ଲଟ୍‌କା ପରେ ଚାଲିଛି ଢାବା ଖାଲି, କର୍ମଚାରୀଙ୍କୁ ଲଗାଇ ଜିନିଷପତ୍ର ହଟାଉଛନ୍ତି ମାଲିକ

କାଲି ପ୍ରଶାସନ ଲଗାଇଥିଲା ଲଟକା । ଆଜି ଖାଲି କରାଯାଉଛି ଢାବା ।

Balle Balle Hotel

କାଲି ପ୍ରଶାସନ ଲଗାଇଥିଲା ଲଟକା । ଆଜି ଖାଲି କରାଯାଉଛି ଢାବା । ଯାଜପୁର ନେଉଳପୁର ସ୍ଥିତ ଧର୍ମଶାଳା ଭବନ ପରିସରରେ ଥିବା ବଲେ ବଲେ ଢାବା ଖାଲି କରାଯାଉଛି । ଗତକାଲି ଢାବା ଖାଲି କରିବା ପାଇଁ ନୋଟିସ୍ ଜାରି ହୋଇଥିଲା । ହୋଟେଲ ଚଳାଉଥିବା ମାଲିକ ଆଜି କର୍ମଚାରୀଙ୍କୁ ଲଗାଇ ହୋଟେଲ୍ ସାମଗ୍ରୀକୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି ।

ବଲେ ବଲେ ଢାବା ଓ ଲଜ୍‌ରେ ସାଂସଦ ଓ ବିଧାୟକ ପାଣ୍ଠି ବିନିଯୋଗ ହୋଇଥିବା ଅଭିଯୋଗ ହୋଇଛି । ବିନା କାଗଜପତ୍ରରେ ଏହି ଢାବାକୁ ଜଣେ ବିଜେଡି ନେତ୍ରୀଙ୍କୁ ଲିଜ୍‌ରେ ଦିଆଯାଇଥିଲା । ଆଉ ପ୍ରଚ୍ଛଦପଟ୍ଟରେ ଥିଲେ ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ । ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ହିମାଂଶୁ ସାହୁ ନିଜେ ସମୀକ୍ଷା କରି ଏଭଳି ଚାଞ୍ଚଲ୍ୟକର ତଥ୍ୟ ପାଇଥିଲେ ।

ବିଧାୟକଙ୍କ ସମୀକ୍ଷା ପରେ ତତ୍ପରତା ଦେଖାଇଥିଲା ପ୍ରଶାସନ । ଢାବାରେ ଲଟ୍‌କା ଲଗାଇଥିଲା । ତିନି ଦିନ ଭିତରେ ଢାବା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଭିଯୋଗ ଉପରେ ପ୍ରଣବ ବଳବନ୍ତରାୟ କି ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ରାଜଧାନୀରେ ବବିଙ୍କ ସରକାରୀ କ୍ୱାର୍ଟରକୁ ବିଳାସପୂର୍ଣ୍ଣ ବାସଭବନରେ ପରିଣତ କରାଯିବାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଯାଜପୁରରେ ଜିତୁଙ୍କ ଲିଙ୍କରେ ବଲେ ବଲେ ଢାବାକୁ ନେଇ ଝଡ଼ ସୃଷ୍ଟି ହୋଇଛି ।

ସାଂସଦ ଓ ବିଧାୟକ ପାଣ୍ଠିରେ କେମିତି କାହିଁକି ତିଆରି ହୋଇଥିଲା ଢାବା, ବ୍ଲକ୍ ସମୀକ୍ଷା ବେଳେ ତାକୁ ଧରିଛନ୍ତି ନବନିର୍ବାଚିତ ଧର୍ମଶାଳା ସ୍ୱାଧୀନ ବିଧାୟକ ହିମାଂଶୁ ସାହୁ । ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଥିବାବେଳେ ସମସ୍ତଙ୍କୁ ଚକିତ କରିଛି ଧର୍ମଶାଳାର ବଲେ ବଲେ ଢାବା । ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ହିମାଂଶୁ ସାହୁ ନିଜେ ସମୀକ୍ଷା କରି ପାଇଛନ୍ତି ଏଭଳି ଆଖି ଖୋସିଲା ଭଳି ତଥ୍ୟ ।

ଧର୍ମଶାଳା ବିଧାୟକ ଆହୁରି ମଧ୍ୟ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି ସେହି ଢାବାରେ ଟଙ୍କା କାରବାର ଚାଲୁଥିଲା । ପୂର୍ବତନ ବିଧାୟକ ଏହି ଢାବାରେ ରଙ୍ଗୀନ କାର୍ଯ୍ୟକ୍ରମ କରୁଥିଲେ । ଧର୍ମଶାଳାରେ ୩୦ ବର୍ଷ ଧରି ଏକ ପାରିବାରିକ ରାଜନୀତି ଚାଲିଥିଲା । ଖଣି ପାଣିଠୁ ନେଇ ଏକାଧିକ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିଛନ୍ତି ହିମାଂଶୁ ।

ଅନ୍ୟପଟେ ବିଧାୟକଙ୍କ ସମୀକ୍ଷା ପରେ ଗତକାଲି ତତ୍ପରତା ପ୍ରକାଶ କରି ଜିଲ୍ଲା ପ୍ରଶାସନ ଢାବାରେ ଲଟ୍‌କା ଲଗାଇଥିଲା । ତିନି ଦିନ ଭିତରେ ଢାବା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା । ବିନା କାଗଜପତ୍ରରେ ଏହି ଢାବାକୁ ଜଣେ ବିଜେଡି ନେତ୍ରୀଙ୍କୁ ଲିଜ୍‌ରେ ଦିଆଯାଇଥିଲା । ଆଉ ପ୍ରଚ୍ଛଦପଟ୍ଟରେ ଥିଲେ ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ । ବିଜେଡି ଶାସନ କାଳରେ ଏଭଳି ଭାବେ ଚାଲିଥିଲା କ୍ଷମତାର ଅପବ୍ୟବହାର ।