Andhra Pradesh KOTIA Odisha
ଭୁବନେଶ୍ୱର: ଆନ୍ଧ୍ରର ରାଜନୈତିକ ଚାଲ୍ ଭିତରେ ଓଡ଼ିଶା ମାନଚିତ୍ରରୁ ହଜିଯିବନି ତ କୋଟିଆ ଗ୍ରାମପୁଞ୍ଜ ? ନବୀନ ସରକାରଙ୍କ କୋହଳ ମନୋଭାବର ଫାଇଦା ନେଇ କୋଟିଆବାସୀଙ୍କୁ ନିଜର କରାଇ ଦେବେନି ତ ଜଗନ୍ ସରକାର ? କାରଣ ସାମ୍ନାକୁ ଆସିଛି ନୂଆ ଫନ୍ଦି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ସାଲୁର ବିଧାୟକ ରାଜନ୍ନା ଦୋରାଙ୍କ ଆଖିତରାଟିଲା ଭଳି ପୋଷ୍ଟ । ରାଜନ୍ନା କୋଟିଆବାସୀଙ୍କୁ ଧନ୍ୟବାଦ ଦେବା ସହ ଲେଖିଛନ୍ତି, କୋଟିଆବାସୀ ଆନ୍ଧ୍ରରେ ରହିବା ଲାଗି ଲିଖିତ ଭାବେ ଜଣାଇଛନ୍ତି ।
ଓଡ଼ିଶା ସହ ସୀମା ବିବାଦ ଅନେକ ଦିନ ଧରି ରହି ଲାଗି ରହିଥିଲେ ବି ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହାର ସମାଧାନ କରିପାରିନଥିଲେ । କିନ୍ତୁ ଏବେକାର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଏଭଳି ପଦକ୍ଷେପ ନେଇଥିବାରୁ ତାଙ୍କୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ସାଲୁର ବିଧାୟକ । ଏହି ପୋଷ୍ଟକୁ ନେଇ ଲାଗିରହିଥିବା ହଟଚମଟ ଭିତରେ କୋଟିଆବାସୀ କହିଛନ୍ତି, କୌଣସି କୋଟିଆବାସୀ ଏଭଳି ଲେଖିକି ଦେଇନାହାଁନ୍ତି ବରଂ ତାଙ୍କ ନେତାଙ୍କୁ ଖୁସି କରିବା ପାଇଁ ଆନ୍ଧ୍ର ଦ୍ୱାରା ନିର୍ବାଚିତ ଫଗୁଣସିନେରୀ, ଫଟୁସିନେରୀ, କନଦୋରା, ମାଡ଼କାର ଆଦି ଗାଁର ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ପୂର୍ବତନ ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ କିଛି ଆନ୍ଧ୍ର ଏଜେଣ୍ଟ ଏଭଳି ହୀନ ଉଦ୍ୟମ କରିଛନ୍ତି । ଏଥିପାଇଁ ସେମାନଙ୍କୁ ଆନ୍ଧ୍ର ପ୍ରଶାସନ ସମ୍ମାନିତ ବି କରିଥିଲା ।
ଗତ ୯ ତାରିଖରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନଙ୍କ ମଧ୍ୟରେ ଭୁବନେଶ୍ୱରରେ ବସିଥିଲା ବୈଠକ । ନିଷ୍ପତ୍ତି ହୋଇଥିଲା ଓଡ଼ିଶା-ଆନ୍ଧ୍ର ସୀମା ବିବାଦର ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହେବ । ଉଭୟ ରାଜ୍ୟର ମୁଖ୍ୟ ସଚିବ ମିଳିତ ଭାବେ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ । ଏପରିକି ଜଳସଂପଦ, ରାଜସ୍ୱ, ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀ ବି କମିଟିରେ ରହିବେ । ଏହାସତ୍ୱେ ବି ନିଜର ଦୋମୁହାଁ ନୀତିରୁ ଓହରୁନି ଆନ୍ଧ୍ର । ଯେଉଁଦିନ ନବୀନ-ଜଗନଙ୍କ ବୈଠକ ଥିଲା, ତାପୂର୍ବଦିନ କୋଟିଆରେ ପଶି ଆନ୍ଧ୍ର ବାଣ୍ଟିଥିଲା ଜଙ୍ଗଲଜମି ପଟ୍ଟା, କରିଥିଲା ଗ୍ରାମସଭା ।
ଏହାପୂର୍ବରୁ କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବିରାଟ ପୋଷ୍ଟର ସବୁ ବି ମାରିଥିଲେ । ଏବେ ଆନ୍ଧ୍ରର ଶାସକ ଦଳର ଜଣେ ବିଧାୟକଙ୍କ ସ୍ୱୀକାରୋକ୍ତି ଛିଡ଼ା କରାଇଛି ନୂଆ ବିବାଦ । ତେବେ କେଉଁ ପରିସ୍ଥିତିରେ ଆନ୍ଧ୍ରକୁ ନିଜର ସମର୍ଥନ ପତ୍ର ଦେଲେ କୋଟିଆବାସୀ ? ବୈଠକରେ ଧାର୍ଯ୍ୟ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପୂର୍ବରୁ କେଉଁ ଆଧାରରେ ସୋସିଆଲ୍ ମିଡିଆରେ ଏଭଳି ମନ୍ତବ୍ୟ ରଖିଲେ ସାଲୁର MLA ? ସେନେଇ ସ୍ପଷ୍ଟ ହୋଇନଥିବା ବେଳେ କୋରାପୁଟରେ କିନ୍ତୁ ଖଡ଼ଗହସ୍ତ ସବୁ ଦଳର ନେତା ।
୧୯୬୮ରୁ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ କୋଟିଆ ଗ୍ରାମପୁଞ୍ଜର ୨୨ଟି ଗାଁକୁ ନେଇ ସୀମା ବିବାଦ ଲାଗିରହିଛି । ଏପରିକି ମାମଲା ସୁପ୍ରିମକୋର୍ଟକୁ ଯାଇଛି । ଏସବୁ ଭିତରେ ଆନ୍ଧ୍ରର ଷଡ଼ଯନ୍ତ୍ର ଆଗକୁ କେଉଁ ରୂପ ନେଉଛି, ତା ଉପରେ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636735199.jpg)