• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜଧାନୀରେ ବଳି ପଡୁଛି ଶହ ଶହ ପୁରୁଣା କାଳିଆ ଗଛ । ଲୋଟି ପଡୁଛି ବିଶାଳକାୟ ବର, ଅଶ୍ୱତ୍ଥ, ବଉଳ, କରଞ୍ଜ, ଆମ୍ବ, ନିମ୍ବ ଓ ଦେବଦାରୁ ଗଛ । କେଉଁ ଗଛ ୪୦ ବର୍ଷର ତ ଆଉ କେଉଁ ଗଛ ୮୦ ବର୍ଷ ତଳର । ଏସବୁ ମହାଦ୍ରୁମକୁ କାଟି ସଫା କରି ଦିଆଯାଉଛି । କେବଳ ବିଧାୟକ ମାନଙ୍କ ଲାଗି ସରକାରୀ ସୌଧ ନିର୍ମାଣ ପାଇଁ । ଏଭଳି ଭାବେ ୮ଶହ ୭୦ଟି ଗଛକୁ କାଟିବା ପାଇଁ ବନବିଭାଗ ଅନୁମତି ଦେଇଥିବା ବେଳେ, ଏହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ତେବେ ବନବିଭାଗ କହୁଛି, ଏହି ଗଛକଟା ବାବଦରେ ମିଳିଥିବା କ୍ଷତିପୂରଣ ଟଙ୍କାରେ ଦଶଗୁଣ ଅଧିକ ନୂଆ ଗଛ ଲଗାଯିବ ।

ବିଦାୟ ରାଜଧାନୀ, ବିଦାୟ ରାଜଧାନୀବାସୀ, ମୁଁ ବରଗଛ, ବୁଢ଼ା ବରଗଛ । ହୁଏତ ଆପଣଙ୍କ ପାଇଁ ଅଚିହ୍ନା, କିନ୍ତୁ ଏ ସହର ମୋର ଅତି ଚିହ୍ନା । ମୋରି ଆଖି ଆଗରେ ଏଡ଼ିଟିରୁ ଏଡ଼ୁଟିଏ ହୋଇଛି ଏ ଭୁବନେଶ୍ୱର । କହି ବସିଲେ ପୋଥିଟିଏ ହେବ । ହେଲେ ଆଉ ସମୟ ନାହିଁ, ସାଙ୍ଗ ସାଥି ଲୋଟିଲେଣି, ମୋ ହାତରେ ବି ଆଉ କେଇ ଘଣ୍ଟାର ଆୟୁଷ । ବିଦାୟ ରାଜଧାନୀ, ଚିରବିଦାୟ, ବାକ୍‌ଶକ୍ତି ଥିଲେ ହୁଏତ ଏ ବରଗଛ ନିଜର କିଛି ଏଇଭଳି ଶେଷକାହାଣୀ ବଖାଣିଥାନ୍ତା । କିନ୍ତୁ ଯାହାହେଉ ଗଛମାନେ କଥା କହିପାରନ୍ତିନି । ସେଇଥିପାଇଁ ତ ଏଠି ଆର୍ତ୍ତ ଚିତ୍କାର କି କାନ୍ଦବୋବାଳି ନୁହେଁ । ଶୁଭୁଛି କେବଳ ମେସିନ୍‌କରତର ଗର୍ଜନ ।

ଗର୍ଜନର ଆଢୁଆଳରେ କଟାସରିଲାଣି ବର, ଅଶ୍ୱତ୍ଥ, ବଉଳ, ଆମ୍ବ, ନିମ୍ବ, ପଣସ, ବେଲ, କରଞ୍ଜ, କଦମ୍ବ, ଦେବଦାରୁ, ଅଶୋକ, ରାଧାଚୁଡ଼ା ଆଦିକୁ ମିଶାଇ ପ୍ରାୟ ୪ଶହ ଗଛ । ଆଗକୁ ଆହୁରି ଟଳିବ ୪ ରୁ ୫ଶହ ଗଛ । ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠୁ କମିଶନରେଟ ପୋଲିସ ହେଡ୍‌କ୍ୱାର୍ଟର ଛକ ଯାଏଁ ନିର୍ମମ ଦ୍ରୁମବଳି ଚାଲିଛି । ବିଧାୟକଙ୍କ ପାଇଁ ସରକାରୀ ସୌଧ ନିର୍ମାଣ ଲକ୍ଷ୍ୟରେ ପ୍ରାୟ ୯ଶହ ଗଛ କଟା ହେଲେ ସେଠି ୨୭୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ୧୦ ମହଲା ଓ ୧୧ ମହଲା ଆପାର୍ଟମେଣ୍ଟ । ରହିବ ୩ଶହ କ୍ୱାର୍ଟର । ତେବେ ବିକାଶ ନାଁରେ ଏଭଳି ପ୍ରକୃତିର ବିନାଶକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜଧାନୀବାସୀ ।

