ରାଜ୍ୟ ବିଜେପିର କୋର୍ କମିଟି ବୈଠକ, ନିର୍ବାଚନ ରୋଡ଼ମ୍ୟାପ ନେଇ ହେବ ଆଲୋଚନା

ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ଆରମ୍ଭ । ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଉପସ୍ଥିତ ଅଛନ୍ତି । ବୈଠକରେ ସାଧାରଣ ଓ ରାଜ୍ୟ ବିଧାନସଭା ନିର୍ବାଚନ ରୋଡ଼ମ୍ୟାପ ନେଇ ଆଲୋଚନା ହେବ । ତେବେ ବ୍ରଜରାଜନଗର ଉପନିର୍ବାଚନ ପରେ ବସିବ ଦଳର ଚିନ୍ତନ ବୈଠକ ।

State BJP core committee meeting

ରାଜ୍ୟ ବିଜେପିର ଦୁଇ ଦିନିଆ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜିଠାରୁ ଆରମ୍ଭ ହେଉଛି । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବସୁଥିବା ଏହି ବୈଠକରେ ଆଗକୁ ଆସୁଥିବା ବ୍ରଜରାଜନଗର ଉପନିର୍ବାଚନ ନେଇ ଦଳର ରଣନୀତି ପ୍ରସ୍ତୁତ ହେବ । ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଦଳ ଏଠାରେ ପ୍ରାର୍ଥୀ କରିଥିବାବେଳେ, ବ୍ରଜରାଜନଗର ଜରିଆରେ ଦଳ ପୁଣି କିପରି ଦବଦବା ସୃଷ୍ଟି କରିପାରିବ ସେନେଇ ଆଲୋଚନା କରାଯିବ । ଏହାଛଡ଼ା ବିଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ବିପର୍ଯ୍ୟୟ ନେଇ ‌ଆଲୋଚନା ହେବ ।

ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ଉପସ୍ଥିତିରେ ହେଉଥିବା ବୈଠକରେ ଦଳର ୨୦୨୪ ରୋଡମ୍ୟାପ ନେଇ ଆଲୋଚନା ମଧ୍ୟ ହେବ । ସକାଳ ୧୧ଟାରୁ ଅପରାହ୍ନ ୩ଟା ଯାଏ କୋର କମିଟି ବୈଠକ ବସିବ । ଏହାପରେ ଅପରାହ୍ନ ୪ଟାରୁ ପ୍ରଭାରୀ, ସହ ପ୍ରଭାରୀ ଉପସ୍ଥିତ ରହି ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀଙ୍କ ସହ ଆଲୋଚନା କରିବେ । ଜିଲ୍ଲାରେ ସାଂଗଠନିକ ସ୍ଥିତି ନେଇ ବିସ୍ତୃତ ଭାବେ ଆଲୋଚନା କରାଯିବ ।

‘ମୋ ବୁଥ୍, ସବୁଠୁ ମଜଭୁତ’ କିପରି ଚାଲୁଛି ସେ ବାବଦରେ ମଧ୍ୟ ଆଲୋଚନା ହେବ । ଏହାପରେ ଆସନ୍ତାକାଲି ରାଜ୍ୟ ବିଜେପିର ୭ଟି ମୋର୍ଚ୍ଚାର ପଦାଧିକାରୀଙ୍କ ସହ ଆଲୋଚନା କରାଯିବ । ଏ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆସନ୍ତା ମାସ ହେବାକୁ ଥିବା ଚିନ୍ତନ ଶିବିରର ପ୍ରସ୍ତୁତି କରିବା ।

ଆସନ୍ତାମାସ ହେବାକୁ ଥିବା ଚିନ୍ତନ ଶିବିରରେ ୨୦୨୪ ସାଧାରଣ ଓ ବିଧାନସଭା ନିର୍ବାଚନ ଲାଗି ରୋଡମ୍ୟାପ ପ୍ରସ୍ତୁତ କରାଯିବ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଏଥିରେ ଯୋଗଦେବେ । ପୂର୍ବରୁ ଅମିତ ଶାହଙ୍କ ଦ୍ୱାରା ଘୋଷିତ ୧୨୦ ପ୍ଲସ କାର୍ଯ୍ୟକ୍ରମକୁ କିପରି ସଫଳ କରାଯିବ ସେନେଇ ମଧ୍ୟ ସେହି ଚିନ୍ତନ ଶିବିରରେ ଆଲୋଚନା ହେବ ।