• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାରାଷ୍ଟ୍ରରେ ରାଜନୈତିକ ଅନିଶ୍ଚିତତା ଲାଗି ରହିଥିବା ଭିତରେ ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ର ସରକାର ସୁରକ୍ଷା ପ୍ରଦାନ କରିଛନ୍ତି । ଉଦ୍ଧବଙ୍କ ନେତୃତ୍ୱରେ ଚାଲିଥିବା ମହା ବିକାଶ ଅଘାଡ଼ି ସରକାର ବିରୋଧରେ ବିଦ୍ରୋହ କରୁଥିବା ୧୫ ଜଣ ଶିବସେନା ବିଧାୟକଙ୍କୁ କେନ୍ଦ୍ର ସରକାର ଓ୍ୱାଇ ପ୍ଲସ ସୁରକ୍ଷା ପ୍ରଦାନ କରିଛନ୍ତି । ବିଦ୍ରୋହର ନେତୃତ୍ୱ ନେଉଥିବା ଏକନାଥ ସିନ୍ଧେଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ଅଫିସ, ଘର ଓ ମାଲିକାନାରେ ଥିବା ସ୍ଥାନରେ ଶିବସେନା କର୍ମୀମାନେ ଆକ୍ରମଣ ଓ ଭଙ୍ଗାରୁଜା କରୁଥିବାରୁ ଏଭଳି ସୁରକ୍ଷା ପ୍ରଦାନ କରାଯାଇଥିବା କୁହାଯାଉଛି ।

ତେବେ ସିନ୍ଧେ ଏହି ସୁରକ୍ଷା ଭିତରେ ନାହାନ୍ତି । ବିଧାୟକଙ୍କ ଘର ଆଗରେ କମାଣ୍ଡୋଙ୍କ ସହ ପୋଲିସ କର୍ମୀ ମୁତୟନ କରାଯାଇଛି । ସେହିପରି ଆଉ କିଛି ବିଧାୟକଙ୍କ ଘର ଆଗରେ ସିଆରପିଏଫ୍ ଯବାନଙ୍କ ଦ୍ୱାରା ସୁରକ୍ଷା ଦିଆଯାଉଛି । ସିନ୍ଧେଙ୍କ ଗୋଷ୍ଠୀରେ ଥିବା ଅନ୍ୟ ବିଧାୟକଙ୍କୁ ପୋଲିସ ସୁରକ୍ଷା ଦିଆଯାଇଛି । ସେପଟେ ଗତକାଲି ଉଦ୍ଧବ ଠାକରେଙ୍କ ଦ୍ୱାରା ଆହୁତ ବୈଠକରେ ଯୋଗ ଦେଇନଥିବା ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ନୋଟିସ ଦିଆଯାଇଛି । ଅନ୍ୟପକ୍ଷରେ ଏହାର ଜବାବ ଦେବା ଲାଗି ୭ ଦିନ ସମୟ ଦେବାକୁ ସିନ୍ଧେ କ୍ୟାମ୍ପ ଦାବି କରିଛନ୍ତି ।

ଅନ୍ୟପଟେ ବିଦ୍ରୋହୀଙ୍କୁ ସୁରକ୍ଷା ଦିଆଯିବାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଶିବସେନା ନେତା ଆଦିତ୍ୟ ଠାକରେ । ସାନ୍ତାକ୍ରୁଜର କାଲିନାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଆଦିତ୍ୟ କହିଛନ୍ତି ଯେ, ସୁରକ୍ଷା ବିଦ୍ରୋହୀଙ୍କୁ ନୁହଁ କାଶ୍ମୀରର ପଣ୍ଡିତଙ୍କୁ ଅଧିକ ଆବଶ୍ୟକ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଶିବସେନାର ଚିହ୍ନ ଓ ଲୋକଙ୍କ ଭଲ ପାଇବା ତାଙ୍କଠାରୁ କେହି ନେଇ ପାରିବେ ନାହିଁ ।