• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଜେଡି ସ୍ୱାଧୀନ ଭାବେ ରହିବାକୁ ପସନ୍ଦ କରେ, ଏବେ ବି ଉଭୟ ଏନଡିଏ ଓ ଯୁପିଏ ଠାରୁ ସମଦୂରତା ବଜାୟ ରଖିଛି ଶାସକ ଦଳ । ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀରେ ଏଭଳି ପ୍ରତିକ୍ରିୟା ଦେବାପରେ ଜାତୀୟ ରାଜନୀତିରେ ସୃଷ୍ଟି ହୋଇଛି ଗୁଞ୍ଜରଣ । ଆଗକୁ ରାଷ୍ଟ୍ରପତି ନିର୍ବାଚନ, ପରେ ୨୦୨୪ରେ ସାଧାରଣ ନିର୍ବାଚନ ଥିବାରୁ ନବୀନଙ୍କ ଏହି ମତ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି । ବିଶେଷ କରି ଏନଡିଏ ବିରୋଧରେ ଅନେକ ବିରୋଧୀ ଦଳ ଏକାଠି ହେବାକୁ ପ୍ରୟାସ କରୁଥିବା ବେଳେ ନବୀନଙ୍କ ଏହି ମତ ବେଶ୍ ଗୁରୁତ୍ୱ ରଖୁଛି ।

୧୯ ନିର୍ବାଚନ ପରେ ବି ବିଜେଡି ତାର ପୁରୁଣା ଫର୍ମୁଲା ସମଦୂରତାରେ ଏବେ ବି କାଏମ୍ ରହିଛି । ଦିଲ୍ଲୀ ଗସ୍ତରେ ଥିବା ନବୀନ, ବିଜେଡି ସ୍ୱାଧୀନ ଭାବେ ରହିବା ପସନ୍ଦ କରେ ବୋଲି ଏକ ଜାତୀୟ ଗଣମାଧ୍ୟମକୁ କହିବାପରେ ରାଷ୍ଟ୍ରପତି ନିର୍ବାଚନରେ କଣ ହେବ ଦଳର ଆଭିମୁଖ୍ୟ ତା ଉପରେ ସମସ୍ତଙ୍କ ନଜର । କେଉଁ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେଡି ? ଗତ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ କିନ୍ତୁ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିନଥିଲା ।

 

ତେବେ ନବୀନ କିନ୍ତୁ ରାଷ୍ଟ୍ରପତି ନିର୍ବାଚନ ନେଇ କାର୍ଡ ଖୋଲି ନାହାନ୍ତି, କହିଛନ୍ତି ବିଜେଡି ସବୁବେଳେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇନି । ପ୍ରଥମେ କିଏ ପ୍ରାର୍ଥୀ ହେଉଛି ତାହା ଗୁରୁତ୍ୱପୂର୍ଣ୍ଣ । ନବୀନଙ୍କ ଏଭଳି ମନ୍ତବ୍ୟ ପରେ ବିଜେଡିକୁ ଘେରିଛି କଂଗ୍ରେସ୍ । ଅଭିଯୋଗ କରିଛି, ବିଜେଡି ନିଜକୁ ଯେତେ ସ୍ୱାଧୀନ ବୋଲି କହିଲେ ବି ଏହା ଏନଡିଏର ବିଶ୍ୱସ୍ତ ଆଉ ସହଯୋଗୀ ଭଳି ରହିଆସିଛି ।

ଆଗକୁ ଥିବା ରାଷ୍ଟ୍ରପତି ନିର୍ବାଚନ ବେଳେ ବିଜେଡି ବିଜେପିକୁ ହିଁ ସମର୍ଥନ କରିବ ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ୍ ସାଂସଦ ସପ୍ତଗିରି ଉଲ୍ଲାକା । ସେପଟେ ବିଜେଡି କହିଛି ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଦଳ ପ୍ରସଙ୍ଗ ଭିତ୍ତିକି ସମର୍ଥନ ଦେଇଆସିଛି । କିନ୍ତୁ ଦଳ ଏବେ ବି ସମଦୂରତା ନୀତି ବଜାୟ ରଖିଛି ।

ସେପଟେ ବିଜେଡି-ବିଜେପି ମଧ୍ୟରେ ଏବେ ବି ମଧୁର ସଂପର୍କ ଥିବା ଚର୍ଚ୍ଚା ହେଉଛି ଯଦିଓ ବିଜେପିର ରାଜ୍ୟ ଶାଖା ବିଜେଡି ବିରୋଧରେ ଗର୍ଜନ କରୁଛି । କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ ବିଜେଡି ସରକାର ପ୍ରତି ସେଭଳି କଠୋର ଆଭିମୁଖ୍ୟ ଗ୍ରହଣ କରୁନାହାଁନ୍ତି । ରାଜନୀତିକ ସମୀକ୍ଷକ ମତରେ ବିଜେଡି ସମଦୂରତା କଥା କହୁଥିଲେ ମଧ୍ୟ କାର୍ଯ୍ୟଧାରରେ ତାହା ପ୍ରତିଫଳିତ ହେଉନାହିଁ ।

୨୦୨୪ ନିର୍ବାଚନ ପୂର୍ବରୁ ଜାତୀୟ ସ୍ତରରେ ବିରୋଧୀ ଦଳମାନଙ୍କୁ ନେଇ ନୂଆ ସମୀକରଣ କରିବାକୁ ଉଦ୍ୟମ ହେଉଛି । ଏଭଳି ସ୍ଥିତିରେ ବିଜେଡି ସମଦୂରତା କାର୍ଡ ଖେଳି ସେଫ୍ ଗେମ୍ ଖେଳୁଥିବା ଚର୍ଚ୍ଚା ହେଉଛି ।