/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748606008.jpg)
Shashi Tharoor
ଆପଣ ତାଙ୍କୁ ଜଣେ କୂଟନୀତିଜ୍ଞ କହିପାରନ୍ତି ଜଣେ ରାଜନେତା ବି କହିପାରନ୍ତି । କେହି କେହି ତାଙ୍କୁ ରାଜନୀତିରେ ଥିବା ଜଣେ କୂଟନୀତିଜ୍ଞ ବି କୁହନ୍ତି । ସେ ମାପିଚୁପି କଥା କହିବାରେ ମାହିର୍ । ସେ ଦଳ ନିଷ୍ପତ୍ତିର ପ୍ରତିକୂଳ ସ୍ରୋତରେ ବି ଯାଇପାରନ୍ତି । କିନ୍ତୁ ଦଳର ନେତାମାନେ ତାଙ୍କ ବିରୋଧରେ କହିବାକୁ ସାହସ କରିପାରନ୍ତି ନାହିଁ । କାରଣ ସବୁ ପ୍ରଶ୍ନ ପାଇଁ ତାଙ୍କ ପାଖରେ ଉତ୍ତର ଥାଏ । ଏହି ରାଜନେତା ଜଣକ ହେଉଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ସେ ତିରୁବନନ୍ତପୁରମ ଆସନରୁ ୪ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଶଶି ଥରୁର ରୂପକ କ୍ଷେପଣାସ୍ତ୍ର କଂଗ୍ରେସକୁ ମାଡ଼ ଦେଇଚାଲିଛି । କିନ୍ତୁ କଂଗ୍ରେସ ନିରୁପାୟ ।
ପାକିସ୍ତାନର ଆତଙ୍କବାଦ ବିରୋଧରେ ସେ ଏକ ସର୍ବଦଳୀୟ ପ୍ରତିନିଧି ଟିମର ନେତୃତ୍ୱ ନେଇ ବିଦେଶ ଗସ୍ତରେ ଯାଇଛନ୍ତି । ସେ ଆମେରିକା, ଦକ୍ଷିଣ ଆଫ୍ରିକା ଓ ଇଜିପ୍ଟ ଆଦି ଦେଶ ଗସ୍ତ କରୁଛନ୍ତି । ଆତଙ୍କବାଦ ବିରୋଧରେ ଭାରତ ସରକାରଙ୍କ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ନେଇ ସେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଓ ବରିଷ୍ଠ ଅଧିକାରୀଙ୍କୁ ବୁଝାଉଛନ୍ତି । ସେ ବିଦେଶରେ ସ୍ପଷ୍ଟ ଭାବେ କହୁଛନ୍ତି, ମୁଁ ସରକାରୀ ଦଳର ନୁହେଁ କିନ୍ତୁ ଅପରେସନ ସିନ୍ଦୂରକୁ ଶତ ପ୍ରତିଶତ ସମର୍ଥନ କରୁଛି । ସବୁଠୁ ବଡ଼ କଥା ହେଉଛି, କଂଗ୍ରେସ ଦଳ ଚାହୁଁନଥିଲା ଯେ ଶଶି ଥରୁର ଏହି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀରେ ସ୍ଥାନ ପାଆନ୍ତୁ ବୋଲି । କଂଗ୍ରେସ ପକ୍ଷରୁ ଅନ୍ୟ ସାଂସଦଙ୍କ ନାଁ ଏଥିପାଇଁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ କେନ୍ଦ୍ର ସରକାର ଶଶି ଥରୁରଙ୍କୁ ଏଥିପାଇଁ ବାଛିଛନ୍ତି । ସେ ଟିମ୍ ଲିଡର ହୋଇ ବିଦେଶ ଯାଇଛନ୍ତି ।
ସେ କିଛି ମାସ ତଳେ କେରଳର ଏଲଡିଏଫ୍ ସରକାରକୁ ପ୍ରଶଂସାରେ ପୋତି ପକାଇଥିଲେ । କେରଳରେ ଅର୍ଥନୈତିକ ଅଭିବୃଦ୍ଧି ଓ ନିରନ୍ତର ବିକାଶ ଘଟୁଥିବାର ସେ ଖୋଲାଖୋଲି କହିଥିଲେ । ଏଭଳି ପ୍ରତିକ୍ରିୟାରେ ତାଙ୍କ ଦଳର ନେତାମାନେ ରାଗିପାଚି ଲାଲ୍ ହୋଇଗଲେ । କିନ୍ତୁ କିଛି କହିପାରିଲେନି । ସେ ଦଳରେ ଥାଇ ବି ସ୍ୱାଧୀନ ଭାବେ ମତ ଦେବାରେ କେବେ ବି କୁଣ୍ଠାବୋଧ କରନ୍ତି ନାହିଁ । କିନ୍ତୁ ଦଳ ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନି । ନା ଦଳ ତାଙ୍କୁ ବାହାର କରିପାରୁଛି ନା ଦଳର ଶୃଙ୍ଖଳା ଭିତରେ ବାନ୍ଧି ରଖିପାରୁଛି । ତେବେ କେଉଁ କାରଣ ପାଇଁ ସେ କଂଗ୍ରେସ ଦଳ ଉପରେ ଭାରି ପଡୁଛନ୍ତି, ଆସନ୍ତୁ ଜାଣିବା ୫ଟି କାରଣ ।
