Advertisment

ଗଂଜାମର ଗଡ଼ ଜିତିବ କିଏ?

୨୨ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୨୨ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୫୦୩ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ। ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୭ ହଜାର ୯୯ ଅର୍ଥାତ୍ ୭ ହଜାର ୯୯ଟି ଓ୍ୱାର୍ଡର ନେତା ବା ଓ୍ୱାର୍ଡ ସଭ୍ୟ ପଦ ପାଇଁ ବି ହେବ ଭୋଟ୍।

author-image
Sarbeswar
ଅଦ୍ୟତନ ହୋଇଛି
Ganjam

Ganjam

ପଞ୍ଚାୟତ ନିର୍ବାଚନ ପାଇଁ ଫୋକସ୍ ଗଞ୍ଜାମ ଜିଲ୍ଲା। ରାଜ୍ୟ ରାଜନୀତିର ଅନ୍ୟତମ ପଲିଟିକାଲ୍ ହଟସ୍ପଟ୍‌ । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭରୁ ଜିତାଇ ଆସୁଥିବା ଜିଲ୍ଲା ଶାସକ ବିଜେଡିର ଅଭେଦ୍ୟ ଗଡ଼ ଭାବରେ ରହିଛି। ରାଜ୍ୟର ସର୍ବାଧିକ ଜୋନ୍ ଥିବା ଏଇ ଜିଲ୍ଲା ପରିଷଦରେ ମଧ୍ୟ ବିଜେଡିର ଅଖଣ୍ଡ ପ୍ରଭାବ ରହିଛି। ୨୦୧୭ ପ଼ଞ୍ଚାୟତ ନିର୍ବାଚନରେ ବି ଏଠି ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ବସିଥିଲେ ବିଜେଡି ସଭ୍ୟ। ପ୍ରଥମେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଥିଲେ ସୁବାସ ବେହେରା କିନ୍ତୁ ସେ ବିଧାୟକ ହେବା ପରେ ଏବେ ସୋନମ ପଲାଇ ଅଛନ୍ତି ଅଧ୍ୟକ୍ଷ ଆଉ ଉପାଧ୍ୟକ୍ଷ ପଦରେ ଅଛନ୍ତି-ସ୍ନେହଲତା ପଣ୍ଡା। ତେବେ ଯଦି ମୋଟ୍ କାହା ପାଖରେ କେତେ ଜୋନ୍ ଅଛି ନଜର ପକାଇବେ, ତାହେଲେ ୬୯ଜୋନ୍ ବିଶିଷ୍ଟ ଏଇ ପରିଷଦରେ ବିଜେଡି ୬୪ଟି ଜୋନରେ ଜିତିଥିଲା ବେଳେ ବିଜେପି ୪ ଓ କଂଗ୍ରେସ ହାତକୁ ଆସିଥିଲା ମାତ୍ର ଗୋଟିଏ ସିଟ୍।

Advertisment

ତେବେ ୨୨ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୨୨ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୫୦୩ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ। ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୭ ହଜାର ୯୯ ଅର୍ଥାତ୍ ୭ ହଜାର ୯୯ଟି ଓ୍ୱାର୍ଡର ନେତା ବା ଓ୍ୱାର୍ଡ ସଭ୍ୟ ପଦ ପାଇଁ ବି ହେବ ଭୋଟ୍।

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ବୁରୁପଡା ଜିଲ୍ଲାର ପରିବା ହବ୍। ଏଠାକାର ବାଇଗଣ ଭାରି ସୁଆଦିଆ... ଖାଲି ବାଇଗଣ କାହିଁକି ଶହ ଶହ ହେକ୍ଟର ଜମିରେ ଟମାଟୋ, ଝୁଡଙ୍ଗ, ବିନ୍ସ, ଫୁଲ କୋବି, ବନ୍ଧା କୋବି, ଫଳ କୋବି ଓ ସିମଲା ଲଙ୍କା ଭଳି ତଟକା ପରିବା ଫଳେ । ରାତି ପାହିଲେ ବ୍ରହ୍ମପୁର ସମେତ ଭୁବନେଶ୍ୱର, କଟକ ଭଳି ବଡ ବଡ ସହରକୁ ସପ୍ଲାଇ ହୁଏ। ହେଲେ ବିଡମ୍ବନା ହେଉଛି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଜିତାଇ ଆସୁଥିବା ଏ ଅଞ୍ଚଳବାସୀଙ୍କ ପାଇଁ କିନ୍ତୁ ଆଜି ଯାଏଁ ଶୀତଳଭଣ୍ଡାରଟିଏ ହୋଇପାରିଲାନି। ଫଳରେ ପନିପରିବା ସିଜିନରେ ଭଲ ଉତ୍ପାଦନ କରି ବି ହତାଶ ହୁଏ ଚାଷୀ ଆଉ ଶସ୍ତାରେ ବିକି କ୍ଷତି ସହେ ଚଷାପୁଅ।

