ମନ୍ଦିର ଆଗରେ ବିଜେପି-ବିଧାୟକଙ୍କ ଜଣାଣ
ପୁରୀ: ପୁରୀ ଯାଇ ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ ବିଜେପି ବିଧାୟକ ଦଳ। ମୁଖ୍ୟମନ୍ତ୍ରୀଙ୍କୁ ସଦବୁଦ୍ଧି ଦେବାକୁ ଗୁହାରି କଲେ। ମମିତାକୁ ନ୍ୟାୟ ଦେବା ପ୍ରସଙ୍ଗ ହେଉ କି ରତ୍ନଭଣ୍ଡାର ଖୋଲିବା ହେଉ କିମ୍ବା ଚାଷୀକୁଳ ହତାଶ ପ୍ରସଙ୍ଗ ହେଉ କିଛି ଆଲୋଚନା ହେଲାନାହିଁ। ବିରୋଧୀଙ୍କ ବହୁ ପ୍ରଚେଷ୍ଟା ସତ୍ତ୍ୱେ ସେଭଳି କିଛି ସନ୍ତୁଷ୍ଟି ମିଳିଲାନି। ବିଧାନସଭାର ଶୀତ ଅଧିବେଶନ ୧୬ ଦିନ ପୂର୍ବରୁ ବନ୍ଦ କରିଦିଆଗଲା। ସରକାର ବିଧାନସଭା ବନ୍ଦ ଘୋଷଣା ପରେ ବିରୋଧୀ ବିଜେପି ବିଧାୟକ ଦଳ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ ସହ ଗୁହାରି କରିଥିଲେ।
କହିଥିଲେ- ମହାପ୍ରଭୁ ସରକାରଙ୍କୁ ସଦବୁଦ୍ଧି ପ୍ରଦାନ କରନ୍ତୁ। ରାଜ୍ୟବାସୀଙ୍କୁ ନ୍ୟାୟ ଦିଅନ୍ତୁ। ସିଂହଦ୍ୱାର ସମ୍ମୁଖରେ ସମସ୍ତ ବିଧାୟକମାନେ ଶୋଇପଡି ପ୍ରଣିପାତ ଜଣାଇଥିଲେ। ଏପରିକି ବିଧାୟକମାନେ ଭଜନ ଗାନ କରିବାର ଦୃଶ୍ୟ ସିଂହଦ୍ୱାର ସମ୍ମୁଖରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା। ସକାଳେ ମମିତା ସମେତ ୪ ଦଫା ଦାବି ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଥିଲେ।
ବିଜେପି ନେତାଙ୍କ ଅଭିଯୋଗ- ଅନ୍ୟପଟେ ପବିତ୍ର ବିଧାନସଭା ଗୃହ ଚାଲିନପାରିବା ଯୋଗୁ ବିଭିନ୍ନ ଦଳର ବହୁ ନବନିର୍ବାଚିତ ବିଧାୟକମାନେ ଯେଉଁ ଅଭିଜ୍ଞତା ହାସଲ କରିଥାନ୍ତେ ସେଥିରୁ ବଂଚିତ ହେଲେ। ଵିଧାନସଭାରେ ଅନେକ ପ୍ରଶ୍ନ କରିବା ଓ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ଆଦି ତାହା ନହେବା ଅତି ଦୁର୍ଭାଗ୍ୟଜନକ। ତେଣୁ କାଳିଆ ଦରବାରରେ ଗୁହାରି କରୁଛୁ। ମହାପ୍ରଭୁ ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ପ୍ରଥମ କରି ନିର୍ବାଚିତ ହୋଇଥିବା ବିଧାୟକ ମତବ୍ୟକ୍ତ ଜରିଛନ୍ତି।
ସେମାନେ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଆଦୌ ଗୃହକୁ ଆସିଲେନି କି ବିରୋଧୀଙ୍କ ଦାବିକୁ ସମ୍ମାନ ଦେଲେନି। ମମିତା ମାମଲାରେ ସିବିଆଇ ତଦନ୍ତ କଥା ଆଦୌ ଉଠିଲା ନାହିଁ। ବିରୋଧୀଙ୍କୁ ପୋଲିସ ଗୋଡ଼େଇ ଗୋଡ଼େଇ ପିଟୁଛି। ବିଧାନସଭାରେ ଆମେ ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବାରୁ ଶେଷରେ ମହାପ୍ରଭୁଙ୍କ ଶରଣାପନ୍ନ ହୋଇ ଏ ରାଜ୍ୟକୁ ବଞ୍ଚାଇବା ଲାଗି ଗୁହାରି କରିଛୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639231086.jpg)