/odishatv-khabar/media/post_attachments/uploadimage/library/16_9/16_9_0/BJD__1756470906.jpg)
BJD
ଯୁବ ଛାତ୍ର ସଭାପତି ଘୋଷଣା ପରେ ବିଜେଡିରେ ବିଦ୍ରୋହ । ଭୁବନେଶ୍ୱରରେ ମେଳି କଲେ ବିଜୁ ଛାତ୍ର ଜନତା ଦଳର ଅନେକ ଛାତ୍ର ନେତା। ନବନିଯୁକ୍ତ ଛାତ୍ର ସଭାନେତ୍ରୀଙ୍କ ବିରୁଦ୍ଧରେ ମେଳି ବାନ୍ଧିଛନ୍ତି ଦଳର ଏକାଧିକ ଛାତ୍ର ନେତା । ଛାତ୍ର ସଭାପତି ଚୟନରେ ଏକ ପାଖିଆ ନିଷ୍ପତ୍ତି ହୋଇଥିବା ଅଭିଯୋଗ । ପାଣ୍ଡିଆନଙ୍କ କୋଟେରୀ ଗ୍ରୁପକୁ ପ୍ରାଧାନ୍ୟ ମିଳୁଥିବା ଅଭିଯୋଗ ହେଉଥିବା ସୂଚନା ମିଳିଛି । ତାକୁ ବିରୋଧ କରି ଭୁବନେଶ୍ୱରରେ ମେଳି କରିଛନ୍ତି ବିଜେଡି ଛାତ୍ର ସଂଗଠନର ନେତୃବୃନ୍ଦ । ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର (୨୬ ଅଗଷ୍ଟ, ୨୦୨୫) ଦିନ ବିଜୁ ଜନତା ଦଳ (ବିଜେଡି) ଏହାର ଯୁବ ଏବଂ ଛାତ୍ର ଶାଖାକୁ ସୁଦୃଢ଼ କରିବା ପାଇଁ ନୂତନ ନିଯୁକ୍ତି ଘୋଷଣା କରିଥିଲା। ଇପ୍ସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ସଭାପତି ଭାବରେ ନିଯୁକ୍ତ କରାଯାଇଛି । ସେହିଭଳି ନୂତନ ବିସିଜେଡି ଦଳରେ ଦେବେଶ ଆଚାର୍ଯ୍ୟଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ଏବଂ ଦେବୀ ରଞ୍ଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ ଏବଂ ସୌଭିକ୍ ବିଶ୍ୱାଳଙ୍କୁ ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ଭାବରେ ନିଯୁକ୍ତ କରାଯାଇଛି ।
ଅପରପକ୍ଷରେ ଚିନ୍ମୟ ସାହୁଙ୍କୁ ବିଜୁ ଯୁବ ଜନତା ଦଳ (ବିୱାଇଜେଡି)ର ସଭାପତି ଭାବରେ ନିଯୁକ୍ତି ନେଇ ଘୋଷଣା କରାଯାଇଛି । ବିୱାଇଜେଡି ଦଳରେ ବ୍ୟମୋକେଶ ରାୟଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଏବଂ ରାଜେନ୍ଦ୍ର କୁମାର ସାହୁ, ଅମରେଶ ପତ୍ରୀ ଏବଂ ସଞ୍ଜିତ ମହାନ୍ତିଙ୍କୁ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଭାବରେ ସାମିଲ କରାଯାଇଛି । ନୂତନ ପଦବୀରେ ନିଯୁକ୍ତ ହେବା ପରେ ଇପ୍ସିତା ଏବଂ ଚିନ୍ମୟ ଉଭୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । ହେଲେ ଏହି ନୂଆ ଟିମ୍ ଗଠନରେ ପାଣ୍ଡିଆନଙ୍କ ଗୋଷ୍ଠୀକୁ ଗୁରୁତ୍ୱ ଦିଆଯାଇଥିବା ଅଭିଯୋଗ କରି ଏକ ଛାତ୍ରଗୋଷ୍ଠୀ ଏବେ ବିଦ୍ରୋହ ଆରମ୍ଭ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)