Advertisment

ମହାରାଷ୍ଟ୍ରରେ କାହିଁକି ବିଜେପି ନମ୍ବର ଟୁ ସ୍ଥାନ ବାଛିଲା ?

ମହାରାଷ୍ଟ୍ର ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା, ହଠାତ୍ ସିନ୍ଦେଙ୍କୁ କେମିତି ମିଳିଲା ସିଏମ୍ ମୁକୁଟ?

author-image
Prangyan Parimita
ଅଦ୍ୟତନ ହୋଇଛି
Maharashtra Crisis

Maharashtra Crisis

ମହାରାଷ୍ଟ୍ରରେ କାହିଁକି ବିଜେପି ନମ୍ବର ଟୁ ସ୍ଥାନ ବାଛିଲା ? କାହିଁକି ଦଳ ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ରହିଲା ? ସିନ୍ଦେଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଆସନ ଛାଡିବା ପଛରେ କଣ ହୋଇଥାଇପାରେ କାରଣ । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ଚେହେରାଙ୍କୁ କାହିଁକି ଉପମୁଖ୍ୟମନ୍ତ୍ରୀ କରାଗଲା? ଏବେ ଏଭଳି ପ୍ରଶ୍ନ ପ୍ରାୟ ସମସ୍ତଙ୍କ ମୁହଁରେ ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପଛରେ ବିଜେପିର ବଡ ଭୂମିକା ଥିବା ଉଦ୍ଧବ ଆଣ୍ଡ୍ କୋ ଅଭିଯୋଗ କରୁଥିଲେ । ହେଲେ ବିଜେପିର ମହାଷ୍ଟ୍ରୋକ୍ ଆଗରେ ସବୁ କିଛି ଓଲଟା ହୋଇଗଲା ।

Advertisment

ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ବିରାମ ଲାଗିଛି ସତ, ହେଲେ ବଦଳିଥିବା ସମୀକରଣକୁ ନେଇ ସବୁଠି ଚର୍ଚ୍ଚା ଆଲୋଚନା । ସମସ୍ତଙ୍କ ମନରେ ଘଂଟାଚକଟା ପୂର୍ବରୁ ଦେବେନ୍ଦ୍ର ଫଡ଼ନାଭିସ୍ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ, ହଠାତ୍ ସିନ୍ଦେଙ୍କୁ କେମିତି ମିଳିଲା ସିଏମ୍ ମୁକୁଟ?

ସମ୍ଭାବ୍ୟ କାରଣ-୧: ହେଉଥିବା ଚର୍ଚ୍ଚା ଅନୁସାରେ, ବିଜେପିର ଛବିରେ ବଡ଼ ଧରଣର ସୁଧାର ଆଣିବ ଏହି ନିଷ୍ପତ୍ତି । ବିଜେପିକୁ ଆଉ କ୍ଷମତାଲୋଭୀ ବୋଲି ଆରୋପ ଲଗାଇପାରିବେନି ବିରୋଧୀ । ୨୦୧୯ରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ସହ ଅଙ୍କ ନଛିଣ୍ଡିବାରୁ ଏନସିପି ସହ ମିଶି ସରକାର ଗଢିଥିଲା ବିଜେପି । ଏନସିପିର ଅଜିତ ପାୱାରଙ୍କ ସମର୍ଥନରେ ଫଡ଼ନଭିସ ମୁଖ୍ୟମନ୍ତ୍ରୀ ବନିଥିଲେ । ହେଲେ ମେଣ୍ଟ ସରକାର ଅଧିକ ଦିନ ତିଷ୍ଠିପାରିନଥିବା ବେଳେ ବିଜେପି ଦେହରେ ଲାଗିଥିଲା କ୍ଷମତା ଲୋଭୀର ଟ୍ୟାଗ୍ । ସଦ୍ୟ ରାଜନୈତିକ ହଟଚମଟ ଅର୍ଥାତ୍ ସିନ୍ଦେ ଗୋଷ୍ଠୀଙ୍କ ବିରୋଧ ପଛରେ ବିଜେପିର ହାତ ରହିଛି ବୋଲି ମଧ୍ୟ ଅଭିଯୋଗ କରିଥିଲା ଶିବସେନା । ତେଣୁ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ି ସେହି ଟ୍ୟାଗକୁ ହଟାଇବାକୁ ଉଦ୍ୟମ କରିଥାଇପାରେ ବିଜେପି ।

