• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପୁରୁଣା ପ୍ରତିଶ୍ରୁତି କେତେ ପୂରା, କେତେ ଅଧୁରା?

  • ପ୍ରଦୂଷଣ, ବିସ୍ଥାପନ, ସ୍ୱାସ୍ଥ୍ୟସେବା ପ୍ରମୁଖ ପ୍ରସଙ୍ଗ

  • ପଞ୍ଚାୟତ ମହାଲଢ଼େଇ ପାଇଁ ସରଗରମ ଅନୁଗୁଳ

ଅନୁଗୁଳ ଜିଲ୍ଲାରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ପରିଷଦ ଗଢିଥିଲା ବିଜେଡି । ଅଧ୍ୟକ୍ଷ ପଦରେ ବସିଥିଲେ ବାସନ୍ତୀ କିଷାନ । ଉପାଧ୍ୟକ୍ଷ ହୋଇଥିଲେ ଇନ୍ଦ୍ରମଣୀ ଗଡନାୟକ । ତେବେ ଯଦି ମୋଟ୍ କାହା ପାଖରେ କେତେ ଜୋନ୍ ଅଛି ଦେଖିବା, ତାହେଲେ ୨୮ ଜୋନ୍ ବିଶିଷ୍ଟ ଏଇ ପରିଷଦରେ ବିଜେଡି ହାତରେ ଅଛି ସର୍ବାଧିକ ୧୬ଟି ଜୋନ୍ । ବିଜେପି ପାଖରେ ରହିଛି ୧୨ଟି ଆସନ ।

ଗତ ନିର୍ବାଚନରେ ଖାତା ଖୋଲିପାରିନଥିଲା କଂଗ୍ରେସ । ଏ ତ ଗଲା ଜିଲ୍ଲା ପରିଷଦ କଥା, ତେବେ ୮ ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୮ ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୨୨୫ଜଣ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ, ଆଉ ଓ୍ୱାର୍ଡ ସଂଖ୍ୟା ହେଲା- ୩୦୨୮ ।

ପ୍ରଦୂଷଣ ଠାରୁ ବିସ୍ଥାପନ, ବେରୋଜଗାର ଆଉ ଅସୁସ୍ଥ ସ୍ୱାସ୍ଥ୍ୟ ସେବା ତଥା ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ମାଳ ମାଳ ସମସ୍ୟା । ଯାହାକୁ ଏଥର ନିର୍ବାଚନରେ ମୁଦ୍ଦା କରିଛନ୍ତି ସ୍ଥାନୀୟ ଭୋଟର । ସେପଟେ ଜୋର ଧରିଲାଣି ଗାଁ ରାଜନୀତି । ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଚାଲିଛି ତିନି ପ୍ରମୁଖ ଦଳର କସରତ ।

ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନ ପାଇଁ ଅନୁଗୁଳରେ ଉଷ୍ମ ହେବାରେ ଲାଗିଛି ରାଜନୀତି । ରାଲି, ରୋଡ ସୋ ସହ ଡୋର ଟୁ ଡୋର କ୍ୟାମ୍ପେନିଂ କରି ମତଦାତାଙ୍କ ମନ ଜିତିବାକୁ ଉଦ୍ୟମ ଚଳାଇଛନ୍ତି ତିନି ପ୍ରମୁଖ ଦଳର ନେତା । ବିଜେଡି ଓ ବିଜେପି ମଧ୍ୟରେ ଏଥର କଡା କଡା ଟକ୍କରର ଆଶା କରାଯାଉଥିବା ବେଳେ ପଛରେ ପଡିନି କଂଗ୍ରେସ । ୨୦୧୭ ପଞ୍ଚାୟତ ନିର୍ବାଚନରେ ୨୮ ଆସନରୁ ୧୬ଟି ଜିତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲା ବିଜେଡି ବିଜେପି ପାଇଥିଲା ୧୨ଟି ସିଟ୍ ଖାତା ଖୋଲିନପାରିନଥିଲା କଂଗ୍ରେସ । ଏବେ ଜିଲ୍ଲାର ୫ ବିଧାୟକ ବିଜେଡିର ଥିବାରୁ ରେଜଲ୍ଟ ରିପିଟ୍ କରିବାକୁ ଲକ୍ଷ୍ୟ ରଖିଛି ଶାସକ ଦଳ ।

