• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗାଁ ହେଉକି ସହର, ପ୍ରତିି ଘରେ ସ୍ନଚ୍ଛ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ନେଇ ରାଜ୍ୟ ସରକାର କରିଛନ୍ତି ନିଜସ୍ୱ ଯୋଜନା । ବସୁଧା ତାସତ୍ତ୍ୱେ ଖରାଦିନ ଆସିଗଲେ, ରାଜ୍ୟର କୋଣ ଅନୁକୋଣରୁ ଆସୁଛି ଉତ୍କଟ ଜଳକଷ୍ଟର ମାଳ ମାଳ ଜୀବନ୍ତ ଚିତ୍ର । ଯାହାକୁ ନେଇ ତେଜିଛି ରାଜନୀତି । ବିଜେପି ଅଭିଯୋଗ କରିଛି ଏଯାଏଁ ରାଜ୍ୟର ୫୬ ପ୍ରତିଶତ ଘରକୁ ପିଇବା ପାଣି ଯୋଗାଣ ହୋଇପାରିନି । କେନ୍ଦ୍ରର ଜଳ ଜୀବନ ମିଶନକୁ କାର୍ଯ୍ୟକାରୀ ନକରି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର । ତେଣେ ୨୦୨୪ ସୁଦ୍ଧା ସବୁ ଘରେ ପାଇପ୍ ପାଣି ପହଞ୍ଚିବ ବୋଲି ଗତ ବିଧାନସଭା ଅଧିବେଶନରେ କହିଥିଲେ ବିଭାଗୀୟ ମନ୍ତ୍ରୀ । 

ପାହାଡ଼ ତଳେ ଏକ ଛୋଟିଆ ଚୂଆ, କେମିତି ପାଲଟିଛି ତୃଷା ମେଣ୍ଟାଇବାର ରାହା, ଚିତ୍ର ଆପଣଙ୍କ ସାମ୍ନାରେ । ଦିନରାତି ପିଇବା ପାଣି ସଂଗ୍ରହ ପାଇଁ ଏଠି ଲାଗୁଛି ଭିଡ଼ । ୧୦ରୁ ୧୨ଟି ପରିବାର ବାଲଟିଏ କି ଗରାଏ ଲେଖାଏଁ ପାଣି ନେଇଗଲେ ଚୂଆ ଖାଲି, ପୁଣି ଥରେ ପାଣି ମୁନ୍ଦେ ପାଇବାକୁ ୨ରୁ ୩ ଘଣ୍ଟା ଅପେକ୍ଷା ।

ଖରାଦିନ ଆରମ୍ଭରୁ ଖଇରା ବ୍ଲକ ବାଉଁଶଗାଡ଼ଇା ଗାଁ ଲୋକେ ପାଣିଟୋପେ ପାଇଁ ଏମିତି ହେଉଛନ୍ତି ଦହଗଞ୍ଜ । ବାଧ୍ୟହୋଇ ଏମିତି ଅପରିଷ୍କାର ପାଣି ପିଇ ନାନା ପେଟ ଓ ଚର୍ମ ରୋଗର ଶିକାର ବି ହେଉଛନ୍ତି । ଗାଁରେ ଗୋଟେ ନଳକୂଅ ବି ଅଛି, ହେଲେ ସେଥିରୁ ଯେଉଁ ପାଣି ବାହାରୁଛି ତାହା କେତେ ପିଇବା ଉପଯୋଗୀ ନୁହଁ । ସଫା କପଡ଼ାରେ ନଛାଣିଲେ ପିଇବା ସ୍ଥିତିକୁ ଆସୁନି । ବର୍ଷେ ହେଲାଣି ନଳକୂପରୁ ଗୋଳିଆ ପାଣି ବାହାରୁଥିବା ଲୋକେ ଅଭିଯୋଗ କରୁଛନ୍ତି, ହେଲେ ତାଙ୍କ କଥାକୁ କେହି କର୍ଣ୍ଣପାତ କରୁନାହାନ୍ତି ।

 

