/odishatv-khabar/media/post_attachments/uploadimage/library/16_9/16_9_0/Rayagada_1644055316.jpg)
Rayagada
ରାୟଗଡା… ୨୦୧୭ ପଞ୍ଚାୟତ ନିର୍ବାଚନରେ ଏଠି କଂଗ୍ରେସ ଗଢ଼ିଥିଲା ପରିଷଦ। ଅଧ୍ୟକ୍ଷ ପଦରେ ବସିଥିଲେ ପୁରୁଷୋତ୍ତମ ଗମାଙ୍ଗ। ଉପାଧ୍ୟକ୍ଷ ହୋଇଥିଲେ ବୀଣାପାଣି ସାହୁକାର। ତେବେ ଯଦି ମୋଟ୍ କାହା ପାଖରେ କେତେ ଜୋନ୍ ଅଛି ଦେଖିବା, ତାହେଲେ ୨୨ ଜୋନ୍ ବିଶିଷ୍ଟ ଏଇ ପରିଷଦରେ କଂଗ୍ରେସ ପାଖରେ ଅଛି ସର୍ବାଧିକ ୧୧ଟି ଜୋନ୍ । ବିଜେଡି ହାତରେ ୭ ଟି ଏବଂ ବିଜେପି ୪ ଟି ଜୋନ୍ ଅକ୍ତିଆର କରିଛି। ଏ ତ ଗଲା ଜିଲ୍ଲା ପରିଷଦ କଥା, ତେବେ ୧୧ଟି ବ୍ଲକ୍କୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୧୧ ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୧୮୨ଜଣ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ। ଆଉ ଓ୍ୱାର୍ଡ ସଂଖ୍ୟା ହେଲା- ୨୨୦୨।
ବଂଶଧାରା ନଦୀ ଅବବାହିକାରେ ପ୍ରତିବର୍ଷ ଜମି କ୍ଷୟ ହୋଇ ନଦୀ ଗର୍ଭରେ ଲୀନ ହୋଇଯାଉଛି। ପୁଣି ଦୀର୍ଘ ଦିନ ଧରି ଦାବି ସତ୍ତ୍ୱେ ବି ନିର୍ମାଣ ହୋଇପାରୁନି ଆଡିବନ୍ଧ। କେଉଁଠି ଉତ୍ପାଦିତ ଦ୍ରବ୍ୟ ରଖିବାକୁ ସେଡ୍ ପାଇଁ ଦାବି ହେଉଛି ତ ଆଉ କେଉଁଠି ସଉରା ଭାଷାକୁ ସାମ୍ବିଧାନିକ ମାନ୍ୟତା ଦେବାରେ ଅଣଦେଖା ଅଭିଯୋଗ ହୋଇଛି। ଦକ୍ଷିଣ ଓଡିଶାର ପ୍ରମୁଖ ଜିଲ୍ଲା ରାୟଗଡ଼ାରେ ନିର୍ବାଚନ ପୂର୍ବରୁ ଏସବୁ ପ୍ରସଙ୍ଗକୁ ନେଇ ସରଗରମ ରାଜନୀତି। ଏହାରି ଭିତରେ ପ୍ରାର୍ଥୀ ଆରମ୍ଭ କରିଦେଇଛନ୍ତି ଗାଁ ଗାଁରେ ପ୍ରଚାର।
ରାୟଗଡା ଜିଲ୍ଲାରେ ନିର୍ବାଚନୀ ତାତି ଭୋଟରଙ୍କୁ ଆକୃଷ୍ଟ କରିବାକୁ ତିନି ଦଳ ମଧ୍ୟରେ ଚାଲିଛି କସରତ। ସରକାରଙ୍କ ଜନ ହିତକର କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବିଜେଡିର ପ୍ରୟାସ। କଂଗ୍ରେସ ମଧ୍ୟ ଲୋକଙ୍କୁ ନେଇ ମିଶ୍ରଣ ପର୍ବ ଚଳାଇଥିବାବେଳେ ଗାଁ ଗାଁରେ ପଦଯାତ୍ରା କରି ଭୋଟ ଭିକ୍ଷା କରୁଛି। ବିଜେପି ବି