• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଣ ହେବ କଂଗ୍ରେସର ଭବିଷ୍ୟତ ? ପୁରୁଖା ନେତାଙ୍କୁ ଛାଡ଼ି ନିଜକୁ ପୁନର୍ଗଠିତ କରିପାରିବ କି ଦେଶର ସର୍ବ ପୁରାତନ ରାଜନୈତିକ ଦଳ? ଗାନ୍ଧୀ ପରିବାର ବିନା ଆଗକୁ ବଢିପାରିବ କି କଂଗ୍ରେସ ? ଅକ୍ଟୋବର ୧୭ରେ ନୂଆ ସଭାପତି ଚୟନ ନେଇ ନିର୍ବାଚନ ହେବାକୁ ଥିବା ବେଳେ, କିଏ ବୁଡ଼ୁ ଥିବା ନାଆର ମଙ୍ଗ ଧରିବ, ଏବେ ତା ଉପରେ ନଜର । ରାହୁଲ ଦଳର ନେତୃତ୍ୱ ନେବାକୁ ରାଜି ନଥିବାରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ଗାନ୍ଧୀ ଅନୁଗତ ଅଶୋକ ଗେହଲୋଟଙ୍କୁ ସଭାପତି ପଦରେ ବସାଇବା ଚକ୍କରରେ ଥିଲେ ସୋନିଆ । ମାତ୍ର ସେ ଦିଲ୍ଲୀ ଆସିବାକୁ ସଂପୂର୍ଣ୍ଣ ଅରାଜି । ଏଭଳି କ୍ଷେତ୍ରରେ ଦଳ କାହାକୁ ବାଛିବ ନା ପୁଣି ବୁଲିବାଲି ସେଇ ଗାନ୍ଧୀଙ୍କ ଶରଣ ପଶିବ ଏବେ ତା ଉପରେ ନଜର ।

ତେଣେ ସଭାପତି ନିର୍ବାଚନ ପୂର୍ବରୁ ଦଳକୁ ଚରମବାଣୀ ଶୁଣାଇଛନ୍ତି ଆଉ ଜଣେ ଜି-୨୩ ଗୋଷ୍ଠୀର ସଦସ୍ୟ ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଶୋକ ଚଭନ । ପପେଟ୍ ବା କାଠକଣ୍ଢେଇ ସଭାପତି କଲେ ଚଳିବ ନାହିଁ ବୋଲି ସେ ଖୋଲାଖୋଲି କହିଛନ୍ତି । ସଭାପତି ସମେତ ସିଡବ୍ଲୁସି ଓ ଅନ୍ୟ ସମସ୍ତ ପଦପଦବୀ ଲାଗି ନିର୍ବାଚନ କରାଯାଉ ବୋଲି ଦାବି କରିଛନ୍ତି ଚଭନ । ଦକ୍ଷ ନେତୃତ୍ୱ ସାଙ୍ଗକୁ ଠୋସ୍ ପଦକ୍ଷେପ ନିଆନଗଲେ କଂଗେସ ତିଷ୍ଠିବ ନାହିଁ ବୋଲି ସେ ସତର୍କ କରାଇ ଦେଇଛନ୍ତି ।

ସେପଟେ ସଭାପତି ନିର୍ବାଚନ ଲାଗି ପ୍ରସ୍ତୁତ ଇଲେକ୍ଟୋରାଲ ରୋଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅନ୍ୟ ଜଣେ ବରିଷ୍ଠ ନେତା ତଥା ଜି-୨୩ ସଦସ୍ୟ ଆନନ୍ଦ ଶର୍ମା । ପ୍ରଦେଶ କଂଗ୍ରେସ କମିଟି ଓ ଜିଲ୍ଲା କଂଗ୍ରେସ କମିଟି ଇଲେକ୍ଟୋରାଲ ରୋଲ୍ ପ୍ରକାଶିତ ଓ ବଣ୍ଟନ କରାଯିବା କଥା ସ୍ୱତନ୍ତ୍ର ବୈଠକରେ ଇଲେକ୍ଟୋରାଲ ରୋଲ୍ ଚୂଡ଼ାନ୍ତ ହେବା କଥା । ମାତ୍ର ଏଭଳି କିଛି କରାଯାଇନଥିବା ନେଇ ତାଙ୍କ ନିକଟରେ ଅଭିଯୋଗ ପହଞ୍ଚୁଥିବା କହିଛନ୍ତି ଆନନ୍ଦ ଶର୍ମା ।

ଗୋଟିଏ ପଟେ କଂଗ୍ରେସର ନୂଆ ମଙ୍ଗୁଆଳ କିଏ ହେବ, ତାକୁ ନେଇ ଦଳ ଭିତରେ ମାନସମନ୍ଥନ ଚାଲିଥିବା ବେଳେ, ଅନ୍ୟପଟେ ଦଳ ଓ ଖାସ୍ କରି ରାହୁଲ ଗାନ୍ଧିଙ୍କ ଉପରେ ଗୋଟିକ ପରେ ଗୋଟିଏ ନିଶାନା ସାଧିବାରେ ଲାଗିଛନ୍ତି ଗୁଲାମ ନବୀ ଆଜାଦ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସବୁ ପ୍ରସଙ୍ଗରେ ରାହୁଲ ଟାର୍ଗେଟ କରିବା ଠିକ୍ ହୋଇନି ବୋଲି କହିଛନ୍ତି ଗୁଲାମନବୀ । ଖାସ୍ କରି ରାହୁଲଙ୍କ ଚୌକିଦାର ଚୋର ହେ ସ୍ଲୋଗାଲ ଆଦୌ ଉଚିତ୍ ନଥିଲା । ଏହି ସ୍ଲୋଗାନକୁ ଦଳର ଜଣେ ହେଲେ ବରିଷ୍ଠ ନେତାଙ୍କ ସମର୍ଥନ ନଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ବରିଷ୍ଠ ଓ ବିରୋଧୀଙ୍କୁ ସମ୍ମାନ କରିବା ସେ ଇନ୍ଦିରାଙ୍କଠୁ ଶିଖିଥିଲେ । ବିଭିନ୍ନ ପ୍ରସଙ୍ଗରେ ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କୁ ଭେଟିବା ଲାଗି ଇନ୍ଦିରା ତାଙ୍କୁ ପରାମର୍ଶ ଦେଇଥିବା ଖୁଲାସା କରିଛନ୍ତି ଆଜାଦ୍‌ ।