The politics of Jayanarayan Mishra's theory of crop yield is in full swing
ଚର୍ଚ୍ଚାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଫସଲ ଅମଳ ଥିଓରୀ ଏବେ ସାର ଦିଆଯାଉଛି, ୨୪ରେ ଅମଳ ହେବ। ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାକୁ ଭେଟି ଫେରିବା ପରେ ଜୟନାରାୟଣଙ୍କ ଏହି ମନ୍ତବ୍ୟ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି। ଏହା ସହ ସେ ଓଡିଶାରେ ସିବିଆଇ, ଇଡିର ତଦନ୍ତର ଆବଶ୍ୟକତା ରହିଥିବା ବି କହିଛନ୍ତି। ବିଜେପିର ଫସଲ ଅମଳ ଥିଓରୀକୁ କଂଗ୍ରେସ କଟାକ୍ଷ କରିଥିବାବେଳେ ୨୪ରେ ଲୋକେ ଏହାର ଜବାବ ଦେବେ ବୋଲି ବିଜେଡି କହିଛି।
ଆଗାମୀ ନିର୍ବାଚନ ପ୍ରସ୍ତୁତି ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର। ରାଜ୍ୟର ରାଜନୈତିକ ସ୍ଥିତି ନେଇ ହୋଇଛି ଆଲୋଚନା। ବିଜେପିର ସାଙ୍ଗଠନିକ ସ୍ଥିତି ଓ ଆଗକୁ ବିଜେଡି ସରକାର ବିରୋଧରେ କେମିତି ଲଢେଇ ହେବ ସେନେଇ ଦୁଇ ନେତାଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ଜୟନାରାୟଣ।
ଦିଲ୍ଲୀରୁ ଫେରିବା ପରେ ଜୟନାରାୟଣଙ୍କ ଫସଲ ଅମଳ ଥିଓରୀ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି। ସେ କହିଛନ୍ତି, ବିଜେପି ଏବେ ସାର ଦେଉଛି ।୨୪ରେ ଅମଳ କରିବ। ଅର୍ଥାତ ଏବେ ପ୍ରସ୍ତୁତି ଚାଲିଛି, ଆଗାମୀ ନିର୍ବାଚନରେ ଦଳ କ୍ଷମତାକୁ ଫେରିବ। ରାଜ୍ୟ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ଥିବା ଅଭିଯୋଗ କରି ଓଡ଼ିଶାରେ ସିବିଆଇ ଓ ଇଡି ଚଢ଼ଉର ଆବଶ୍ୟକତା ରହିଥିବା ବି କହିଛନ୍ତି। ତେବେ ସ୍ପଷ୍ଟ କରିଛନ୍ତି, ଇଡି ଓ ସିବିଆଇ ବିଜେପିର ରାଜନୈତିକ ଅସ୍ତ୍ର ନୁହେଁ।
କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ରାଜ୍ୟରେ ଇଡି-ସିବିଆଇ ତଦନ୍ତ ନେଇ ଇଶାରା କରିଥିଲେ। ଏପଟେ ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ କଟାକ୍ଷ କରିଛି। ବିଜେଡି କହିଛି ପଂଚାୟତ ଓ ପୌର ନିର୍ବାଚନରେ ଲୋକେ ଜବାବ ଦେଇଛନ୍ତି, ୨୪ରେ ମଧ୍ୟ ଦେବେ।
ସେପଟେ ପୁରୀରେ ବିଜେପିର ପ୍ରଶିକ୍ଷଣ ଶିବିର ଶେଷ ହେବା ପରେ ଏବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତକୁ ନେଇ ଚଳଚଞ୍ଚଳ ହୋଇପଡିଛି ପଦ୍ମ ଶିବିର। ଆସନ୍ତା ୨୯-୩୦ ଦୁଇଦନିଅଆ ଗସ୍ତରେ ଆସି ଭୁବନେଶ୍ୱର ଓ କଟକରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ ନଡ୍ଡା। ବିଧାୟକ, ସାଂସଦ ଓ ଦଳୀୟ ପଦାଧିକାରୀଙ୍କ ସହ ଆଲୋଚନା କରିବେ।
ଜନତା ମଇଦାନରେ ୨୫ ହଜାର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ନଡ୍ଡା। ତା’ ସହିତ ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରି ସ୍ଥାନୀୟ ବିଜେପି ୟୁନିଟ୍ ସହ ଆଲୋଚନା କରିବେ। ଏଥିପାଇଁ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଦୁଷ୍ମନ୍ତ ଗୌତମ ରାଜ୍ୟ କାର୍ଯ୍ୟାଳୟରେ ପ୍ରଭାରୀ ଡି.ପୁରେନ୍ଦେଶ୍ୱରୀ ଓ ଅନ୍ୟ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଖୁବଶୀଘ୍ର ଓଡ଼ିଶା ଆସି ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିବେ।
ଗୋଟିଏ ପଟେ ବିଜେପି ୨୦୨୪ରେ ସରକାର ଗଢିବା ନେଇ ଦୃଢୋକ୍ତି ପ୍ରରାଶ କରୁଛି। ଅନ୍ୟପଟେ ଦଳର ବରିଷ୍ଠ ନେତାମାନେ ବି ବୟାନବାଜି ଆରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଇଡି, ସିବିଆଇ ତଦନ୍ତ ନେଇ ସଙ୍କେତ ଦେବା, ଜୁଏଲ୍ ଓରାମଙ୍କ ପ୍ରତିଶୋଧ ଥିଓରୀ, ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଶୈଳୀରେ ଫାଇଟ୍ ମନ୍ତବ୍ୟ ଆଉ ଏବେ ଜୟନାରାୟଣଙ୍କ ଫସଲ ଅମଳ କଥା ରାଜ୍ୟ ରାଜନୀତିକୁ ସରଗରମ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663692423.jpg)