Advertisment

ବିକଳ ଅବସ୍ଥାରେ ସ୍ୱାସ୍ଥ୍ୟ ସେବା

ଏପଟେ ସ୍ୱାସ୍ଥ୍ୟସେବା ଅବସ୍ଥା ଦେଖାସୁନ୍ଦର କଖାରୁ ବଡି ଭଳି। ଏଇ ଯେମିତି ହିଞ୍ଜିଳିକାଟୁ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଭଳି ବାହାରୁ ଚକାଚକ୍, ଭିତରେ ଭିତ୍ତିଭୂମି ବି ବେସରକାରୀ ହସପିଟାଲ ଭଳି। ହେଲେ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାଁନ୍ତି ପର୍ଯ୍ୟାପ୍ତ ଡାକ୍ତର। ଏମିତିକି ସର୍ଜରୀ ଓ ଅସ୍ଥିଶଲ୍ୟ ବିଭାଗରେ ଜଣେ ବି ଡାକ୍ତର ନାହାଁନ୍ତି। ତେଣୁ ଟିକେ ସମସ୍ୟା ହେଲେ ଅଧିକାଂଶଙ୍କୁ ବ୍ରହ୍ମପୁର ବଡ ମେଡିକାଲ ଭରସା। ଜିଲ୍ଲାର ଛତ୍ରପୁର, ଭଞ୍ଜନଗର ଓ ଆସିକା ଭଳି ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ସ୍ଥିତି । ଗାଁ ଗାଁରେ ପ୍ରାଥମିକ ସେବା କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲୁଛି। କିନ୍ତୁ ଆବଶ୍ୟକ ଡାକ୍ତର ରହୁନଥିବା ଅଭିଯୋଗ ହେଉଛି।

ଚାଷବାସର ଜିଲ୍ଲା ଏବେ ଦାଦନର ଜିଲ୍ଲା ଭାବେ ପରିଚିତ ହେଲାଣି । ଘରେ ଘରେ ଲୋକେ ଗାଁ ଛାଡ଼ି ଅନ୍ୟ ରାଜ୍ୟ ମୁହାଁ। କିଏ ସୁରାଟ, ମୁମ୍ବାଇ ତ ଆଉ କିଏ ପୁନା, ଚେନ୍ନାଇ ଏବଂ କେରଳରେ ରହୁଛନ୍ତି। ଲୋକଙ୍କ ଅଭିଯୋଗ ହେଉଛି ଜିଲ୍ଲାରେ ଶିଳ୍ପ କାରଖାନାର ଅଭାବ ଏବଂ ଗାଁରେ ରୋଜଗାର ନମିଳିବାରୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ଯୁବବର୍ଗ। ରାଜ୍ୟ ରାଜନୀତିରେ ଗଞ୍ଜାମ ଜିଲ୍ଲାର ଗୁରୁତ୍ୱ ସବୁଠୁ ଅଧିକ । କାରଣ, ଏଠାରୁ ନିର୍ବାଚିତ ହୋଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ତେବେ ଜିଲ୍ଲାରେ ଦୀର୍ଘଦିନ ଧରି ରହିଥିବା ଚାଷ, ସ୍ୱାସ୍ଥ୍ୟ ଓ ଦାଦନ ଭଳି ସମସ୍ୟା ପଂଚାୟତ ନିର୍ବାଚନରେ ସ୍ଥାନୀୟ ନେତାଙ୍କୁ କାଠଗଡାରେ ଠିଆକରିବା ସମ୍ଭାବନା ଅଧିକ ।

ଅସ୍ତିତ୍ୱ ବଜାୟ ରଖିପାରିବ ତ କଂଗ୍ରେସ ?

