Ex-MLA
ଦ୍ୱିତୀୟ ବିବାହ କରି ଫସିଗଲେ ପୂର୍ବତନ ବିଧାୟକ । ଶେଷରେ ଦଳରୁ ବିତାଡିତ ହେବାକୁ ପଡିଲା । ଉତ୍ତରାଖଣ୍ଡର ହରିଦ୍ୱାରର ଜ୍ୱାଲାପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁରେଶ ରାଠୋରଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କରିଛି ଭାରତୀୟ ଜନତା ପାର୍ଟି । ଦ୍ୱିତୀୟ ବିବାହ କରିବା ପଡିଛି ମହଙ୍ଗା । ସେ ପ୍ରଥମ ବିବାହ କରିଥିବା ପତ୍ନୀଙ୍କୁ ଛାଡପତ୍ର ନ ଦେଇ ଦ୍ୱିତୀୟ ବିବାହ କରିଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେପି ।
ଅଧିକ ପଢନ୍ତୁ: ନୀତିଶ କୁମାରଙ୍କ ମାନସ ପୁତ୍ର, ରାଜନୀତି ସହ କଲେଜରେ ପଢ଼ାଇବେ ପାଠ
ପୂର୍ବତନ ବିଧାୟକ ସୁରେଶ ରାଠୋରଙ୍କ ଦ୍ୱିତୀୟ ବିବାହ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଜେପି ତରଫରୁ ତାଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲା । ଯେଉଁ ନୋଟିସରେ ୭ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଥିଲା । ଉକ୍ତ ଭାଇରାଲ ଭିଡିଓରେ ସୁରେଶ ରାଠୋର ସାହାରଣପୁରର ଜଣେ ଅଭିନେତ୍ରୀ ଉର୍ମିଳା ସନାୱାରଙ୍କୁ ତାଙ୍କ ଦ୍ୱିତୀୟ ସ୍ତ୍ରୀ ବୋଲି ପରିଚିତ କରାଉଛନ୍ତି । କିନ୍ତୁ ସୁରେଶ ରାଠୋରଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହେବାରୁ ତାଙ୍କୁ ଦଳରୁ ବହିଷ୍କାର କରିଛି ବିଜେପି । ଦଳ ପକ୍ଷରୁ କୁହାଯାଇଛି, ‘‘ଆପଣଙ୍କ ସ୍ପଷ୍ଟୀକରଣରେ ଦଳ ସନ୍ତୁଷ୍ଟ ନୁହେଁ । ଆପଣ ଦଳର ଶୃଙ୍ଖଳା ଓ ଆଚରଣର ମାନଦଣ୍ଡ ଉଲ୍ଲଂଘନ କରିଛନ୍ତି । ତେଣୁ ଆସନ୍ତା ୬ ବର୍ଷ ପାଇଁ ଆପଣଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ।’’
ତେବେ ଏହି ଘଟଣାକୁ ନେଇ ବିଜେପିକୁ ଘେରିଛି କଂଗ୍ରେସ । କଂଗ୍ରେସ ଅଭିଯୋଗ କରିଛି ଯେ, ବିଜେପି ୟୁସିସି ଆଇନ ନିଜ ଦଳର ନେତାଙ୍କ ପାଇଁ ଲାଗୁ କରିନାହିଁ । ଏହା କେବଳ ବିରୋଧୀ ଦଳଙ୍କ ପାଇଁ ବ୍ୟବହାର ହେଉଛି । ଯଦି ଏହି ଆଇନ ସମସ୍ତଙ୍କ ପାଇଁ ସମାନ ତାହାଲେ କାହିଁକି ସୁରେଶଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଉନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
ସୂଚନାନୁଯାୟୀ, ସୁରେଶ ରାଠୋର ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନ ଦେଇ ଦ୍ୱିତୀୟ ବିବାହ କରିଥିଲେ, ଯାହା ଦଳକୁ ଲଜ୍ଜିତ କରିଛି । ଗତ ଜାନୁଆରୀ ମାସରେ ଉତ୍ତରାଖଣ୍ଡର ବିଜେପି ସରକାର ସମାନ ନାଗରିକ ସଂହିତା ଆଇନ ଲାଗୁ କରିଥିଲେ, ଏହି ଆଇନ ଅନୁଯାୟୀ, ବିନା ଛାଡପତ୍ରରେ ବହୁ ବିବାହ କରିବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ।
ସୁରେଶ ଉତ୍ତରାଖଣ୍ଡର ଜଣେ ବରିଷ୍ଠ ରାଜନେତା । ସେ ୨୦୧୭ରେ ହରିଦ୍ୱାରର ଜ୍ୱାଲାପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ତେବେ ତାଙ୍କ ନାମରେ ଆଗରୁ ମଧ୍ୟ ଅନେକ ଅଭିଯୋଗ ଆସିଛି । ୨୦୨୧ରେ ଜଣେ ମହିଳା ବିଜେପି କର୍ମୀ ତାଙ୍କ ବିରୋଧରେ ବଳାତ୍କାର ଓ ବ୍ଲାକମେଲ ଅଭି୍ୋଗ ଆଣିଥିଲେ । ସେହିପରି ୨୦୨୪ରେ ତାଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ଅନୁଯାୟୀ, ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Ex_MLA_1751173092.jpg)