VK Pandian:ରାଜନୀତିରୁ ସନ୍ନ୍ୟାସ ନେଲେ ହେଲେ ବିବାଦରୁ ନୁହେଁ

ବିଜେଡି କର୍ମୀଙ୍କ ନିକଟରେ କ୍ଷମାମାଗି ରାଜନୀତିକୁ ବାଏ ବାଏ କହିଥିଲେ ଭିକେ ପାଣ୍ଡିଆନ୍‌ ହେଲେ ଏବେ ବି ନେଇନାହାନ୍ତି ବିବାଦରୁ ସନ୍ନ୍ୟାସ ।

VK Pandian

ରାଜନୀତିରୁ ସନ୍ନ୍ୟାସ ନେଲେ । ହେଲେ ଏବେ ବି ନେଇନାହାନ୍ତି ବିବାଦରୁ ସନ୍ନ୍ୟାସ । ଗୋଟିଏ ପରେ ଗୋଟିଏ ବିବାଦ ତାଙ୍କ ନାଁରେ ଉଠୁଛି । ବିଜେଡିର ପରାଜୟ ପରେ କିଛିଦିନର ଲୁଚକାଳି ଖେଳି, କ୍ୟାମେରା ସାମ୍‌ନାକୁ ଆସିଲେ । ପ୍ରଥମେ Sorry କହିଲେ, ଆଉ ତା’ ପରେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଥିଲେ ପାଣ୍ଡିଆନ । 

ବିଜେଡି କର୍ମୀଙ୍କ ନିକଟରେ କ୍ଷମାମାଗି ରାଜନୀତିକୁ ବାଏ ବାଏ କହିଥିଲେ ଭିକେ ପାଣ୍ଡିଆନ୍‌ । ଆଉ ଆଜି ବି ସେ ସକ୍ରିୟ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି । ହେଲେ ସେତେବେଳର ସେ ପୁରୁଣା ଅତୀତ ତାଙ୍କୁ ବାଧ୍ୟ କରି ବିବାଦୀୟ କରୁଛି । ପୂର୍ବରୁ ହେଲିକପ୍ଟର ବୁଲା, ପରେ 5T ନାଁରେ ଦୁର୍ନୀତି । ଏହି ଦୁଇ ପ୍ରସଙ୍ଗକୁ ନେଇ ସେତେବେଳର ବିରୋଧୀ ଦଳ ବିଜେପି ଓ କଂଗ୍ରେସ ତାଙ୍କୁ ଘେରିଥିଲା । ଆଉ ଏବେ ପୁଣି ନବ ହତ୍ୟା ପଛରେ ପାଣ୍ଡିଆନଙ୍କ ହାତ ଥିବା ସିଧାସିଧା ନକହି ମଧ୍ୟ ବୁଲାଇ ବଙ୍କାଇ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ଯାହା ଏବେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଲାଣି ।

ଏବେ କେବଳ ପ୍ରଦୀପଙ୍କ କଥା ପାଣ୍ଡିଆନଙ୍କୁ ବିବାଦକୁ ଟାଣିନି, ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କମେଡି ଇନ୍‌ ଖାକି ନାମକ ଏକ ବହିଲେଖି ନବୀନଙ୍କ ନାଁ ନନେଇ ଟାର୍ଗେଟ୍‌ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ପ୍ରକାଶ କହିଛନ୍ତି ନବୀନ ଜଣେ ନନ-ସିରିୟସ ନେତା । କୌଣସି ନିଷ୍ପତ୍ତି ନିଜେ ନିଅନ୍ତିନାହିଁ । ଲେଖିକି ରଖନ୍ତି ଓ ପରେ ଅନ୍ୟ ସହ ଆଲୋଚନା କରି ନିଷ୍ପତ୍ତି ନିଅନ୍ତି । ତେବେ ଅନ୍ୟର ଅର୍ଥମାନେ ପାଣ୍ଡିଆନ୍‌ ବୋଲି ଏବେ ଚର୍ଚ୍ଚା ହେଲାଣି ।

ରାଜନୀତିରୁ ପାଣ୍ଡିଆନ୍‌ ଅବସର ନେଇ ସାରିଥିଲେ ମଧ୍ୟ ତାଙ୍କର ଅତୀତ ତାଙ୍କୁ ଯେମିତି ବାରମ୍ବାର ବିବାଦ ଭିତରକୁ ପୂରାଉଛି । ତେବେ ଏନେଇ ନିଜେ ପାଣ୍ଡିଆନ୍‌ କି କୌଣସି ବିଜେଡି ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।