• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁବର୍ଣ୍ଣପୁର ଜିଲ୍ଲା ପରିଷଦରେ ଏବେ ବିଜେପି ଶାସନ । ୨୦୧୭ ପଞ୍ଚାୟତ ନିର୍ବାଚନରେ ଏଠି ବିଜେପି ଗଢ଼ିଥିଲା ପରିଷଦ । ଅଧ୍ୟକ୍ଷ ପଦରେ ବସିଥିଲେ ଉଷା କୁମାରୀ । ଉପାଧ୍ୟକ୍ଷ ହୋଇଥିଲେ ରୁଦ୍ର ମହଲା । ତେବେ ଯଦି ମୋଟ୍ କାହା ପାଖରେ କେତେ ଜୋନ୍ ଅଛି ଦେଖିବା, ତାହେଲେ ୧୩ଜୋନ୍ ବିଶିଷ୍ଟ ଏଇ ପରିଷଦରେ ବିଜେପି ହାତରେ ଅଛି ୧୦ଟି ଜୋନ୍, ବିଜେଡି ପାଖରେ ୩ଟି ସିଟ୍ ଥିବା ବେଳେ ଏଠିବି କଂଗ୍ରେସ ହାତ ଖାଲି । ଏ ତ ଗଲା ଜିଲ୍ଲା ପରିଷଦ କଥା, ତେବେ ୬ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୬ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୧୦୯ ଜଣ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ, ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୧୪୬୨ ।

ସୁବର୍ଣ୍ଣପୁରରେ ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ଏଠାକାର ରାଜନୀତି ଟିକିଏ ଅଲଗା । କାରଣ ଏଠି ପଂଚାୟତରେ ଲୋକେ ବିଜେପି ସପକ୍ଷରେ ଭୋଟ୍ ଦେଇଥିଲା ବେଳେ ସାଧାରଣ ନିର୍ବାଚନରେ ଜନମତ ଯାଇଛି ବିଜେଡି ସପକ୍ଷରେ । ତେଣୁ ଚଳିତ ପଂଚାୟତ ନିର୍ବାଚନ ଉପରେ ରହିଛି ସମସ୍ତଙ୍କ ନଜର । ପଶ୍ଚିମ ଓଡିଶାର ଏହି କୃଷି ପ୍ରଧାନ ଜିଲ୍ଲାରେ ଜଳସେଚନ ଏକ ପ୍ରମୁଖ ସମସ୍ୟା । ଆଉ କଣ କଣ ମୁଦ୍ଦା ରହିଛି ଏବଂ ଏଥର ନିର୍ବାଚନରେ କଣ ରହିଛି ଜିଲ୍ଲାର ରାଜନୈତିକ ସ୍ଥିତି ।

କୃଷି ଓ କୃଷକର ଜିଲ୍ଲା ସୁବର୍ଣ୍ଣପୁର ହେଲେ ଏଠି ଚାଷ ଓ ଚାଷୀ ସବୁଠୁ ବେଶି ଅବହେଳିତ । ଏଇ ପ୍ରସଙ୍ଗକୁ ନେଇ ସବୁଠୁ ବେଶି ରାଜନୀତି । ଜିଲ୍ଲାର ବିନିକା ଓ ଡୁଙ୍ଗୁଲିପାଲି ବ୍ଲକକୁ ଛାଡ଼ି ଦେଲେ ଅନ୍ୟ ୪ଟି ବ୍ଲକ୍ ତରଭା, ସୋନପୁର, ଉଲୁଣ୍ଡା ଓ ବୀରମହାରାଜପୁରର ଚାଷୀଙ୍କ ଭରସା କେବଳ ଇନ୍ଦ୍ର ଦେବତା ଠିକଣା ସମୟରେ ବର୍ଷା ହେଲେ ଭଲ, ନହେଲେ ମରୁଡ଼ି । ପ୍ରତିଥର ନିର୍ବାଚନ ଆସିଲେ ବୀରମହାରାଜପୁରରେ ବାମପାର୍ଶ୍ୱ କେନାଲ, ସୋନପୁରରେ ଅଙ୍ଗ କେନାଲ ସଂପ୍ରସାରଣ ଓ ତରଭାରେ ନିବୃତିର ପୁନରୁଦ୍ଧାର ଭଳି ପ୍ରସଙ୍ଗ ଆସେ । ସେମିତି ଅଦିନିଆ ବର୍ଷା ଓ ମଣ୍ଡି ସମସ୍ୟା ବି ଚାଷୀଙ୍କ ନିଦ ହଜାଏ ଧାନ- ବିଲରେ ନହେଲେ ମଣ୍ଡିରେ ଭିଜେ । ସମସ୍ୟାକୁ ପ୍ରସଙ୍ଗର ଇନ୍ଧନ କରି ନେତାଏ ଆସି ରାଜନୀତିର ରୁଟି ସେକନ୍ତି, ହେଲେ ଚାଷୀର କିନ୍ତୁ କାଣିଚାଏ ଲାଭ ହୁଏନି ।

