ରାଜ୍ୟ ରାଜନୀତିରେ ବେଶ ଗୁରୁତ୍ୱ ରଖୁଛି ଉପକୂଳ ଓଡିଶାର ଚର୍ଚ୍ଚିତ ଜିଲ୍ଲା କେନ୍ଦ୍ରାପଡା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ନେତାଙ୍କ ଦଳ ଡିଆଁ ଚାଲିଥିବା ବେଳେ କେନ୍ଦ୍ରାପଡାରେ କିନ୍ତୁ ସେଭଳି ସ୍ଥିତି ଦେଖିବାକୁ ମିଳିନି । ଜିଲ୍ଲାରେ ରାଜନୈତିକ ସ୍ଥିରତା ବଜାୟ ରହିଛି, ହେଲେ ରାଜନୀତି କିନ୍ତୁ ସରଗରମ ରହିଛି ।
୧୯୯୩ରେ କଟକ ଜିଲ୍ଲାରୁ ଅଲଗା ହୋଇ ସ୍ୱତନ୍ତ୍ର ଜିଲ୍ଲା ହେବା ପରେ ଏଯାଏଁ ପାଂଚ ଥର ପଂଚାୟତ ନିର୍ବାଚନ ହୋଇଛି । ସେଥିରୁ ଥରେ ଜିଲ୍ଲା ପରିଷଦ ସଭାପତି ଆସନରେ ବସିଛି କଂଗ୍ରେସ । ବାକି ୪ ଥର ଏହି ପଦବୀ ଯାଇଛି ବିଜେଡି ହାତକୁ । ୧୯୯୭ରେ ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଥିଲେ କଂଗ୍ରେସର ତାରା କିଙ୍କରୀ ଦାସ । ୨୦୦୨ରେ ବିଜେଡି-ବିଜେପି ମେଂଟ ସରକାର ଥିବା ବେଳେ ବିଜେଡିର ନଗେନ୍ଦ୍ର ବେହେରା ହୋଇଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ । ବିଜେପି ହାତକୁ ଯାଇଥିଲା ଉପାଧ୍ୟକ୍ଷ କୋଟା । ୨୦୦୭ରେ ବିଜେଡିର ମଧୁସ୍ମିତା ଦାସ, ୨୦୧୨ରେ ଶ୍ରୀଧର ସ୍ୱାଇଁ ଏବଂ ୨୦୧୭ରେ ମାନସ କୁମାର ପରିଡା ହୋଇଥିଲେ ଜିଲ୍ଲା ପରିଷଦ ସଭାପତି ।
ଗତ ନିର୍ବାଚନରେ ମୋଟ ୩୨ଟି ଆସନରୁ ବିଜେଡି ୨୨ ଏବଂ ବିଜେପି ୧୦ଟି ଆସନ ପାଇଥିଲା ଆଉ ଖାତା ଖୋଲିପାରିନଥିଲା କଂଗ୍ରେସ । ଏବେ ପଂଚମ ଥର ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଉପରେ କବଜା କରିବାକୁ ଅଙ୍କ କଷିଛି ବିଜେଡି ।
ଏପଟେ ଜିଲ୍ଲାରେ ଆଗ ଅପେକ୍ଷା ମଜବୁତ ସ୍ଥିତିରେ ଅଛି ବିଜେପି ଦଳ । ୨୦୧୪ ସାଧାରଣ ନିର୍ବାଚନରେ ବିଜେଡିକୁ ଦେଇଥିଲା କଡା ଟକ୍କର । ଜିଲ୍ଲାରେ କଂଗ୍ରେସର ଦୁଇ ଦୁଇ ଜଣ ବିଧାୟକ ଥିବା ସତ୍ତ୍ୱେ ୨୦୧୭ ପଂଚାୟତ ନିର୍ବାଚନରେ ଦଳ ୨ ନମ୍ବର ଦଳ ଭାବେ ଉଭା ହୋଇଥିଲା । ଏବେ ଦଳର ସାଂଗଠନିକ ଦକ୍ଷତା ବୃଦ୍ଧି ପାଇଛି । ବିଜେଡିର ସ୍ଥାନୀୟ ନେତାଙ୍କ ମଧ୍ୟରେ ଥିବା କନ୍ଦଳର ଫାଇଦା ଏଥର ବିଜେପିକୁ ମିଳିବ ବୋଲି ଦମ୍ଭ ଦେଖାଇଛନ୍ତି ଜିଲ୍ଲା ସଭାପତି ।
ସେପଟେ ଗତ ନିର୍ବାଚନରେ ଖାତା ଖୋଲିପାରିନଥିବା କଂଗ୍ରେସ ଏଥର ଜିଲ୍ଲା ପରିଷଦ ଗଢିବାକୁ ଜାରଦାର ଉଦ୍ୟମ କରିଛି । ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ପାସେଞ୍ଜର ଟ୍ରେନ୍ ଚଳାଚଳ, ଗ୍ରାମ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ ।
ଏପଟେ ଗାଁ ଗାଁ, ସାହି ଗଳିରେ ଜୋର ଧରିଲାଣି ପ୍ରଚାର । ଘରକୁ ଘର ବୁଲିଲେଣି ଆଶାୟୀ ପ୍ରାର୍ଥୀ ନିଜ ସପକ୍ଷରେ ମତ ଆଣିବାକୁ ଭୋଟରଙ୍କ ପାଖରେ ପହଁଚୁଛନ୍ତି ନେତା । ପ୍ରଥମ ଥର ପାଇଁ ଜିଲ୍ଲା ପରିଷଦ ସଭାପତି ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି , ଯାହା ଉପରେ ରହିଛି ତିନି ଦଳର ନଜର ।
କେନ୍ଦ୍ରାପଡାରୁ ମନୋଜ ସ୍ୱାଇଁଙ୍କ ରିପୋର୍ଟ ଓଟିଭି