୨୦୨୪ ସାଧାରଣ ନିର୍ବାଚନରେ ବାଜିମାତ୍ ପାଇଁ ବିଜେପିର ବଡ଼ ଷ୍ଟ୍ରାଟେଜି

ବୁଥ୍ ସ୍ତରରୁ ସଙ୍ଗଠନକୁ ସୃଦୃଢ କରିବାକୁ ଆରମ୍ଭ ହୋଇଛି ରଣନୀତି । ୨୦୧୯ ନିର୍ବାଚନରେ ବିଜେପି ମୋଟ୍ ୭୪ ହଜାର ବୁଥ୍‌ରେ ଖରାପ ପ୍ରଦର୍ଶନ କରିଥିଲା ।

BJP 2024

ବିଜେପିର ମିଶନ୍ ୨୦୨୪ । ଟାର୍ଗେଟ୍ ୧୯ ନିର୍ବାଚନ ଅପେକ୍ଷା ଅଧିକ ସିଟ୍ । ଉତ୍ତରପ୍ରଦେଶ ସମେତ ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ନିର୍ବାଚନରେ ଦଳ ବେଶ୍ ଭଲ ପ୍ରଦର୍ଶନ କରିବା ପରେ ନଜର ଆଗାମୀ ସାଧାରଣ ନିର୍ବାଚନ ଉପରେ । କାରଣ ୨୪ ନିର୍ବାଚନ ଲାଗି ହାତରେ ଆଉ ୨୪ ମାସରୁ ବି କମ୍ ସମୟ ରହିଲା ।

ଏଥିପାଇଁ ଫୋକସ୍‌ରେ ରହିଛି ସଙ୍ଗଠନ । ବୁଥ୍ ସ୍ତରରୁ ସଙ୍ଗଠନକୁ ସୃଦୃଢ କରିବାକୁ ଆରମ୍ଭ ହୋଇଛି ରଣନୀତି । ୨୦୧୯ ନିର୍ବାଚନରେ ବିଜେପି ମୋଟ୍ ୭୪ ହଜାର ବୁଥ୍‌ରେ ଖରାପ ପ୍ରଦର୍ଶନ କରିଥିଲା । ସେସବୁ ବୁଥ୍‌ରେ ସଙ୍ଗଠନକୁ ସଶକ୍ତ ଓ ବ୍ୟାପକ କରିବାକୁ ଗଠନ ହୋଇଛି ଏକ ୪ ଜଣିଆ ଟିମ୍ । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ନ୍ୟାସନାଲ୍ ଟାସ୍କଫୋର୍ସ ଗଠନ ହୋଇଛି । ଏହି ଟିମ୍‌ରେ ଅଛନ୍ତି ରାଷ୍ଟ୍ରୀୟ ଉପସଭାପତି ଦିଲୀପ ଘୋଷ, ଜାତୀୟ ସାଧାରଣ ସଂପାଦକ ସି.ଟି. ରବି ଓ ରାଷ୍ଟ୍ରୀୟ ଏସ୍‌ସି ମୋର୍ଚ୍ଚାର ସଭାପତି ଲାଲ୍ ସିଂ ଆର୍ଯ୍ୟ । ମାସକ ତଳେ ଗଠନ ହୋଇଥିବା ଏ କମିଟିର ପ୍ରଥମ ବୈଠକ ଗତକାଲି ବିଜେପି ଜାତୀୟ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଜଣାପଡିଛି ।

୧୯ରେ ବିଜେପି ହାରିଥିବା ପ୍ରାୟ ଶହେ ଲୋକସଭା ନିର୍ବାଚନ ମଣ୍ଡଳିଗୁଡିକୁ ଏହି ଟିମ୍‌ ଗସ୍ତ କରି ପରାଜୟ ପଛର କାରଣ ଖୋଜିବ । ସେପଟେ ଓଡ଼ିଶାରେ ମଧ୍ୟ ବୁଥ୍ ସ୍ତରରୁ ସଙ୍ଗଠନ ମଜଭୁତ୍ କରିବାରେ ଲାଗିଛି ଦଳ । ରାଜ୍ୟରେ ପ୍ରାୟ ୩୭ ହଜାର ବୁଥ୍ ଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୭୦-୭୫ ପ୍ରତିଶତ ବୁଥ୍‌ରେ ସଙ୍ଗଠନ ମଜଭୁତ୍ ଥିବା ଦାବି କରିଛି ବିଜେପି ।

 

ସେପଟେ ନିକଟରେ ସରିଥିବା ପଂଚାୟତ ଓ ପୌର ନିର୍ବାଚନରେ ବିଜେପିକୁ ୩୦ ପ୍ରତିଶତରୁ ଅଧିକ ଭୋଟ୍ ମିଳିଥିଲେ ବି ସେହି ଅନୁପାତରେ ସିଟ୍ ମିଳି ନଥିଲା । ତେଣୁ ଭୋଟ୍ ବ୍ୟାଙ୍କ ବଢାଇବାକୁ ପ୍ରସ୍ତୁତ ହେଉଛି ରଣନୀତିି । ଏହା ଭିତରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ରାଜ୍ୟ ନେତାମାନେ ଆଲୋଚନା କରିଛନ୍ତି । କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ମଧ୍ୟ ଦଳୀୟ ବିଧାୟକମାନେ ବୈଠକ କରିଥିଲେ । ସେହିପରି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜେପି ସାଂସଦମାନଙ୍କ ଭେଟ୍‌ଘାଟ୍‌ ପରେ ବିଜେପି ଫୋକସରେ ଓଡ଼ିଶା ରହିଥିବା ଚର୍ଚ୍ଚା ହୋଇଥିଲା । ସେପଟେ ଆସନ୍ତା ମେ‘ ମାସରେ ରାଷ୍ଟ୍ରୀୟ ଉପସଭାପତି ଜେପି ନଡ୍ଡା, ସଙ୍ଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ ଓଡିଶା ଆସି ଚିନ୍ତନ ବୈଠକରେ ସାମିଲ ହେବେ । ତେବେ ରାଜନୈତିକ ସମୀକ୍ଷକ କହିଛନ୍ତି ବୁଥ୍ ମଜଭୁତ୍ ସହ ସାଙ୍ଗଠନିକ ସ୍ତରରେ ପୁନର୍ବିନ୍ୟାସ କରି ବିଜେପି ଅଧିକ ମଜଭୁତ୍ ସ୍ଥିତିକୁ ଆସିପାରିବ ।

୧୯ ଲଢ଼େଇରେ ବିଜେପି ଓଡିଶାରେ ୮ଟି ଲୋକସଭା ଆସନ ଓ ୨୩ଟି ବିଧାନସଭା ସିଟ୍ ଜିତିଥିଲା । ପୂର୍ବରୁ ନଡ୍ଡା ୫୦ ପ୍ରତିଶତ ଭୋଟ୍ ପାଇଁ ଟାର୍ଗେଟ ଦେଇଥିଲେ । ଏହା ଆଗକୁ କେତେଦୂର ପୂରଣ ହୋଇପାରିବ ତାହା ୨୪ ନିର୍ବାଚନରେ ସ୍ପଷ୍ଟ ହେବ ।