/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648742070.jpg)
Odisha Politicians
ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ନରଖିବାର କଥା ଯଦି ଉଠେ, ତାହେଲେ ଏଭଳି ଅଭିଯୋଗର ସିଂହଭାଗ ଯାଏ ରାଜନେତାଙ୍କ ଆଡକୁ । କାହିଁକି ନା ବର୍ଷ ବର୍ଷ ଧରି ଇଏ ଯେମିତି ଭୋଟ୍ ପଲିଟିକ୍ସର ଟ୍ରେଣ୍ଡ ପାଲଟିଛି, ହେଲେ ଛୋଟ ହେଉ ପଛେ ଏଇ ଅଶ୍ୱସ୍ତିକର ଧାରାକୁ ବଦଳାଇବାର ପ୍ରୟାସ କିନ୍ତୁ ଆରମ୍ଭ ହୋଇଛି ଗାଁରୁ । ପଞ୍ଚାୟତ ଭୋଟ୍ ସରୁ ସରୁ ପ୍ରତିଶ୍ରୁତି ମୁତାବକ କେଉଁଠି ସରପଞ୍ଚ ଚାଉଳ ଗାଡ଼ି ଧରି ହିତାଧିକାରୀଙ୍କ ପାଖରେ ପହଞ୍ଚିଲେଣି, ତ କେଉଁଠି ଦୁର୍ନୀତିର ମୂଳ ପୋଛ ପାଇଁ ହେଲ୍ପଲାଇନ୍ ନମ୍ବର ବି ଜାରି କଲେଣି । ସବୁଠୁ ବଡ଼ କଥା ଜଣେ ପୌରାଧ୍ୟକ୍ଷ ପ୍ରାର୍ଥୀ ହାରି କି ବି ଲୋକଙ୍କ ପାଇଁ ନଳକୂଅ ଖୋଳିଲେଣି ଦେଖନ୍ତୁ ଏହି ବିଶେଷ ରିପୋର୍ଟ।
ଭୋଟ୍ରେ ଜିତିଗଲା ପରେ ନେତାଙ୍କ ପଛରେ ଜନତା ଗୋଡ଼ୋଉଥିଲେ, ଏବେ ଜନତାଙ୍କ ଦୂଆର ମୁହଁକୁ ଆସିଛନ୍ତି ନେତା । ହଁ ଆପଣ ଠିକ୍ ଶୁଣୁଛନ୍ତି, ହିତାଧିକାରୀଙ୍କ ପାଖକୁ ଚାଉଳ ଧରି ପହଞ୍ଚିଛନ୍ତି ଲୋକଙ୍କ ଦ୍ୱାରା ଚୟନ ହୋଇଥିବା ସରପଞ୍ଚ । ଖାଲି ପହଞ୍ଚି ନାହାନ୍ତି, ଟ୍ରାକ୍ଟରରେ ଆଣିଥିବା ଜେଝା ଜେଝା ଚାଉଳକୁ ଗାଁ ମଣ୍ଡପରୁ ନେଇଯିବାକୁ କହି ଘର ଘର ବୁଲି ଲୋକଙ୍କୁ ଡାକଛାଡୁଛନ୍ତି ମଧ୍ୟ । ଗାଁରୁ ଆରମ୍ଭ ହୋଇଥିବା ପରିବର୍ତ୍ତନ ରାଜନୀତିର ଏ ଚିତ୍ରଟି ବଲାଙ୍ଗିର ଜିଲ୍ଲା ଧୂମାଭଟା ପଞ୍ଚାୟତ ଅଏଲାପାଲି ଗାଁର।
ଲୋକଙ୍କ ବିଶ୍ୱାସର ଭୋଟ୍ ଜିତି ପ୍ରତିଶ୍ରୁତି ରଖିଥିବା ଏ ସରପଞ୍ଚ ବାବୁ ହେଲେ ବନମାଳୀ ନାଏକ । ଆଉ ପୂର୍ବରୁ କେବେ ବି ଏଭଳି ବ୍ୟବସ୍ଥାର ଅନୁଭବ ରଖିନଥିବା ଗାଁ ଲୋକେ ସରପଞ୍ଚଙ୍କ ଏ କାମରେ ଆଶ୍ଚଯର୍ୟ ଯେତିକି, ଖୁସି ବି ସେତିକି ।