ତେବେ ଦଳୀୟ ଅନ୍ତକନ୍ଦଳ ଆଗାମୀ ନିର୍ବାଚନରେ ଦଳ ପାଇଁ ଘାତକ ସାବ୍ୟସ୍ତ ହେବାର ଆଶଙ୍କା କରାଯାଉଛି । ଏପଟେ ଗତ ନିର୍ବାଚନରେ ୧୨ଟି ଜୋନ ହାସଲ କରି ବିଜେଡିକୁ କଡା ଟକ୍କର ଦେଇଥିବା ବିଜେପି ଏଥର ପୁରା ଦମ ଲଗାଇଛି । ଚଳିତ ଥର ମ୍ୟାଜିକ ନମ୍ବର ହାସଲ କରିବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଦଖଲ କରିବା ଲକ୍ଷ୍ୟରେ ରହିଛି ବିଜେପି ଦଳ । ବିଜେଡି ଅନ୍ତଃକନ୍ଦଳର ଫାଇଦା ନେବା ଚକ୍କରରେ ଥିବାବେଳେ ବିଜେପି ରଣନୀତିକୁ ବଳ ଯୋଗାଇଛି ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁଙ୍କ ଯୋଗଦାନ ।

ଏପଟେ କଂଗ୍ରେସକୁ କିନ୍ତୁ ଗତ ଥର ଭଳି ଏଥର ବି କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ । ଗତଥର ଗୋଟେ ବି ଜୋନ ହାସଲ କରିନଥିବା କଂଗ୍ରେସ ଏଠାରେ ଖାତା ଖୋଲିବାକୁ ଜୋରଦାର ଉଦ୍ୟମ ଚଳାଇଛି ।

ଶିଳ୍ପ ସମୃଦ୍ଧ ଜିଲ୍ଲା ହେଲେ ବି ସମସ୍ୟା କିଛି କମ ନୁହେଁ ଅନୁଗୁଳରେ କେଉଁଠି ପ୍ରଦୂଷଣକୁ ନେଇ ଲୋକେ ସନ୍ତୁଳି ହେଉଛନ୍ତି ତ ଆଉ କେଉଁଠି ବିସ୍ଥାପନ ସମସ୍ୟାରେ ଅତିଷ୍ଠ ଏଠାକାର ବାସିନ୍ଦା ।  ତାଳଚେର ଓ ଛେଣ୍ଡିପଦାରେ କୋଇଲା ଖଣି ପାଇଁ ବହୁ ଲୋକ ସେମାନଙ୍କ ଭିଟାମାଟି ହରାଇଛନ୍ତି । ସେହିପରି ନାଲକୋ,NTPC ଓ ଅନେକ ବେସରକାରୀ ଶିଳ୍ପାନୁଷ୍ଠାନ ପାଇଁ ବିସ୍ଥାପିତ ହୋଇଛନ୍ତି । ଶହ ଶହଲୋକ ଅସମ୍ପୂର୍ଣ୍ଣ ଓ ଅଚଳ ଜଳସେଚନ ପ୍ରକଳ୍ପ ଯୋଗୁ ଚାଷ ଜମିକୁ ଜଳସେଚନ ସୁବିଧା ମିଳୁପାରୁନି ।ମଣ୍ଡି ସମସ୍ୟାକୁ ନେଇ ମଧ୍ୟ ଘାଣ୍ଟି ହେଉଛନ୍ତି ଚାଷୀ ।

ତାଳଚେର ମେଡ଼ିକାଲ କଲେଜରେ ନାମଲେଖା ସହ ଚିକିତ୍ସା ଆରମ୍ଭ ହୋଇନପାରିବାକୁ ନେଇ ଅଞ୍ଚଳରେ ଅସନ୍ତୋଷ ରହିଛି । ଏଥିସହ ଅଧିକାଂଶ ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀ ଅଭାବ କାରଣରୁ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଅନେକ ଲୋକ । ମାଳ ମାଳ ଶିଳ୍ପ ଥାଇ ମଧ୍ୟ ବେରୋଜଗାର ମଧ୍ୟ ଏକ ପ୍ରମୁଖ ସମସ୍ୟା ପାଲଟିଛି ଜିଲ୍ଲାରେ ।