ବିଜେଡିରେ ଏବେ ସବୁ ଗୋଳମାଳିଆ, ପରାଜୟ ପରଠୁ ଦଳରେ ତେଜୁଛି ବିରୋଧର ସ୍ବର

ପରାଜୟ ପରଠୁ ବିଜେଡିରେ ଏବେ ସବୁ ଗୋଳମାଳିଆ । ଦଳ ଭିତରୁ ଧିରେ ଧିରେ ବିରୋଧର ସ୍ବର ତୀବ୍ର ହେଉଛି । ଗୋହି ଖୋଳାଖୋଳି ବଢ଼ିଚାଲିଛି । କାହା ମୁହଁରେ ଯେମିତି ଲଗାମ୍ ନାହିଁ।

BJD

ଦଳ ଉପରୁ କର୍ତ୍ତୃତ୍ୱ ହରାଉଛନ୍ତି କି ବିଜେଡି ସୁପ୍ରିମୋ । ହୁଗୁଳା ହେଇଯାଇଛି କି ବିଜେଡିରେ ଶୃଙ୍ଖଳା ଡୋରି । କାରଣ ନିର୍ବାଚନୀ ବିପର୍ଯ୍ୟୟ ପରଠୁ ଏବେ ଯେମିତି କେହି କାହା କଥା ମାନିବାକୁ ନାହିଁ । ବରିଷ୍ଠ ନେତାମାନେ ମଧ୍ୟ ନିଇତି ମୁହଁ ଖୋଲି ନେତୃତ୍ବ ଉପରେ ପରୋକ୍ଷ ବାଣ ମାରିବାକୁ ପଛାଉ ନଥିବା ବେଳେ ପାଣ୍ଡିଆନଙ୍କ ଅନ୍ତର୍ଦ୍ଧାନ ଓ ବବିଙ୍କ ଗ୍ରହଣୀୟତା କମିବା ଦଳ ପାଇଁ ନୂଆ ଅଡୁଆ ସୃଷ୍ଟି କରିଛି । ଏଭଳି ସ୍ଥିତରେ ଦଳକୁ ଆଗକୁ ନେବାର ଭାର ଏବେ କାହା କାନ୍ଧକୁ ଯିବ ତାକୁ ନେଇ ଚର୍ଚ୍ଚା ।

ପରାଜୟ ପରଠୁ ବିଜେଡିରେ ଏବେ ସବୁ ଗୋଳମାଳିଆ । ଦଳ ଭିତରୁ ଧିରେ ଧିରେ ବିରୋଧର ସ୍ବର ତୀବ୍ର ହେଉଛି । ଗୋହି ଖୋଳାଖୋଳି ବଢ଼ିଚାଲିଛି । କାହା ମୁହଁରେ ଯେମିତି ଲଗାମ୍ ନାହିଁ, କେହି କାହା କଥା ଯେମିତି ମାନିବାକୁ ନାହାନ୍ତି । କେତେବେଳେ ଢୋଲ ଭିତରର ମୂଷାଙ୍କୁ ଟାର୍ଗେଟ୍, ତ କେତେବେଳେ ନେତୃତ୍ବକୁ ଚ୍ୟାଲେଞ୍ଜ୍ ।

ସର୍ବଶେଷ ବୟାନବାଜି କ୍ରମରେ କାଲି ନିର୍ବାଚନୀ ବିପର୍ଯ୍ୟୟକୁ ନେଇ ନୃସିଂହ ସାହୁଙ୍କ ପରେ ଆଜି ମୁହଁ ଖୋଲିଛନ୍ତି ଦେବୀ ମିଶ୍ର । ନୃସିଂହଙ୍କ ସ୍ବରରେ ସ୍ବର ମିଳାଇ ଲମ୍ବା ସମୟ ଧରି ଶାସନରେ ରହିବାରୁ ଆତ୍ମ ବଡ଼ିମା, ଢିଲା ଓ ଅଳସୁଆପଣରୁ ଦଳ ଆଜି ବିରୋଧୀ ସିଟରେ ବସିଲା ବୋଲି କହିଛନ୍ତି ଦେବୀ । ସେପଟେ ବରିଷ୍ଠ ବିଜେଡି ନେତା ସୁଧୀର ସାମଲ କହିଛନ୍ତି, ନିଶ୍ଚିତ ଭାବେ ଦଳର ପରିଚାଳନାଗତ ତ୍ରୁଟି ରହିଲା । କିନ୍ତୁ ଗଛ ପତ୍ରଝଡ଼ା ଦେଇଛି । ପାଣି ଦେଲେ ପତ୍ର ପୁଣି କଅଁଳିବ । ସଭାପତି ନବୀନ ପଟ୍ଟନାୟକ ବିଚାର ବିମର୍ଷ କରି ଦଳକୁ ଆହୁରି ସଶକ୍ତ କରିବାକୁ ସାଂଗଠନିକ ପରିବର୍ତ୍ତନ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ସୁଧୀର ।