୧- କେରଳରେ ଆଗକୁ ନିର୍ବାଚନ ହେବାକୁ ଯାଉଛି । ରାଜ୍ୟରେ ସେ ଆକାଂକ୍ଷୀ ନେତାଙ୍କ ମଧ୍ୟରେ ଜଣେ ଅଛନ୍ତି । କେରଳର ମଧ୍ୟବିତ୍ତ ଶ୍ରେଣୀର ଲୋକ ବିଶେଷ କରି କିଛି ସଂପ୍ରଦାୟ ଓ ଜାତି ମଧ୍ୟରେ ତାଙ୍କର କ୍ରେଜ୍ ରହିଛି । ତାଙ୍କର ବହୁ ମହିଳା ଫଲୋୟର୍ସ ମଧ୍ୟ ଅଛନ୍ତି । ଯଦି ଦଳ ତାଙ୍କ ବିରୋଧରେ କିଛି ଆକ୍ସନ ନିଏ, ତାହା ସିଧାସଳଖ ଭାବେ ବିଜେପିକୁ ସୁହାଇବ ବୋଲି ଅନେକ ମତ ଦେଉଛନ୍ତି ।
୨- ସେ ହେଉଛନ୍ତି ଜାତିରେ ନାୟର୍ । କେରଳ ରାଜନୀତିରେ ଏହି ଜାତିର ପ୍ରଭାବ ରହିଛି । ଶଶି ଥରୁର ସବୁବେଳେ ବାମପନ୍ଥୀ ନେତାମାନଙ୍କ ସହ ଭଳ ସଂପର୍କରେ ଥାଆନ୍ତି । ସେ ସବୁବେଳେ ହିନ୍ଦୁ ଓ ସଂଖ୍ୟାଲଘୁ ଭୋଟରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଚାଲନ୍ତି । ସେ ସମସ୍ତଙ୍କ ସାଙ୍ଗରେ ଭଲ ସଂପର୍କ ରଖନ୍ତି ଓ କେବେ କାହା ବିରୋଧରେ ବିଷୋଦଗାର କରନ୍ତି ନାହିଁ । ସେଇଥିପାଇଁ ତିରୁବନନ୍ତପୁରମ ଭଳି ଏକ ପ୍ରମୁଖ ଆସନରୁ ସେ ଲଗାତର ଜିତିଆସୁଛନ୍ତି ।
୩- ଦଳରେ ଅନେକ ନେତା ମାନନ୍ତୁ ବା ନମାନନ୍ତୁ ଶଶି ଥରୁର କେରଳରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରନ୍ତି । ବର୍ତ୍ତମାନର କମ୍ୟୁନିଷ୍ଟ ମୁଖ୍ୟମନ୍ତ୍ରୀ ପି ବିଜୟନଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଟକ୍କର ଦେଇପାରନ୍ତି । ୨୦୨୬ ବିଧାନସଭା ନିର୍ବାଚନରେ ବିଜେପି ରାଜୀବ ଚନ୍ଦ୍ରଶେଖରନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିପାରେ । କେବଳ ରାଜ୍ୟରେ ନୁହେଁ ଜାତୀୟ ସ୍ତରରେ ମଧ୍ୟ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିପାରିଛନ୍ତି ।
୪- ଶଶି ଥରୁରଙ୍କ ଲୋକପ୍ରିୟତା ଥିଲେ ବି ତାଙ୍କ ପାଇଁ ବିପଦ ସୃଷ୍ଟି କରିଛନ୍ତି ଗାନ୍ଧୀ ପରିବାରର ସବୁଠୁ ଖାସ୍ ଅନୁଗତ କେ ସି ବେନୁଗୋପାଳ । ବେନୁଗୋପାଳଙ୍କ ଘର କେରଳରେ । ତେବେ ଶଶିଙ୍କ ବିରୋଧରେ କିଛି ବି ଆକ୍ସନ ନିଆଗଲେ, ବିଜେପି ଏହାକୁ ଏକ ରାଜନୈତିକ ପ୍ରସଙ୍ଗ କରିପାରେ । କଂଗ୍ରେସରେ ମେରିଟ୍ ନୁହେଁ, ଆନୁଗତ୍ୟକୁ ଅଧିକ ପ୍ରାଧାନ୍ୟ ଦିଆଯାଏ ବୋଲି ବିଜେପି ଏକ ପ୍ରସଙ୍ଗ କରିଦେବ । ଗାନ୍ଧୀ ପରିବାରର ସଦସ୍ୟ କେରଳରୁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି । ତେଣୁ ଶଶି ଥରୁରଙ୍କ ବିରୋଧରେ ଆକ୍ସନ ହେଲେ, ଗାନ୍ଧୀ ପରିବାରର ନିର୍ବାଚନ ଉପରେ ତା’ର ପ୍ରଭାବ ପଡିବାର ଆଶଙ୍କା ରହିଛି ।
୫- ଶଶି ଥରୁରଙ୍କ କାର୍ଯ୍ୟକୁ କଂଗ୍ରେସର ଅନେକ ନେତା ସହଜରେ ଗ୍ରହଣ କରିପାରୁନାହାନ୍ତି । କିନ୍ତୁ ଶଶି ଏମିତି ଏକ ପ୍ରସଙ୍ଗରେ ଦେଶର ବାର୍ତ୍ତାବହ ହୋଇ ବିଦେଶ ଯାଇଛନ୍ତି, କଂଗ୍ରେସ ନେତା ତାଙ୍କ ବିରୋଧରେ ମୁହଁ ବି ଖୋଲିପାରୁନାହାନ୍ତି । ଏହି ପ୍ରସଙ୍ଗରେ ଶଶିଙ୍କୁ ଦଳ ତରଫରୁ ଯଦି କିଛି କୁହାଯାଏ, ତାହା ସାରା ଦେଶରେ ଦଳର ଛବି ମଳିନ କରିଦେବ । ତେଣୁ ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ ଶଶି ଥରୁରଙ୍କୁ ନା ଗିଳି ପାରୁଛି ନା ଛାଡି ପାରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)