‘ସଚିବ ଯଦି ଲୋକଙ୍କ ସୁଖଦୁଃଖ ବୁଝିବେ, କାହିଁକି ଅଛନ୍ତି ମୁଖ୍ୟମନ୍ତ୍ରୀ ?’ 

ସାଂସଦ ସୂରେଶ ପୂଜାରୀ କହିଛନ୍ତି, ଓଡ଼ିଆ ଜାଣିନଥିବା ମୁଖ୍ୟମନ୍ତ୍ରୀ କିଭଳି ସମ୍ବଲପୁରୀ କହିଦେଲେ ? ମୁଖ୍ୟମନ୍ତ୍ରୀଙ୍କ ସ୍ୱରରେ ଆଉ କାହାଦ୍ୱାରା କୁହାଯାଇନି ତ ?

What is proof that the audio is of Chief Minister, asks opposition leader

ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ଜନତାଙ୍କ ସୁଖଦୁଃଖ ବୁଝିବା ପାଇଁ 5T ସଚିବ ପାଣ୍ଡିଆନଙ୍କୁ ପଠାଇବା ଏବଂ ତାଙ୍କ ହାତରେ ରେକର୍ଡିଂ ଅଡ଼ିଓ ଜାରି କରିବା ପରେ ତେଜିଲା ରାଜନୀତି। ଅଡ଼ିଓର ସତ୍ୟତାକୁ ନେଇ ବିରୋଧୀ କେବଳ ପ୍ରଶ୍ନ ଉଠାଇନାହାଁନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉତ୍ତରଦାୟିତ୍ବ, ପ୍ରଶାସନିକ ଅଧିକାରୀଙ୍କ ଲକ୍ଷ୍ମଣରେଖା କଥା କହି ନିଶାନା କରିଛନ୍ତି। ବ୍ୟକ୍ତିଗତ ସଚିବ ଯଦି ଜାଗାକୁ ଜାଗା ବୁଲି ଭଲମନ୍ଦ ବୁଝିବେ, ତାହେଲେ ମୁଖ୍ୟମନ୍ତ୍ରୀଙ୍କ କାମ କ’ଣ ବୋଲି ବିରୋଧୀ ଘେରିଥିବାବେଳେ ବିଜେଡି ଏହାର ଜବାବ ରଖିଛି।

ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କ ହାତରେ ମୁଖ୍ୟମନ୍ତ୍ରୀଙ୍କ ସ୍ବରରେ ଜାରି ହୋଇଥିବା ଅଡ଼ିଓକୁ ନେଇ ଏବେ ରାଜ୍ୟ ରାଜନୀତିରେ କମ୍ପନ। ଏହି ବାର୍ତ୍ତାକୁ ନେଇ ଏବେ ହଲଚଲ୍ ରାଜ୍ୟ ରାଜନୀତି। ବର୍ଷିଛି ବିଜେପି, ଶ୍ବେତପତ୍ର ଦାବି କରିଛି କଂଗ୍ରେସ। ଏହି ଅଡିଓଟି ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କର ତ ? ମୁଖ୍ୟମନ୍ତ୍ରୀ ଯଦି ବ୍ୟକ୍ତିଗତ ସଚିବଙ୍କୁ ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ପଠାଉଛନ୍ତି, ତେବେ ଲିଖିତ ଭାବେ ରାଜ୍ୟବାସୀଙ୍କୁ ଅବଗତ କରନ୍ତୁ ଏବଂ ଶ୍ବେତପତ୍ର ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଅଡ଼ିଓର ସତ୍ୟତାକୁ ନେଇ କେବଳ କଂଗ୍ରେସ ନୁହେଁ, ବିଜେପି ବି ପ୍ରଶ୍ନ ଉଠାଇଛି। 

ସାଂସଦ ସୂରେଶ ପୂଜାରୀ କହିଛନ୍ତି, ଓଡ଼ିଆ ଜାଣିନଥିବା ମୁଖ୍ୟମନ୍ତ୍ରୀ କିଭଳି ସମ୍ବଲପୁରୀ କହିଦେଲେ ? ମୁଖ୍ୟମନ୍ତ୍ରୀଙ୍କ ସ୍ବରରେ ଆଉ କାହାଦ୍ବାରା କୁହାଯାଇନି ତ ? ଲୋକଙ୍କ ଭଲମନ୍ଦ ବୁଝିବା ପାଇଁ ଯଦି ନିଜ ସେକ୍ରେଟାରୀଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ଜିଲ୍ଲା ପଠାଉଛନ୍ତି, ତେବେ ମୁଖ୍ୟମନ୍ତ୍ରୀ କାହିଁକି ଅଛନ୍ତି ? ଆଗକୁ ବିଧାନସଭା ଅଧିବେଶନରେ ବି ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ତାଙ୍କ ସେକ୍ରେଟାରୀ ଦାୟିତ୍ବ ତୁଲାଇବେ କି ବୋଲି ପ୍ରଶ୍ନ 