ଗାଁ ଗାଁ ବୁଲି ଚଳାଇଛି ପ୍ରଚାର। ୨୦୧୭ ପଞ୍ଚାୟତ ନିର୍ବାଚନରେ ପଦ୍ମପୁର-ଖ ଜୋନରୁ ଜିତି କଂଗ୍ରେସରୁ ପୁରୁଷୋତ୍ତମ ଗମାଙ୍ଗ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଥିଲେ। ତେବେ ୨୦୧୯ରେ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ହୋଇଥିଲା ପରେ ୨୦୨୧ରେ ଫେବ୍ରୁଆରୀ ୨୪ରେ ଏହି ଜୋନ ପାଇଁ ଉପନିର୍ବାଚନ ହୋଇଥିଲା। ଏଥିରେ କିନ୍ତୁ ବିଜେଡିରୁ କରୁଣାକର ଶବର ବିଜୟୀ ହୋଇଥିଲେ। ବର୍ତ୍ତମାନ ବିଜେଡି ହାତରେ ୮ଟି, ବିଜେପି ପାଖରେ ୪ଟି ଏବଂ କଂଗ୍ରେସ ଖାତାରେ ୧୦ଟି ଜୋନ ରହିଛି। ତେବେ ଏଥର ପ୍ରତ୍ୟେକ ଦଳ ଜିଲ୍ଲା ପରିଷଦ ଗଠନ କରିବାର ଦାବି ରଖିଛନ୍ତି।
ଦକ୍ଷିଣ ଓଡିଶାର ଏକ ପ୍ରମୁଖ ଜିଲ୍ଲା ହୋଇଥିଲେ ମଧ୍ୟ ଦୀର୍ଘ ଦିନ ଧରି ଅବହେଳିତ ରାୟଗଡା। ବଂଶଧାରା ନଦୀ ଅବବାହିକାରେ ଥିବା ଗୁଣପୁର, ପଦ୍ମପୁର, ଗୁଡାରୀ ଓ ରାମନାଗୁଡା ଅଞ୍ଚଳର ଜମି ପ୍ରତିବର୍ଷ କ୍ଷୟ ହୋଇ ନଦୀଗର୍ଭରେ ଲୀନ ହେଉଥିବା ଏଠାକାର ପ୍ରମୁଖ ସମସ୍ୟା। ଦୀର୍ଘ ଦିନ ଧରି ଏଠାରେ ଅଡିବନ୍ଧ ନିର୍ମାଣ ଦାବି ହେଉଥିଲେ ମଧ୍ୟ ଆଜିଯାଏଁ ଫଳଶୂନ୍ୟ। ଅଧିକାଂଶ ପରିବାର ଚାଷ ଉପରେ ନିର୍ଭର କରି ଚଳୁଥିବା ଏହି ଅଞ୍ଚଳରେ ଚାଷକୁ ନେଇ ମଧ୍ୟ ସମସ୍ୟା ଲାଗିରହିଛି। ଅମଳ କରିବା ପରେ ଚାଷୀ ଫସଲକୁ ଠିକ ସମୟରେ ବିକ୍ରୀ କରିପାରୁନଥିବାବେଳେ ଉତ୍ପାଦିତ ଦ୍ରବ୍ୟ ରଖିବାକୁ ସେଡ୍ ନାହିଁ। ସେହିଭଳି ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ସଉରା ଭାଷାକୁ ସାମ୍ବିଧାନିକ ମାନ୍ୟତା ଦେବା ଦାବି ପ୍ରତି ମଧ୍ୟ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ପ୍ରତିଥର ଭଳି ଏଥର ମଧ୍ୟ ଲୋକଙ୍କୁ ମିଳୁଛି ପୁଳାପୁଳା ପ୍ରତିଶ୍ରୁତି। ତେବେ ଏଥିରୁ କେତେ ପୂରଣ କରୁଛନ୍ତି ନେତା ଏବେ ତା ଉପରେ ନଜର।
ଗୁଣପୁରରୁ ଇନ୍ଦ୍ରଜିତ ପଣ୍ଡା ଏବଂ ରାୟଗଡାରୁ ମାଉଡି ବାରିକଙ୍କ ରିପୋର୍ଟ ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)