କାହିଁକି ହାରିଲା ବିଜେଡି; ମୁହଁ ଖୋଲିଲେ ଆଉ ଜଣେ ନେତା, କହିଲେ...

ନିର୍ବାଚନରେ ପଞ୍ଚାୟତ, ବ୍ଲକ ସଭାପତିଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଗଲାନି । ଦାୟିତ୍ୱ ଓ ଗୁରୁତ୍ୱ ଦିଆ ନଯିବାରୁ ଦଳର ପରାଜୟ ହେଲା ବୋଲି କହିଛନ୍ତି ପୂର୍ବତନ ବିଧାୟକ ମହୀଧର ରଣା ।

BJD

ଚଳିତ ନିର୍ବାଚନରେ କାହିଁକି ହାରିଲା ବିଜେଡି । ଜଣଙ୍କ ପରେ ଜଣେ ନେତା ମୁହଁ ଖୋଲୁଛନ୍ତି । ପରାଜୟ ନେଇ ବଡ଼ ବୟାନ ରଖିଛନ୍ତି ପୂର୍ବତନ ବିଧାୟକ ମହୀଧର ରଣା । ସେ କହିଛନ୍ତି, ଆମ ନିଜ ନିଜ ଭିତରେ ଆକ୍ରୋଶ ମନୋଭାବ ରହିଲା । ନିର୍ବାଚନରେ ପଞ୍ଚାୟତ, ବ୍ଲକ ସଭାପତିଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଗଲାନି । ଦାୟିତ୍ୱ ଓ ଗୁରୁତ୍ୱ ଦିଆ ନ ଯିବାରୁ ଦଳର ପରାଜୟ ହେଲା ବୋଲି କହିଛନ୍ତି ପୂର୍ବତନ ବିଧାୟକ ମହୀଧର ରଣା ।

ସେ ଆହୁରି କହିଛନ୍ତି ଯେ, ବିଜେପି ତୁଳନାରେ ବିଜେଡିର ଇସ୍ତାହାର ଆଖି ଦୃଶିଆ ନଥିଲା । ଦଳରେ ଅନେକ ତ୍ରୁଟି ବିଚ୍ୟୁତି ଦଳୀୟ କନ୍ଦଳକୁ ଆହୁରି ବଢ଼ାଇଲା । ଆମ ଆମ ମଧ୍ୟରେ ଟଣା ଓଟରା ବଢ଼ିବାରୁ ଦଳର ପରାଜୟ ହେଲା ବୋଲି କହିଛନ୍ତି ମହୀଧର ରଣା । ଆଜି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ବସୁଥିବା ବେଳେ ତା ପୂର୍ବରୁ ସେ ଏଭଳି ବୟାନ ଦେଇଛନ୍ତି । ଆଗାମୀ ଦିନରେ ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମ ସହ ସାଂଗଠନିକ ରୂପରେଖ ନେଇ ଶଙ୍ଖ ଭବନରେ ବୈଠକରେ ଆଲୋଚନା ହେବ । ସଂଗଠନକୁ ଆହୁରି ମଜବୁତ କରିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେବେ ନବୀନ ପଟ୍ଟନାୟକ ।

ବିଜେଡିର ଶୋଚନୀୟ ପରାଜୟ ପଛର କାରଣ କ’ଣ ? ନିର୍ବାଚନ ହାରିବାର ୩ ମାସ ପରେ ପରାଜୟର କାରଣ କହିଥିଲେ ନବରଙ୍ଗପୁର ବିଜେଡି ପରାଜିତ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ସୂଚନା ଅନୁସାରେ ଶଙ୍ଖ ଭବନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସାଂଗଠନିକ କର୍ମକର୍ତ୍ତାଙ୍କୁ ଡାକି ସମୀକ୍ଷା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଦୁଇ ଜିଲ୍ଲାରେ ବିଜୁ ଜନତା ଦଳ କାହିଁକି ନିର୍ବାଚନ ହାରିଲା, ପରାଜୟର କାରଣ କ’ଣ ବୋଲି ପଚାରିଥିଲେ ନବୀନ ପଟ୍ଟନାୟକ ।

ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଆଗରେ ନବରଙ୍ଗପୁର ଜିଲ୍ଲାରେ ପରାଜୟର ୩ ବଡ଼ କାରଣ ରଖିଥିଲେ ପ୍ରଦୀପ । ପ୍ରଥମ କାରଣ ହେଉଛି, ମେଣ୍ଟ ପ୍ରଚାର ଯୋଗୁଁ ସଂଖ୍ୟାଲଘୁଙ୍କ ମଧ୍ୟରେ ଆମେ ବିଶ୍ବସନୀୟତା ହରାଇଲୁ । ଦ୍ବିତୀୟରେ ନେତାଙ୍କ ମଧ୍ୟରେ ଅନ୍ତଃକନ୍ଦଳ । ନେତାଙ୍କ ଭିତରେ ଥିବା ଅର୍ନ୍ତଘାତୀ କାର୍ଯ୍ୟକଳାପ ବିଜେଡି ପରାଜୟ ପାଇଁ ଦାୟୀ ବୋଲି ପ୍ରଦୀପ ମାଝୀ କହିଥିଲେ । ସେହିପରି ତୃତୀୟରେ ଖରାପ ନିର୍ବାଚନ ପରିଚାଳନା । ନିର୍ବାଚନ ଜିତିବା ନେଇ ଆଦୌ କୌଣସି ମେକାନିଜମ୍‌ ନଥିଲା, ଯେଉଁଥି ପାଇଁ ବିଜେଡି ନିର୍ବାଚନ ହାରିଲା ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ପ୍ରଦୀପ ମାଝୀ କହିଥିଲେ ।

ପ୍ରଦୀପ ମାଝୀଙ୍କ ପରେ ବିଜେଡି ପରାଜୟର କାରଣ ଜଣାଇଲେ ବିଧାୟକ ବଦ୍ରି ପାତ୍ର । ନବୀନ ପଟ୍ଟନାୟକ ନ ବୁଲିବା କାରଣରୁ ବିଜେଡିର ପରାଜୟ ହେଲା ବୋଲି ସେ କହିଥିଲେ । ବିଜୁ ଜନତା ଦଳର ସବୁ ସ୍ଥାନରେ ଭୋଟ୍‌ ଅଛି । କିନ୍ତୁ ନବୀନ ପଟ୍ଟନାୟକ ବୁଲିଲେ ନାହିଁ କି ସମୟ ଦେଇ ପାରିଲେ ନାହିଁ । ସେ ଦୃଷ୍ଟିରୁ କେତେକ ସ୍ଥାନରେ ସଂଗଠନ କ୍ଷତିଗ୍ରସ୍ତ ହେଲା । ବିଜେଡିର ଫଳାଫଳ ଖରାପ ହେଲା ବୋଲି କହିଥିଲେ । ବିଜେଡିର ଭୋଟ୍‌ ଅଛି । ନବୀନ ପଟ୍ଟନାୟକ ଆଉଥରେ ବୁଲିଲେ ସଂଗଠନ ଫେରିଆସିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।