କୁହାଯାଉଛି, ଏ ଇଲାକାରେ ଦିନେ ୨ ହଜାରରୁ ଅଧିକ ଗଛ ଥିଲା । ଫନି ବାତ୍ୟାରେ ପ୍ରାୟ ହଜାରେ ଗଛ ସତ୍ତା ହରାଇଥିଲେ ବି, ବାକି ସବୁ ତିଷ୍ଠି ରହିଥିଲା । ହେଲେ ସେତେବେଳେ ଅଣଚାଶ ପବନର ବଳକୁ ବି ଖାତିର କରିନଥିବା ମହାଦ୍ରୁମ ଆଜି ସରକାରୀ କଳ ଆଗରେ ନିର୍ବଳ । ନାଚାର ପ୍ରଶ୍ନ ଉଠୁଛି, ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ପାଇଁ ଏଭଳି ଶହ ଶହ ଗଛକଟା କଣ ନିହାତି ଲୋଡ଼ା? ଅନ୍ୟତ୍ର ନିର୍ମାଣ ହୋଇପାରିନଥାନ୍ତା କି ଏହି ସରକାରୀ ସୌଧ? ଯେଉଁଠି ଆପାର୍ଟମେଣ୍ଟ ତିଆରି ପାଇଁ ଗଛ କାଟିବାକୁ ପଡ଼ିନଥାନ୍ତା । 

ଯଦି ଏମ୍ଏଲ୍ଏ କ୍ୱାର୍ଟର୍ସ ସ୍ଥାନାନ୍ତର ହୋଇପାରୁନି, ତେବେ ଗଛ ଗୁଡ଼ିକର ସ୍ଥାନାନ୍ତରଣ ସମ୍ଭବ ନଥିଲା କି? କାରଣ ଏବେ ଗଛ ସ୍ଥାନାନ୍ତର କରିବା ପାଇଁ ଟେକ୍ନୋଲୋଜି ଉପଲବ୍ଧ । ଏଭଳି ଗଛକଟାକୁ ନେଇ ପରିବେଶବିତ୍ ଓ ଟାଉନ୍ ପ୍ଲାନର୍ ଉଦ୍‌ବେଗ ପ୍ରକାଶ କରିଥିବା ବେଳେ, ଭୁବନେଶ୍ୱର ସିଟି ଡିଏଫ୍ଓ କହିଛନ୍ତି, ୬୮ ଲକ୍ଷ ଟଙ୍କା କ୍ଷତିପୂରଣ ବିନିମୟରେ ୮୭୦ ଗଛ କାଟିବାକୁ ବନବିଭାଗ ଅନୁମତି ଦେଇଛି । କ୍ଷତିପୂରଣ ଟଙ୍କାରେ ୧୦ ଗୁଣ ଅଧିକ ଗଛ ଲଗାଯିବ । 

ବର୍ଷ ପରେ ବର୍ଷ ରାଜଧାନୀବାସୀ ଯେଉଁ ଅସହ୍ୟ ଗ୍ରୀଷ୍ମପ୍ରବାହର ସାମ୍ନା କରୁଛନ୍ତି, ତା ପଛରେ ଉଭେଇ ଯାଉଥିବା ସବୁଜବଳୟ ବି ବହୁ ମାତ୍ରାରେ ଦାୟୀ । ଏଭଳି ସ୍ଥିତିରେ ଦଶଗୁଣ ବୃକ୍ଷରୋପଣ କରିବି କହି, ଦଶନ୍ଧି ଦଶନ୍ଧି ପୁରୁଣା ବୃକ୍ଷକୁ ନିଶ୍ଚିହ୍ନ କରିଦେବା କେତେ ଯୁକ୍ତିଯୁକ୍ତ?

ରିପୋର୍ଟର- ଅର୍ଚ୍ଚନା ଶତପଥୀ, ସୌମ୍ୟରଞ୍ଜନ ସାହୁ, କପିଳେନ୍ଦ୍ର ପ୍ରଧାନ, ନିରଞ୍ଜନ ରେଡ୍ଡି