Advertisment

ଜାରି ରହିଛି ରାଜ୍ୟସଭା ସସ୍‌ପେନ୍ସ, ଦେବାଶିଷ ଓ ଶୁଭାଶିଷଙ୍କ ପରେ କିଏ ହେବେ ତୃତୀୟ ପ୍ରାର୍ଥୀ ?

ଏସବୁ ଭିତରେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ଓ ଶୁଭାଶିଷ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ହେଲେ ଏ ଦୁହିଁଙ୍କ ପରେ ତୃତୀୟ ପ୍ରାର୍ଥୀ କିଏ ହେବ ଏପର୍ଯ୍ୟନ୍ତ ବିଜେଡି ତା କାର୍ଡ ଖୋଲି ନଥିବାରୁ ସସ୍‌ପେନ୍ସ ଜାରି ରହିଛି।

undefined

Rajya Sabha Election

Advertisment

ବିଜେଡି ଖୋଲିଲାନି ତୃତୀୟ କାର୍ଡ୍। ନାମାଙ୍କନ ଭରିଲେ ଦେବାଶିଷ ଓ ଶୁଭାଶିଷ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏ ଦୁଇଜଣ ଆଜି ଦୁଇ ସେଟ୍ ଫର୍ମ ଦାଖଲ କରିଛନ୍ତି। ଯୁବ ଚେହେରା ଶୁଭାଶିଷଙ୍କ ପ୍ରସ୍ତାବକ ହୋଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ। ଗତକାଲି ସରପ୍ରାଇଜ୍‌ କାର୍ଡ ଖେଳି ନବୀନ କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କ ନାଁକୁ ରାଜ୍ୟସଭା ପାଇଁ ମୋହର ମାରିଥିଲେ। ହେଲେ ଝୁଲି ରହିଛି ତୃତୀୟ ପ୍ରାର୍ଥୀଙ୍କ ନାଁ। ଏଥିପାଇଁ କାହା ନା ଘୋଷଣା ହେବ, ଆଉ ସମୀକରଣ କ’ଣ ରହିବ ତାକୁ ନେଇ ଦଳ ଏବେ ବି କସରତ୍ କରୁଛି। ଚର୍ଚ୍ଚା ହେଉଛି ଯେ ଗତଥର ଅଶ୍ୱିନୀ ବୈଷ୍ଣବଙ୍କ ଭଳି ବିଜେପି ଓ ବିଜେଡି ମିଳିତ ପ୍ରାର୍ଥୀ ଦେଇପାରନ୍ତି। ନଚେତ ଆଦିବାସୀ କି ମହିଳା କାର୍ଡ ବି ଖେଳିପାରନ୍ତି ନବୀନ। ଦଳରେ ଅନେକ ପୁରୁଖା ବି ଅଛନ୍ତି। ତାଙ୍କୁ ବି ସୁଯୋଗ ମିଳିପାରେ। ତେବେ ନାମାଙ୍କନ ଭରିଥିବା ଦେବାଶିଷ ଓ ଶୁଭାଶିଷ କହିଛନ୍ତି ରାଜ୍ୟ ସ୍ୱାର୍ଥକୁ ଉଚ୍ଚ ସଦନରେ ଉଠାଇବାକୁ ସୁଯୋଗ ମିଳିଲା।

Advertisment

ଦେବାଶିଷ ଓ ଶୁଭାଶିଷ ରାଜ୍ୟସଭା ପ୍ରାର୍ଥୀ ହେବା ପରେ କଟକ ଓ ପୁରୀରେ ରାଜନୈତିକ ହଲଚଲ୍। ଦୁଇ ଉପକୂଳବର୍ତ୍ତୀ ଜିଲ୍ଲାରେ ବିଜେଡିର ଏକାଧିକ ଆଶାୟୀ ଥିଲେ। କଟକ-ବାରବାଟୀ ବିଧାନସଭା ଆସନରୁ ଦେବାଶିଷ ସାମନ୍ତରାୟଙ୍କ ସ୍ଥାନରେ ଅରିନ୍ଦମ ରାୟ ଓ ସୁବାସ ସିଂଙ୍କ ନାଁ ଆଗରେ ରହିଛି। ସେପଟେ ବିଜେଡିରେ ନୂଆକରି ସାମିଲ୍ ହୋଇଥିବା ସନ୍ତୃପ୍ତ ମିଶ୍ର ଲୋକସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି। ସେହିପରି ପୁରୀରେ ଶୁଭାଶିଷ ରାଜ୍ୟସଭାକୁ ଯିବା ପରେ ବିଧାନସଭା ପାଇଁ ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ଧର୍ମପତ୍ନୀ ଓ ପୁଅ ସୁନୀଲ ମହାନ୍ତି ଟିକେଟ ରେସରେ ଆଗରେ। ପୁରୀ ଜିଲ୍ଲା ସଭାପତି ଦିବାକର ପାତ୍ର ମଧ୍ୟ ପୁରୀ ବିଧାନସଭା ପାଇଁ ଲବିରେ ଅଛନ୍ତି। ଏମାନଙ୍କ ବାଦ୍ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ମୁଖ୍ୟମନ୍ତ୍ରୀ ନିଜେ ପୁରୀରୁ ଛିଡ଼ା ହେବା ନେଇ ବି କଳ୍ପନାଜଳ୍ପନା ଚାଲିଛି।

ଏସବୁ ଭିତରେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ୨୪ ନିର୍ବାଚନ ପୂର୍ବରୁ ବିଜେଡିର ଏହା ସମରାଭ୍ୟାସ। ଦାବିଦାରଙ୍କୁ ଫଳେ ପୁଷ୍ପେ ଦେଇ ଟିକେଟ ବଣ୍ଟା ସମସ୍ୟାକୁ ପ୍ରତିହତ କରିବାକୁ ବିଜେଡି ରଣନୀତି କରିସାରିଛି। ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତା ୧୫ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ମଝିରେ ଗୋଟିଏ ଦିନ କାଲି ସରସ୍ୱତୀ ପୂଜା ଛୁଟି। ତେଣୁ ଶେଷ ମୁହୂର୍ତ୍ତରେ ତୃତୀୟ ପାର୍ଥୀ ଭାବେ କେଉଁ ସରପ୍ରାଇଜ୍ କାର୍ଡର ଖେଳ ହେଉଛି ତା ଉପରେ ସମସ୍ତଙ୍କ ନଜର।

Advertisment
BJD Rajya Sabha Rajya Sabha Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