Advertisment

ନୂଆ ମୋହନ ସରକାରଙ୍କ ପାଇଁ ଅଛି ଏହିସବୁ ଚ୍ୟାଲେଞ୍ଜ୍

ବର୍ତ୍ତମାନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ବିଜେଡି ମାର୍କା ଅଫିସରଙ୍କୁ ବଦଳି ଚାଲିଛି। କର୍ପୋରେସନ ଗୁଡ଼ିକରେ ଏ ସରକାରର ଲୋକ ଅବସ୍ଥାପିତ ହୋଇନାହାଁନ୍ତି, ତେଣୁ କାମ କେବେ ଆରମ୍ଭ ହେବ ତାହା ଦେଖିବାର କଥା।

author-image
Amaresh Biswal
ଅଦ୍ୟତନ ହୋଇଛି
Odisha Government

Odisha Government

ଓଡ଼ିଶାର ନୂଆ ବିଜେପି ସରକାର ପାଇଁ ଏବେ ଅନେକ ଆହ୍ୱାନ। ଏକ ୨୫ ବର୍ଷ ପୁରୁଣା ଦୁର୍ଗର ମାଲିକାନା ଯେତେବେଳେ ପରିବର୍ତ୍ତନ ହୁଏ, ସେତେବେଳେ ସମସ୍ତଙ୍କ ନଜର ରୁହେ, ନୂଆ ସରକାର ପୁରୁଣା ଦୁର୍ଗକୁ ଭାଙ୍ଗି ନିଜର ଦୁର୍ଗ କେମିତି ତିଆରି କରୁଛି। ବିଜେପିର ଏବେ ସେହି ଅବସ୍ଥା।

Advertisment

ବାସ୍ତବ କଥା ହେଲା, ବିଜେଡି ସରକାର ୨୫ ବର୍ଷ ଧରି କରିଥିବା ବ୍ୟବସ୍ଥାକୁ ଭାଙ୍ଗି ଗୋଟେ ନୂଆ ବ୍ୟବସ୍ଥା ସୃଷ୍ଟି କରିବା କିମ୍ବା ଲାଗୁ କରିବାକୁ ବିଜେପି ସରକାର ପାଇଁ କାଠିକର ପାଠ ହୋଇଯାଇ ପାରେ। ଏମିତିବି ହୋଇପାରେ, ପୂରା ୫ ବର୍ଷ ପଳେଇବ ଖାଲି ପୁରୁଣା ବ୍ୟବସ୍ଥାକୁ ଭାଙ୍ଗିବାକୁ। ତେଣୁ ରାଜନୈତିକ ପଣ୍ଡିତମାନଙ୍କ ପରାମର୍ଶ ହେଲା, ହଠାତ୍ କିଛି ବଡ଼ ପରିବର୍ତ୍ତନ ନକରି ବରଂ ଧୀରେ ଧୀରେ ବନ୍ଧ ବାନ୍ଧିବା ଉଚିତ। ନହେଲେ ବନ୍ଧ ଭାଙ୍ଗିଯାଇ ପାରେ।

ଆପଣ ଅଫିସର ବଦଳେଇ ଦେଇପାରନ୍ତି, କିନ୍ତୁ ଯେଉଁସବୁ ଯୋଜନା ବିଜେଡି କରିଛି, ତାକୁ ଚଳେଇ ରଖାଯିବ ନା ବନ୍ଦ କରାଯିବ ସେଇଠି ରହିଛି ସବୁଠାରୁ ବଡ଼ ବିପଦ। ଭୋଟ୍ ଗୋଟେଇବାକୁ, ବିଜେଡ଼ି ରାଜ୍ୟରେ ବହୁ ଲୋକପ୍ରିୟ ଯୋଜନା ବା ପପୁଲିଷ୍ଟ ମେଜର୍ ନେଇଥିଲା। ଅନେକ ଯୋଜନା ଅଛି, ଯାହା ସିଧାସଳଖ ସାଧାରଣ ଲୋକଙ୍କ ସମସ୍ୟା ସହ ଜଡ଼ିତ ହୋଇ ରହିଛି। ସେଥିପାଇଁ ସେଗୁଡ଼ିକ ଲୋକପ୍ରିୟ ହୋଇପଡ଼ିଛି।

Advertisment

ଏହାର ଏକ ଉଦାହରଣ ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେୱାଇ। ସରକାରରେ ପାଦ ଦେଉ ଦେଉ, ଏହି ଯୋଜନାଟି ପାଇଁ ନିକଟରେ ପ୍ରଚାରିତ ହୋଇଗଲା ଯେ, ଏହି ଯୋଜନା ବନ୍ଦ ହୋଇଯିବ। ଫଳରେ ସରକାର ଗଠନ ନହେଉଣୁ ସାରା ରାଜ୍ୟରେ ବିଜେପିକୁ ସମାଲୋଚନା ଆରମ୍ଭ ହୋଇଥିଲା। କିନ୍ତୁ ସୁଖର କଥା ଯେ, ସରକାର ଏହି ଯୋଜନାକୁ ଚାଲୁ ରଖିଛନ୍ତି। କେନ୍ଦ୍ରର ଆୟୂଷ୍ମାନ ଭାରତ ନିଶ୍ଚିତ ସ୍ୱାସ୍ଥ୍ୟ ଯୋଜନାକୁ କେମିତି ଲାଗି କରିବେ, ତାହା ସରକାରଙ୍କ ପାଇଁ ଆହ୍ୱାନ ନିଶ୍ଚୟ। ସେହିପରି ମହିଳାଙ୍କ ପାଇଁ ଲୋକପ୍ରିୟ ମିଶନ ଶକ୍ତି ଯୋଜନା ମଧ୍ୟ ଚାଲୁ ରହିବ ବୋଲି ସରକାର ଘୋଷଣା କରି ସାରିଛନ୍ତି।

ସେହିପରି ଆଉକିଛି ଯୋଜନା ମଧ୍ୟ ରହିଛି। ଯାହାକୁ ବନ୍ଦ କଲେ ହୁଏତ ବିପଦ ସୃଷ୍ଟି ହୋଇପାରେ। ସେହିପରି କୃଷି ଓ କୃଷକଙ୍କୁ ନେଇ ରାଜ୍ୟ ସରକାର କରିଥିବା କାଲିଆ ଯୋଜନା ଏବଂ କେନ୍ଦ୍ରର ଥିବା ଯୋଜନା କେମିତି କାର୍ଯ୍ୟକାରୀ ହେବ, ଏସବୁ ଦ୍ୱାରା ବାସ୍ତବରେ କୃଷିର ବିକାଶ ହେଉଛି ନା ନାହିଁ, ତାହା ଦେଖିବା ନୂଆ ସରକାର ପାଇଁ ଆହ୍ୱାନ ହେବ।

ବର୍ତ୍ତମାନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ବିଜେଡି ମାର୍କା ଅଫିସରଙ୍କୁ ବଦଳି ଚାଲିଛି। କର୍ପୋରେସନ ଗୁଡ଼ିକରେ ଏ ସରକାରର ଲୋକ ଅବସ୍ଥାପିତ ହୋଇନାହାଁନ୍ତି, ତେଣୁ କାମ କେବେ ଆରମ୍ଭ ହେବ ତାହା ଦେଖିବାର କଥା। ବିଜେଡି ସରକାରଙ୍କ ଅନେଶ୍ୱତ ପ୍ରତିଶତ ଯୋଜନା, ଭୋଟ୍-ଆମଦାନି ଉଦ୍ଦେଶ୍ୟ ରଖି କରାଯାଇଥିଲା। ଗୋଟେ ରାଜ୍ୟ କିପରି ଆଗାମୀ ଦିନରେ ସବୁଦିନ ପାଇଁ ସଶକ୍ତ ହେବ, ସେଥିପାଇଁ କୌଣସି ଯୋଜନା କରାଯାଉ ନଥିଲା। କାରଣ ସେପରି ଯୋଜନାର ଲାଭ ତୁରନ୍ତ ମିଳିବାକୁ ନଥିବାରୁ, ସେଥିରୁ ଭୋଟ୍ ମିଳିବାର ଆଶା କମ୍ ଥିଲା। ଏହା ଦୃଷ୍ଟିରେ ରଖି, ନୂଆ ବିଜେପି ସରକାର ୩ଟି ସୁଦୂରପ୍ରସାରୀ ବ୍ୟବସ୍ଥାକୁ ସଜାଡ଼ିବା ଦରକାର, ଯାହାକି ଆଗାମୀ ଦିନରେ ରାଜ୍ୟବାସୀଙ୍କ ପାଇଁ ସୁଫଳ ଆଣିଦେବ।

୧. କୃଷି: ରାଜ୍ୟରେ ଦୀର୍ଘ ୨୫ ବର୍ଷ ଧରି ଏକ ସ୍ଥିର ସରକାର ରହିଥିଲେ ବି, ଓଡ଼ିଶା ଏବେବି ଏକ ଖାଉଟି- ରାଜ୍ୟ ବା କଂଜ୍ୟୁମର ଷ୍ଟେଟ୍ ହୋଇ ରହିଛି। ଏହା କେବଳ ଅନ୍ୟଠୁ କିଣୁଛି, କୌଣସି ଜିନିଷ ଏହା ବିକେ ନାହିଁ। ଆମେ ଅଣ୍ଡା, ଚିକେନ୍, ମାଛ, ପିଆଜ, ଆଳୁ ଓ ଆଉ ଅନେକ ଜିନିଷ ବାହାରୁ କିଣୁ। କେବଳ ପରିବା ଦି-କିଆରି ନିଜେ କରୁ, ତାହାବି କମି ଆସିଲାଣି। ଗଲା ୨୫ ବର୍ଷ ଭିତରେ ଆମେ କଣ ଏଇସବୁ ଜିନିଷ ଉତ୍ପାଦନ କରିବାରେ ଆତ୍ମ ନିର୍ଭରଶୀଳ ହୋଇପାରି ନଥାନ୍ତେ? ମଝିରେ ଆଳୁ ମିଶିନ ଆରମ୍ଭ ହୋଇଥିଲା, କିଛି ଜାଗାରେ ଆଳୁ ଉତ୍ପାଦନ ହେଲା, କିନ୍ତୁ ଶୀତଳଭଣ୍ଡାର ନଥିବାରୁ ଚାଷୀ ବୁଡ଼ିଗଲେ। ଓଡ଼ିଶା କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ, ଏହାର ମୂଳପିଣ୍ଡ ହେଉଛି ଚାଷ। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା କଣ ବିକଶିତ ନୁହଁନ୍ତି, କିନ୍ତୁ କୃଷିକୁ ସେମାନେ ଛାଡ଼ିନାହାଁନ୍ତି।

୨. ଶିକ୍ଷା : ସେହିପରି ଶିକ୍ଷା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର, ଯେଉଁଥିରୁ କିଛି ରାଜସ୍ୱ ଆସେନାହିଁ, ହେଲେ ଆଗାମୀ ଦିନରେ ଆମକୁ ସମୃଦ୍ଧ ଓ ବକଶିତ ହେବାରେ ସାହାଯ୍ୟ କରିବ। ଏବେ ଅଧିକାଂଶ ସ୍କୁଲ କଲେଜରେ ଶିକ୍ଷକ ନାହାଁନ୍ତି। ରାଜନୈତିକ ଚାପରେ ଗୁଡ଼ାଏ ଜାଗାରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି, ହେଲେ ସେଗୁଡ଼ିକ ସବୁ ସିଙ୍ଘାଣିନାକି ଛୁଆଙ୍କ ପରି ଗଛତଳେ ଗଡୁଛନ୍ତି। ଥରେ ଚିନ୍ତାକରନ୍ତୁ, ଆଜି ଯେଉଁ ପିଲା ମାଷ୍ଟ୍ର ନଥିବା ସ୍କୁଲରେ ପାଠ ପଢ଼ିକି ଆସିଲା, ସିଏ ଆଗାମୀ ଦିନରେ ମୁର୍ଖଟିଏ ହେଇ ବାହାରିବ। ସେପରି ଏକ ଭବିଷ୍ୟତର ନାଗରିକକୁ ନେଇ ଏହି ରାଜ୍ୟ କେମିତି ବିକଶିତ ହୋଇପାରିବ। ସରକାର ଯଦି କେଉଁଥିରେ ନିଃସ୍ୱାର୍ଥପର ଭାବରେ ନିବେଶ କରିବାକୁ ଚାହୁଁନ୍ତି, ତେବେ ତାହା ହେଉଛି କୃଷି ଓ ଶିକ୍ଷା। ଆଜି ଏଥିରେ ଦୁଇଟଙ୍କା ନିବେଶ ହେଲେ, କାଲି ଏହା ଦଶଟଙ୍କା ହୋଇ ଆମକୁ ଲାଭ ଦେବ। ତେଣୁ ଖାଲି ପଡ଼ିଥିବା ହଜାର ହଜାର ଶିକ୍ଷକ ପଦବୀ ପୂରଣ କରିବା ସହିତ ଟ୍ରାକରୁ ଖସି ଯାଇଥିବା ଶିକ୍ଷା ବ୍ୟବସ୍ଥାକୁ ବାଟକୁ ଆଣିବା ଏକ ବଡ଼ ଆହ୍ୱାନ।

୩. ସ୍ୱାସ୍ଥ୍ୟ : ଏହା ଏକ ଜରୁରି ଆବଶ୍ୟକତା। ଆମ ରାଜ୍ୟରେ ସ୍ୱାସ୍ଥ୍ୟସେବାର ମାନ ଓ ଅବସ୍ଥା ଯାହା, ତାକୁ ସଜାଡ଼ିବାକୁ ୫୦ ବର୍ଷ ଲାଗିବ। ଗତ ୨୫ ବର୍ଷ ଧରି ଏହାକୁ ସଜାଡ଼ି ନଥିବା ବିଜେଡି ସରକାର, ବାଧ୍ୟହୋଇ ବିଏସକେଓ୍ୱାଇ କାର୍ଡ କରି ଲୋକଙ୍କୁ ଚିକିତ୍ସା ପାଇଁ ପଇସା ଦେଇଦେଲା। କାରଣ ପାଣ୍ଡିଆନ ବାବୁ ଦେଖିଲେ, ଏ ସ୍ୱାସ୍ଥ୍ୟସେବାକୁ ଯେତେ ଯାହା କଲେବି ସଜାଡି ହେଉନି। କେବେ ଡାକ୍ତର ନାହାଁନ୍ତି, କେବେ ଔଷଧ ନାହିଁ, କେବେ କର୍ମଚାରୀ ସମସ୍ୟା। ଓଡ଼ିଆ ଲୋକ ମଧ୍ୟ ନିଜର ସ୍ୱାସ୍ଥ୍ୟ ସଂପର୍କରେ ଆଦୌ ସଚେତନ ନୁହଁନ୍ତି, ତେଣୁ ଏସବୁ ସମସ୍ୟାରୁ ମୁକୁଳିବାକୁ ପାଣ୍ଡିଆନ ବାବୁ ସ୍ୱାସ୍ଥ୍ୟକାର୍ଡ ଜରିଆରେ ଲୋକଙ୍କୁ ପଇସା ବାଣ୍ଟିଦେଲେ। ଯିଏ ଯେଉଁଠି ଚିକିତ୍ସା ହେଉଛ ହୁଅ, ସରକାର ଟଙ୍କା ଦେବେ। ଆଦୌ ସ୍ୱାସ୍ଥ୍ୟ ସଚେତନ ନଥିବା ଗରିବ ଓଡ଼ିଆ ଲୋକଙ୍କ ପାଇଁ ଏଇ କାର୍ଡ ସଂଜୀବନୀ ପରି କାମ ଦେଉଛି। ଏପଟେ ତେଣୁ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସଜାଡିବାର ଆବଶ୍ୟକତା ଆଉ ପଡୁନି। ପଇସା ଥିଲା ଲୋକ କେବେବି ସରକାରୀ ଡାକ୍ତରଖାନା ଯାଏନି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଯଦି ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସଜାଡି ଦିଅନ୍ତି ତେବେ ଲୋକଙ୍କର ଅଧେ ସମସ୍ୟାର ସମାଧାନ ହୋଇପାରନ୍ତା। ପ୍ରଥମେ ଖାଲି ପଡିଥିବା ହଜାର ହଜାର ଡାକ୍ତର ପଦବୀ ପୂରଣ କରନ୍ତୁ।

ବାକି ଆଉ କିଛି ବିଭାଗ ଅଛି, ଯାହା ପାଇଁ ସରକାର ଧୀରେ ଧୀରେ ପଦକ୍ଷେପ ନେଲେ ଚଳିବ। ଲୋକଙ୍କ ଭିତରେ ସାଂସ୍କୃତିକ ବିପ୍ଳବର ଆବଶ୍ୟକତା ରହିଛି। ଏହା ହେଲେ ବିଜେପିର ଓଡ଼ିଆ ଅସ୍ମିତା ସ୍ଲୋଗାନ ସାକାର ହୋଇପାରିବ। ଯେଉଁଥିରେ ଆମେ ସମୃଦ୍ଧ, ତାକୁ ନେଇ କେମିତି କିଛି ରୋଜଗାର ହୋଇପାରିବ, ସେଥିପ୍ରତି ଗୁରୁତ୍ୱ ଦିଆଯାଉ। ଶିକ୍ଷାରେ ଆମ ସଂସ୍କୃତିକୁ ଗୁରୁତ୍ୱ ଦିଆଯାଉ। ଏପରି ହେଲେ କିଛିବର୍ଷ ଭିତରେ ସରକାର ଏହାର ସୁଫଳ ପାଇବା ଆରମ୍ଭ କରିବେ।

BJD BJP Congress Odisha Politics General Election 2024
Advertisment
Advertisment