ଉପକୂଳ ଓଡ଼ିଶାର ପିଇବା ପାଣିର ଦୁଃସ୍ଥିତି ପରଖିବା ପରେ ଏବେ ଆସନ୍ତୁ ଯିବା ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା କୋଡ଼ିଙ୍ଗି ଗାଁକୁ । ଏଠି ଜଳକଷ୍ଟର କାହାଣୀ ବଖାଣିବା ଆବଶ୍ୟକତା ହିଁ ନାହିଁ । କାରଣ ଗୋଟିଏ ପରେ ଗୋଟିଏ ଦୃଶ୍ୟ ହିଁ ବୟାନ କରିଦେଉଛି କେତେ ଉତ୍କଟ ପାଣି ସଙ୍କଟ । କିଏ ପ୍ଲାଷ୍ଟିକ୍ ଜାର୍‌କୁ ଭାରା କରି ବୋହୁଛି, ତ କିଏ ମୁଣ୍ଡରେ ଗରା ମାଠିଆ ଧରି ମାଇଲ୍ ମାଇଲ୍ ବାଟ ଚାଲୁଛି ।

ବିଲ ମଝିରେ ଗୋଟିଏ ମାତ୍ର ଦଦରା କୂଅ ପାଲଟିଛି ୨୫ରୁ ୩୦ କନ୍ଧ ପରିବାରର ଜୀବନର ଉତ୍ସ । ସକାଳୁ ସଞ୍ଜ ଯାଏଁ ଏଇଠି ଏମିତି ଲାଗୁଛି ଗହଳି କୂଅ ଭିତରକୁ ଦେଖିଲେ ଠିକ୍ ଅନୁମାନ ଲଗେଇ ହେଉଛି । ତାତିର କୋପ ବଢ଼ିଲେ ହୁଏତ ଅତିବେଶୀରେ ସପ୍ତାହେ କି ଦୁଇ ସପ୍ତାହ ଭିତରେ ଶୁଖିଯିବା । ପ୍ରାୟ ନିଶ୍ଚିତ ଚିତ୍ର ଦେଖିବା ପରେ ସ୍ଥାନୀୟ ପିଡି ଡିଆରଡିଏ କହୁଛନ୍ତି କୁଆଡ଼େ ଏଠି ଶୀଘ୍ର ଗୋଟେ ନଳକୂଅ ଖୋଳିବେ ।

ରାଜ୍ୟରେ ପିଇବା ପାଣିର ଉତ୍କଟ ସମସ୍ୟା ଜଳ ଜଳ ଦିଶୁଥିବାବେଳେ କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନିଶାନା କରିଛି । ବିଜେପି ଦଳ ଅଭିଯୋଗ କରିଛି ରାଜ୍ୟର ୫୬ ପ୍ରତିଶତ ଘରକୁ ଏଯାଏଁ ପିଇବା ପାଣି ଯୋଗାଣ ହୋଇପାରିନାହିଁ । ଏଥିପାଇଁ ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ ହେବାର ଥିଲେ ବି ତାହା ହୋଇପାରିନି । ୧୬୦ ବ୍ଲକ୍‌ରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କେବଳ କାଗଜ କଲମରେ ସୀମିତ । କେନ୍ଦ୍ର ଅର୍ଥ ଦେଉଥିବା ସତ୍ତ୍ୱେ ପାନୀୟ ଜଳ ପ୍ରକଳ୍ପରେ ରାଜ୍ୟ ନିଜସ୍ୱ ଯୋଜନା ବସୁଧା ଲୋଗା ଲଗାଉଥିବା ବି ଅଭିଯୋଗ ଆଣିଛି ବିଜେପି ।

ବିଜେପିର ଏସବୁ ଅଭିଯୋଗ ଉପରେ ଶାସକ ଦଳର ପ୍ରତିକ୍ରିୟା ମିଳିନଥିବାବେଳେ ଗତ ବିଧାନସଭା ଅଧିବେଶନ ସମୟରେ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ଗୃହରେ ଉତ୍ତର ରଖି କହିଥିଲେ-୨୦୨୪ ସୁଦ୍ଧା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସବୁ ଲୋକଙ୍କ ଘରେ ପାଇପ୍ ଯୋଗେ ପିଇବା ପାଣି ପହଞ୍ଚାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିସହ ରାଜ୍ୟର ମୋଟ୍ ୧୬୦ଟି ବ୍ଲକ୍‌ରେ ୧୧୦ଟି ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲୁରହିଥିବା ସୂଚନା ଦେଇଥିଲେ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ।