Advertisment

ଆଦିବାସୀ ଜମି ହସ୍ତାନ୍ତର ସଂକ୍ରାନ୍ତ କ୍ୟାବିନେଟ୍ ନିଷ୍ପତ୍ତି ସାମୟିକ ସ୍ଥଗିତ

ତର୍ଜମା ଲାଗି ଗଲା ଆଦିବାସୀ ଉପଦେଷ୍ଟା ପରିଷଦ ।

ଅଦ୍ୟତନ ହୋଇଛି
Odisha Politics

Odisha Politics

Advertisment

ପକାଇ ଥିବା ଛେପ ପୁଣି ଢୋକିଛନ୍ତି ରାଜ୍ୟ ସରକାର। ଆଦିବାସୀ ଉପଦେଷ୍ଟା ପରିଷଦକୁ ଯାଇଛି ଆଦିବାସୀ ଜମି ହସ୍ତାନ୍ତର ଆଇନ ସଂଶୋଧନ ଅଧିନିୟମ। ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ବିରୋଧୀ ଦେଇଥିବା ମୁଲତବୀ ନୋଟିସ ଉପରେ ଆଲୋଚନା ପୂର୍ବରୁ ଆଜି ପୁଣି କ୍ୟାବିନେଟ ବୈଠକ ଡାକି ଏଭଳି ନିର୍ଣ୍ଣୟ ନେଇଛନ୍ତି ରାଜ୍ୟ ସରକାର। ତେବେ ଏହାସତ୍ତ୍ୱେ ମୁଲତବୀ ଆଲୋଚନା ବେଳେ ସରକାରଙ୍କୁ ଧୋଇଥିଲେ ବିରୋଧୀ।

Advertisment

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ସରକାର ନିଜ ଭୁଲ ବୁଝିଛନ୍ତି, ତେବେ ଭାବମୂର୍ତ୍ତି ବଜାୟ ରଖିବା ଲାଗି ଗୋଳମାଳିଆ ସ୍ଥିତି ସୃଷ୍ଟି ଲାଗି ଉଦ୍ୟମ କରୁଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯୁକ୍ତି ରଖି କହିଥିଲେ ଯେ ଅଧିକ ତର୍ଜମାର ଆଦୌ ଆବଶ୍ୟକତା ନାହିଁ, ନିଷ୍ପତ୍ତି ସିଧା ପ୍ରତ୍ୟାହାର କର। ଶାସକ ବିଧାୟକ ଅରୁଣ ସାହୁ ବିରୋଧୀଙ୍କୁ କାଉଣ୍ଟର କରିବା ସହ ସରକାରଙ୍କ ପକ୍ଷ ରଖିଥିଲେ।

ଗତ ୧୪ ତାରିଖରେ ଅନୁସୂଚିତ ଅଞ୍ଚଳ ରେଗୁଲେସନ-ଟୁ, ୧୯୫୬ ଆଇନରେ ସଂଶୋଧନ ଆଣି, ଆଦିବାସୀ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ମଞ୍ଜୁର କରିଥିଲା ରାଜ୍ୟ କ୍ୟାବିନେଟ। ତେବେ ସରକାର ନିଷ୍ପତ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିରୋଧ କରିଥିଲେ ଆଦିବାସୀ, ଆନ୍ଦୋଳନ ଚେତାବନୀ ଦେଇଥିଲେ ବିରୋଧୀ।

Advertisment

ଏହାକୁ ନେଇ ୧୫ ତାରିଖରେ ଯେଉଁ ରାଜସ୍ୱମନ୍ତ୍ରୀ ନିଷ୍ପତ୍ତିକୁ ଐତିହାସିକ କହିଥିଲେ, ୧୬ ତାରିଖ ଦିନ ନିଷ୍ପତ୍ତି ସ୍ଥଗିତ ରହିଥିବା ସୂଚନା ଦେଇଥିଲେ । ତେବେ ସ୍ଥଗିତ ନୁହେଁ, ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଦୁଇ ଦିନ ଧରି ବିଧାନସଭା ଚଳାଇ ଦେଇନଥିଲେ ବିରୋଧୀ। ବିଧାନସଭାରେ ଆଲୋଚନା ଲାଗି ସରକାର ରାଜି ନହେବାକୁ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି। ଅନ୍ୟପକ୍ଷରେ ଆଜି କ୍ୟାବିନେଟ ନେଇଥିବା ନିଷ୍ପତ୍ତିକୁ ଖାଲି ବିରୋଧୀ ନୁହନ୍ତି, ଆଦିବାସୀ ସଂଘ ବି ନିନ୍ଦା କରିଛି।

ରାଜ୍ୟରେ ଆଦିବାସୀଙ୍କ ସଂଖ୍ୟା ପ୍ରାୟ ୨୨ ପ୍ରତିଶତ। ୩୨ ଟି ବିଧାନସଭା ଏବଂ ୫ଟି ଲୋକସଭା ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ତେଣୁ ଖାଲି ବିରୋଧୀ ନୁହଁନ୍ତି, ନିଷ୍ପତ୍ତି ସ୍ଥଗିତ ରଖିବା ପଛରେ ଆଦିବାସୀ ଭୋଟ ବ୍ୟାଙ୍କ ଭୟ ଥିବା କୁହାଯାଉଛି। ତେବେ କାହା ସ୍ୱାର୍ଥରେ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ ଓ ଅଧିନିୟମକୁ ପ୍ରତ୍ୟାହାର କରିବେ ନା ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

Advertisment
BJP BJD Odisha Politics Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