନ