Odisha Politics
ଭୋଟ୍ ପାଇଁ ଭଣ୍ଡାର ମେଲା କରିଦେଲେ ସରକାର। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ବାଣ୍ଟିଲେ ହଜାରେ ଲେଖାଏଁ ଟଙ୍କା। ଅନେକ ସ୍ଥାନରେ ହିତାଧିକାରୀଙ୍କୁ ଟଙ୍କା ଦେଇଛନ୍ତି ବିଜେଡି ନେତା। ରାଜ୍ୟରେ ପ୍ରାୟ ୯୫ ଲକ୍ଷ ପରିବାରକୁ ସହାୟତା ଦେବେ ସରକାର। ଏ ବାବଦକୁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୧୨୩୭ କୋଟି ଟଙ୍କା। ଖାଲି ଖାଦ୍ୟ ସୁରକ୍ଷା ହିତାଧିକାରୀ ନୁହନ୍ତି, ମିଶନଶକ୍ତି ମହିଳାଙ୍କୁ ମଧ୍ୟ ମିଳିବ ହଜାରେ ଟଙ୍କା ଲେଖାଏଁ ୟୁନିଫର୍ମ ସହାୟତା। ସେହିପରି କଲେଜ ଛାତ୍ରଛାତ୍ରୀଙ୍କ ମେଧା ବୃତ୍ତି, ବେକାର ଯୁବକଯୁବତୀଙ୍କୁ ବିନା ସୁଧରେ ଲକ୍ଷେ ଟଙ୍କା ଋଣ, ବୁଣାକାରଙ୍କ ପେନସନ, କୃଷକ ସାଥୀ, ପାଚିକାଙ୍କ ଅର୍ଥରାଶି ବୃଦ୍ଧି କରିଛନ୍ତି ସରକାର। ମମତା ଯୋଜନା ସହାୟତା ବି ୫ ହଜାରରୁ ୧୦ ହଜାର ଟଙ୍କାକୁ ବଢ଼ା ଯାଇଛି।
ଏଭଳି ଭାବେ ୧୦ ଦିନ ଭିତରେ ୧୩ଟି ବଡ଼ ଘୋଷଣା କରିଛନ୍ତି ରାଜ୍ୟସରକାର। ଯାହାକୁ ନେଇ ସରକାରକୁ କଡା ସମାଲୋଚନା କରିଛନ୍ତି ବିରୋଧୀ। ବିଜେପି କହିଛି ସରକାର ବିରୋଧୀ ହାଓ୍ୱାକୁ ପ୍ରଶମିତ କରିବାକୁ ଲାଞ୍ଚ ଦେଇଛନ୍ତି ସରକାର। ଏହାକୁ ନିର୍ବାଚନୀ ଚାଲ କହି ରାଜକୋଷ ଉପରେ ପ୍ରଭାବ ପଡିବ ବୋଲି କହିଛି କଂଗ୍ରେସ। ତେବେ ଦରଦାମ ବୃଦ୍ଧି ଯୋଗୁଁ ଭୋଟରଙ୍କ ପାଇଁ ଏହା କେବଳ ସହାୟତା ବୋଲି ଯୁକ୍ତି ବାଢିଛି ଶାସକ ଦଳ।
କୁହାଯାଉଛି ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା କମିବା ସହ ଗ୍ରାଉଣ୍ଡରେ ଥିବା ସରକାର ବିରୋଧୀ ହାୱାକୁ ପ୍ରଶମିତ କରିବାକୁ ସରକାର ଫ୍ରି ସ୍କିମ୍ ବର୍ଷା କରୁଛନ୍ତି। ମାତ୍ର ନିର୍ବାଚନ ପୂର୍ବରୁ ରାଜକୋଷ ଅର୍ଥରେ ମାଳ ମାଳ ଯୋଜନା ଘୋଷଣା ସରକାରୀ ତହବିଲକୁ ପ୍ରଭାବିତ କରିବନି ତ? ଏସବୁ ଯୋଜନା କେତେ ସୁଦୂର ପ୍ରସାରୀ? ତାକୁ ନେଇ ବି ପ୍ରଶ୍ନ ଉଠିଲାଣି। କାରଣ ୨୦୧୯ ନିର୍ବାଚନ ପୂର୍ବରୁ ଘୋଷଣା ହୋଇଥିବା ଆମ ଗାଁ ଆମ ବିକାଶ, ବିଜୁ ଯୁବ ବାହିନୀ ଯୋଜନା ବନ୍ଦ ହୋଇ ସାରିଛି। ସେହିପରି କାଳିଆ ସହାୟତା ରାଶି ୧୦ ହଜାର ବଦଳରେ ୪ ହଜାରକୁ ଖସିଛି।
ଭୋଟରଙ୍କୁ ଖୁସି କରି ନିର୍ବାଚନ ବୈତରଣୀ ପାର ହେବାକୁ ଶାସକ ଦଳର ଯୋଜନା ଥୋପ। ତେବେ ଏହି ସ୍କିମ ପଲିଟିକ୍ସ ବିଜେଡିକୁ କେତେ ସଫଳତା ଦେଉଛି, ତା ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708441160.jpg)