ମୋଦିଙ୍କ ସହ ଓଡ଼ିଶା ସାଂସଦଙ୍କ ବ୍ରେକ୍‌ ଫାଷ୍ଟ ! ୨୦୨୪ ପାଇଁ ବଡ଼ ଗେମ୍‌ ପ୍ଲାନ୍‌

ପ୍ରଥମେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଦଳର ସାଧାରଣ ସଂପାଦକମାନଙ୍କ ଆଲୋଚନା, ତାପରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ରାଜ୍ୟ ବିଜେପି ବିଧାୟକଙ୍କ ବୈଠକ ।

Narendra Modi

ଦିଲ୍ଲୀରେ ବିଜେପିର ମାନସ ମନ୍ଥନ । ପଞ୍ଚାୟତ ଓ ପୌରରେ ଡବଲ୍ ଝଟ୍‌କା ପରେ ବିଜେପିକୁ ଘାରିଛି ସଂଗଠନ ଚିନ୍ତା । ଉଭୟ ନିର୍ବାଚନରେ ଦଳ ପାଖାପାଖି ୩୦ ପ୍ରତିଶତ ଭୋଟ୍ ପାଇଥିଲେ ବି ତାହା ସିଟ୍‌ରେ କନଭର୍ଟ ହୋଇପାରି ନଥିଲା । ତେଣୁ ୨୪ ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରେ ସଙ୍ଗଠନକୁ ଶକ୍ତିଶାଳୀ କରିବା ଓ ଭୋଟ୍‌ବ୍ୟାଙ୍କ ବଢ଼ାଇବାକୁ ପ୍ରସ୍ତୁତ ହେଉଛି ରୋଡମ୍ୟାପ୍ । ଦିଲ୍ଲୀରେ ରାଜ୍ୟ ନେତାଙ୍କ ଘନ ଘନ ବୈଠକ ପରେ ଆଜି ଖୋଦ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପି ସାଂସଦ । ଯେଉଁଠି ସଙ୍ଗଠନ ମଜଭୁତ୍‌ଠାରୁ କେନ୍ଦ୍ର ସରକାରଙ୍କ ସଫଳତାର କଥା, ଲୋକଙ୍କ ପାଖରେ ପହଞ୍ଚାଇବାକୁ ଗୁରୁମନ୍ତ୍ର ଦେଇଛନ୍ତି ମୋଦି । ଯାହାକୁ ୨୦୨୪ ଲାଗି ପ୍ରସ୍ତୁତି ବୋଲି କୁହଯାଉଛି ।

ପ୍ରଥମେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଦଳର ସାଧାରଣ ସଂପାଦକମାନଙ୍କ ଆଲୋଚନା, ତାପରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ରାଜ୍ୟ ବିଜେପି ବିଧାୟକଙ୍କ ବୈଠକ । ପରେ ପରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଏବଂ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ସାଂସଦଙ୍କ ବ୍ରେକ୍‌ଫାଷ୍ଟ । ଲଗାତାର ଏଭଳି ଭେଟ୍‌ଘାଟକୁ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାଂସଦମାନଙ୍କ ଆଲୋଚନା ବେଳେ ଫୋକସ୍‌ରେ ଥିଲା ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ୍ କରିବା, କାର୍ଯ୍ୟକର୍ତ୍ତାଙ୍କ ସହ ଯୋଡ଼ି ହୋଇ ରହିବା, କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା । ନିଜ ଅଂଚଳର ବିକାଶ ଓ କେନ୍ଦ୍ରର ସଫଳ ସ୍କିମ୍ ଲୋକଙ୍କ ପାଖରେ ପହଞ୍ଚାଇବାରେ ସାଂସଦମାନେ ସେତୁ ଭାବେ କାମ କରିବାକୁ ଟିପ୍ସ ଦେଇଛନ୍ତି ମୋଦି । ବୁଥ୍, ମଣ୍ଡଳ ଓ ଜିଲ୍ଲାସ୍ତରରେ ସଙ୍ଗଠନକୁ ମଜଭୁତ୍ କରିବା ଓ ପନ୍ନା ପ୍ରମୁଖ ଭଳି ଦଳ ଯାହା ଟାସ୍କ ଦେଉଛି ତାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଥିଲେ ମୋଦି । ମିଶନ୍ ୨୦୨୪କୁ ଆଖି ଆଗରେ ରଖି ଦଳକୁ ନିଜର ପୋଜିସନିଂ କରିବାକୁ ପଡ଼ିବ ବୋଲି ସାଂସଦମାନେ କହିଛନ୍ତି ।

ବିଜେପିକୁ ପଂଚାୟତ ନିର୍ବାଚନରେ ୩୦ ପ୍ରତିଶତ, ପୌରାଧ୍ୟକ୍ଷରେ ୨୯ ପ୍ରତିଶତ ଓ କାଉନସିଲର୍ ନିର୍ବାଚନରେ ମିଳିଛି ୨୭ ପ୍ରତିଶତ ଭୋଟ୍ । ଏହାକୁ କିଭଳି ବଢ଼ାଯିବ ତା ଉପରେ ହୋଇଥିଲା ଆଲୋଚନା । କେନ୍ଦ୍ରୀୟ ନେତୃୃତ୍ୱ ରାଜ୍ୟକୁ ଅଧିକ ଫୋକସ କରିବାକୁ ଯୋଜନା କରୁଥିବା କୁହାଯାଉଛି । ୨୪ ନିର୍ବାଚନରେ ସଫଳତା ଲାଗି ସାଙ୍ଗଠନିକ ପୁନର୍ବିନ୍ୟାସ ଓ ସଠିକ୍ ନେତୃୃତ୍ୱ ଚୟନ କରି ଆଗକୁ ବଢିବାକୁ ପଡ଼ିବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

୨୦୧୯ ନିର୍ବାଚନ ପରଠୁ ବିଜେପି-ବିଜେଡି ଭିତରେ ମଧୁର ସଂପର୍କ ଥିବା ଚର୍ଚ୍ଚା ହେଉଛି । ପାର୍ଲାମେଣ୍ଟରେ ଆସିଥିବା ଅଧିକାଂଶ ବିଲ୍‌କୁ ବିଜେଡି ସମର୍ଥନ କରିଛି । ଅନ୍ୟପଟେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ, ବିଜେଡି ସରକାର ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରୁନଥିବା କୁହାଯାଉଛି । ତେବେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପରେ ଏହି ଆଭିମୁଖ୍ୟ ବଦଳିବ ବୋଲି ଚର୍ଚ୍ଚା ହେଉଛି ।