/odishatv-khabar/media/post_attachments/uploadimage/library/16_9/16_9_0/politics_1644380676.jpg)
politics
ବୌଦ୍ଧ ଜିଲ୍ଲାର ରାଜନୀତି ପାଣିପାଗ ପୂରା ଶାସକ ଦଳ ଫେଭରରେ । କାରଣ ବିଜେଡି ଯେବେଠୁ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ିଲାଣି, ସେବେଠୁ ଅର୍ଥାତ୍ ଦୁଇ ଦଶନ୍ଧି ଧରି ଦଳ ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଛି ବୌଦ୍ଧ । ତାସତ୍ତ୍ୱେ ବି ଭୋଟରଙ୍କ ପାଖରେ ଏଠି ସମସ୍ୟାକୁ ନେଇ ଅଭିଯୋଗର ଲମ୍ବା ଚିଠା । ଏଭଳି ସ୍ଥିତିରେ ବିଜେଡିର ବିଜୟ ରଥକୁ ରୋକିବାକୁ ଏଥର କେତେ ସମର୍ଥ ହେଉଛନ୍ତି ବିରୋଧୀ । ଭୋଟରଙ୍କୁ ମନେଇବାକୁ କିଭଳି ଚାଲିଲାଣି ପଲିଟିକାଲ୍ କସରତ୍ ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ବୌଦ୍ଧ ଜିଲ୍ଲାର ୯୦ ପ୍ରତିଶତ ଲୋକଙ୍କ ମୁଖ୍ୟ ବେଉସା ଚାଷ । ହେଲେ ଏଇ କ୍ଷେତ୍ରଟି ବେଶି ଅବହେଳିତ ଜିଲ୍ଲାରେ ବାଘ ଓ ସାଲୁଙ୍କି ଭଳି ଜଳସେଚନ ପ୍ରକଳ୍ପ ତ ରହିଛି । କିନ୍ତୁ ଦରକାର ବେଳେ ଅଧିକାଂଶ ଜମିକୁ ପାଣି ମିଳେନି । ଆଉ ବର୍ଷା ଉପରେ ନିର୍ଭର ଚାଷୀ ମରୁଡିକୁ ସାମ୍ନା କରିବା ଥୟ । ମଣ୍ଡିରୁ ଧାନ ନଉଠିବା ଏବଂ କଟନୀଛଟନୀ ଭଳି ସମସ୍ୟାକୁ ନେଇ ଏଠାକାର ଚାଷୀ ସବୁବେଳେ ଚର୍ଚ୍ଚାରେ ।
ଜିଲ୍ଲାର ଅନେକ ଗାଁକୁ ଆଜିବି ଭଲ ସଡ଼କଟିଏ ନାହିଁ । ଅତି ଜରୁରୀ ବେଳେ ବି ଗାଁକୁ ଆମ୍ବୁଲାନ୍ସ ଟିଏ ଯାଇପାରୁନି । ରୋଗୀଙ୍କୁ ଭରସା ଖଟିଆ କିମ୍ବା ସାଇକେଲ । ତେଲନଦୀର ୩ଟି ସ୍ଥାନରେ ଅଧପନ୍ତରିଆ ରହିଛି ସେତୁ ନିର୍ମାଣ । ଯେଉଁଥିପାଇଁ ଦେଶୀ ଡଙ୍ଗାରେ ବିପଦସଂକୁଳ ଅବସ୍ଥାରେ ଲୋକେ ନଦୀ ପାର ହୁଅନ୍ତି । ପାନୀୟ ଜଳ ଏଠାକାର ଆଉ ଏକ ବଡ଼ ସମସ୍ୟା । ଆଜିଯାଏଁ ଅନେକ ଗାଁକୁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚି ପାରିନି , ଦୂର ଦୂରକୁ ଯାଇ ଲୋକେ ଚୁଆରୁ ପାଣି ନେଇଥାନ୍ତି ।
ଏପଟେ ଭୋଟ ଯେତିକି ପାଖଉଛି, ସେତିକି ଉଷ୍ଣ ହେଉଛି ଗାଁ ରାଜନୀତି । ପଂଚାୟତ ଗଡ଼ ଦଖଲ ପାଇଁ ଉଦ୍ୟମ ଚଳାଇଛନ୍ତି ତିନି ପ୍ରମୁଖ ଦଳର ନେତା । ଜିଲ୍ଲାର ୨ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବେ ବିଜେଡି କବଜାରେ । ୨୦୧୭ ପଂଚାୟତ ନିର୍ବାଚନରେ ୯ଟି ଜିଲ୍ଲାପରିଷଦ ଜୋନରୁ ବିଜେଡିକୁ ୬ଟି ମିଳିଥିବାବେଳେ ବିଜେପି ୨ ଏବଂ ସିପିଆଇ ଗୋଟିଏ ଦଖଲ କରିଥିଲା ।
ଚଳିତ ନିର୍ବାଚନରେ ନବୀନ ସରକାରଙ୍କ ଲୋକାଭିମୁଖି ଯୋଜନାକୁ ନେଇ ବିଜେଡି ପୁଣିଥରେ ବାଜିମାତ କରିବାକୁ ଆଶା ବାନ୍ଧିଛି । ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦର୍ଶ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଆଧାର କରି ମୈଦାନକୁ ଓହ୍ଲାଇଛି ବିଜେପି । ଆଉ ଗତଥର ଖାତା ଖୋଲି ପାରିନଥିବା କଂଗ୍ରେସ, ଏଥର ବି ଅସ୍ଥିତ୍ୱ ଖୋଜୁଛି । ଭୋଟକୁ ଆଉ ମାତ୍ର କିଛି ଦିନ ଥିବାବେଳେ ୩ ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି ।
ବୌଦ୍ଧରୁ ରବୀନ୍ଦ୍ର ହୋତାଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)