Chirag Paswan
ଜାତୀୟ ରାଜନୀତି ଛାଡ଼ି ବିହାର ରାଜନୀତିରେ ସକ୍ରିୟ ହେବେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନ । ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ସେ ନିର୍ବାଚନ ଲଢ଼ିବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି । ସଂରକ୍ଷିତ ଆସନ ନୁହେଁ ଗୋଟିଏ ଅଣସଂରକ୍ଷିତ ଆସନରେ ସେ ପ୍ରାର୍ଥୀ ହେବେ ବୋଲି କୁହାଯାଇଛି । ତାଙ୍କର ଆଖି ରହିଛି ମୁଖ୍ୟମନ୍ତ୍ରୀ ଚୌକି ଉପରେ ।
ଲୋକ ଜନଶକ୍ତି ପାର୍ଟି ( ରାମ ବିଳାସ ) ସୁପ୍ରିମୋ ଚିରାଗ ପାଶ୍ୱାନ ସତରେ କଣ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇ ବିହାର ରାଜନୀତିରେ ଫୋକସ୍ କରିବେ ? ତାଙ୍କ ଭିଣୋଇ ତଥା ଲୋକ ଜନଶକ୍ତି ପାର୍ଟି ସାଂସଦ ଅରୁଣ ଭାରତୀ ସୋସିଆଲ୍ ମିଡିଆରେ ଏହା ଘୋଷଣା କରିଛନ୍ତି । ଲୋକ ଚାହୁଁଛନ୍ତି, ସେ ବିହାର ରାଜ୍ୟ ରାଜନୀତିକୁ ଆସିବା ଉଚିତ ବୋଲି ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ କେବଳ ଦଳିତ ସଂପ୍ରଦାୟର ନେତା ନୁହଁନ୍ତି ସାରା ରାଜ୍ୟର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଅରୁଣ ।
ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ନିଜେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାଶ୍ୱାନ କହିଛନ୍ତି, ମୁଁ ପୂର୍ବରୁ ଏ କଥା କହିସାରିଛି । ମୁଁ ଜାତୀୟ ରାଜନୀତିରେ ବେଶି ଦିନ ରହିବି ନାହିଁ । ମୁଁ ବିହାର ଓ ବିହାରୀଙ୍କ ପାଇଁ ରାଜନୀତିକୁ ଆସିଛି । ମୋ ଲକ୍ଷ୍ୟ ହେଉଛି, ବିହାର ପ୍ରଥମ ଓ ବିହାରୀ ପ୍ରଥମ । ମୁଁ ସବୁବେଳେ ଚାହୁଁଛି, ବିହାରର ବିକାଶ ହେଉ ଓ ଅନ୍ୟ ବିକଶିତ ରାଜ୍ୟମାନଙ୍କ ସହ ବିହାର ସମକକ୍ଷ ହେଉ । ମୁଁ ତିନି ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବି ଦିଲ୍ଲୀରେ ରହି ଏହା କରିବା ସମ୍ଭବ ନୁହେଁ ବୋଲି ମୁଁ ଅନୁଭବ କରୁଛି । ଏହା କହିଛନ୍ତି ଚିରାଗ ପାଶ୍ୱାନ ।
ଚିରାଗ ୨୦୧୪ ଓ ୨୦୧୯ ମସିହାରେ ଜାମୁଇ ସଂରକ୍ଷିତ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ରେ ହାଜିପୁର ସଂରକ୍ଷିତ ଲୋକସଭା ଆସନରୁ ନିର୍ବାଚିତ ହୋଇ ଚିରାଗ ପ୍ରଥମ ଥର କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି । ତେବେ କେନ୍ଦ୍ରରେ ତାଙ୍କର ଆଉ ମନ ଲାଗୁନାହିଁ । ସେ ଏବେ ବିହାର ଆସିବାକୁ ବ୍ୟାକୁଳ ହେଲେଣି ।
ଅଧିକ ପଢ଼ନ୍ତୁ: ବହିଷ୍କାର ପରେ ମୁହଁ ଖୋଲିଲେ ତେଜ ପ୍ରତାପ, ଲେଖିଲେ ଇମୋସନାଲ ନୋଟ୍...