Advertisment

ସମ୍ଭାବ୍ୟ କାରଣ-୧ : ଏକନାଥ ସିନ୍ଦେଙ୍କ ଭଳି ଜଣେ ଶିବସୈନିକଙ୍କୁ ମହାରାଷ୍ଟ୍ରର ମଙ୍ଗ ଧରାଇ ମାଷ୍ଟରଷ୍ଟ୍ରୋକ୍ ମାରିଛି ବିଜେପି । ଉଦ୍ଧବ ଠାକରେ ଗାଦିରୁ ଯିବା ପରେ ବି ସିନ୍ଦେଙ୍କ ଭଳି ଜଣେ ଶିବସେନା କର୍ମୀଙ୍କ କାନ୍ଧରେ ରହିଛି ମହାରାଷ୍ଟ୍ରର ଶାସନ ଭାର । ଇସ୍ତଫା ଦେବା ବେଳେ ମହାରାଷ୍ଟ୍ର ବାସୀଙ୍କୁ ସମ୍ବୋଧନ କରି ଉଦ୍ଧବ କହିଥିଲେ ଯେ, ସେମାନେ ବାଲାସାହେବଙ୍କ ପୁଅକୁ ତଳକୁ ଖସାଇଛନ୍ତି, ସତ୍ତାରୁ ବେଦଖଲ କରିଦେଇଛନ୍ତି । ମହାରାଷ୍ଟ୍ର ଭୋଟରଙ୍କ ଭାବନାକୁ ଛୁଇଁଥିବା ଉଦ୍ଧବଙ୍କ ଏଭଳି ମନ୍ତବ୍ୟକୁ ନିରର୍ଥକ ସାବ୍ୟସ୍ତ କରିଦେଇଛି ବିଜେପିର ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାର ନିଷ୍ପତ୍ତି ।

ସମ୍ଭାବ୍ୟ କାରଣ-୩: ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଲିଗାସୀକୁ ବିଜେପି ସମର୍ଥନ କରୁଥିବା ସ୍ପଷ୍ଟ କରିଦେଇଛି । ଏହାଦ୍ୱାରା ମହାରାଷ୍ଟ୍ରରେ ବିଜେପିର ଛବିରେ ବଡ଼ ଧରଣର ପରିବର୍ତ୍ତନ ଆସିଛି ବୋଲି କହିଲେ ଭୁଲ ହେବନି । ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିବା ବେଳେ ଫଡନଭିସ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଆସନରେ ଜଣେ ଶିବସୈନିକ ବସିବା ସହ ବାଲାସାହେବଙ୍କ ସ୍ୱପ୍ନ ପୂରଣ ହେଲା ।

ସମ୍ଭାବ୍ୟ କାରଣ-୪: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭିତରେ ଏବେ ସବୁଠୁ ବଡ ପ୍ରଶ୍ନ, ଶିବସେନା କାହାର? ଠାକରେ ପରିବାରର ନା ଏକନାଥ ସିନ୍ଦେ ଗୋଷ୍ଠୀର? ଏହାକୁ ନେଇ ଆଇନଗତ ଲଢ଼େଇ ଲମ୍ବା ଚାଲିବାକୁ ଥିବା ବେଳେ ବିଜେପି କିନ୍ତୁ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସପକ୍ଷରେ ରହିଛି ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ସହ ୨୦୨୪ ନିର୍ବାଚନରେ ଦଳ ଅସଲ ଶିବସେନା ସହ ରହିଛି ବୋଲି ସ୍ପଷ୍ଟ କରିବା ବିଜେପି ପାଇଁ ସହଜ ହେବ ।

ସମ୍ଭାବ୍ୟ କାରଣ-୫: ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ସହ ମହାରାଷ୍ଟ୍ରରେ ବଡ଼ ସଂଖ୍ୟାରେ ମରାଠୀ ଭୋଟରଙ୍କୁ ନିଜ ସପକ୍ଷରେ ନେଇପାରିଛି ବିଜେପି । ଆଗାମୀ ନିର୍ବାଚନରେ ଶିବସେନା ସହ ମେଣ୍ଟ ନକରି ବିଜେପି ଯଦି ମୈଦାନକୁ ଓହ୍ଲାଇଥାନ୍ତା ତେବେ ଦଳକୁ ମରାଠୀ ଏବଂ ହିନ୍ଦୁ ଭୋଟ୍ ଭାଗ ହେବାର କ୍ଷତି ସହିବାକୁ ପଡିଥାନ୍ତା ବୋଲି କୁହାଯାଉଛି ।

ମହାରାଷ୍ଟ୍ର ରାଜନୀତିରେ ଉଦ୍ଧବ ଠାକରେ ଏବଂ ଦେବେନ୍ଦ୍ର ଫଡନଭିସଙ୍କୁ ନେଇ ଚର୍ଚ୍ଚା ଭିତରେ ଆବିର୍ଭାବ ହୋଇଛି ଏକନାଥ ସିନ୍ଦେଙ୍କ ଭଳି ଜଣେ ଟାଣୁଆ ଶିବସେନା ନେତାଙ୍କର, ଯାହା ହାତରେ ଏବେ ମହାରାଷ୍ଟ୍ରର ଶାସନ କ୍ଷମତା ।

Devendra Fadnavis Maharashtra Politics Eknath Shinde
Advertisment
Advertisment