• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାର୍ଦ୍ଧକ୍ୟ ଭତ୍ତାରେ ବ୍ୟାପକ ହେରଫେର । କେଉଁଠି ଆବେଦନ କରି ବର୍ଷେ ବର୍ଷେ ଅପେକ୍ଷା କଲା ପରେ ହିତାଧିକାରୀ ନିରାଶ ତ ଆଉ କେଉଁଠି ବ୍ୟକ୍ତିଙ୍କ ମୃତ୍ୟୁ ପରେ ବି ଉଠୁଛି ଟଙ୍କା । ମାସିକିଆ ସମୀକ୍ଷା କରି ଭୂତ ହିକାଧିକାରୀଙ୍କୁ ତୁରନ୍ତ ତାଲିକାରୁ ବାଦ୍ ଦେବା ଲାଗି ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସାମାଜିକ ସୁରକ୍ଷା ବିଭାଗ ପ୍ରମୁଖ ସଚିବ । ତେଣେ ଡିବିଟି ବ୍ୟବସ୍ଥାରେ ବିଭ୍ରାଟକୁ ନେଇ ଜାତୀୟ ପେନସନ୍‌ ଯୋଜନା ଅର୍ଥ ବି ହିତାଧିକାରୀଙ୍କ ନିକଟରେ ପହଞ୍ଚୁ ନାହିଁ । ତେବେ ଏନେଇ କୌଣସି ପଦକ୍ଷେପ ନିଆଯାଉନଥିବାରୁ ସଚିବ ଉଦବେଗ ପ୍ରକାଶ କରିଛନ୍ତି ।

ଭୂତ ଖାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା । ଟାର୍ଗେଟ ଖାଲି ଅଛି, ହେଲେ ମଞ୍ଜୁର ହେଉନି ଆବେଦନ । ଡିବିଟିରେ ହିତାଧିକାରୀଙ୍କ ପାଖକୁ ବି ଯାଉନି ଟଙ୍କା । ମୋହନା ବଡ଼ଖଣି ପଞ୍ଚାୟତର କାଟିଆଲୁ ମଲ୍ଲିକ..ବୟସ ୯୦ । ଦି ବର୍ଷ ହେଲା ତାଙ୍କ ବାର୍ଦ୍ଧକ୍ୟ ଭତ୍ତା କଟିଯାଇଛି । ଏ ବୟସରେ ବ୍ଲକ ଅଫିସକୁ ଦୌଡି ଦୌଡି ନୟାନ୍ତ ହେଲେଣି, ହେଲେ କେହି ବି ଶୁଣୁନାହାନ୍ତି ।

ସେହିପରି ଝରିଗାଁର ଅଲେଖ କୁଲଦୀପ ଓ ମାଧୁରୀ ମାଝୀ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ବାରବାର ଆବେଦନ କଲେଣି ଅଲେଖ । ତେଣେ ସ୍ୱାମୀଙ୍କ ଦେହାନ୍ତ ପରେ ବିଧବା ଭତ୍ତା ପାଇଁ ଆବେଦନ କରିଛନ୍ତି ମାଧୁରୀ । ହେଲେ ଆବେଦନର ବର୍ଷ ବର୍ଷ ପରେ ବି ଏମାନେ ଭତ୍ତା ପାଇନାହାନ୍ତି ।

ବାର୍ଦ୍ଧକ୍ୟ ଭତ୍ତା ବ୍ୟବସ୍ଥାରେ ଅନିୟମିତାତାର ଗୁମର ଖୋଲିଛି ବିଭାଗୀୟ ସମୀକ୍ଷା। ଅକ୍ଟୋବର ମାସ ସମୀକ୍ଷା ପରେ ଜିଲ୍ଲାପାଳଙ୍କୁ ବିଭାଗୀୟ ସଚିବ ଲେଖିଥିବା ଚିଠି କହୁଛି କେମିତି ଅଧିକାରରୁ ବଞ୍ଚିତ ହେଉଛନ୍ତି ବୃଦ୍ଧବୃଦ୍ଧା । ମଧୁବାବୁ ପେନସନ ଯୋଜନାରେ ୧୨ ହଜାର ୪୦୫ ଓ ଜାତୀୟ ନିରାପତ୍ତା ସହାୟତା ଯୋଜନାରେ ୬ ହଜାର ୬୧୪ ସ୍ଥାନ ଖାଲି ପଡିଛି । ଏହାସତ୍ତ୍ୱେ ଯୋଗ୍ୟ ଆବେଦନ ମଞ୍ଜୁର ନହେବା ଦୁଃଖର ବିଷୟ ବୋଲି ବିଭାଗୀୟ ପ୍ରମୁଖ ସଚିବ ଲେଖିଛନ୍ତି ।

ତେଣେ ଡିବିଟି ବିଭ୍ରାଟ ଯୋଗୁଁ ଜାତୀୟ ନିରାପତ୍ତା ପେନସନ ଯୋଜନାରେ ୪୧ ହଜାର ୪୬ ହିତାଧିକାରୀ ବର୍ଷ ବର୍ଷ ଧରି ଭତ୍ତା ଟଙ୍କା ପାଇନାହାନ୍ତି । ମାତ୍ର ଏଥିପ୍ରତି କାହାରି ନିଘା ନାହିଁ । ଏହାକୁ ନେଇ ସଚିବ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯୋଗ୍ୟଙ୍କୁ ଭତ୍ତା ମିଳୁନଥିବା ବେଳେ ମୃତ ହିତାଧିକାରୀଙ୍କ ନାଁରେ କିନ୍ତୁ ରୀତିମତ ଉଠୁଛି ଟଙ୍କା । ତେଣୁ ପ୍ରତି ମାସରେ ଯାଞ୍ଚ କରି ଭୂତ ହିତାଧିକାରୀଙ୍କୁ ବାଦ୍ ଦେବା ସହ ମଞ୍ଜୁର ଅପେକ୍ଷାରେ ଥିବା ହିତାଧିକାରୀଙ୍କୁ ତାଲିକାରେ ଯୋଡିବା ଲାଗି ବିଡିଓମାନଙ୍କୁ କୁହାଯାଇଛି । ଏଣେ ଭତ୍ତା ବ୍ୟବସ୍ଥାର ଗୁମର ଖୋଲିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଭୂତ ହିତାଧିକାରୀଙ୍କୁ ବାଦ୍ ଦେବା ଲାଗି ଡିବିଟିରେ ଭତ୍ତା ଦେବାକୁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ହେଲେ ରାଜ୍ୟ ସରକାର ଏ ନିଷ୍ପତ୍ତିକୁ ବିରୋଧ କରି ନିଜ ଯୋଜନାରେ ସିଧାସଳଖ ଟଙ୍କା ଦେଉଥିଲେ । ଏବେ ଭତ୍ତା ଦୁର୍ନୀତି ଗୁମର ଖୋଲିବା ପରେ ସରକାରଙ୍କ ନିଷ୍ପତ୍ତିର ବିଜ୍ଞତାକୁ ନେଇ ପ୍ରଶ୍ନ ଉଠିଛି ।

ରିପୋର୍ଟ- ଝରିଗାଁରୁ ତ୍ରିନାଥ ଧୁରୁଆ

  • Reported by:
  • SOUMYA RANJAN SAHOO , Mihir Jati