ଚିରାଗ ବିଧାନସଭା ନିର୍ବାଚନ ଲଢ଼ନ୍ତୁ ଓ ନେତୃତ୍ୱ ନିଅନ୍ତୁ ବୋଲି ଦଳ ପକ୍ଷରୁ କୁହାଯାଉଛି । ଏହାର ଅର୍ଥ ଚିରାଗ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ।
ଏନଡିଏ ପକ୍ଷରୁ ଘୋଷଣା କରାଯାଇଛି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ମେଣ୍ଟ ବିହାରରେ ନିର୍ବାଚନ ଲଢ଼ିବ । ଏହା ଜାଣି ମଧ୍ୟ ଚିରାଗ ମୁଖ୍ୟମନ୍ତ୍ରୀ ପଦକୁ ଆଖେଇଛନ୍ତି । ରାଜନୀତି ବିଶେଷଜ୍ଞଙ୍କ ମତରେ, ନୀତୀଶଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ରହୁନାହିଁ । ନୀତୀଶଙ୍କ ଲୋକପ୍ରିୟତା ବି ଆଉ ଆଗଭଳି ନାହିଁ । ତାହା କମୁଛି । ଚିରାଗ ଏବେ ରାଜ୍ୟ ରାଜନୀତିର ଏକ ଶୂନ୍ୟସ୍ଥାନ ପୂରଣ କରିବାକୁ ଚାହୁଁଛନ୍ତି । ଚିରାଗ ବି କହିସାରିଲେଣି, ନୀତୀଶଙ୍କ ପଦ ପାଇଁ ମୁଁ ଲାଳାୟିତ ନୁହେଁ । ତାଙ୍କୁ ମୁଁ ଆଦୌ ରିପ୍ଲେସ୍ କରୁନାହିଁ । ମୁଖ୍ୟମନ୍ତ୍ରୀ ପଦ ଖାଲି ନାହିଁ ବୋଲି କହିଛନ୍ତି ଚିରାଗ ।
ଅନେକଙ୍କ ମତରେ, ଏମିତି କହି ଚିରାଗ ବିଜେପି ଉପରେ ଚାପ ସୃଷ୍ଟି କରିବାକୁ ଚାହୁଁଛନ୍ତି । ସିଟ୍ ବଣ୍ଟନ ବେଳେ ଅଧିକ ଗୁରୁତ୍ୱ ପାଇବା ପାଇଁ ଏହା ଏକ ଚାଲ୍ ହୋଇପାରେ । ଗତ ଲୋକସଭା ନିର୍ବାଚନରେ ଚିରାଗଙ୍କ ନେତୃତ୍ୱାଧୀନ ଦଳ ୫ଟି ଆସନରେ ପ୍ରାର୍ଥୀ ଦେଇ ୫ଟି ଯାକରେ ବିଜୟୀ ହୋଇଛି । ଚିରାଗ ଏବେ ବିହାରରେ ସବୁଠୁ ବଡ଼ ଦଳିତ ଚେହେରା । ପ୍ରାୟ ୬ ପ୍ରତିଶତ ଦଳିତ ଭୋଟ ତାଙ୍କ ସପକ୍ଷରେ ରହିଛି ।
୨୦୨୦ ବିଧାନସଭା ନିର୍ବାଚନରେ ଆସନ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ଲୋକ ଜନଶକ୍ତି ପାର୍ଟି ଏନଡିଏରୁ ବାହାରି ଆସି ଏକାକୀ ନିର୍ବାଚନ ଲଢ଼ିଥିଲା । ଜେଡିୟୁର ଭଲ ପ୍ରଭାବ ଥିବା ୧୩୦ରୁ ଅଧିକ ଆସନରେ ପ୍ରାର୍ଥୀ ଦେଇଥିଲା ଲୋକ ଜନଶକ୍ତି ପାର୍ଟି । ଫଳରେ ଜେଡିୟୁ କେବଳ ୪୩ଟି ଆସନରେ ଜିତିବାରେ ସକ୍ଷମ ହୋଇଥିଲା । ଯଦି ଆସନ୍ତା ନିର୍ବାଚନରେ ଏନଡିଏ ମେଣ୍ଟ ବିଜୟ ଲାଭ କରେ, ତେବେ ଚିରାଗଙ୍କୁ ନୀତୀଶଙ୍କ ବିକଳ୍ପ ଭାବେ ଷାଣ୍ଡବାଏରେ ରଖାଯାଇପାରେ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748872470.jpg)