କରିଛନ୍ତି ସାଂସଦ ସୂରେଶ ପୂଜାରୀ। 

ତେବେ ନିଜ ଦଳର ନିର୍ବାଚିତ ଜନପ୍ରତିନିଧିଙ୍କୁ ଆଉ ବିଶ୍ବାସ କରିପାରୁନାହାନ୍ତି କି ମୁଖ୍ୟମନ୍ତ୍ରୀ ? ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଜିଲ୍ଲାପାଳ ମାନେ ଥାଉ ଥାଉ କାହିଁକି 5T ସଚିବଙ୍କୁ ଏତେ ଦାୟିତ୍ବ ? ଏମିତି କ’ଣ ଆବଶ୍ୟକ ପଡ଼ିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଜନତାଙ୍କ ପାଖକୁ ଯାଉଛନ୍ତି ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍ ? ରାଜ୍ୟ ରାଜନୀତିରେ ଏବେ ଏଭଳି ନାନା ପ୍ରଶ୍ନ ଆଉ ନାନା ଚର୍ଚ୍ଚା ଭିତରେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ଏହି ଅଡ଼ିଓ ପ୍ରମାଣିତ କରୁଛି ଯେ, ନବୀନ ଆଉ କେଉଁଠିକୁ ଯିବା ପରିସ୍ଥିତିରେ ନାହାଁନ୍ତି। ବର୍ତ୍ତମାନ 5T ସଚିବ ତଥା ତାଙ୍କ ବ୍ୟକ୍ତିଗତ ସଚିବ ମୁଖ୍ୟମନ୍ତ୍ରୀଙ୍କର ତତ୍ତ୍ବାବଧାରକ ଏବଂ ସେ ହିଁ ସବୁ ଦାୟିତ୍ୱ ନେବେ। 

ବିଜେଡ଼ିରେ ଗୋଟେ ଅଚଳ ଅବସ୍ଥା ଦେଖାଦେଇଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓ ବାର୍ତ୍ତା ନେଇ ବିରୋଧୀଙ୍କ ନିଶାନା ପରେ ବିଜେଡି ଜବାବ ରଖି କହିଛି, ସତ କଥାକୁ ବିରୋଧୀ ଯେତେ ମିଛର 
ଖୋଳପା ପିନ୍ଧାଇବାକୁ ଚେଷ୍ଟା କଲେ ବି ଗତକାଲି ସତ ସାମ୍ନାକୁ ଆସିଯାଇଛି। 5T  ସଚିବ ପାଣ୍ଡିଆନଙ୍କୁ ନେଇ ଏବେ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଏବେ କେମିତି ଏହି ବିବାଦରୁ ନିଜକୁ ମୁକୁଳାଇବେ, ତାଉପରେ ସମସ୍ତଙ୍କ ନଜର।

5T ସଚିବ ଭି. କେ. ପାଣ୍ଡିଆନଙ୍କ ନାଁରେ ଅଭିଯୋଗ ଆଣି ଅଡୁଆରେ ପକାଇବା ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରିଛି ବିଜେଡି। ଆଜି ଏକ ପ୍ରେସମିଟ୍ କରି ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର, ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗକୁ ନେଇ ଅପରାଜିତାଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି। ରାଜଧାନୀର ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ପାଣି ଜମିବା ସମସ୍ୟା ସହ ଅନ୍ୟାନ୍ୟ ପ୍ରଶ୍ନ କରିଛି ବିଜେଡି। ଏନେଇ ଅପରାଜିତାଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ପାଲଟା ପ୍ରଶ୍ନ କରିଛନ୍ତି ଯେ, ବିଜେଡି ମୁଖପାତ୍ର ଅପରାଜିତାଙ୍କୁ ଭୟ କରୁଛନ୍ତି କି?

ସାଂସଦ ବିଦେଶ ଗସ୍ତରେ ଥିବା ବେଳେ ତାଙ୍କୁ କାହିଁକି ପ୍ରଶ୍ନ କରୁଛନ୍ତି। ପୁରୁଣା ଭୁବନେଶ୍ବର ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ବି ପାଣି ଜମୁଛି। ଖାଲି ଇସ୍କନ ନୁହେଁ, ଶ୍ରୀମୟୀ ଭୁବନେଶ୍ବରର ଗଳିକନ୍ଦି ବୁଲି ଦେଖନ୍ତୁ ବୋଲି କହିଛି ବିଜେପି।