ନିର୍ବାଚନ ପରେ ଗୋଟିଏ ପଟେ ବିଜେଡି ଏଯାଏଁ ପରାଜୟର ସମୀକ୍ଷା କରିନି, ଅପରପକ୍ଷେ ଗୋହି ଖୋଳାଖୋଳି ଥମୁନି । ଯେମିତି ମୁରବୀଶୂନ୍ୟ ସ୍ଥିତି । ନବୀନଙ୍କ ବୟସାଧିକ୍ୟ କାରଣରୁ କିଏ ସେ ଦ୍ବିତୀୟ ବ୍ୟକ୍ତି ଯିଏ କି ଦଳର ଭବିଷ୍ୟତ ଚେହେରା ହେବ, ତାକୁ ନେଇ ଚର୍ଚ୍ଚା । କାରଣ ଦଳର ବିପର୍ଯ୍ୟୟ ପରଠୁ ପାଣ୍ଡିଆନ୍ ଏବେ ଦୃଶ୍ୟପଟ୍ଟରୁ ଉଭାନ । ଏଭଳି ସ୍ଥଳେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପରେ ଆସୁଛି ଗୁରୁ ଦାୟିତ୍ବ । ମାତ୍ର ସେ ନିଜେ ନିର୍ବାଚନ ହାରିଛନ୍ତି, ଏବଂ ସରକାରୀ କ୍ବାର୍ଟର୍ସରେ ବେଆଇନ୍ ନିର୍ମାଣ ପାଇଁ ବିବାଦ ଘେରରେ ଅଛନ୍ତି । ଯେଉଁଥିପାଇଁ ଖୋଦ୍ ଦଳ ଭିତରୁ ତାଙ୍କ ନେତୃତ୍ବକୁ ବିରୋଧ ଆରମ୍ଭ ହେଉଛି ।

ସେହିପରି ନୂଆକରି କର୍ପୋରେଟ ଜଗତରୁ ଆସିଥିବା ସନ୍ତୃପ୍ତ ମିଶ୍ରଙ୍କୁ ରାଜନୈତିକ ସମ୍ପାଦକ ନିଯୁକ୍ତିକୁ ବି ବିରୋଧ ହେଉଛି । ନବୀନ କେବଳ ନୂଆ ମିଡିଆ ଟିମ୍ ଗଠନ କରିଥିବା ବେଳେ ଅନ୍ୟ ସଂଗଠନ ଗୁଡିକ ଏବେବି ଅସଜଡା । ଏପରି ସ୍ଥଳେ ମଙ୍ଗ ଏବେ କାହା ହାତରେ ରହିବ ତାହା ବଡ ପ୍ରଶ୍ନ । ଦିନେ ନେତୃତ୍ବକୁ ସମ୍ମାନ ଦେଇ ଦଳ ଆଗକୁ ବଢୁଥିଲା । ଆଉ ଯେତେବେଳେ ପରାଜୟ ଧାରା ଆରମ୍ଭ ହେଲା ସେତେବେଳେ ବିଜେଡି ପାଇଁ ସଂଗଠନ ଅଡୁଆ ବଢିଛି । ଆଗକୁ ଏହା କେଉଁ ମୋଡ଼ ନେଉଛି ତା ଉପରେ ନଜର ।