Odisha Politics
ଆଗୁଆ ଭାଙ୍ଗିବ କି ବିଧାନସଭା ? ଡିସେମ୍ବରରେ ଭୋଟକୁ ଯିବାକୁ ପ୍ଲାନ୍ କରୁଛି କି ବିଜେଡି ? ଯଦି ହଁ, ସେପ୍ଟମ୍ବର ଦ୍ବିତୀୟ ସପ୍ତାହରେ ବିଧାନସଭା ଭାଙ୍ଗିବାକୁ ସୁପାରିଶ କରିପାରନ୍ତି ସରକାର ସରକାରୀ ସ୍ତରରେ ପ୍ରସ୍ତୁତି ଓ ବିଜେଡିର ଦଳୀୟ ସ୍ତରରେ ତତ୍ପରତା ଇସାରା କରୁଛି, ହୁଏତ ଆଗୁଆ ଭୋଟ୍ କରିବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ନିର୍ଦ୍ଧାରିତ ସମୟ ଦେଖିଲେ ଆସନ୍ତା ଏପ୍ରିଲରେ ନିର୍ବାଚନ ହେବା କଥା । କିନ୍ତୁ ଆଗୁଆ ବିଧାନସଭା ଭଂଗ ହେଲେ ଡିସେମ୍ବରରେ ଭୋଟ୍ ହେବ ବୋଲି ଆକଳନ କରାଯାଉଛି। କାହିଁକି ନା ଛତିଶଗଡ଼, ତେଲେଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମିଜୋରାମରେ ଡିସେମ୍ବରରେ ବିଧାନସଭା ନିର୍ବାଚନ ହେବ।
ରାଜ୍ୟ ସରକାର ଯଦି ଏହି ସମୟରେ ଭୋଟ୍କୁ ଯିବାକୁ ଚାହୁଁଛନ୍ତି, ତାହେଲେ ସେପ୍ଟମ୍ବର ଦ୍ୱିତୀୟ ସପ୍ତାହ ସୁଦ୍ଧା ବିଧାନସଭା ଭାଙ୍ଗିବାକୁ ପଡ଼ିବ। ଏସବୁ ଚର୍ଚ୍ଚା ଭିତରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ବି ସେ ଦିଗକୁ ଇସାରା କରୁଛି। ଆସନ୍ତା ସେପ୍ଟମ୍ବର ୧୩ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗର ଅଧିକାରୀ । ଏହି ଟିମ୍ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ନିର୍ବାଚନ ପ୍ରସ୍ତୁତି ଉପରେ ଆଲୋଚନା କରିବେ। ଅନ୍ୟପକ୍ଷରେ ଆବଶ୍ୟକ ଅନୁସାରେ ଇଭିଏମ୍ ପହଞ୍ଚି ସାରିଛି।
ସେହିପରି ୯ଟି ଜିଲ୍ଲାକୁ ଭିଭିପାଟ୍ ବି ଆସି ସାରିଛି। ଅନ୍ୟ ୨୧ ଜିଲ୍ଲାକୁ ଭିଭିପାଟ୍ ଆସିବା ପରେ ଅକ୍ଟୋବରରେ ସମସ୍ତ ଇଭିଏମ୍ ଓ ଭିଭିପାଟ୍ ଯାଂଚ ହେବ। ସେହିପରି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବି ଚାଲିଛି। ତେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ନିର୍ବାଚନ ପ୍ରସ୍ତୁତି ଏକ ରୁଟିନ୍ ୱାର୍କ। ଭୋଟ୍ ତାରିଖ ସଂପର୍କରେ ଇସିଆଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
ସେପଟେ ଫାଇଭ୍-ଟି ସଚିବଙ୍କ ଘନ ଘନ ଜିଲ୍ଲା ଗସ୍ତ, ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ, ସବୁ ବର୍ଗ ଲାଗି ସ୍କିମ ପରେ ସ୍କିମ୍ ଘୋଷଣା, ସରକାରୀ ଅଧିକାରୀଙ୍କ ବଦଳି ଓ ବିଜେଡି ନେତାଙ୍କୁ ଡିସେମ୍ବରରେ ନିର୍ବାଚନ ଲାଗି ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ମିଳିବା ସଙ୍କେତ ଦେଉଛି ବିଜେଡି ଆଗୁଆ ଭୋଟ୍ ଲାଗି ପ୍ରସ୍ତୁତ ହେଉଛି। ଆଗୁଆ ଭୋଟ୍ ଚର୍ଚ୍ଚା ସଂପର୍କରେ ସମସ୍ତ ଦଳ କହିଛନ୍ତି, ଭୋଟ୍ ଯେବେ ହେଲେ ବି ସେମାନେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି।
କେବଳ ଓଡ଼ିଶାରେ ନୁହେଁ ଅନ୍ୟାନ୍ୟ ରାଜ୍ୟରେ ବି ଲୋକସଭା ଭୋଟ୍ ଆଗୁଆ ହେବା ନେଇ ଚର୍ଚ୍ଚା ଲାଗି ରହିଛି। ଡିସେମ୍ବର କିମ୍ବା ଜାନୁଆରୀରୋ ଲୋକସଭା ଭୋଟ ହେବ ବୋଲି ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ। ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ କହିଛନ୍ତି ଯେକୌଣସି ସମୟରେ ଭୋଟ୍ ହୋଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693320593.jpg)