ଏଥିସହ ଗଲା କିଛି ବର୍ଷ ହେବ ଫସଲ ଅମଳ ବେଳେ ଜିଲ୍ଲାର ଉଲୁଣ୍ଡା ଓ ବିନିକା ବ୍ଲକରେ ବଣୁଆ ହାତୀପଲଙ୍କ ଉପଦ୍ରବ ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଥିଲେ ବି ଚାଷୀଙ୍କ ପାଖରେ କେହି ବି ଠିଆ ହେଉ ନଥିବା ଅଭିଯୋଗ ହୁଏ । ତେଣୁ ଏଥର ପଞ୍ଚାୟତ ନିର୍ବାଚନୀ ଯୁଦ୍ଧରେ ବି ଏସବୁ ପ୍ରସଙ୍ଗର ପେଡ଼ି ଖୋଲିଛି ।

ଏପଟେ କଳେବଳେ କୌଶଳେ ପଞ୍ଚାୟତ ଦଖଲ ପାଇଁ ଜୋର୍ ଧରିଲାଣି କସରତ୍ । ହେଲେ ଏଠି ଭୋଟରଙ୍କ ମତିଗତି ଯାହା କାହା ଦଖଲକୁ ଯିବ ଜିଲ୍ଲା ପରିଷଦ କହିବା ମୁସ୍କିଲ । କାରଣ ୨୦୧୨ ପଞ୍ଚାୟତ ନିର୍ବାଚନରେ ୧୩ ଜୋନରୁ ମୋଟ୍ ୧୨ଟି ଜିତି ପରିଷଦ ଗଢ଼ିଥିଲା ବିଜେଡି । କଂଗ୍ରେସ ଗୋଟିଏ ଆସନ ପାଇଥିଲା ବେଳେ ଖାତା ଖୋଲି ପାରି ନଥିଲା ବିଜେଡି । ହେଲେ ୧୭ ନିର୍ବାଚନରେ କିନ୍ତୁ ବିଜେପି ଜବରଦସ୍ତ ଫାଇଟ୍ ବ୍ୟାକ୍ କରି ୧୦ଟି ଜୋନ୍ ହାତେଇବା ସହ ପରିଷଦ ଗଢ଼ିଥିଲା ।

ମାତ୍ର ୩ଟି ଆସନରେ ବିଜେଡିକୁ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା ବେଳେ କଂଗ୍ରେସ ଖାତା ଖୋଲି ପାରି ନଥିଲା । ହେଲେ ୧୯ ସାଧାରଣ ନିର୍ବାଚନରେ କିନ୍ତୁ ଜନତାଙ୍କ ରାୟ ବିଜୁ ଜନତା ଦଳ ସପକ୍ଷରେ ଯିବାରୁ ଜିଲ୍ଲାର ଦୁଇଟି ଯାକ ବିଧାନସଭା କ୍ଷେତ୍ରରେ ବିଜୟ ବାନା ଉଡ଼ାଇଥିଲା ଶଙ୍ଖ ଦଳ । ଖାଲି ସେତିକି ନୁହେଁ ଉଭୟ ନିରଞ୍ଜନ ପୂଜାରୀ ଓ ପଦ୍ମନାଭ ବେହେରା ବି ଏବେ କ୍ୟାବିନେଟ୍ ମନ୍ତ୍ରୀ ତେଣୁ ସେ ଦୃଷ୍ଟରୁ ଏ ଦୁଇଜଣଙ୍କ ପାଇଁ ବି ସମ୍ମାନର ପ୍ରଶ୍ନ ପାଲଟିଛି । ଏ ନିର୍ବାଚନ ବିଜେପି ମଧ୍ୟ ଗଡ଼ ବଜାୟ ରଖିବାକୁ ଜତ୍ପରୋନାସ୍ତି ଉଦ୍ୟମ ଚଳାଇଛି । ହେଲେ କଂଗ୍ରେସ ପାଇଁ କିନ୍ତୁ ଏବେ ଅସ୍ତିତ୍ୱ ସନ୍ଧାନର ବେଳ । ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ୧୩ଟି ଜୋନ୍ ପାଇଁ ଏଥର ମୈଦାନରେ ୫୧ ଅଛନ୍ତି ପ୍ରାର୍ଥୀ

ରବୀନ୍ଦ୍ର ହୋତାଙ୍କ ରିପୋର୍ଟ