ତେବେ ତ୍ରିସ୍ତରୀୟ ପଞ୍ଚାୟତ ଭୋଟ୍ ଯେତିକି ପାଖୋଉଛି, ସେତିକି ବଢୁଛି ଆଶାୟୀଙ୍କ ଆଶା, ବଢିଚାଲିଛି ଭୋଟରଙ୍କ ଉତ୍କଣ୍ଠା। ଗଞ୍ଜାମ ଜିଲ୍ଲାର ପ୍ରତି ପଞ୍ଚାୟତରେ ଏବେ ଭୋଟରଙ୍କ ମନ ଜିଣିବାରେ ଲାଗିଛନ୍ତି ଆଶାୟୀ । ହେଲେ ଏବେ ବି ଖଟି ଖଟିରେ ସେହି ପ୍ରଶ୍ନ... ଏଥର କଣ କ୍ଲିନ୍ ସୁଇପ୍ କରିବ ବିଜେଡି ? ନା ଶକ୍ତିଶାଳୀ ବିଜେଡି ସହ ବଳ କଷିବ ବିଜେପି ?ଅସ୍ତିତ୍ୱ ବଜାୟ ରଖିପାରିବ ତ କଂଗ୍ରେସ ? କଥା ଯେତେବେଳେ ଗଞ୍ଜାମ ରାଜନୀତିର ଆସେ, ସେବେ ମନକୁ ଆସନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ଆସ୍କାରୁ ସାଂସଦ ଓ ପରେ ବିଜେଡି ଗଠନ ପରଠାରୁ ଲଗାତର ହିଞ୍ଜିଳି ଆସନରୁ ଜିତିଆସୁଛନ୍ତି ନବୀନ। ଆଉ ସେବେଠୁ ଗଞ୍ଜାମ ପାଲଟିଯାଇଛି ବିଜେଡିର ଅଭେଦ୍ୟ ଗଡ଼। ରାଜ୍ୟ ରାଜନୀତିର ପଲିଟିକାଲ୍ ପାଓ୍ୱାର ହାଉସ୍ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବି ବିଜେଡି ଧୀରେ ଧୀରେ ନିଜକୁ ବେଶ୍ ସୁଦୃଢ଼ କରିସାରିଲାଣି।

୬୯ ଜୋନ୍ ବିଶିଷ୍ଟ ଗଞ୍ଜାମ ଜିଲ୍ଲା ପରିଷଦରୁ ୨୦୦୭ରେ ୪୫, ପରେ ୨୦୧୨ରେ ୬୦ ଏବଂ ଗତ ୨୦୧୭ରେ ୬୪ ଜୋନ୍ ଜିତିଥିଲା ବିଜେଡି। ଆଉ ଏଥର ଟାର୍ଗେଟ୍ କ୍ଲିନ୍ ସୁଇପ୍ । ସେପଟେ ୨୦୦୭ରେ ବିଜେଡିକୁ ଫାଇଟ୍ ଦେଉଥିବା କଂଗ୍ରେସ ସେତେବେଳେ ୧୫ ଜୋନ୍ ହାତେଇଥିବାବେଳେ ୨୦୧୨ରେ ୪ ଏବଂ ୨୦୧୭ରେ ମାତ୍ର ଗୋଟିଏ ଜୋନ୍ ଜିତି ସମ୍ମାନ ବଞ୍ଚାଇବାକୁ ସଂଘର୍ଷ କରିଥିଲା। ଆଉ ୨୨ର ଫାଇଟ୍ ତ କଂଗ୍ରେସ ପାଇଁ ଆହୁରି ଚ୍ୟାଲେଞ୍ଜିଂ । ସେପଟେ ବିଜେପି ଧୀରେ ଧୀରେ ଗଞ୍ଜାମ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିବା ସହ ସ୍ଥିତାବସ୍ଥା ବଜାୟ ରଖିଛି। ଗତ ପଞ୍ଚାୟତ ପୋଲରେ ବିଜେପି ଜିତିଥିଲା ୪ଟି ଜୋନ୍ ।

ଛତ୍ରପୁର ଉପରେ ନଜର

୨୦୧୭ରେ ଅଣସଂରକ୍ଷିତ ଥିବା ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ନିର୍ଦ୍ୱନ୍ଦ୍ୱରେ ବିଜେଡି ହାତକୁ ଯାଇଥିଲା। ପଛୁଆ ବର୍ଗ ନେତା ସୁବାସ ବେହେରା ସାଜିଥିଲେ ଅଧ୍ୟକ୍ଷ କିନ୍ତୁ ପରେ ଛତ୍ରପୁର ବିଧାନସଭା ଆସନରୁ ଜିତିବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରୁ ସେ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ପରେ ପଛୁଆ ବର୍ଗ ମହିଳା ନେତ୍ରୀ ସୋନମ ପଲାଇଙ୍କୁ ଅଧ୍ୟକ୍ଷ କରାଯାଇଥିଲା । ଚଳିତବର୍ଷ ଏହି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଗ୍ରାଉଣ୍ଡ ଜିରୋରେ ଏବେ ବିଜେଡିର ପତିଆରା ପରିଲକ୍ଷିତ ହେଉଥିଲେ ବି ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ଦଳକୁ ସହଜରେ ଛାଡ଼ିଦେବା ମୁଡରେ ନାହାନ୍ତି ।

ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା, ଖଲ୍ଲିକୋଟରୁ ସିଲୁ ବିଶ୍ୱାଳ ଏବଂ ହିଞ୍ଜିଳିକାଟୁରୁ ଫିନୋଜଙ୍କ ସହ ଜଗନ୍ନାଥ ସାହୁଙ୍କ ରିପୋର୍ଟ

Odisha Panchayat Elections
Advertisment
Advertisment