‘ମୁକୁନ୍ଦପୁର ପଞ୍ଚାୟତର କୌଣସି ଦୁର୍ନୀତି କାର୍ଯ୍ୟକୁ ମୁଁ ସମର୍ଥନ କରିବି ନାହିଁ । ମୁଁ ଦୁର୍ନୀତି କରିବି ନାହିଁ କି କାହାକୁ ଦୁର୍ନୀତି କରିବାକୁ ଦେବି ନାହିଁ’। ଏଠି ତ କମାଲ୍ କରିଦେଇଛନ୍ତି ଏ ସରପଞ୍ଚ ମ୍ୟାଡମ୍ । ବ୍ୟବସ୍ଥାର ଶିରା, ପ୍ରଶିରାରେ ଚରିଯାଇଥିବା ଦୁର୍ନୀତି ବିରୋଧରେ ଲଢ଼ି ଦୁର୍ନୀତିମୁକ୍ତ ପଞ୍ଚାୟତଟିଏ ଗଢ଼ିବା ପାଇଁ ଭୋଟ୍ ପୂର୍ବରୁ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସରପଞ୍ଚ ଭାବେ ଶପଥ ନେବା ପରେ ପରେ ହିଁ ସେଇ ପ୍ରତିଶ୍ରୁତି ପୂରା କରିବାର ବଡ଼, ସାହସୀ ପ୍ରୟାସଟିଏ ଆରମ୍ଭ କରିଛନ୍ତି ।
ଭଦ୍ରକ ମୁକୁନ୍ଦପୁରପଞ୍ଚାୟତର ସସ୍ମିତା ମଲ୍ଲିକ ସାହସର ପ୍ରମାଣ ଦୁର୍ନୀତିକୁ ଚେକ୍ ଦେବାକୁ ନିଜ ଫୋନ୍ ନମ୍ବର ସହ ଗାଁ ଗାଁରେ ଏମିତି ଫ୍ଲେକ୍ସ, ବ୍ୟାନର ମାରିଛନ୍ତି । ଅଭିଯୋଗ ଥିଲେ ସିଧାସଳଖ ତାଙ୍କୁ ଫୋନ୍ କରିବାକୁ ନିବେଦନ କରିଛନ୍ତି । ଏପରିକି ଥାନାଠୁ ନେଇ ଡାକ୍ତରଖାନା, ଚାଉଳ, କିରାସିନିଠୁ ନେଇ ପଞ୍ଚାୟତ ଓ ବ୍ଲକ୍ ସ୍ତରର ଯେକୌଣସି ସମସ୍ୟା ସଂପର୍କରେ ସହଯୋଗ ପାଇଁ ବିଭାଗୀୟ ନମ୍ବର ବି ଦେଇଛନ୍ତି ସସ୍ମିତା ।
ଏଠି ବି ଆଉ ଏକ ନୂଆକଥା ନିର୍ବାଚନ ହାରି ବି ପ୍ରତିଶ୍ରୁତି ପୂରା କରିବାରେ ଲାଗିପଡ଼ିଛନ୍ତି ମାଲକାନିଗିରି ପୌର ପରିଷଦର ଚେୟାରମ୍ୟାନ୍ ପ୍ରାର୍ଥୀ ଜି. ଶ୍ରୀନିବାସ । ପ୍ରଚାର ବେଳେ କଥା ଦେଇଥିଲେ, ଜିତେ କି ହାରେ ବିଭିନ୍ନ ସାହିରେ ୧୦ଟି ନଳକୂଅ ଖୋଳିବି । ତେଣୁ ହାରିକି ମନ ନମାରି ନିଜସ୍ୱ ଖର୍ଚ୍ଚରେ ପ୍ରଥମ ନଳକୂଅ ଖୋଳା କାମ ଆରମ୍ଭ କରିଛନ୍ତି ଜି. ଶ୍ରୀନିବାସ ।
ରାଜନୀତିରେ ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ନରଖିବାର ଅସ୍ୱସ୍ତିକର ଟ୍ରେଣ୍ଡ ଭିତରେ ମୁକୁନ୍ଦପୁର ଓ ଧୂମାଭଟା ପଞ୍ଚାୟତରୁ ଆରମ୍ଭ ହୋଇଥିବା ପରିବର୍ତ୍ତନର ଏ ନୂଆ ଧାରା ତୃଣମୂଳ ସ୍ତରର ଗଣତନ୍ତ୍ର ପାଇଁ ବଡ଼ ଆଶ୍ୱସ୍ତି ଆଣିଛି । ଆମେ ବି ଆଶା କରିବା ଲୋକଦେଖାଣିଆ ନହୋଇ ଏ ନୂଆ ଆରମ୍ଭ ଆଗକୁ ବଢୁ ରାଜ୍ୟ ଡେଇଁ ଦେଶକୁ ମାଡ଼ୁ ।
ରିପୋର୍ଟର- କରୁଣାକର ବୁଡ଼େକ, ପାର୍ଥସାରଥୀ ନାୟକ ଓ ମାଲକାନଗିରିରୁ ଜିତେନ୍ଦ୍ର ବେଉରା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)