Tej Pratap's ex wife targets Lalu
ବିବାଦ ଘେରରେ ତେଜ ପ୍ରତାପ ଯାଦବ । ରବିବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ବଡ଼ ପୁଅ ତେଜ ପ୍ରତାପଙ୍କୁ ଦଳରୁ ବହିଷ୍କାର କରିଥିଲେ । ଖାଲି ଦଳରୁ ନୁହେଁ, ପରିବାର ସହ ମଧ୍ୟ ସମ୍ପର୍କ ରହିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଘଟଣାର ଦିନକ ପରେ ତେଜ ପ୍ରତାପଙ୍କ ପୂର୍ବ ପତ୍ନୀ ଐଶ୍ଚର୍ଯ୍ୟା ମୁହଁ ଖୋଲିଛନ୍ତି । ଉଭୟଙ୍କ ବିବାହ ବିଚ୍ଛେଦ ମାମଲା ଚାଲିଥିବାବେଳେ ଐଶ୍ୱର୍ଯ୍ୟା ପ୍ରଶ୍ନ କରିଛନ୍ତି, "ମୋ ଜୀବନ କାହିଁକି ନଷ୍ଟ କଲେ, କାହିଁକି ମାଡ଼ ମାରିଲେ? ଯେତେବେଳେ ମାଡ଼ ମାରୁଥିଲେ, ଅତ୍ୟାଚାର ହେଉଥିଲା ସେତେବେଳେ ଲାଲୁ ଯାଦବଙ୍କ ଭିତରେ ସାମାଜିକ ଜାଗରଣ କୁଆଡ଼େ ଯାଇଥିଲା? ନିର୍ବାଚନ ପାଖେଇ ଆସୁଥିବାରୁ ଏଭଳି ନାଟକ ।"
ଐଶ୍ୱର୍ଯ୍ୟା ଆହୁରି କହିଛନ୍ତି, "ସମସ୍ତେ ସବୁ କଥା ଜାଣିଛନ୍ତି । ତା ପରେ ବି ମୋ ସହ ବିବାହ କଣ ପାଇଁ କରାଉଥିଲେ । ଏସବୁ କଥା ମୁଁ ଗଣମାଧ୍ୟମରୁ ଜାଣୁଛି। ଏପରିକି ମୋ ବିବାହ ବିଚ୍ଛେଦ କଥା ମଧ୍ୟ ମୋତେ ମିଡିଆରୁ ଜଣାପଡିଛି ।" ସୂଚନା ୟୋଗ୍ୟ ଦୁଇ ଦିନ ତଳେ ତେଜପ୍ରତାପଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅନୁଷ୍କା ଯାଦବ ନାମକ ଏକ ଯୁବତୀଙ୍କ ସହ ଫଟୋ ଭାଇରାଲ ହୋଇଥିଲା, କୁହାଯାଉଛି କି ତେଜପ୍ରତାପଙ୍କ ସହ ତାଙ୍କ ସମ୍ପର୍କ ୧୨ ବର୍ଷ ତଳର । ଏହି ଘଟଣା ପରେ ଫଟୋ ଡିଲିଟ୍ ସହ ଆକାଉଣ୍ଟ ହ୍ୟାକ୍ ହୋଇଥିବା ତେଜ ପ୍ରତାପ କହିଥିଲେ ।
ପରେ ପରେ ତେଜ ପ୍ରତାପଙ୍କ ବିରୋଧରେ ବଡ଼ ଆକ୍ସନ ନେଇଥିଲେ ଲାଲୁ ଯାଦବ । RJD ସୁପ୍ରିମୋ ଲାଲୁ ଯାଦବ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ xରେ ଉଲ୍ଲେଖ କରିଥିଲେ, "ଜୀବନରେ ନୈତିକ ମୂଲ୍ୟବୋଧକୁ ଅବହେଳା କରିବା ଦ୍ୱାରା ସାମୂହିକ କ୍ଷତି ସହିବାକୁ ପଡୁଛି । ଆଚରଣ, ଗତିବିଧି, ପାରିବାରିକ ମୂଲ୍ୟବୋଧ, ଦାୟିତ୍ୱ ଓ ସଂସ୍କାର ଆଦିରେ ଅବହେଳାକୁ ଦୃଷ୍ଟିରେ ରଖି ମୋ ବଡ ପୁଅକୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରୁଛି । ପରିବାରରୁ ମଧ୍ୟ ବିଦା କରିଥିବାର ସେ କହିଛନ୍ତି । ବର୍ତ୍ତମାନଠାରୁ ଦଳ ଓ ପରିବାରରେ ତା'ର କୌଣସି ଭୂମିକା ରହିବ ନାହିଁ । ଯଦି କୌଣସି ବ୍ୟକ୍ତି ତା ସହ ସମ୍ପର୍କ ରଖିବାକୁ ଚାହାନ୍ତି ତେବେ ସେହି ନିର୍ଣ୍ଣୟ ସେମାନେ ହିଁ ନେବେ ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us